ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

Posted On: 14 AUG 2025 7:40PM by PIB Bhubaneshwar

 

ମୋର ପ୍ରିୟ ଦେଶବାସୀଗଣ,

ନମସ୍କାର!

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି। ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ପ୍ରତ୍ୟେକ ଭାରତୀୟ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଦିବସ ଆମକୁ ଭାରତୀୟ ହେବାର ଗୌରବକୁ ବିଶେଷ ଭାବେ ସ୍ମରଣ କରାଇ ଦେଇଥାଏ।

ଅଗଷ୍ଟ ୧୫ ତାରିଖ, ଆମ ସାମୂହିକ ସ୍ମୃତିରେ ଗଭୀର ଭାବେ ଅଙ୍କିତ ହୋଇ ରହିଛି। ଉପନିବେଶ ଶାସନର ଲମ୍ବା ଅବଧି ସମୟରେ ଆମ ପୂର୍ବ ପିଢ଼ି ଦେଶକୁ ସ୍ୱାଧୀନ କରିବା ଲାଗି ଅନେକ ସ୍ୱପ୍ନ ଦେଖିଥିଲେ । ଦେଶର ପ୍ରତ୍ୟେକ ଭାଗରେ ରହୁଥିବା ପୁରୁଷ ଓ ମହିଳା, ବୟସ୍କ ଓ ଯୁବକ ବିଦେଶୀ ଶାସନର ଶିକୁଳି ଫିଟାଇବା ଲାଗି ବ୍ୟାକୁଳ ଥିଲେ। ସେମାନଙ୍କ ସଂଘର୍ଷରେ ନିରାଶା ନୁହେଁ ବରଂ ବଳଶାଳୀ ଆଶାର ଭାବନା ରହିଥିଲା। ଆଶାର ଏହି ଭାବନା, ସ୍ୱାଧୀନତା ପରେ ଆମ ପ୍ରଗତିକୁ ଶକ୍ତି ଯୋଗାଇ ଆସିଛି। ଆସନ୍ତାକାଲି ତ୍ରିରଙ୍ଗାକୁ ସଲାମ୍‌ କରିବା ସମୟରେ, ଆମେ ସମସ୍ତେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା, ଯେଉଁମାନଙ୍କ ବଳିଦାନ ଆଧାରରେ ୭୮ ବର୍ଷ ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ହାସଲ କରିଥିଲା।

ନିଜ ସ୍ୱାଧୀନତାକୁ ପୁନଃପ୍ରାପ୍ତ କରିବା ପରେ, ଆମେ ଏପରି ଏକ ଗଣତନ୍ତ୍ରର ମାର୍ଗରେ ଆଗକୁ ବଢ଼ିଥିଲୁ ଯେଉଁଥିରେ ସବୁ ପ୍ରାପ୍ତବୟସ୍କଙ୍କୁ ମତଦାନ ଅଧିକାର ମିଳିଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମେ ଭାରତବାସୀ ନିଜ ଭାଗ୍ୟକୁ ଆକାର ଦେବା ପାଇଁ ନିଜକୁ ହିଁ ଅଧିକାର ପ୍ରଦାନ କରିଥିଲୁ। ଅନେକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲିଙ୍ଗ, ଧର୍ମ କିମ୍ବା ଅନ୍ୟ ଆଧାରରେ ଲୋକମାନଙ୍କର ମତାଧିକାର ଉପରେ କଟକଣା ଲାଗୁ କରାଯାଇଥିଲା। କିନ୍ତୁ, ଆମେ ଏପରି କରିନଥିଲୁ। ଆହ୍ୱାନ ଥିବା ସତ୍ତ୍ୱେ ଭାରତର ଲୋକମାନେ ଗଣତନ୍ତ୍ରକୁ ସଫଳତା ପୂର୍ବକ ଗ୍ରହଣ କରିଥିଲେ। ଗଣତନ୍ତ୍ରକୁ ଆପଣାଇବା ଆମ ପ୍ରାଚୀନ ଗଣତାନ୍ତ୍ରିକ ମୂଲ୍ୟବୋଧର ସହଜ ଅଭିବ୍ୟକ୍ତି ଥିଲା। ଭାରତ-ଭୂମି ବିଶ୍ୱର ପ୍ରାଚୀନତମ ଗଣରାଜ୍ୟର ମାଟି। ଏହାକୁ ଗଣତନ୍ତ୍ରର ଜନନୀ କହିବା ଅତିଶୋୟକ୍ତି ହେବ ନାହିଁ। ଆମ ଦ୍ୱାରା ଗ୍ରହଣ କରାଯାଇଥିବା ସମ୍ବିଧାନର ଆଧାରଶୀଳା ଉପରେ ଆମ ଗଣତନ୍ତ୍ରର ଭବନ ନିର୍ମିତ ହୋଇଛି। ଆମେ ଗଣତନ୍ତ୍ର ଉପରେ ଆଧାରିତ ଏପରି ସଂସ୍ଥା ନିର୍ମାଣ କରିଛୁ ଯାହାଦ୍ୱାରା ଗଣତାନ୍ତ୍ରିକ କାର୍ଯ୍ୟଶୈଳୀ ମଜବୁତ ହୋଇଛି। ଆମ ପାଇଁ ଆମ ସମ୍ବିଧାନ ଏବଂ ଆମ ଗଣତନ୍ତ୍ର ସର୍ବୋପରି।

