ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଚୋବାଇବା ତମାଖୁ, ଜର୍ଦ୍ଦା ସୁଗନ୍ଧିତ ତମାଖୁ ଏବଂ ଗୁଟଖା କ୍ଷେତ୍ରରେ ମେସିନ୍ ଆଧାରିତ ଶୁଳ୍କ ବିଷୟରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

प्रविष्टि तिथि: 01 JAN 2026 11:32AM by PIB Bhubaneshwar

 

1. ତମାଖୁ ଏବଂ ତମାଖୁ ଉତ୍ପାଦ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ଦ୍ଵାରା ଲାଗୁ ଉତ୍ପାଦ ଶୁଳ୍କ ହାର କ’ଣ?

ତମାଖୁ ଏବଂ ତମାଖୁ ଉତ୍ପାଦ ଉପରେ ଲାଗୁ ଶୁଳ୍କ ହାର ବିଜ୍ଞପ୍ତି ସଂଖ୍ୟା 03/2025- କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ତାରିଖ 31.12.2025 ମାଧ୍ୟମରେ ସୂଚିତ କରାଯାଇଛି। ଏହି ଶୁଳ୍କ ହାର 1 ଫେବୃଆରୀ, 2026ରୁ କାର୍ଯ୍ୟକାରୀ ହେବ।

2. ଚୋବାଇବା ତମାଖୁ, ଜର୍ଦ୍ଦା ସୁଗନ୍ଧିତ ତମାଖୁ ଏବଂ ଗୁଟଖା ପ୍ୟାକିଂ ମେସିନ୍ (କ୍ଷମତା ନିର୍ଣ୍ଣୟ ଏବଂ ଶୁଳ୍କ ସଂଗ୍ରହ) ନିୟମ 2025 କେଉଁଠାରେ ଉଲ୍ଲେଖ କରାଯାଇଛି?

ଏହି ନିୟମଗୁଡ଼ିକ ବିଜ୍ଞପ୍ତି ସଂଖ୍ୟା 05/2025-କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ଏନ.ଟି.) ତାରିଖ 31.12.2025. ମାଧ୍ୟମରେ ସୂଚିତ କରାଯାଇଛି। ଏହି ନିୟମଗୁଡ଼ିକ 1 ଫେବୃଆରୀ, 2026 ଠାରୁ କାର୍ଯ୍ୟକାରୀ ହେବ।

3. ଏହି ନିୟମାବଳୀ ଅନୁଯାୟୀ କେଉଁ ସାମଗ୍ରୀ ସବୁ ଅନ୍ତର୍ଭୁକ୍ତ?

ଏହି ନିୟମାବଳୀ କେନ୍ଦ୍ରୀୟ ଉତ୍ପାଦ ଆଇନ, 1944 ର ଧାରା 3A ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା 04/2025- କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ଏନ.ଟି.) ତାରିଖ 31.12.2025 ଅନୁଯାୟୀ ଅଧିସୂଚିତ ସାମଗ୍ରୀ ଯଥା, ଚୋବାଇବା ତମାଖୁ (ଫିଲ୍ଟର ଖୈନି ସମେତ), ଜର୍ଦ୍ଦା ସୁଗନ୍ଧିତ ତମାଖୁ ଏବଂ ଗୁଟଖା ସାମିଲ ରହିଛି।

4. ଚୋବାଇବା ତମାଖୁ, ଜର୍ଦ୍ଦା ସୁଗନ୍ଧିତ ତମାଖୁ ଏବଂ ଗୁଟଖା ପ୍ୟାକିଂ ମେସିନ୍ (କ୍ଷମତା ନିର୍ଣ୍ଣୟ ଏବଂ ଶୁଳ୍କ ସଂଗ୍ରହ) ନିୟମ 2025 କେଉଁ ବିଷୟରେ ଆଧାରିତ?

ଏହି ନିୟମଗୁଡ଼ିକ ଅଧିସୂଚିତ ସାମଗ୍ରୀ ଯଥା ଚୋବାଇବା ତମାଖୁ (ଫିଲ୍ଟର ଖୈନି ସମେତ), ଜର୍ଦ୍ଦା ସୁଗନ୍ଧିତ ତମାଖୁ ଏବଂ ଗୁଟଖା ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କ୍ଷମତା ନିର୍ଣ୍ଣୟ ଏବଂ ଆଦାୟ ପାଇଁ ବ୍ୟବସ୍ଥା କରେ।

5. ଯେଉଁ କରଦାତାମାନଙ୍କର ପୂର୍ବରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପଞ୍ଜୀକରଣ ଅଛି ସେମାନଙ୍କ ପାଇଁ ଏହି ନିୟମ ଅନୁଯାୟୀ ଏକ ପୃଥକ ପଞ୍ଜୀକରଣ ଆବଶ୍ୟକ କି?

ବର୍ତ୍ତମାନର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପଞ୍ଜିକୃତ କରଦାତାଙ୍କ ପାଇଁ କୌଣସି ପୃଥକ ପଞ୍ଜୀକରଣ ଆବଶ୍ୟକ ନାହିଁ।

6. ଅଧିସୂଚିତ ସାମଗ୍ରୀର ସମସ୍ତ ନିର୍ମାତାଙ୍କୁ ଏହି ନିୟମାବଳୀ ଦ୍ୱାରା ନିର୍ଦ୍ଧାରିତ ଧାର୍ଯ୍ୟ ଶୁଳ୍କ ଦେବାକୁ ପଡିବ କି?

ନା, ଏହି ନିୟମଗୁଡ଼ିକ ଅଧିସୂଚିତ ସାମଗ୍ରୀର ପାଉଚ୍ ନିର୍ମାତାଙ୍କ ପାଇଁ ପ୍ରଯୁଜ୍ୟ। ଯେଉଁମାନେ ଅନ୍ୟ ପ୍ରକାରରେ (ଯେପରିକି ଟିନ୍) ଉତ୍ପାଦନ କରନ୍ତି ସେମାନଙ୍କୁ ମୂଲ୍ୟାଙ୍କନଯୋଗ୍ୟ ମୂଲ୍ୟ ଉପରେ ପ୍ରଯୁଜ୍ୟ ଶୁଳ୍କ ଦେବାକୁ ପଡିବ।

7. ଶୁଳ୍କ ହିସାବ ପାଇଁ ଅଧିସୂଚିତ ସାମଗ୍ରୀର ଖୁଚୁରା ବିକ୍ରୟ ମୂଲ୍ୟରେ କୌଣସି ଛାଡ଼ ଅଛି କି?

ହଁ, ଛାଡ଼ ଉପଲବ୍ଧ ଏବଂ ବିଜ୍ଞପ୍ତି ସଂଖ୍ୟା 01/2022- କେନ୍ଦ୍ରୀୟ ଉତ୍ପାଦ (ଏନ.ଟି), ତାରିଖ 01.02.2022 ରେ ଉତ୍ପାଦଗୁଡ଼ିକ ପାଇଁ ପ୍ରଯୁଜ୍ୟ ଶୁଳ୍କ ହାର ସୂଚିତ କରିବା ସମୟରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି।

8. ଅଧିସୂଚିତ ସାମଗ୍ରୀର ଜଣେ ବର୍ତ୍ତମାନର ନିର୍ମାତା କେଉଁ ତାରିଖ ସୁଦ୍ଧା ଘୋଷଣାପତ୍ର ଦାଖଲ କରିବେ?

ନିୟମ କାର୍ଯ୍ୟକାରୀ ହେବାର ସାତ ଦିନ ମଧ୍ୟରେ ଅର୍ଥାତ୍ 7 ଫେବୃଆରୀ, 2026 ସୁଦ୍ଧା ଫର୍ମ ସିଇ ଡିଇସି-01ରେ ଘୋଷଣାପତ୍ର ପୋର୍ଟାଲରେ ଦାଖଲ କରିବାକୁ ପଡିବ।

9. ଫର୍ମ ସିଇ ଡିଇସି -01 ଦାଖଲ କରିବା ବାଧ୍ୟତାମୂଳକ କି?

ହଁ, ଏହା ବାଧ୍ୟତାମୂଳକ।

10. ଘୋଷଣା କରିବାକୁ ଆବଶ୍ୟକ ମାପଦଣ୍ଡଗୁଡ଼ିକ କ’ଣ?

ମାପଦଣ୍ଡଗୁଡ଼ିକରେ ମେସିନ ସଂଖ୍ୟା, ମେସିନଗୁଡ଼ିକ ସମ୍ବନ୍ଧୀୟ ବୈଶିଷ୍ଟ୍ୟ ଯେପରିକି ସର୍ବାଧିକ ରେଟେଡ୍‌ କ୍ଷମତା ଏବଂ ଗିଅର ବକ୍ସ ରେସିଓ ଏବଂ ଉଲ୍ଲେଖ କରାଯାଇଥିବା ଖୁଚୁରା ବିକ୍ରୟ ମୂଲ୍ୟର ବିବରଣୀ ଅନ୍ତର୍ଭୁକ୍ତ।

11. ଜଣେ ଚାର୍ଟାର୍ଡ ଇଞ୍ଜିନିୟରଙ୍କ ପ୍ରମାଣପତ୍ର କାହିଁକି ଆବଶ୍ୟକ?

ଟ୍ରାକ୍/ଫନେଲ ସଂଖ୍ୟା, ଗିୟର ବକ୍ସ ରେସିଓ ଏବଂ ମୁଖ୍ୟ ମୋଟରର ଆରପିଏମ ସମ୍ବନ୍ଧୀୟ ବୈଷୟିକ ସୂଚନା ପ୍ରଦାନ କରିବା ଲାଗି ଏହା ଆବଶ୍ୟକ।

12. ପ୍ରକୃତ ଉତ୍ପାଦନ ପ୍ରାସଙ୍ଗିକ କି?

ନା, ଶୁଳ୍କ ମେସିନର ସର୍ବାଧିକ କ୍ଷମତା ଆଧାରରେ ଧାର୍ଯ୍ୟ ଉତ୍ପାଦନ ଉପରେ ଆଧାରିତ।

13. ଦେୟଯୋଗ୍ୟ ଶୁଳ୍କ କିପରି ହିସାବ କରାଯିବ?

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଇନର ଧାରା 3ଏ ଅନୁଯାୟୀ, ନିର୍ମାତାଙ୍କୁ ନିର୍ଦ୍ଧାରିତ ବାର୍ଷିକ ଉତ୍ପାଦନ କ୍ଷମତା ଉପରେ ଆଧାର କରି ଶୁଳ୍କ ଦେବାକୁ ପଡିବ।

ତଥାପି, ଦାଖଲ ହୋଇଥିବା ଘୋଷଣାନାମାର ଯାଞ୍ଚ ଅପେକ୍ଷାରେ, ନିର୍ମାତା ଏକ ମାସ ମଧ୍ୟରେ ଉତ୍ପାଦିତ ପାଉଚ୍‌ଗୁଡ଼ିକର ଖୁଚୁରା ବିକ୍ରୟ ମୂଲ୍ୟ ଏବଂ ପ୍ୟାକିଂ ମେସିନର ସର୍ବାଧିକ ରେଟେଡ୍‌ ବେଗ, ପ୍ରତି ମିନିଟ୍ ରେ ପାଉଚ୍ କୁ  ଆଧାର କରି ଶୁଳ୍କ ଦେବାକୁ ପଡିବ।

