ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅପରେସନ ସିନ୍ଦୂର ନେଇ ଲୋକସଭାରେ ସ୍ୱତନ୍ତ୍ର ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Posted On:
29 JUL 2025 10:06PM by PIB Bhubaneshwar
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଯେତେ ବେଳେ ମୁଁ ମିଡିଆ ବନ୍ଧୁମାନଙ୍କ ସହ କଥା ହେଉଥିଲି ସେତେବେଳେ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କହିଥିଲି । ତାହା ହେଲା ଏହା ହେଉଛି ଏମିତି ଏକ ସ୍ୱତନ୍ତ୍ର ଅଧିବେଶନ ଯେଉଁଠି ଭାରତର ବିଜୟୋତ୍ସବ ପାଳିତ ହେଉଛି । ଯେଉଁଠି ଭାରତର ଗୌରବ ଗାନ ହେଉଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଯେବେ ମୁଁ ବିଜୟୋତ୍ସବର କଥା କହୁଛି ସେବେ ଆତଙ୍କୀମାନଙ୍କ ଆଡ୍ଡାକୁ ସମୂଳେ ଧ୍ୱଂସ କରିବାର ବିଜୟୋତ୍ସବ କଥା କହୁଛି । ଯେବେ ବିଜୟୋତ୍ସବର କଥା କହୁଛି ସେବେ ଏହି ବିଜୟୋତ୍ସବ ସିନ୍ଦୂରର କଥା କହେ । ଯେବେ ବିଜୟୋତ୍ସବର କଥା କହୁଛି ସେବେ ଭାରତୀୟ ସେନାର ଶୌର୍ଯ୍ୟ ଓ ସାମର୍ଥ୍ୟର ବିଜୟ କଥା କହୁଛି । ଯେବେ ମୁଁ ବିଜୟୋତ୍ସବର କଥା କହୁଛି ସେବେ ୧୪୦ କୋଟି ଭାରତୀୟଙ୍କ ଏକତା, ଇଚ୍ଛା ଶକ୍ତି ଏବଂ ଏହା ପ୍ରତି ଜିତିବାର ଇଚ୍ଛା କଥା କହୁଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ମୁଁ ଏହି ବିଜୟର ଭାବ ସହ ଏହି ସଭାକକ୍ଷରେ ଭାରତର ପକ୍ଷ ରଖିବାକୁ ଚାହୁଁଛି । ଯେଉଁମାନଙ୍କୁ ଭାରତର ପକ୍ଷ ଦେଖାଯାଉନି ସେମାନଙ୍କୁ ବି ଆଇନା ଦେଖେଇବାକୁ ଛିଡା ହୋଇଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ମୁଁ ୧୪୦ କୋଟି ଦେଶବାସୀଙ୍କ ଭାବନା ସହ ସ୍ୱର ମିଶାଇବାକୁ ଚାହୁଁଛି । ୧୪୦ କୋଟି ଦେଶବାସୀଙ୍କ ଭାବନାର ଯେଉଁ ଗୁଞ୍ଜରଣ ଯାହା ଏହି ସଦନରେ ଶୁଣାଯାଉଛି ସେଥି ସହ ସ୍ୱର ମିଶାଇବାକୁ ମୁଁ ଛିଡା ହୋଇଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଅପରେସନ ସିନ୍ଦୂର ଅଭିଯାନ ବେଳେ ଦେଶବାସୀ ଯେଭଳି ମୋତେ ସହଯୋଗ କଲେ, ମୋତେ ଆଶୀର୍ବାଦ ଦେଲେ, ସେଥିପାଇଁ ସେମାନଙ୍କ ପାଖରେ ମୁଁ ଋଣୀ । ମୁଁ ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଓ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୨୨ ଏପ୍ରିଲରେ ପହଲଗାମରେ ଯେଉଁ ପ୍ରକାର କ୍ରୂର ଘଟଣା ଘଟିଲା, ଯେଉଁ ଭଳି ଭାବରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା କଲେ ଏହା ହେଉଛି କ୍ରୂରତାର ପରିଚାୟକ । ହିଂସାର ନିଆଁରେ ଭାରତ ଜଳିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ଥିଲା । ଭାରତରେ ଦଙ୍ଗା ସୃଷ୍ଟି କରିବା ଲାଗି ଏହା ଇଏ ଏକ ଷଡଯନ୍ତ୍ର ଥିଲା । ମୁଁ ଆଜି ଦେଶବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏକତାର ସହ ସେପ୍ରକାରର ଷଡଯନ୍ତ୍ରକୁ ଭଣ୍ଡୁର କରିଦେଲେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୨୨ ଏପ୍ରିଲ ପରେ ପରେ ସାର୍ବଜନିକ ରୂପରେ ଓ ସାରା ବିଶ୍ୱ ଜାଣିବା ଲାଗି ମୁଁ ଇଂରାଜୀରେ କହିଥିଲି ଯେ, ଆମେ ଆମ ସଂକଳ୍ପରେ ଅଟଳ ରହିଛୁ । ଆମେ ଏହି ଆତଙ୍କବାଦୀମାନଙ୍କୁ ମାଟିରେ ମିଶାଇବା ସହ ସେମାନଙ୍କର ମୁଖ୍ୟଙ୍କୁ ବି କଳ୍ପନାତୀତ ଦଣ୍ଡ ଦେବୁ ବୋଲି ସାର୍ବଜନିକ ରୂପରେ ମୁଁ କହିଥିଲି । ୨୨ ଏପ୍ରିଲରେ ମୁଁ ବିଦେଶରେ ଥିଲି । ତୁରନ୍ତ ବିଦେଶରୁ ଫେରି ସୁରତ ଆସି ଏକ ବୈଠକ ଡକାଇଲି । ସେଠି ସ୍ପଷ୍ଟ ଭାବରେ କହିଥିଲି ଯେ ଆତଙ୍କ ଓ ଆତଙ୍କବାଦୀଙ୍କୁ ପାନେ ଚଖାଇବା ଆମର ରାଷ୍ଟ୍ରିୟ ସଂକଳ୍ପ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆମ ସୈନ୍ୟ ବଳର କ୍ଷମତା, ସାମର୍ଥ୍ୟ ଓ ସାହାସ ଉପରେ ଆମର ଅଗାଧ ବିଶ୍ୱାସ, ଭରସା ରହିଛି । କାର୍ଯ୍ୟାନୁଷ୍ଠାନ ଲାଗି ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଗଲା । ଆତଙ୍କୀମାନଙ୍କ ବିରୁଦ୍ଧରେ କେବେ, କେଉଁଠି, କେଉଁ ପ୍ରକାରରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ସେନେଇ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଥିଲା । ସେନେଇ ବି କିଛି ଖବର ମିଡିଆରେ ପ୍ରକାଶିତ ହୋଇଥିଲା । ଆମେ ଗର୍ବ କରୁଛୁ ଯେ, ଆତଙ୍କୀମାନଙ୍କୁ ଦଣ୍ଡ ଦିଆଗଲା ଓ ଏବେ ବି ଆତଙ୍କୀ ମୁଖ୍ୟମାନଙ୍କ ନିଦ ହଜିଯାଇଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆମ ସେନାର ସଫଳତା ସମ୍ପର୍କରେ ଏହି ସଂସଦ ମାଧ୍ୟମରେ ମୁଁ ଦେଶବାସୀଙ୍କ ଆଗରେ ରଖିବାକୁ ଚାହୁଁଛି । ପ୍ରଥମତଃ ପହଲଗାମ ଘଟଣା ପରେ ଭାରତ ଯେ କୌଣସି ସମୟରେ ବଡ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ପାକିସ୍ତାନ ଜାଣିଥିଲା । ପାକିସ୍ତାନ ପକ୍ଷରୁ ଆଣବିକ ଅସ୍ତ୍ର ପ୍ରୟୋଗ କଥା ବି ଉଠିଥିଲା । ମେ ୬ ତାରିଖ ରାତି ଓ ୭ ତାରିଖ ସକାଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଭାରତ କାର୍ଯ୍ୟାନୁଷ୍ଠାନ ନେଲା । କିନ୍ତୁ ପାକିସ୍ତାନ ଆମର କିଛି କରିପାରିଲାନି । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ୨୨ ତାରିଖରେ ୨୨ ମିନିଟରେ ଆମ ସେନା ପ୍ରତିଶୋଧ ନେଲା । ଆଦରଣୀୟ ଅଧ୍ୟକ୍ଷ, ଦ୍ୱିତୀୟତଃ ପାକିସ୍ତାନ ସହ ଆମର ଲଢେଇ ଆଗରୁ ହୋଇଛି । ହେଲେ ଭାରତର ରଣନୀତି ଏପରି ହେଲା ଯେ, ଯେଉଁ ଜାଗାକୁ ସେନା ଯାଇ ନଥିଲା ସେଠାକୁ ଯାଇ ପ୍ରତିଶୋଧ ନେଲା । ପାକିସ୍ତାନର କୋଣ ଓ ଅନୁକୋଣରେ ରହିଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆତଙ୍କୀ ଆଡ୍ଡାକୁ ଆମ ସେନା ସମୂଳେ ନାଶ କଲା । ତୃତୀୟତଃ ପାକିସ୍ତାନର ଆଣବିକ ଧମକକୁ ବି ଭାରତ ପକ୍ଷରୁ ଜବାବ ଦିଆଗଲା । ଭାରତ ପକ୍ଷରୁ ସିଧା ସିଧା କୁହାଗଲା ଯେ, ଆଣବିକ ଶକ୍ତିର ବ୍ଲାକମେଲିଂକୁ ଆଉ ବରଦାସ୍ତ କରାଯିବ ନାହିଁ । ଏହାଛଡା ପାକିସ୍ତାନର ଆଣବିକ ଧମକ ଆଗରେ ଭାରତ ମୁଣ୍ଡ ନୁଆଁବନି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଚତୁର୍ଥତଃ ଭାରତ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର କ୍ଷମତା ପ୍ରଦର୍ଶିତ କରାଗଲା । ପାକିସ୍ତାନ ଛାତିରେ ସଠିକ ପ୍ରହାର କରାଗଲା । ପାକିସ୍ତାନ ଏୟାର ବେସର ପ୍ରଭୂତ ପରିମାଣରେ କ୍ଷତି ହେଲା । ଏପରି ହେଲା ଯେ, ଆଜି ଯାଏ ପାକିସ୍ତାନ ସେଥି ଭିତରୁ କିଛି ଏୟାରବେସ ଏବେ ବି ଆଇସିୟୁରେ ରହିଛନ୍ତି । ପଂଚମତଃ ଭାରତବର୍ଷର କ୍ଷମତାକୁ ସାରା ବିଶ୍ୱ ଦେଖିଲା । ଅପରେସନରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ବ୍ୟବହାର କରାଗଲା । ମେଡ ଇନ ଇଣ୍ଡିଆ ଡ୍ରୋନ, ମେଡ ଇନ ଇଣ୍ଡିଆ ମିସାଇଲ ପାକିସ୍ତାନର ହତିଆରର ନାକାମ କରିଦେଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆଉ ଏକ ମହତ୍ୱପୂର୍ଣ୍ଣ କଥା ହେଲା ଯେ, ଯେବେ ମୁଁ ସିଡିଏସଙ୍କ ନାମ ଘୋଷଣା କଲି ସେବେ ରାଜୀବ ଗାନ୍ଧୀଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବ୍ୟକ୍ତି ଅତି ପ୍ରସନ୍ନତାର ସହ ମୋତେ ଦେଖା କରିଥିଲେ । ସ୍ଥଳ ସେନା, ବାୟୁ ସେନା ଓ ନୌସେନାର ମିଳିତ ସମରରେ ପାକିସ୍ତାନର ନିଦ ହଜିଯାଇଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଦେଶରେ ଆଗରୁ ଆତଙ୍କୀ ଘଟଣାମାନ ଘଟୁଥିଲା । ପୂର୍ବରୁ ଆତଙ୍କୀମାନଙ୍କ ମୁଖ୍ୟ ନିଶ୍ଚିନ୍ତ ହୋଇ ଆଗାମୀ ଦିନ ପାଇଁ ଅଭିସନ୍ଧି ରଚୁଥିଲେ । ସେମାନଙ୍କୁ ଜଣାଥିଲା କିଛି ହେବ ନାହିଁ । କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି । ଏବେ ହମଲା ପରେ ଆତଙ୍କବାଦୀମାନଙ୍କୁ ନିଦ ଆସୁନି । ସେମାନଙ୍କୁ ଜଣା ଅଛି ଯେ ଭାରତ ଆସିବ ଓ ମାରି କରି ଯିବ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ସାରା ବିଶ୍ୱ ଦେଖି ସାରିଛି ଯେ ଭାରତର କିପରି ବିଶାଳ ପତିଆରା ରହିଛି । ସିନ୍ଦୂରରୁ ସିନ୍ଧୁ ପର୍ଯ୍ୟନ୍ତ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ କଲୁ । ଅପରେସନ ସିନ୍ଦୂର ସୁନିଶ୍ଚିତ କଲା ଯେ ଭାରତରେ କୌଣସି ଆତଙ୍କୀ ହମଲା ହେଲେ ସେଗୁଡିକର ମୁଖ୍ୟ ଷଡଯନ୍ତ୍ରକାରୀ ଓ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଅପରେସନ ସିନ୍ଦୂରରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ, ଭାରତ ତିନିଟି ସୂତ୍ର ବାହାର କରିଛି । ଯଦି ଭାରତ ଉପରେ ଆତଙ୍କୀ ହମଲା ହେଲା ତେବେ ଆମ ଉପାୟରେ ନିଜସ୍ୱ ସର୍ତ ଅନୁସାରେ ନିଜ ସମୟ ଭିତରେ ଜବାବ ଦେବୁ । ଦ୍ୱିତୀୟରେ ଏଣିକ ଆଣବିକ ଶକ୍ତି ପ୍ରୟୋଗର ଧମକ ଆଉ ଚଳିବ ନାହିଁ । ତୃତୀୟରେ ଆମେ ଆତଙ୍କୀ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ସରକାର ଓ ଆତଙ୍କୀ ମୁଖ୍ୟମାନଙ୍କୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁନାହୁଁ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଏଠାରେ ବିଦେଶୀ ନୀତି ନେଇ ଅନେକ ଚର୍ଚ୍ଚା ହେଲା । ଭାରତକୁ ବିଶ୍ୱର ସମର୍ଥନ ନେଇ ଅନେକ କିଛି କୁହାଗଲା । ସଂସଦରେ ଆଜି ମୁଁ ସ୍ପଷ୍ଟ ଭାବରେ କିଛି କଥା କହିବାକୁ ଚାହୁଁଛି । ସଂଯୁକ୍ତ ରାଷ୍ଟ୍ରର ୧୯୩ଟି ଦେଶ ଭିତରୁ ମାତ୍ର ତିନିଟି ଦେଶ ପାକିସ୍ତାନ ସମର୍ଥନରେ ବାହାରିଲେ । କ୍ୱାଡ, ବ୍ରିକ୍ସ, ଫ୍ରାନ୍ସ, ଋଷ, ଜର୍ମାନୀ ପରି କୌଣସି ଦେଶ କଥା ଚିନ୍ତା କରନ୍ତୁ ସମସ୍ତେ ଭାରତ ସପକ୍ଷରେ ବାହାରିଲେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ସାରା ବିଶ୍ୱର ସମର୍ଥନ ମିଳିଲା । ବିଭିନ୍ନ ଦେଶର ସମର୍ଥନ ମିଳିଲା । ଦୁର୍ଭାଗ୍ୟର କଥା ଯେ, ଦେଶର ବୀର ସେନାକୁ କଂଗ୍ରେସର ସମର୍ଥନ ମିଳିଲା ନାହିଁ । ୨୨ ଏପ୍ରିଲରେ ଆତଙ୍କୀ ହମଲା ପରେ କିଛି କିଛି ମନ୍ତବ୍ୟ ଆସିବାରେ ଲାଗିଲା । ନେତା କହିଲେ ୫୬ ଇଂଚ ଛାତି କୁଆଡେ ଗଲା । ମୋଦୀ କୁଆଡେ ଗଲେ । ମୋଦୀ ଫେଲ ହୋଇଗଲା । କେଉଁ ମଜା ନେଉଥିଲେ । ସେମାନଙ୍କୁ ଲାଗୁଥିଲା ଯେ ସେମାନେ ବାଜି ମାରି ନେଇଛନ୍ତି । ପହଲଗାମରେ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ଘଟଣାକୁ ନେଇ ସେମାନେ ରାଜନୀତି କରିବା ଆରମ୍ଭ କରିଥିଲେ । ନିଜ ସ୍ୱାର୍ଥ ଜନିତ ରାଜନୀତି ପାଇଁ ସେମାନେ ମୋ ଉପରେ ନିଶାନା ସାଧୁଥିଲେ । ସେମାନଙ୍କର ପ୍ରତିକୂଳ ମନ୍ତବ୍ୟ ଆମ ସେନାର ମନୋବଳ କମେଇଥିଲା । ଭାରତର ସାମର୍ଥ୍ୟ କିମ୍ବା ସେନାର ସାମର୍ଥ୍ୟ ଉପରେ କଂଗ୍ରେସର କିଛି ନେତାଙ୍କ ଭରସା ନଥିବାରୁ ସେମାନେ ବାରମ୍ବାର ଅପରେସନ ସିନ୍ଦୂରକୁ ନେଇ ପ୍ରଶ୍ନ ଉଠାଉଥିଲେ । ଏପରି କରି ଆପଣ ମିଡିଆର ଶିରୋନାମାରେ ସ୍ଥାନିତ ହୋଇପାରନ୍ତି କିନ୍ତୁ କୋଟି କୋଟି ଜନତାଙ୍କ ହୃଦୟରେ ରହିପାରିବେନି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଅପରେସନ ସିନ୍ଦୂରରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ରୋକିବାକୁ ୧୦ ମେରେ ଭାରତ ଘୋଷଣା କରିଥିଲା । ଏହାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା କରାଗଲା । କିଛି ଲୋକ ସେନା ତଥ୍ୟ ଉପରେ ଆଲୋଚନା ନକରି ପାକିସ୍ତାନର ମିଥ୍ୟା ପ୍ରଚାରକୁ ଆଗକୁ ବଢାଇଲେ । ସେତେବେଳେ ଭାରତ କଡା ଓ ସ୍ପଷ୍ଟ ଆଭିମୁଖ୍ୟ ଆପଣେଇଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
କିଛି ପ୍ରସଙ୍ଗକୁ ମୁଁ ସ୍ମରଣ କରିବାକୁ ଚାହେଁ । ଯେବେ ସର୍ଜିକାଲ ଷ୍ଟ୍ରାଇକ ହେଲା ସେବେ ଆମେ ଲକ୍ଷ୍ୟ ସ୍ଥିର କରିଥିଲୁ । ଆମ ସେନାକୁ ପ୍ରସ୍ତୁତ କରି ସେମାନଙ୍କ ମାଟିରେ ରହିଥିବା ଲଂଚିଂ ପ୍ୟାଡକୁ ନଷ୍ଟ କରିଥିଲୁ । ସେହି ଅପରେସନ ବେଳେ ଗୋଟିଏ ରାତିରେ ସବୁ କାମ ସାରି ଆମ ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ଫେରି ପାରିଥିଲୁ । ବାଲାକୋଟ ଷ୍ଟ୍ରାଇକ ବେଳେ ଆତଙ୍କୀମାନଙ୍କ ତାଲିମ କେନ୍ଦ୍ରକୁ ବି ଲକ୍ଷ୍ୟ କରି କାମ କରାଯାଇଥିଲା । ସେହିପରି ଅପରେସନ ସିନ୍ଦୂର ବେଳେ ଆତଙ୍କର ମୂଳ କେନ୍ଦ୍ର ତଥା ଯେଉଁଠି ପହଲଗାମ ଆତଙ୍କର ପୂରା ନକ୍ସା ତିଆରି କରାଯାଇଥିଲା, ତାଲିମ ଦିଆଯାଇଥିଲା ସେହି ସ୍ଥାନକୁ ସମୂଳେ ନଷ୍ଟ କରିବାର ଲକ୍ଷ୍ୟ ରଖାଯାଇ ପଦକ୍ଷେପ ନିଆଯାଇଥିଲା । ପହଲଗାମ ଆତଙ୍କୀମାନଙ୍କ ତାଲିମ କେନ୍ଦ୍ର ଯେଉଁଠି ସେମାନଙ୍କୁ ଏପରି କାଣ୍ଡ ଘଟାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ତାକୁ ଆମେ ଠାବ କରିଥିଲୁ ଓ ସମୂଳେ ନଷ୍ଟ କରିଥିଲୁ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଦେଶର ମନେ ଅଛି ଯେ, ୬ ମେ ରାତି ଓ ୭ ମେ ସକାଳେ ଏହି ଅପରେସନ ହୋଇଥିଲା । ୭ ମେ ସକାଳୁ ଏକ ପ୍ରେସ କନଫରେନ୍ସରେ ଜଣାଇ ଦିଆଯାଇଥିଲା ଯେ, ଆମର ଲକ୍ଷ୍ୟ ହେଉଛନ୍ତି ଆତଙ୍କୀ ଓ ସେମାନଙ୍କର ମୁଖ୍ୟ । ଆତଙ୍କୀ ଆଡ୍ଡାକୁ ନଷ୍ଟ କରିବା ପାଇଁ ଆମେ ସେଦିନ ପ୍ରେସ କନଫରେନ୍ସରେ ଜଣାଇ ଦେଇଥିଲୁ ଓ ସେହି ଅନୁସାରେ କାର୍ଯ୍ୟ କରିଲୁ । ଯାହା ଆମେ ନିଶ୍ଚିତ କରିଥିଲୁ ତାହା କରି ଦେଖାଇଲୁ । ୬-୭ ମେରେ ଅପରେସନ ସନ୍ତୋଷଜନକ ହୋଇଥିବା ବେଳେ କାଲି ଯାହା ରାଜନାଥ ସିଂ କହିଥିଲେ ଯେ ମାତ୍ର କିଛି ମିନିଟ ଭିତରେ ଆମେ ଆମର ଲକ୍ଷ୍ୟ ସାଧନ କରିପାରିଥିଲୁ । ପାକିସ୍ତାନ ସେନାକୁ ବତାଇ ଦେଲୁ ଯେ ମାତ୍ର କିଛି କ୍ଷଣ ଭିତରେ ଆମେ କଣ କରିପାରୁ । ଫଳରେ ସେମାନଙ୍କୁ ଓ ଆମକୁ ବି ସେମାନଙ୍କ ଉଭୟ ମୁଣ୍ଡ ଓ ହୃଦୟରେ କଣ ଚାଲିଛି ଜଣା ପଡିବ । ଆମର ବିଶ୍ୱାସ ଅନୁସାରେ ଆମେ ଆମର ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ସପକ୍ଷରେ ଛିଡା ହେଲା । ଆମର ଲକ୍ଷ୍ୟ ଆତଙ୍କବାଦ, ଆତଙ୍କୀ, ଆତଙ୍କୀ ଆଡ୍ଡା ବୋଲି ଆମେ ସାରା ବିଶ୍ୱକୁ ଜଣାଇ ସାରିଥିଲୁ । ସେତେବେଳେ ପାକିସ୍ତାନ ଆତଙ୍କୀଙ୍କୁ ସହଯୋଗ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା । ଆମ ସେନା ପକ୍ଷରୁ ଏହାର କଡା ମୁକାବିଲା କରି ୯ ମେ ମଧ୍ୟରାତ୍ର ଓ ୧୦ ମେ ସକାଳୁ ସକାଳୁ ମିସାଇଲ ମାଡ କଲା । ଯାହାକୁ ପାକିସ୍ତାନ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବି ନଥିବ । ସେଦିନ ପାକିସ୍ତାନ ଲୋକଙ୍କ ବୟାନ ବି ଟିଭିରୁ ଶୁଣିବାକୁ ମିଳିଥିଲା । ପାକିସ୍ତାନର କିଏ ସୁଇମିଂ ପୁଲରେ ଗାଧୋଉଥିଲେ । କିଏ ଅଫିସକୁ ଯିବା ଯିବା ହେଉଥିଲା । ଆମେ କିଛି ଭାବିବା ପୂର୍ବରୁ ଭାରତ ଆକ୍ରମଣ କରିଦେଲା ବୋଲି ଲୋକେ କୁହାକୁହି ହେଲେ । ଅସମ୍ଭାଳ ହୋଇଯିବାରୁ ପାକିସ୍ତାନ ପକ୍ଷରୁ ଡିଜିଏମଙ୍କୁ ଫୋନ କଲ ଆସିଲା । ବାସ ବହୁତ ହୋଇଗଲା, ଆଉ ସହି ହେବନି ବୋଲି ପାକିସ୍ତାନ କହିଲା ଓ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କଲା । ପ୍ରଥମରୁ ହିଁ ଭାରତ କହିଦେଇଥିଲା ଯେ ୭ ମେ ସକାଳର ପେପରରୁ ଆପଣ ସମ୍ବାଦ ପଢିବେ ଯେ ଭାରତ ନିଜ ଲକ୍ଷ୍ୟ ହାସଲ କରିସାରିଛି । ଯଦି ପାକିସ୍ତାନ କିଛି ବଦମାସୀ କରେ ତେବେ ତାର ପରିଣାମ ତାକୁ ହିଁ ଭୋଗିବାକୁ ପଡିବ । ମୁଁ ଆଜି ଦ୍ୱିତୀୟ ଥର କହିବାକୁ ଚାହେଁ ଯେ ଭାରତର ଲକ୍ଷ୍ୟ ସ୍ପଷ୍ଟ, ସମ୍ମିଳିତ, ସେନା ସମ୍ମତ ନୀତି ଥିଲା । ଆମେ କହିକି ଆକ୍ରମଣ କରିଛୁ । ସେଥିପାଇଁ ମୁଁ ଯୁଦ୍ଧକୁ ରୋକି ଦେଲି ।
ଅଧ୍ୟକ୍ଷ,
ଇିଶ୍ୱର କୌଣସି ନେତା ଏହି ଆକ୍ରମଣ ରୋକିବାକୁ କହି ନାହାନ୍ତି । ସେହି ସମୟରେ ୯ ରାତିରେ ଆମେରିକାର ଉପ ରାଷ୍ଟ୍ରପତି ଫୋନ ଯୋଗେ ମୋ ସହ କଥା ହେବାକୁ ଚାହୁଁଥିଲେ । ସେ ଘଂଟାଏ କାଳ ଏନେଇ ପ୍ରୟାସ କରିଥିଲେ । କିନ୍ତୁ ସେହି ସମୟରେ ମୁଁ ସେନା ସହ ବୈଠକରେ ବ୍ୟସ୍ତ ଥିଲି । ତେଣୁ ତାଙ୍କର ଫୋନକୁ ମୁଁ ଗ୍ରହଣ କରିପାରି ନଥିଲି । ପରେ ମୋ ତରଫରୁ କଲ ବ୍ୟାକ କରି କହିଲି ଯେ ତାଙ୍କ ପାଖକୁ ତିନି-ଚାରିଟି କଲ ଆସିଛି ଓ ସେ କଣ କହିବାକୁ ଚାହୁଁଛନ୍ତି । ସେ କହିଥିଲେ ଯେ ପାକିସ୍ତାନ ବହୁତ ବଡ ହମଲା କରିବାକୁ ଯାଉଛି । ମୁଁ କହିଲି ଯଦି ଏହା ପାକିସ୍ତାନର ଅଭିସନ୍ଧି ତେବେ ଏଥିପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ । ଆମେ ଗୁଳିର ଜବାବ ଗୁଳିରେ ହିଁ ଦେବୁ ବୋଲି ମୁଁ ତାଙ୍କୁ ସ୍ପଷ୍ଟ କରିଥିଲି । ଏହା ୯ ତାରିଖ ରାତିର କଥା । ତାପରେ ସେହି ରାତି ଓ ୧୦ ତାରିଖ ସକାଳୁ ଆମେ ପାକିସ୍ତାନ ସେନାକୁ ଧୂଳି ଚଟେଇଥିଲୁ । ଆଉ ଏବେ ପାକିସ୍ତାନ ଭଲ ଭାବରେ ଜାଣିଗଲାଣି ଯେ ପୂର୍ବାପେକ୍ଷା ଭାରତର ଜବାବ ସଶକ୍ତ ହେବାରେ ଲାଗିଛି । ଯଦି ପୁଣିଥରେ ଏପରି ଘଟଣାର ପୁନରାବୃତି ଘଟେ ତେବେ ଏହାର ଉଚିତ ଜବାବ ଦିଆଯିବ । ତେବେ ଲୋକତନ୍ତ୍ରର ଏହି ମନ୍ଦିରରେ ଆଉଥରେ କହୁଛି ଯେ ଏବେ ବି ଅପରେସନ ସିନ୍ଦୂର ସରିନି । ଦୁଃସାହସ କରିବାର ସ୍ୱପ୍ନ ଦେଖିଲେ ପାକିସ୍ତାନକୁ କଡା ଜବାବ ଦିଆଯିବ ।
ଆଦରଣୀୟ ଅଧ୍ୟକ୍ଷ,
ଆଜିର ଭାରତ ଆତ୍ମ ବିଶ୍ୱାସରେ ଭରପୂର । ଆତ୍ମ ନିର୍ଭରତାର ମନ୍ତ୍ର ନେଇ ଆଜିର ଭାରତ ଦ୍ରୁତ ଗତିରେ ଆଗକୁ ଧାଉଁଛି । ଦେଶ ଆତ୍ମନିର୍ଭରତା ଆଡକୁ ଗତି କରୁଛି । ଦେଶ ଏହା ବି ଦେଖୁଛି ଯେ ଯେବେ ଭାରତ ଆତ୍ମନିର୍ଭରତା ଆଡକୁ ଗତି କରୁଛି ସେତେବେଳେ ମୁଦ୍ଦା ପାଇଁ ପାକିସ୍ତାନ ଉପରେ କଂଗ୍ରେସ ନିର୍ଭର କରିବା ଆରମ୍ଭ କରୁଛି । ଆଜି ଦିନସାରା ଦେଖୁଛି ଯେ ଦୀର୍ଘ ୧୬ ଘଂଟା ଧରି ଯେଉଁ ଚର୍ଚ୍ଚା ଚାଲିଛି ସେଥିରେ କଂଗ୍ରେସକୁ ପାକିସ୍ତାନରୁ ମୁଦ୍ଦା ଆମଦାନୀ କରିବାକୁ ପଡୁଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆଜିକାଲିର ଯୁଦ୍ଧ ସମୟରେ ସୂଚନା ଓ ନାରେଟିଭସର ଉଲ୍ଲେଖନୀୟ ଭୂମିକା ରହିଛି । ଏଆଇ ସହଯୋଗରେ ନାରେଟିଭ କରି ସେନାର ମନୋବଳକୁ କ୍ଷୁଣ୍ଣ କରିବାକୁ ଖେଳ ବି ଚାଲିଛି । ଲୋକଙ୍କ ଭିତରେ ଅବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି । ଦୁର୍ଭାଗ୍ୟର କଥା ଯେ ପାକିସ୍ତାନର ଏପ୍ରକାର ହୀନ ଉଦ୍ୟମର କଂଗ୍ରେସ ଓ ଏହାର ସହଯୋଗୀ ପ୍ରବକ୍ତା ସାଜିଛନ୍ତି ।