ଅତୀତ ଉପରେ ଆଲୋକପାତ କଲେ ଆମେ ଦେଶ ବିଭାଜନର ଯନ୍ତ୍ରଣାକୁ କଦାପି ଭୁଲି ପାରିବା ନାହିଁ। ଆଜି ଆମେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିଛୁ। ବିଭାଜନ କାରଣରୁ ଭୟାବହ ହିଂସା ଦେଖିବାକୁ ମିଳିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ବାଧ୍ୟ କରାଯାଇଥିଲା। ଆଜି ଆମେ ଐତିହାସିକ ତ୍ରୁଟିର ଶିକାର ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ପ୍ରିୟ ଦେଶବାସୀଗଣ,

ଆମ ସମ୍ବିଧାନରେ ଏପରି ଚାରିଟି ମୂଲ୍ୟବୋଧ ବିଷୟରେ ଉଲ୍ଲେଖ ରହିଛି ଯାହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରି ରଖିବାର ଚାରିଟି ସ୍ତମ୍ଭ। ଏସବୁ ମୂଲ୍ୟ ହେଉଛି - ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ବନ୍ଧୁତା। ଏସବୁ ଆମ ସଭ୍ୟତାର ଏପରି ସିଦ୍ଧାନ୍ତ ଯାହାକୁ ଆମେ ସ୍ୱାଧୀନତା ସଂଗ୍ରାମ ସମୟରେ ପୁନର୍ଜୀବିତ କରିଥିଲୁ। ଏସବୁ ମୂଲ୍ୟବୋଧର ମୂଳରେ ବ୍ୟକ୍ତିଗତ ଗରିମାର ଅବଧାରଣା ବିଦ୍ୟମାନ ରହିଛି ବୋଲି ମୁଁ ବିଶ୍ୱାସ କରେ। ପ୍ରତ୍ୟେକ ବ୍ୟକ୍ତି ସମାନ ଏବଂ ଗରିମାପୂର୍ଣ୍ଣ ବ୍ୟବହାର ପାଇବା ଲାଗି ହକଦାର୍‌ ଅଟନ୍ତି । ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସୁବିଧା ସମସ୍ତଙ୍କ ପାଖରେ ସମାନ ଭାବେ ପହଞ୍ଚିବା ଉଚିତ୍‌। ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ। ପାରମ୍ପରିକ ବ୍ୟବସ୍ଥା କାରଣରୁ ଯେଉଁମାନେ ବଞ୍ଚିତ ରହିଯାଇଥିଲେ, ସେମାନଙ୍କୁ ସହାୟତା ଦରକାର ଥିଲା।

ଏହିସବୁ ସିଦ୍ଧାନ୍ତକୁ ସର୍ବୋପରି ରଖି ଆମେ ୧୯୪୭ରେ ଏକ ନୂଆ ଯାତ୍ରା ଆରମ୍ଭ କରିଥିଲୁ। ବିଦେଶୀ ଶାସନର ଲମ୍ବା ଅବଧି ପରେ, ସ୍ୱାଧୀନତା ସମୟରେ ଭାରତ ଘୋର ଦାରିଦ୍ର୍ୟ ଦେଖି ଗତି କରୁଥିଲା। କିନ୍ତୁ ସେହି ସମୟ ଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୭୮ ବର୍ଷ ମଧ୍ୟରେ ଆମେ ସବୁ କ୍ଷେତ୍ରରେ ଅସାଧାରଣ ପ୍ରଗତି ହାସଲ କରିଛୁ। ଭାରତ ଆତ୍ମନିର୍ଭର ରାଷ୍ଟ୍ର ହେବାର ମାର୍ଗରେ ଯଥେଷ୍ଟ ଦୂର ଆଗେଇ ଆସିଛି ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ ଆହୁରି ଆଗକୁ ବଢ଼ିଚାଲିଛି ।