ଉଦାହରଣ ସ୍ୱରୂପ, ଯଦି ଚୋବାଇବା ତମାଖୁ ତିଆରି କରୁଥିବା ମେସିନର ସର୍ବାଧିକ ରେଟେଡ୍‌ କ୍ଷମତା 500 ପାଉଚ୍ ଏବଂ ଆରଏସପି 2 ଟଙ୍କା, ତେବେ ପ୍ରତି ମାସ ପ୍ରତି ପ୍ୟାକିଂ ମେସିନର ଶୁଳ୍କ ହାର 0.83 କୋଟି ଟଙ୍କା ହେବ।

ଯଦି ଚୋବାଇବା ତମାଖୁ ମେସିନର ସର୍ବାଧିକ ରେଟେଡ୍‌ କ୍ଷମତା 500 ପାଉଚ୍ ଏବଂ ଆରଏସପି 4 ଟଙ୍କା, ତେବେ ପ୍ରତି ମାସ ପ୍ରତି ପ୍ୟାକିଂ ମେସିନର ଶୁଳ୍କ ହାର 1.52 କୋଟି ଟଙ୍କା ହେବ (0.83 କୋଟି ଟଙ୍କା କିମ୍ବା 0.38*ଆରଏସପି ନିଆଯିବା ଆବଶ୍ୟକ)।

14. ଜଣେ କରଦାତା ପ୍ରଥମ ଘୋଷଣା ଦାଖଲ କରିବା ଏବଂ କେନ୍ଦ୍ରୀୟଉତ୍ପାଦ ଶୁଳ୍କ  ଡେପୁଟି କମିଶନର କିମ୍ବା ସହାୟକ କମିଶନରଙ୍କ ଦ୍ୱାରା ବାର୍ଷିକ ଉତ୍ପାଦନ କ୍ଷମତା ନିର୍ଣ୍ଣୟ କରିବା ପାଇଁ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ଏକ ନୂତନ ଘୋଷଣା ଦାଖଲ କରିପାରିବେ କି ?

ଉକ୍ତ ନିୟମାବଳୀର ନିୟମ 6 ଅନୁଯାୟୀ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର କ୍ଷେତ୍ରାଧିକାରୀ ଡେପୁଟି କମିଶନର କିମ୍ବା ସହାୟକ କମିଶନର, ଯଥାସ୍ଥିତି, ପୂର୍ବ ଘୋଷଣା ସମ୍ପର୍କରେ ନିୟମ 8 ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି ନକରିବା ପର୍ଯ୍ୟନ୍ତ ନୂତନ ଘୋଷଣା ଦାଖଲ କରାଯାଇପାରିବ ନାହିଁ।

15. ବିଭାଗ ବାର୍ଷିକ ଉତ୍ପାଦନ କ୍ଷମତା କିପରି ନିର୍ଣ୍ଣୟ କରିବ?

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର କ୍ଷେତ୍ରାଧିକାରୀ ଡେପୁଟି କମିଶନର କିମ୍ବା ସହାୟକ କମିଶନର, ଯଥାପ୍ରସଙ୍ଗ, କାରଖାନାର ଭୌତିକ ନିରୀକ୍ଷଣ ଏବଂ ମେସିନଗୁଡ଼ିକର ବୈଷୟିକ ବୈଶିଷ୍ଟ୍ୟ ଯାଞ୍ଚ କରିବା ପରେ ବାର୍ଷିକ ଉତ୍ପାଦନ କ୍ଷମତା ନିର୍ଦ୍ଧାରଣ କରିବେ। ଉକ୍ତ ନିୟମର ନିୟମ 5 ଅନୁଯାୟୀ ଏକ ମାସରେ ଉତ୍ପାଦିତ ବୋଲି ବିବେଚିତ ଅଧିସୂଚିତ ସାମଗ୍ରୀର ପରିମାଣକୁ 12 (ମାସ) ସହିତ ଗୁଣନ କରି ବାର୍ଷିକ ଉତ୍ପାଦନ କ୍ଷମତା ନିର୍ଣ୍ଣୟ କରାଯିବ।