ଆଦରଣୀୟ ଅଧ୍ୟକ୍ଷ,
ଦେଶର ସେନା ସର୍ଜିକାଲ ଷ୍ଟ୍ରାଇକ କଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଦେଶର ସେନା ସଫଳତା ପୂର୍ବକ ସର୍ଜିକାଲ ଷ୍ଟ୍ରାଇକ କଲା । ସାଙ୍ଗେ ସାଙ୍ଗେ କଂଗ୍ରେସ ସେନାକୁ ଏହାର ପ୍ରମାଣ ମାଗିବା ଆରମ୍ଭ କଲା । ଯେତେବେଳେ ସାରା ଦେଶରେ ଏହାର ପ୍ରଭାବ ସେମାନେ ଦେଖିଲେ ସେତେବେଳେ ସ୍ୱର ବଦଳାଇଲେ । ଜଣେ କହିଲେ ଆମେ ବି ଅତୀତରେ କରିଛୁ । ଆଉ ଜଣେ କହିଲେ ଆମେ ତିନିଟି ସର୍ଜିକାଲ ଷ୍ଟ୍ରାଇକ କରିଛୁ । ଆଉ କେହି କହିଲେ ଛଅଟି କରିଛୁ । କେହି କହିଲେ ୧୫ଟି କରିଛୁ । ଯେତେ ବଡ ନେତା ସେତେ ବଡ ସଂଖ।। କହିବାରେ ଲାଗିଲେ ।
ଆଦରଣୀୟ ଅଧ୍ୟକ୍ଷ,
ଏହା ପରେ ବାଲାକୋଟରେ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ ହେଲା । ଏହି ଷ୍ଟ୍ରାଇକ ଏମିତି ଥିଲା ଯେ ଏନେଇ କେହି କିଛି କହିଲେନି । ନିଜେ ଆଗରୁ ଏପରି କରିଛନ୍ତି ବୋଲି ନ କହି ଫଟୋ ପ୍ରମାଣ ମାଗିବାକୁ ଆରମ୍ଭ କଲେ । କେତେ ମଲେ, କେଉଁଠି ହେଲା, କେମିତି ହେଲା ଏପରି କିଛି କହିବାକୁ ଆରମ୍ଭ କଲେ । ପାକିସ୍ତାନ ବି ଏମିତି ପଚାରିବା ଆରମ୍ଭ କଲା ଓ ଏମାନେ ବି ଏମିତି ପଚାରିବା ଆରମ୍ଭ କଲେ । ଖାଲି ଏତିକି ନୁହେଁ ଟ୍ଟ.
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଯେବେ ପାଇଲଟ ଅଭିନନ୍ଦନ ଧରା ପଡିଲେ ସେବେ ପାକିସ୍ତାନକୁ ଭାରତୀୟ ସେନାର ଜଣେ ପାଇଲଟ ଧରାପଡିଥିବା କଥା ନେଇ ଖୁବ ଖୁସିର ମାହୋଲ ରହିବା ସ୍ୱାଭାବିକ । କିଛି ଲୋକ କହିବାକୁ ଆରମ୍ଭ କଲେ ଏବେ ମୋଦୀ ଫସିବାକୁ ଆରମ୍ଭ କଲା । ଅଭିନନ୍ଦନ ଏବେ ସେଇଠି । ତାକୁ ମୁକୁଳାଇ ଦେଖନ୍ତୁ । ଦେଖାଯାଉ ମୋଦୀ ଏବେ କଣ କରୁଛି । କିନ୍ତୁ ଅଭିନନ୍ଦନ ଫେରିଲେ । ଆମେ ଅଭିନନ୍ଦନଙ୍କୁ ଫେରାଇ ଆଣିଲୁ । ସେମାନଙ୍କ ମୁହଁ ବନ୍ଦ ହୋଇଗଲା । ଏମାନଙ୍କୁ ଲାଗିଲା ଯେ ଇଏ ଭାଗ୍ୟବାନ ମଣିଷ । ଆମ ହତିଆର ଆମ ହାତରୁ ଖସିଗଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ପହଲଗାମ ଆକ୍ରମଣ ପରେ ଆମ ବିଏସଏଫର ଏକ ଜବାନ ପାକିସ୍ତାନ ଜବଜାରେ ରହିଲା । ସେବେ ତାଙ୍କୁ ଲାଗିଲା ଯେ ତାଙ୍କ ହାତକୁ ଏକ ବଡ ମୁଦ୍ଦା ଆସିଗଲା । ଏବେ ମୋଦୀ ଫସିିଯିବ । ସେତେ ବେଳେ ସୋସିଆଲ ମଡିଆରେ ବହୁତ କଥା ଭାଇରାଲ ହେଲା । ଏବେ ସେହି ବିଏସଏଫ ଜବାନର କଣ ହେବ । ତାଙ୍କ ପରିବାରର କଣ ହେବ । ଯଦି ସିଏ ଫେରିବ ତେବେ କେବେ ଫେରିବ । ଏମିତି ଏଣୁତେଣୁ କିଛି ଚାଲିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ବିଏସଏଫର ସେହି ଜବାନଙ୍କୁ ସସମ୍ମାନେ ଫେରାଇ ଅଣାଗଲା । ଆତଙ୍କୀମାନେ କାନ୍ଦୁ ଥିଲେ । ସେମାନଙ୍କର ମୁଖ୍ୟମାନେ ପ୍ରଳାପ କରୁଥିଲେ । ଆଉ ସେମାନଙ୍କୁ କାନ୍ଦୁଥିବାର ଦେଖି ଏଠି ବି କିଛି ଲୋକ କାନ୍ଦିବାକୁ ଆରମ୍ଭ କଲେ । ସର୍ଜିକାଲ ଷ୍ଟ୍ରାଇକ ବେଳେ ସେମାନେ ଏକ ଖେଳିବାକୁ ଆରମ୍ଭ କଲେ । କିନ୍ତୁ କଥା ଜମିଲା ନାହିଁ । ଏୟାର ଷ୍ଟ୍ରାଇକ ହେଲା । ପୁଣିଥରେ ଖେଳିବାକୁ ସେମାନେ ଆରମ୍ଭ କଲେ । ତାହା ବି ଜମିଲା ନାହିଁ । ଏବେ ଅପରେସନ ସିନ୍ଦୂର ବେଳେ ସେମାନେ ନୂଆ ତରିକା ଆପଣେଇବାକୁ ଆରମ୍ଭ କଲେ । ସେମାନେ କିଛି