ଆର୍ଥିକ କ୍ଷେତ୍ରରେ ଆମର ସଫଳତା ସ୍ପଷ୍ଟ ଭାବେ ଦେଖାଯାଇପାରିବ। ବିଗତ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ସକଳ ଘରୋଇ ଉତ୍ପାଦ ବୃଦ୍ଧି ହାର ସହିତ ଭାରତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ଥିଲା। ବିଶ୍ୱ ଅର୍ଥବ୍ୟବସ୍ଥାରେ ଲାଗି ରହିଥିବା ସମସ୍ୟା ସତ୍ତ୍ୱେ ଘରୋଇ ଚାହିଦାରେ ଦ୍ରୁତ ଅଭିବୃଦ୍ଧି ହେଉଛି। ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖାଯାଇପାରିଛି। ରପ୍ତାନି ମଧ୍ୟ ବଢ଼ୁଛି । ସମସ୍ତ ପ୍ରମୁଖ ସଂକେତକ ଅର୍ଥବ୍ୟବସ୍ଥାର ଦୃଢ଼ ସ୍ଥିତିକୁ ଦର୍ଶାଉଛି । ଏହା ଆମ ଶ୍ରମିକ ଏବଂ ଚାଷୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଓ ସମର୍ପଣ ସହିତ ସୁଚିନ୍ତିତ ସଂସ୍କାର ଏବଂ ଦକ୍ଷ ଆର୍ଥିକ ପରିଚାଳନା କାରଣରୁ ସମ୍ଭବ ହୋଇପାରିଛି।

ସୁଶାସନ ମାଧ୍ୟମରେ, ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ସରକାର ଗରିବ ଲୋକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଯେଉଁମାନେ ଦାରିଦ୍ର୍ୟ ସୀମାରେଖାର ଉପରକୁ ଆସିଛନ୍ତି କିନ୍ତୁ ସ୍ଥିର ସ୍ଥିତିରେ ନାହାନ୍ତି, ସେମାନଙ୍କ ପାଖରେ ମଧ୍ୟ ଏପରି ଯୋଜନାର ସୁରକ୍ଷା ଅଛି ଯାହା ଦ୍ୱାରା ସେମାନେ ପୁଣି ଦାରିଦ୍ର୍ୟ ସୀମାରେଖା ତଳକୁ ଖସିବେ ନାହିଁ । ଏହି କଲ୍ୟାଣକାରୀ ପ୍ରୟାସଗୁଡ଼ିକ ସାମାଜିକ ସେବା ଉପରେ ବର୍ଦ୍ଧିତ ଖର୍ଚ୍ଚରେ ପ୍ରତିଫଳିତ ହେଉଛି। ଆୟ ଅସମାନତା ହ୍ରାସ ପାଉଛି। ଆଞ୍ଚଳିକ ବୈଷମ୍ୟ ମଧ୍ୟ କମୁଛି। ଯେଉଁ ରାଜ୍ୟ ଏବଂ ଅଞ୍ଚଳଗୁଡ଼ିକ ପୂର୍ବରୁ ଦୁର୍ବଳ ଆର୍ଥିକ ପ୍ରଦର୍ଶନ ପାଇଁ ପରିଚିତ ଥିଲେ, ସେମାନେ ଏବେ ନିଜର ବାସ୍ତବିକ କ୍ଷମତା ପ୍ରଦର୍ଶନ କରୁଛନ୍ତି ଏବଂ ଅଗ୍ରଣୀ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ହେବା ପାଇଁ ଆଗକୁ ବଢ଼ୁଛନ୍ତି।

ଆମର ପ୍ରମୁଖ ବ୍ୟବସାୟୀ, ଲଘୁ ଓ ମଧ୍ୟମ ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ସର୍ବଦା ସବୁକିଛି ସମ୍ଭବ କରି ଦେଖାଇବାର ମନୋଭାବ ପ୍ରଦର୍ଶନ କରିଛନ୍ତି। ସମୃଦ୍ଧି ସୃଷ୍ଟି କରିବା ରାସ୍ତାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାର ଆବଶ୍ୟକତା ଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଭିତ୍ତିଭୂମି ବିକାଶରେ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଛି। ଆମେ ଭାରତମାଳା ପ୍ରକଳ୍ପ ଅଧୀନରେ ଜାତୀୟ ରାଜପଥ ନେଟୱର୍କକୁ ବିସ୍ତାର ଏବଂ ସୁଦୃଢ଼ କରିଛୁ। ରେଳବାଇ ମଧ୍ୟ ନବସୃଜନକୁ ପ୍ରୋତ୍ସାହିତ କରିଛି ଏବଂ ନୂତନତମ ପ୍ରଯୁକ୍ତିବିଦ୍ୟାରେ ପରିଚାଳିତ ନୂତନ ପ୍ରକାରର ଟ୍ରେନ ଏବଂ କୋଚ୍ ବ୍ୟବହାର କରିବା ଆରମ୍ଭ କରି ଦେଇଛି । କାଶ୍ମୀର ଘାଟୀରେ ରେଳ ସଂଯୋଗୀକରଣର ଶୁଭାରମ୍ଭ ଏକ ପ୍ରମୁଖ ସଫଳତା। ଭାରତର ଅନ୍ୟାନ୍ୟ ଅଞ୍ଚଳ ସହିତ ଘାଟୀର ରେଳ ସଂଯୋଗୀକରଣ ଏହି ଅଞ୍ଚଳରେ ବାଣିଜ୍ୟ ଓ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ନୂତନ ଆର୍ଥିକ ସମ୍ଭାବନା ପାଇଁ ଦ୍ୱାର ଖୋଲିବ। କାଶ୍ମୀରରେ ଇଞ୍ଜିନିୟରିଂର ଏହି ଅସାଧାରଣ ସଫଳତା ଆମ ଦେଶ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ।