16. ଯେଉଁ ପରିସ୍ଥିତିରେ ବିଭାଗ ଦ୍ୱାରା ନିର୍ଣ୍ଣୟ କରାଯାଇଥିବା ବାର୍ଷିକ କ୍ଷମତା ଉତ୍ପାଦକଙ୍କ ଦ୍ୱାରା କରାଯାଇଥିବା ଘୋଷଣା ଅପେକ୍ଷା ଅଧିକ ହୁଏ, ସେଠାରେ କ'ଣ ହେବ?

କ୍ଷେତ୍ରାଧିକାରୀ ଡେପୁଟି କମିଶନର କିମ୍ବା ସହାୟକ କମିଶନର (କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ), ଯଥାପ୍ରସଙ୍ଗ, ନିର୍ମାତାଙ୍କୁ ଯୁକ୍ତିସଙ୍ଗତ ଶୁଣାଣୀର ଏକ ସୁଯୋଗ ଦେବା ପରେ, ଯାଞ୍ଚର ତିରିଶ ଦିନ ମଧ୍ୟରେ ଏକ ନିର୍ଦ୍ଦେଶ ଜାରି କରିବେ। ପ୍ରଯୁଜ୍ୟ ସୁଧ ସହିତ ଭିନ୍ନ ହୋଇଥିବା ଶୁଳ୍କ, ମେସିନ୍ ସ୍ଥାପନ ତାରିଖ କିମ୍ବା ଉତ୍ପାଦନ ସହିତ ପ୍ରାସଙ୍ଗିକ କାରଣଗୁଡ଼ିକରେ ପରିବର୍ତ୍ତନ ତାରିଖରୁ (ପରିସ୍ଥିତି ଯେପରି ହୋଇପାରେ) ପ୍ରକୃତ ଦେୟ ତାରିଖ ପର୍ଯ୍ୟନ୍ତ ଦେୟ ହେବ। ବର୍ତ୍ତମାନ ଉତ୍ପାଦକଙ୍କ ପାଇଁ, ପ୍ରଥମ ନିର୍ଣ୍ଣୟ କ୍ଷେତ୍ରରେ, ଭିନ୍ନ ହୋଇଥିବା ଶୁଳ୍କ ଏବଂ ସୁଧ 1 ଫେବୃଆରୀ 2026ରୁ ଦେବାକୁ ପଡିବ।

17. ଯଦି ଉତ୍ପାଦକ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କର ଡେପୁଟି କମିଶନର କିମ୍ବା ସହାୟକ କମିଶନରଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ କରିବାକୁ ଚାହାଁନ୍ତି, ତେବେ କଣ ହେବ?

ଯଦିଓ କରଦାତା ଅପିଲ୍ ଦାଖଲ କରିବାକୁ ଚାହାଁନ୍ତି, ତଥାପି ଆଦେଶର ପରବର୍ତ୍ତୀ ସମୟ ପାଇଁ କ୍ଷେତ୍ରାଧିକାରୀ ଡେପୁଟି କମିଶନର କିମ୍ବା ସହାୟକ କମିଶନର(କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ)ଙ୍କ ନିର୍ଣ୍ଣୟ ଅନୁସାରେ ଶୁଳ୍କ ଦେବାକୁ ପଡିବ।

18. କ୍ଷେତ୍ରାଧିକାରୀଙ୍କ ଦ୍ୱାରା ପ୍ରତ୍ୟେକ ମାସରେ କ୍ଷମତା ନିର୍ଦ୍ଧାରଣ କରାଯିବ କି?