କରନ୍ତି ବୋଲି ପ୍ରଥମେ ସେମାନେ ମାନୁ ନଥିଲେ । ପରେ କହିବାକୁ ଆରମ୍ଭ କଲେ । ପରେ ପରେ କହିବା ବନ୍ଦ କଲେ । ବାଃରେ ବିରୋଧ କରିବାକୁ ଆପଣଙ୍କୁ କୌଣସି ନା କୌଣସି ବାହାନା ଦରକାର । ଯାହା ଉପରେ କେବଳ ମୁଁ ନୁହେଁ ସାରା ଦେଶ ହସୁଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଦେଶ ଏବେ ଏବେ କାରଗିଲ ବିଜୟ ଦିବସ ପାଳନ କଲା । କିନ୍ତୁ ଦେଶ ପୂର୍ଣ୍ଣମାତ୍ରାରେ ଜାଣିଥିଲା ଯେ ସେମାନଙ୍କ କାର୍ଯ୍ୟକାଳ ଭିତରେ ଓ ଏବେ ବି କଂଗ୍ରେସ ଏହି ବିଜୟ ଦିବସକୁ ଆପଣେଇ ପାରିନାହିଁ । ଇତିହାସ ସାକ୍ଷୀ ରହିଛି ଯେ ଯେବେ ଡୋକଲାମରେ ଦେଶ ସେନାର ଶୌର୍ଯ୍ୟ ଦେଖିଲା ସେବେ କଂଗ୍ରେସ ନେତା ଚୁପ ଚୁପ କାହାଠାରୁ ମନ୍ତ୍ରଣା ନେଉଥିଲେ । ଏକଥାର ଟେପକୁ ଶୁଣିଲେ ଲାଗିବ ଯେ ପାକିସ୍ତାନ ଓ ଆମକୁ ବିରୋଧ କରୁଥିବା ଲୋକେ କଣ କହୁଛନ୍ତି । ପାକିସ୍ତାନ ସହ ଏମାନେ ନିଜ ସ୍ୱର ମିଶାଇଦେଇଥିଲେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଦେଶ ହଇରାଣ ଯେ, ପାକିସ୍ତାନକୁ କଂଗ୍ରେସ କ୍ଲିନ ଚିଟ ଦେଇଛି । ଏମାନଙ୍କର ଇଏ ହେଉଛି ହିମ୍ମତ ବା କରାମତି ଓ ସେମାନଙ୍କର ଅଭ୍ୟାସ ଯାଉନାହିଁ । ପହଲଗାମର ଆତଙ୍କୀ ପାକିସ୍ତାନର ଥିଲେ । ପାକିସ୍ତାନ ସହ ଏମାନେ ନିଜ ସ୍ୱର ମିଶାଇ ଦେଇଛନ୍ତି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଏବେ ଯାହାକୁ ଯେତେ ପ୍ରମାଣ । ଯେବେ ପ୍ରମାଣ ନଥିବ ତେବେ ଏମାନେ କଣ କରୁଥିବେ । ଆପଣ ଭାବିପାରୁଥିବେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଅପରେସନ ସିନ୍ଦୂରର ଗୋଟିଏ ପକ୍ଷରେ ଏହି ଚର୍ଚ୍ଚା । ଆରପଟରେ ଆଉ ଏକ କଥା ରହିଛି । ଏଥିରେ ଦେଶର ଶକ୍ତିର ପରିଚୟ ମିଳିଛି । ଆମର ଏୟାର ଡିଫେନ୍ସ ସିଷ୍ଟମ ଉପରେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଆମର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ମିସାଇଲ, ଡ୍ରୋନ୍ସକୁ ପଣ୍ଡ କରିଦେଇଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୯ ମେରେ ପାକିସ୍ତାନ ପକ୍ଷରୁ ଏକ ହଜାର ମିସାଇଲ ଓ ସଶସ୍ତ୍ର ଡ୍ରୋନ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା । ଦେଶର କୌଣସି ସ୍ଥାନରେ ଯଦି ଏହା ପଡିଥାନ୍ତା ତେବେ ପ୍ରଳୟ ସୃଷ୍ଟି ହୋଇଥାନ୍ତା । କିନ୍ତୁ ସେହି ଏକ ହଜାର ଡ୍ରୋନ୍ସ ଓ ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଦିଆଗଲା । କିନ୍ତୁ କଂଗ୍ରେସ ଭିନ୍ନ ଏକ ସମ୍ବାଦକୁ ଅପେକ୍ଷା କରିଥିଲା । କିଛି ତ ହେବ, ମୋଦୀ ଯିବ ଏଭଳି କିଛି ଶିଣିବାକୁ ଆରମ୍ଭ ହେଲା । ଆଦାମପୁର ଏୟାରବେସ ଉପରେ ଆକ୍ରମଣକୁ ଗୁଜବ କରି ପାକିସ୍ତାନ ପକ୍ଷରୁ ପ୍ରଚାର କରାଗଲା । କିନ୍ତୁ ପରେ ଆଦାମପୁରରେ ପହଂଚି ପାକିସ୍ତାନ ପକ୍ଷରୁ ପ୍ରଚାର କରାଉଥିବା ମିଛ ଖବରକୁ ମୁଁ ପଣ୍ଡ କରିଦେଲି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଯେଉଁମାନେ ଛୋଟ ଦଳ କିମ୍ବା ନୂଆ ରାଜନୀତି କରୁଛନ୍ତି ସେମାନଙ୍କ ମୁହଁରୁ ଏକଥା ଶୁଣିଥିଲେ ଅଲଗା କଥା ହୋଇଥାନ୍ତା । କିନ୍ତୁ ଅତୀତରେ ବର୍ଷ ବର୍ଷ ଧରି ଏ ଦେଶକୁ ଶାସନ କରିଥିବା କଂଗ୍ରେସ କିନ୍ତୁ ଏପରି କହୁଛି । ଯାହାର ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ଉପରେ ଯଥେଷ୍ଟ ଅନୁଭୂତି ରହିଛି ସିଏ ବି ଏପରି କହୁଥିବା ମୋତେ ଆଶ୍ଟର୍ଯ୍ୟ କରିଛି । ବିଦେଶ ମନ୍ତ୍ରୀ, ଗୃହ ମନ୍ତ୍ରୀ ନିଜ ନିଜ ବୟାନ ଦେଲେ । କାହା ଉପରେ ସେମାନଙ୍କର ଭରସା ନାହିଁ । ଯିଏ ଏତେ ଦିନ ଧରି ଶାସନ କଲେ ଯାହାର ଦେଶର ଶାସନ ବ୍ୟବସ୍ଥା ଉପରେ ଭରସା ନାହିଁ ତେବେ ପ୍ରଶ୍ନ ଉଠୁଛି ଯେ ଏମାନଙ୍କର କଣ ଏମିତି ଅବସ୍ଥା ହୋଇଗଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଏବେ କଂଗ୍ରେସର ଭରସା ପାକିସ୍ତାନର ରିମୋର୍ଟରେ ନିୟନ୍ତ୍ରିତ ହେଉଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