ଦେଶରେ ଦ୍ରୁତ ଗତିରେ ସହରୀକରଣ ହେଉଛି। ତେଣୁ, ସରକାର ସହରଗୁଡ଼ିକର ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି। ସହରାଞ୍ଚଳ ପରିବହନର ପ୍ରମୁଖ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେଇ, ସରକାର ମେଟ୍ରୋ ରେଳ ସୁବିଧାକୁ ବିସ୍ତାର କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ, ମେଟ୍ରୋ ରେଳ ସେବା ରହିଥିବା ସହର ସଂଖ୍ୟା ବହୁଗୁଣିତ ହୋଇଛି। ସହରଗୁଡ଼ିକର କାୟାକଳ୍ପ ଏବଂ ସହରାଞ୍ଚଳ ପରିବର୍ତ୍ତନ ପାଇଁ ଅଟଳ ମିଶନ, ଅର୍ଥାତ୍ ‘ଅମୃତ’, ଅଧିକରୁ ଅଧିକ ଘରେ ନିର୍ଭରଯୋଗ୍ୟ ଟ୍ୟାପ୍ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସଂଯୋଗ ସୁବିଧା ସୁନିଶ୍ଚିତ କରିଛି।

ନାଗରିକମାନଙ୍କର ଜୀବନର ମୌଳିକ ସୁବିଧା ପାଇବାର ଅଧିକାର ଅଛି ବୋଲି ସରକାର ବିଶ୍ୱାସ କରନ୍ତି । ‘ଜଳ ଜୀବନ ମିଶନ’ ଅଧୀନରେ, ଗ୍ରାମାଞ୍ଚଳର ଘରକୁ ନଳକୂପ ପାଣି ଯୋଗାଇବାରେ ପ୍ରଗତି ହେଉଛି।

ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା, ଆୟୁଷ୍ମାନ ଭାରତ ଅଧୀନରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସେହିସବୁ ପ୍ରୟାସର ଫଳସ୍ୱରୂପ, ଆମେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖୁଛୁ। ବର୍ତ୍ତମାନସୁଦ୍ଧା, ଏହି ଯୋଜନା ଅଧୀନରେ ୫୫ କୋଟିରୁ ଅଧିକ ଲୋକଙ୍କୁ ସୁରକ୍ଷା କଭର ଯୋଗାଇ ଦିଆଯାଇଛି। ସରକାର ଏହି ଯୋଜନାକୁ ଆୟ ନିର୍ବିଶେଷରେ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ କରାଇଛନ୍ତି । ସ୍ୱାସ୍ଥ୍ୟସେବା ଉପଲବ୍ଧତାରେ ଥିବା ଅସମାନତା ଦୂର ହେବା ସହିତ, ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ପାଉଛନ୍ତି।