ନା। ବାର୍ଷିକ ଉତ୍ପାଦନ କ୍ଷମତାକୁ ପ୍ରଭାବିତ କରୁଥିବା ପ୍ରାସଙ୍ଗିକ ଉତ୍ପାଦନ କାରକଗୁଡ଼ିକରେ ପରିବର୍ତ୍ତନ ଆସିଲେ ହିଁ ଏକ ନୂତନ କ୍ଷମତା ନିର୍ଦ୍ଧାରଣ କରାଯିବ, ଯଥା ପ୍ୟାକିଂ ମେସିନ୍ ସଂଖ୍ୟା ଏବଂ ମେସିନ୍ ଉତ୍ପାଦନର ସର୍ବାଧିକ ରେଟେଡ୍‌ କ୍ଷମତା।

19. ଯଦି 1 ଫେବୃଆରୀ 2026 ପରେ ପଞ୍ଜିକୃତ ଜଣେ ଉତ୍ପାଦକ ମେସିନ୍ ସ୍ଥାପନ କରନ୍ତି ଏବଂ ମାସର 10 ତାରିଖରେ ଉତ୍ପାଦନ ଆରମ୍ଭ କରନ୍ତି, ତେବେ କ’ଣ ସମଗ୍ର ମାସ ପାଇଁ ଶୁଳ୍କ ଦେବାକୁ ପଡିବ?

ହଁ। ଉକ୍ତ ନିୟମ 13(3) ଅନୁଯାୟୀ, ଉତ୍ପାଦକଙ୍କୁ ମେସିନ୍ ସ୍ଥାପିତ ହୋଇଥିବା ସମ୍ପୂର୍ଣ୍ଣ ମାସ ପାଇଁ ଶୁଳ୍କ ସମ୍ପୂର୍ଣ୍ଣ ଭାବରେ ଦେବାକୁ ପଡିବ।

20. ଶୁଳ୍କ ହିସାବ ପାଇଁ ମେସିନ୍ ସଂଖ୍ୟା କିପରି ନିର୍ଣ୍ଣୟ କରାଯିବ?

ଗୋଟିଏ ମାସ ପାଇଁ ସ୍ଥାପିତ ମେସିନ୍ ସଂଖ୍ୟାକୁ ମାସର ଯେକୌଣସି ଦିନରେ ସର୍ବାଧିକ ସ୍ଥାପିତ ମେସିନ୍ ସଂଖ୍ୟା ଭାବରେ ଗ୍ରହଣ କରାଯିବ।

21. କେଉଁ ମାସିକ ଫର୍ମ ଏବଂ ରିଟର୍ଣ୍ଣ  ଦାଖଲ କରିବାକୁ ପଡିବ?

ଉତ୍ପାଦକଙ୍କୁ ସେହି ମାସର 10 ତାରିଖ କିମ୍ବା ତା’ ପୂର୍ବରୁ ଫର୍ମ ସିଇ ଏସଟିଆର-1ରେ ଏକ ମାସିକ ଫର୍ମ ଦାଖଲ କରିବାକୁ ପଡିବ। ଏହା ସହିତ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ନିୟମାବଳୀର ନିୟମ 12 ଅନୁଯାୟୀ ମାସିକରିଟର୍ଣ୍ଣ ମଧ୍ୟ ଦାଖଲ କରିବା ଆବଶ୍ୟକ ।

22. ଛାଡ଼ ଗଣନା କିପରି କରାଯିବ?

ଛାଡ଼ ହାର ନିମ୍ନଲିଖିତ ସୂତ୍ର ଅନୁସାରେ ପ୍ରୋ-ରାଟା ଭିତ୍ତିରେ ଗଣନା ହେବ:

ଛାଡ଼ ହାର = (ମାସିକ ଶୁଳ୍କ ଦେୟ × ଅଚଳ ଦିନ ସଂଖ୍ୟା) ÷ ମାସର ମୋଟ ଦିନ ସଂଖ୍ୟା।

23. ଧରାଯାଉ ମେସିନ୍ 15 ଫେବୃଆରୀରୁ 5 ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟ କରୁନାହିଁ, ତେବେ କେତେ ଛାଡ଼ ଦାବି କରାଯାଇପାରିବ?