ଏହି ଡିଜିଟାଲ ଯୁଗରେ, ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତରେ ସର୍ବାଧିକ ପ୍ରଗତି ହେବା ସ୍ୱାଭାବିକ। ପ୍ରାୟ ସମସ୍ତ ଗାଁରେ ଫୋର୍‌ ଜି ମୋବାଇଲ୍ ସଂଯୋଗ ଉପଲବ୍ଧ। ଏହି ସୁବିଧା ଖୁବ୍ ଶୀଘ୍ର ବାକି କିଛି ହଜାର ଗ୍ରାମକୁ ମଧ୍ୟ ବିସ୍ତାର କରାଯିବ। ଏହାଦ୍ୱାରା ଡିଜିଟାଲ ଅର୍ଥପଇଠ ଲାଗି ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ପରିମାଣରେ ଗ୍ରହଣ କରିବା ସମ୍ଭବ ହୋଇଛି। ଅଳ୍ପ ସମୟ ମଧ୍ୟରେ, ଭାରତ ଡିଜିଟାଲ ଅର୍ଥପଇଠ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ଦେଶ ପାଲଟିଛି। ଏହା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରକୁ ମଧ୍ୟ ପ୍ରୋତ୍ସାହିତ କରିଛି ଏବଂ କଲ୍ୟାଣକାରୀ ଅର୍ଥରାଶିକୁ କୌଣସି ବାଧା ବାଟମାରଣା ବିନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ନିଶ୍ଚିତ କରିଛି। ବିଶ୍ୱର ମୋଟ ଡିଜିଟାଲ କାରବାର ମଧ୍ୟରୁ, ଅଧାରୁ ଅଧିକ କାରବାର ଭାରତରେ ହେଉଛି। ଏପରି ପରିବର୍ତ୍ତନ ଜରିଆରେ ଏକ ଗତିଶୀଳ ଡିଜିଟାଲ ଅର୍ଥବ୍ୟବସ୍ଥା ସୃଷ୍ଟି କରାଯାଇଛିଦେଶର ଜିଡିପିରେ ହାର ଅବଦାନ ବର୍ଷ ପରେ ବର୍ଷ ବୃଦ୍ଧି ପାଉଛି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି ବୈଷୟିକ ପ୍ରଗତିର ପରବର୍ତ୍ତୀ ପର୍ଯ୍ୟାୟ ଯାହା ଆମ ଜୀବନରେ ନିଜର ସ୍ଥାନ ସୃଷ୍ଟି କରିଛି। ଦେଶର ଏଆଇ କ୍ଷମତାକୁ ସୁଦୃଢ଼ କରିବା ପାଇଁ ସରକାର ଭାରତ-ଏଆଇ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନ ଅଧୀନରେ, ଏପରି ମଡେଲ ବିକଶିତ କରାଯିବ ଯାହା ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବ। ଆମେ ୨୦୪୭ ସୁଦ୍ଧା ଭାରତକୁ ଏକ ବିଶ୍ୱ ଏଆଇ ହବ୍ କରିବାକୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛୁ। ଏହି ଦିଗରେ, ବୈଷୟିକ ଉନ୍ନତିର ସର୍ବୋତ୍ତମ ବ୍ୟବହାର ଏବଂ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣି ସାଧାରଣ ଲୋକଙ୍କ ଜୀବନକୁ ଉନ୍ନ କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ।

ସାଧାରଣ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ, ବ୍ୟବସାୟକୁ ସହଜ କରିବା ସହିତ ଜୀବନକୁ ସହଜ କରିବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି। ବିକାଶ ସେତିକିବେଳେ ଅର୍ଥପୂର୍ଣ୍ଣ ହୁଏ ଯେତେବେଳେ ଉପେକ୍ଷିତ ଲୋକଙ୍କ ପାଖରେ ସହାୟତା ପହଞ୍ଚେ ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ଉପଲବ୍ଧ ହୁଏ। ଏହାବ୍ୟତୀତ, ଆମେ ଯଥାସମ୍ଭବ ପ୍ରତ୍ୟେକ କ୍ଷେତ୍ରରେ ଆମର ଆତ୍ମନିର୍ଭରଶୀଳତା ବୃଦ୍ଧି କରୁଛୁ। ଏହା ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି ଏବଂ ଏକ ବିକଶିତ ଭାରତ ହେବା ପାଇଁ ଆମ ଯାତ୍ରାର ଗତିକୁ ତ୍ୱରାନ୍ୱିତ କରିଛି।

ଗତ ସପ୍ତାହ ୭ ଅଗଷ୍ଟରେ, ଦେଶରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆମର ବୁଣାକାର ଏବଂ ସେମାନଙ୍କ ଉତ୍ପାଦକୁ ସମ୍ମାନ ଦେବା। ସ୍ୱାଧୀନତା ସଂଗ୍ରାମ ସମୟରେ, ୧୯୦୫ ମସିହାରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ସ୍ମୃତିରେ ୨୦୧୫ ମସିହାରୁ ଏହି ଦିବସଟି ପ୍ରତିବର୍ଷ ପାଳନ କରାଯାଇଆସୁଛି। ମହାତ୍ମା ଗାନ୍ଧୀ ଭାରତୀୟ ଶିଳ୍ପୀ ଏବଂ କାରିଗରଙ୍କ ରକ୍ତ ଝାଳରେ ତିଆରି ଉତ୍ପାଦ ଏବଂ ସେମାନଙ୍କର ଅତୁଳନୀୟ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱଦେଶୀର ଭାବନାକୁ ଅଧିକ ମଜବୁତ କରିଥିଲେ। ସ୍ୱଦେଶୀର ଚିନ୍ତାଧାରା ମେକ୍-ଇନ୍-ଇଣ୍ଡିଆଏବଂ ଆତ୍ମନିର୍ଭର ଭାରତ ଅଭିଯାନଭଳି ଜାତୀୟ ପ୍ରୟାସକୁ ପ୍ରେରଣା ଦେଇ ଆସୁଛି। ଆମ ସମସ୍ତଙ୍କୁ ଏହି ପ୍ରତିଜ୍ଞା ନେବାକୁ ପଡିବ ଯେ ଆମେ ଆମ ଦେଶରେ ତିଆରି ଉତ୍ପାଦ କିଣିବୁ ଏବଂ ବ୍ୟବହାର କରିବୁ।