ପନ୍ଦର ଦିନ ଧରି ମେସିନ ନିରନ୍ତର ଅଚଳ ଥିଲେ ଛାଡ଼ ଦାବି କରାଯାଇପାରିବ ଏବଂ ଏହି ସମୟ ସମାନ କ୍ୟାଲେଣ୍ଡର ମାସ ମଧ୍ୟରେ ପଡୁଛି କି ନାହିଁ ତାହା ଉପରେ ନିର୍ଭର କରେ ନାହିଁ।

24. ଛାଡ଼ ଦାବି କରିବା ପାଇଁ କେଉଁ ସର୍ତ୍ତ ରହିଛି?

ଛାଡ଼ ଦାବି କରିବା ପାଇଁ, ନିର୍ମାତାଙ୍କୁ ଅତି କମରେ ତିନି କାର୍ଯ୍ୟ ଦିବସ ପୂର୍ବରୁ ବିଭାଗକୁ ସୂଚିତ କରିବାକୁ ପଡିବ ଏବଂ ବିଭାଗ ଦ୍ୱାରା ମେସିନକୁ ସିଲ୍ କରିବାକୁ ପଡିବ।

25. ବ୍ୟବହାରରେ ନ ଥିଲେ ମଧ୍ୟ ମେସିନଗୁଡ଼ିକ କାର୍ଯ୍ୟକ୍ଷମ ବୋଲି ବିବେଚନା କରାଯାଏ କି?

ହଁ। କାରଖାନାରେ ସ୍ଥାପିତ ଯେକୌଣସି ପ୍ୟାକିଂ ମେସିନ୍ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ସିଲ୍ ନ ହେଲେ କାର୍ଯ୍ୟକ୍ଷମ ବୋଲି ବିବେଚନା କରାଯାଏ।

26. ମେସିନଗୁଡ଼ିକୁ ସିଲ୍ କରିବାର ପ୍ରକ୍ରିୟାଗୁଡ଼ିକ କ’ଣ?

ଯେକୌଣସି ସ୍ଥାପିତ ମେସିନ୍‌କୁ ନିରନ୍ତର 15 ଦିନ କିମ୍ବା ତାହାଠାରୁ ଅଧିକ ସମୟ ପାଇଁ ବନ୍ଦ (ଅଚଳ) ରଖିବାକୁ ଥିଲେ, ଉତ୍ପାଦକଙ୍କୁ ସେହି ଅଚଳତା ଆରମ୍ଭ ହେବାର ତାରିଖରୁ କମ୍ ରେ କମ୍ 3 କାର୍ଯ୍ୟ ଦିବସ ପୂର୍ବରୁ, ଯଥାପ୍ରସଙ୍ଗ, କ୍ଷେତ୍ରାଧିକାରୀ ଡେପୁଟି-କମିଶନର କିମ୍ବା ସହାୟକ କମିଶନର (କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ )ଙ୍କୁ ସୂଚନା ଦେବାକୁ ପଡ଼ିବ ।

27. ଗୋଟିଏ ସିଲ୍ ହୋଇଥିବା ମେସିନର ସିଲ୍ ଖୋଲାଯିବ କିପରି?

ଯଥାପ୍ରସଙ୍ଗ, କ୍ଷେତ୍ରାଧିକାରୀ ଡେପୁଟି-କମିଶନର କିମ୍ବା ସହାୟକ କମିଶନର (କେନ୍ଦ୍ରୀୟ ଆବକାରୀ)ଙ୍କୁ କାର୍ଯ୍ୟକଳାପ ପୁନଃଆରମ୍ଭ କରିବାକୁ ଉଦ୍ଦିଷ୍ଟ ତାରିଖରୁ ଅତି କମରେ 3 କାର୍ଯ୍ୟ ଦିବସ  ପୂର୍ବରୁ ସୂଚନା ଦେବା ଆବଶ୍ୟକ । କ୍ଷେତ୍ରାଧିକାରୀ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ମେସିନ୍‌ଗୁଡ଼ିକୁ ଡି-ସିଲ୍ (ମୋହର ଖୋଲା) କରାଯିବ ।

28. ବିକ୍ରୟ କିମ୍ବା ନିଷ୍କାସନ ପାଇଁ କାରଖାନାରୁ ମେସିନଗୁଡ଼ିକୁ ଅପସାରଣ କରିବାର ପ୍ରକ୍ରିୟା କ’ଣ?