ପ୍ରିୟ ଦେଶବାସୀଗଣ,

ସାମାଜିକ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଦ୍ୱାରା ସାମଗ୍ରିକ ଆର୍ଥିକ ବିକାଶ ବଳରେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ଅର୍ଥବ୍ୟବସ୍ଥା ହେବା ପଥରେ ଆଗକୁ ବଢ଼ୁଛି। ଅମୃତ କାଳର ଏହି ସମୟରେ, ସମସ୍ତ ଦେଶବାସୀ ଆଗକୁ ବଢ଼ିବାର ଜାତୀୟ ଯାତ୍ରାରେ ଯଥାସମ୍ଭବ ଯୋଗଦାନ ଦେବେ ବୋଲି ମୁଁ ବିଶ୍ୱାସ କରେ । ସମାଜର ତିନୋଟି ବର୍ଗ ଅଛନ୍ତି ଯେଉଁମାନେ ଆମକୁ ପ୍ରଗତି ପଥରେ ଆଗକୁ ନେଇଯିବେ। ଏହି ତିନୋଟି ବର୍ଗ ହେଉଛନ୍ତି - ଆମର ଯୁବପିଢ଼ି, ମହିଳା ଏବଂ ଦୀର୍ଘ ସମୟ ଧରି ଉପେକ୍ଷିତ ହୋଇ ରହିଥିବା ସମ୍ପ୍ରଦାୟ।

ଅନ୍ତତଃ, ଆମର ଯୁବପିଢ଼ିଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ଅନୁକୂଳ ପରିସ୍ଥିତି ମିଳିଛି। ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସୁଦୂରପ୍ରସାରୀ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ଜୀବନ ମୂଲ୍ୟବୋଧ ସହିତ ଏବଂ କୌଶଳକୁ ପରମ୍ପରା ସହିତ ଯୋଡାଯାଇଛି। ନିଯୁକ୍ତି ସୁଯୋଗ ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ଉଦ୍ୟୋଗ ଆକାଂକ୍ଷୀଙ୍କ ପାଇଁ ସରକାର ସବୁଠାରୁ ଅନୁକୂଳ ପରିବେଶ ଯୋଗାଇ ଦେଇଛନ୍ତି। ଯୁବ ପ୍ରତିଭାର ଶକ୍ତି ଦ୍ୱାରା ପରିଚାଳିତ, ଆମର ମହାକାଶ କାର୍ଯ୍ୟକ୍ରମ ଅଭୂତପୂର୍ବ ଭାବରେ ବିସ୍ତାରିତ ହୋଇଛି। ମୁଁ ନିଶ୍ଚିତ ଯେ ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ଏକ ସମ୍ପୂର୍ଣ୍ଣ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଛି। ଏହି ମହାକାଶ ଯାତ୍ରା ଭାରତର ଆଗାମୀ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଗଗନଯାପାଇଁ ଅତ୍ୟନ୍ତ ସହାୟକ ହେବ। ନୂତନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଆମର ଯୁବପିଢ଼ି କ୍ରୀଡ଼ା ଜଗତରେ ନିଜର ଛାପ ସୃଷ୍ଟି କରୁଛନ୍ତି। ଉଦାହରଣ ସ୍ୱରୂପ, ଭାରତର ଯୁବପିଢ଼ି ଏବେ ଚେସରେ ଏପରି ଆଧିପତ୍ୟ ବିସ୍ତାର କରିଛନ୍ତି ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଜାତୀୟ କ୍ରୀଡ଼ା ନୀତି ୨୦୨୫ରେ ଉଲ୍ଲିଖିତ ଦୃଷ୍ଟିକୋଣ ସହିତ ଆମେ ଏପରି ମୌଳିକ ପରିବର୍ତ୍ତନ କଳ୍ପନା କରିଛୁ ଯାହା ଆଧାରରେ ଭାରତ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ମହାଶକ୍ତି ଭାବରେ ଉଭା ହେବ।

ଆମ ଝିଅମାନେ ଆମର ଗୌରବ। ସେମାନେ ପ୍ରତିବନ୍ଧକ ଭାଙ୍ଗି ପ୍ରତିରକ୍ଷା ସୁରକ୍ଷା ସମେତ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। କ୍ରୀଡାକୁ ଉତ୍କର୍ଷତା, ସଶକ୍ତିକରଣ ଏବଂ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଭାବରେ ବିବେଚନା କରାଯାଏ। ବିଶ୍ୱ ଚେସ୍ ଚାମ୍ପିଅନସିପ୍ ପାଇଁ ‘ଫିଡେ ମହିଳା ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ ଭାରତର ଜଣେ ୧୯ ବର୍ଷୀୟା ଝିଅ ଏବଂ ଜଣେ ୩୮ ବର୍ଷୀୟା ଭାରତୀୟ ମହିଳାଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ସଫଳତା ପିଢ଼ି ପରେ ପିଢ଼ି ଆମ ମହିଳାମାନଙ୍କ ମଧ୍ୟରେ ଥିବା ନିରନ୍ତର ବିଶ୍ୱସ୍ତରୀୟ ଉତ୍କର୍ଷତାକୁ ରେଖାଙ୍କିତ କରେ। ନିଯୁକ୍ତିରେ ଲିଙ୍ଗଗତ ପାର୍ଥକ୍ୟ ମଧ୍ୟ ହ୍ରାସ ପାଉଛି। ନାରୀ ଶକ୍ତି ବନ୍ଦନ ଆଇନସହିତ, ମହିଳା ସଶକ୍ତିକରଣ ଆଉ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏକ ବାସ୍ତବତାରେ ପରିଣତ ହୋଇଛି।

ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ଆମ ସମାଜର ଏକ ବଡ଼ ଭାଗ ହେଉଛନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ଏବେ ଉପେକ୍ଷିତ ହେବାର ମାନ୍ୟତାରୁ ମୁକୁଳି ପାରିଛନ୍ତି। ସକ୍ରିୟ ପ୍ରୟାସ ମାଧ୍ୟମରେ ସରକାର ସେମାନଙ୍କର ସାମାଜିକ ଏବଂ ଆର୍ଥିକ ଆକାଂକ୍ଷାକୁ ସାକାର କରିବାରେ ସାହାଯ୍ୟ କରିଆସୁଛନ୍ତି।

ଭାରତ ଏବେ ନିଜର ପ୍ରକୃତ ସମ୍ଭାବନା ହାସଲ କରିବା ଦିଗରେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆମର ସଂସ୍କାର ଏବଂ ନୀତିଗୁଡ଼ିକ ଅଭିବୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ସୃଷ୍ଟି କରିଛନ୍ତି। ଏହି ପ୍ରସ୍ତୁତି ଆଧାରରେ, ମୁଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ଯେଉଁଠାରେ ଆମେ ସମସ୍ତେ ଆମର ସାମୂହିକ ସମୃଦ୍ଧି କଲ୍ୟାଣ ପାଇଁ ଉତ୍ସାହର ସହିତ ଯୋଗଦାନ ଦେବୁ।

ସେହି ଭବିଷ୍ୟତ ଦିଗରେ, ଆମେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ନେଇ ନବରତ ସୁଶାସନ ସହିତ ଆଗକୁ ବଢ଼ୁଛୁ। ଏହି ପରିପ୍ରେକ୍ଷୀରେ, ମୋତେ ମହାତ୍ମା ଗାନ୍ଧୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଉକ୍ତି ମନେ ପଡୁଛି। ଗାନ୍ଧୀଜୀ କହିଥିଲେ ଏବଂ ମୁଁ ପୁନରାବୃତ୍ତି କରୁଛି:

‘‘ଭ୍ରଷ୍ଟାଚାର ଏବଂ ଦମ୍ଭ, ଗଣତନ୍ତ୍ରର ଅନିବାର୍ଯ୍ୟ ପରିଣାମ ହେବା ଉଚିତ୍‌ ନୁହେଁ’’

ଗାନ୍ଧୀଜୀଙ୍କ ଏହି ଆଦର୍ଶକୁ ସାକାର କରିବା ଏବଂ ଭ୍ରଷ୍ଟାଚାରକୁ ସମୂଳ ନଷ୍ଟ କରିବା ଲାଗି ଆମେ ସଂକଳ୍ପ ନେବା।

ପ୍ରିୟ ଦେଶବାସୀଗଣ,

ଚଳିତ ବର୍ଷ ଆମକୁ ଆତଙ୍କବାଦର ଦଂଶନ ସହିବାକୁ ପଡ଼ିଛି। କାଶ୍ମୀର ବୁଲିବାକୁ ଯାଇଥିବା ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କାପୁରୁଷତାପୂର୍ଣ୍ଣ ଏବଂ ଅତ୍ୟନ୍ତ ଅମାନବୀୟ ଥିଲା। ଭାରତ ସାହସିକ ସଂକଳ୍ପ ସହିତ ଏହାର ଜବାବ ନିର୍ଣ୍ଣାୟକ ଢଙ୍ଗରେ ଦେଇଥିଲା। ଅପରେସନ ସିନ୍ଦୂର ଏହା ପ୍ରମାଣ କରିଥିଲା ଯେ ରାଷ୍ଟ୍ର ସୁରକ୍ଷାର ପ୍ରଶ୍ନ ଉଠିଲେ ଆମ ସେନାବାହିନୀ ଯେକୌଣସି ପ୍ରକାରର ସ୍ଥିତିକୁ ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ଓ ସିଦ୍ଧ ଅଟେ। ରଣନୀତିକ ସ୍ପଷ୍ଟତା ଏବଂ ବୈଷୟିକ ଦକ୍ଷତା ସହିତ, ଆମର ସେନାବାହିନୀ ସୀମା ଆରପାରିରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଅପରେସନ ସିନ୍ଦୂର ଆତଙ୍କବାଦ ବିରୁଦ୍ଧରେ ମାନବତାର ଲଢ଼େଇର ଗୋଟିଏ ଉଦାହରଣ ଭାବରେ ଇତିହାସରେ ଲିଖିତ ହୋଇ ରହିବ ବୋଲି ମୁଁ ବିଶ୍ୱାସ କରେ