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର କ୍ଷେତ୍ରାଧିକାରୀ ଡେପୁଟି କମିଶନର କିମ୍ବା ସହାୟକ କମିଶନରଙ୍କୁ, ଯଥାପ୍ରସଙ୍ଗ ଅନଇନଷ୍ଟଲ୍ କରିବା ପାଇଁ ଉଦ୍ଦିଷ୍ଟ ତାରିଖରୁ ଅତି କମରେ ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ସୂଚିତ କରାଯିବା ଆବଶ୍ୟକ।

29. ସିସିଟିଭି ଲଗାଇବା ବାଧ୍ୟତାମୂଳକ କି?

ହଁ । ପ୍ୟାକିଂ ମେସିନ୍ ଚଳାଉଥିବା ପ୍ରତ୍ୟେକ ଉତ୍ପାଦକଙ୍କୁ ସମସ୍ତ ପ୍ୟାକିଂ ମେସିନ୍ ଅଞ୍ଚଳକୁ ଆବୃତ କରୁଥିବା ଏକ କାର୍ଯ୍ୟକ୍ଷମ CCTV ପ୍ରଣାଳୀ ସ୍ଥାପନ କରିବା ଏବଂ ତାହାର ଫୁଟେଜ୍ ଅତି କମରେ  24 ମାସ ପର୍ଯ୍ୟନ୍ତ ସଂରକ୍ଷଣ କରିବା ବାଧ୍ୟତାମୂଳକ ।

30. ରିହାତି ଉପଲବ୍ଧ କି?

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କର ଯେକୌଣସି ରିହାତି କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ନିୟମାବଳୀର ଧାରା 18 ଅନୁଯାୟୀ ଉପଲବ୍ଧ ନାହିଁ।

31. ଯଦି କୌଣସି କାରଖାନା କାମ କରିବା ବନ୍ଦ କରିଦିଏ, ତେବେ ଆଗୁଆ ଦେୟ ହୋଇଥିବା ଶୁଳ୍କର କ’ଣ ହେବ?

ନିର୍ମାତାଙ୍କୁ ପଞ୍ଜୀକରଣ ସମର୍ପଣ ବା ସରେଣ୍ଡର କରିବା ପାଇଁ ଏକ ସୂଚନା ଦାଖଲ କରିବାକୁ ପଡିବ। ଉକ୍ତ ନିୟମଗୁଡ଼ିକର ନିୟମ 21 ଅନୁସାରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଶୁଳ୍କର ସମନ୍ୱୟ କିମ୍ବା ରିଫଣ୍ଡ କରାଯିବ ।

32. ଶୁଳ୍କ ଦେୟ ବିନା ରପ୍ତାନିକୁ ଅନୁମତି ଅଛି କି?

ନା। କ୍ଷମତା-ଆଧାରିତ ଶୁଳ୍କ ଯୋଜନା ଅଧୀନରେ, ଶୁଳ୍କ ଦେୟ ବିନା ଅଧିସୂଚିତ ସାମଗ୍ରୀର ରପ୍ତାନି ଅନୁମତିପ୍ରାପ୍ତ ନୁହେଁ।

କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ

******

PS/Bikash/Swadhin


(रिलीज़ आईडी: 2210495) आगंतुक पटल : 29
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Bengali-TR , Manipuri , Punjabi , Gujarati , Tamil , Kannada , Malayalam