ଆମର ଏକତା ଆମ ଜବାବୀ କାର୍ଯ୍ୟାନୁଷ୍ଠାନର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା। ଏହି ଏକତା ସେହି ସମସ୍ତ ତତ୍ତ୍ୱଙ୍କ ପାଇଁ ସବୁଠାରୁ ଉପଯୁକ୍ତ ଜବାବ, ଯେଉଁମାନେ ଆମକୁ ବିଭାଜିତ ଦେଖିବାକୁ ଚାହାଁନ୍ତି। ଭାରତର ଦୃଷ୍ଟିକୋଣ ସ୍ପଷ୍ଟ କରିବା ପାଇଁ ବିଭିନ୍ନ ଦେଶକୁ ଯାଇଥିବା ସଂସଦର ବହୁଦଳୀୟ ପ୍ରତିନିଧିମଣ୍ଡଳରେ ମଧ୍ୟ ଏହି ଏକତା ଦେଖାଯାଇଥିଲା ଆମେ ଆକ୍ରମଣକାରୀ ହେବୁ ନାହିଁ, କିନ୍ତୁ ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବୁ ନାହିଁ ବୋଲି ଭାରତର ସିଦ୍ଧାନ୍ତକୁ ସାରା ବିଶ୍ୱ ସ୍ୱୀକାର କରିଛି

ପାଇଁ ଅପରେସନ ସିନ୍ଦୂର ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ 'ଆତ୍ମନିର୍ଭର ଭାରତ ମିଶନ'କୁ ପରୀକ୍ଷା କରିବା ଏକ ସୁଯୋଗ ଥିଲା। ଆମେ ସଠିକ୍ ରାସ୍ତାରେ ଅଛୁ ବୋଲି ଏବେ ପ୍ରମାଣିତ ହୋଇଛି । ଆମର ସ୍ୱଦେଶୀ ଉତ୍ପାଦନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ପହଞ୍ଚିଛି ଯେଉଁଠାରେ ଆମେ ଆମର ଅନେକ ସୁରକ୍ଷା ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହୋଇଛୁ। ଏହି ସଫଳତାଗୁଡ଼ିକ ସ୍ୱାଧୀନ ଭାରତର ପ୍ରତିରକ୍ଷା ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି

ପ୍ରିୟ ଦେଶବାସୀଗଣ,

ଏହି ଅବସରରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଅନୁରୋଧ କରିବାକୁ ଚାହୁଁଛି। ଜଳବାୟୁ ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେବା ପାଇଁ, ଆମକୁ ନିଜ ଭିତରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିବ। ଆମକୁ ନିଜ ଅଭ୍ୟାସ ଏବଂ ବିଶ୍ୱଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ପଡିବ। ଆମ ପୃଥିବୀ, ନଦୀ, ପର୍ବତ, ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ସହିତ ଆମର ସମ୍ପର୍କକୁ ମଧ୍ୟ ବଦଳାଇବାକୁ ପଡିବ। ଆମେ ସମସ୍ତେ ନିଜର ଯୋଗଦାନ ବଳରେ ଏପରି ଏକ ପୃଥିବୀ ଛାଡ଼ି ଯିବା ଯେଉଁଠି ଜୀବନ ନିଜର ନୈସର୍ଗିକ ରୂପରେ ପରିପୁଷ୍ଟ ହେଉଥିବ।

ପ୍ରିୟ ଦେଶବାସୀଗଣ

ଆମ ସୀମାକୁ ସୁରକ୍ଷା ଦେଉଥିବା ସୈନିକ, ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳଙ୍କ ଆଡ଼କୁ ମୋର ବିଶେଷ ଧ୍ୟାନ ଯାଉଛି। ମୁଁ ନ୍ୟାୟପାଳିକା ଏବଂ ପ୍ରଶାସନିକ ସେବାର ସଦସ୍ୟମାନଙ୍କୁ ମଧ୍ୟ ମୋର ଶୁଭକାମନା ଜଣାଉଛି । ବିଦେଶରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଭାରତୀୟ ଅଧିକାରୀ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ମୋ ତରଫରୁ ହାର୍ଦ୍ଦିକ ଶୁଭକାମନା!

ମୁଁ ପୁଣିଥରେ, ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଉଛି।

ଧନ୍ୟବାଦ।

ଜୟ ହିନ୍ଦ!

ଜୟ ଭାରତ!

********

P.S/Swadhin/Manoj

 


(Release ID: 2156630)