କଂଗ୍ରେସର ଜନୈକ ନୂଆ ନେତାଙ୍କ ମୁହଁରେ ଏକଥା କୁହାଯାଇଛି । କଂଗ୍ରେସର କିଛି ଟାଣୁଆ ନେତା ଏହି ନୂଆ ନେତାଙ୍କୁ ଏପରି କହିବାକୁ ଲେଖି କରି ଦେଇଛନ୍ତି । ନିଜେ କହିବାର ସାହାସ ଜୁଟାଇ ନପାରି ନୂଆ ନେତାଙ୍କ ମୁହଁରେ କୁହାଉଛନ୍ତି ଯେ ଅପରେସନ ସିନ୍ଦୂର ଏକ ତାମସା ଥିଲା । ଆଉ ଏପରି କଂଗ୍ରେସ ନେତା ହିଁ କୁହାଇଛନ୍ତି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ପହଲଗାମ ଆତଙ୍କୀମାନଙ୍କୁ ଆମ ସୁରକ୍ଷା ବଳ ଅପରେସନ ମହାଦେବ ଜରିଆରେ ଶେଷ ନିଶାନା ଦେଖାଇଛନ୍ତି । ଏବେ ଏହା ପଚରାଯାଉଛି ଯେ ଏହା ଗଲାକାଲି କାହିଁକି ହେଲା । ଦେଖନ୍ତୁ ଏହା କେମିତିକା ପ୍ରଶ୍ନ । ଅପରେସନ ପାଇଁ କଣ ଶ୍ରାବଣ ମାସ ସୋମବାର ବଛା ଯାଇଥିିଲା କି । ଇଏ କେମିତିକା ଅବାନ୍ତର ପ୍ରଶ୍ନ । କଣ ଅବସ୍ଥା ଏମାନଙ୍କର ଅଧ୍ୟକ୍ଷ ମହୋଦୟ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଶାସ୍ତ୍ରରେ କୁହାଯାଇଛି ଯେ ଶସ୍ତ୍ର ଦ୍ୱାରା ରାଷ୍ଟ୍ର ରକ୍ଷା ପାଏ ଓ ଶାସ୍ତ୍ର ଦ୍ୱାରା ଚିନ୍ତା ପ୍ରକଟ ପାଏ । ଅର୍ଥାତ ଯେବେ ରାଷ୍ଟ୍ର ଶାସ୍ତ୍ର ଦ୍ୱାରା ସୁରକ୍ଷିତ ଥାଏ ସେବେ ସେଠାରେ ଶାସ୍ତ୍ର ଜ୍ଞାନ ଚର୍ଚ୍ଚା ଜନ୍ମ ନେଇପାରିଥାଏ । ଯେବେ ସୀମାରେ ସେନା ମୁତୟନ ଥାନ୍ତି ସେବେ ଲୋକତନ୍ତ୍ର ପ୍ରଖର ଥାଏ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଅପରେସନ ସିନ୍ଦୂର ସେନା ସଶକ୍ତିକରଣର ଏକ ନମୁନା । କଂଗ୍ରେସ ସମୟରେ ଏକଥା ଚିନ୍ତା କରାଯାଇ ଆଜି ବି ଆତ୍ମ ନିର୍ଭର ଶବ୍ଦର ମଜା ଉଡାଯାଉଛି । ଛୋଟ ଛୋଟ ଅସ୍ତ୍ର ଲାଗି ବିଦେଶ ଉପରେ କଂଗ୍ରେସ ନିର୍ଭର କରିଆସୁଥିଲା । ବୁଲେଟ ପ୍ରଫୁ ଜାକେଟ, ନାଇଟ ଭିଜନ କ୍ୟାମେରା ପର୍ଯ୍ୟନ୍ତ କିଛି ନଥିଲା । ଜିପ, ବୋଫର୍ସ, ହେଲିକପ୍ଟର ପ୍ରତ୍ୟେକ ଜିନିଷରେ ଦୁର୍ନୀତି ଜଡିତ ଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆଧୁନିକ ହତିଆର ଲାଗି ଆମ ସେନାକୁ ଦଶକ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା । ସ୍ୱାଧୀନତା ପୂର୍ବରୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତର ସ୍ୱର ଶୁଣିବାକୁ ମିଳୁଥିଲା । ଯେତେବେଳେ ଖଣ୍ଡା ଚାଳନା କରାଯାଉଥିଲା ସେବେ ଭାରତର ଖଣ୍ଡାର ଖୁବ ପ୍ରସିଦ୍ଧି ଥିଲା । ପରେ ବି ପ୍ରତିରକ୍ଷା କ୍ଷେତ୍ରରେ ଆମେ ସବଳ ଥିଲେ । କିନ୍ତୁ ସମୟକ୍ରମେ ଜାଣିବୁଝି ଏସବୁକୁ ନଷ୍ଟ କରିଦିଆଗଲା । ଗବେଷଣା ଓ ପ୍ରସ୍ତୁତି ଲାଗି ସବୁ ପ୍ରକାର ମାର୍ଗକୁ ବନ୍ଦ କରିଦିଆଗଲା । ଯଦି ଏପରି ନୀତିରେ ଆମେ ଚାଲିଥାନ୍ତେ ତେବେ ଅପରେସନ ସିନ୍ଦୂର ପରି ଅଭିଯାନ ସମ୍ପର୍କରେ ଆମେ ଚିନ୍ତା କରିପାରିନଥାନ୍ତେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଗତ ଦଶନ୍ଧି ଭିତରେ ଆମ ସେନାକୁ ମେଡ ଇନ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ମିଳିଛି । ଯାହା ଏହି ଅପରେସନ ବେଳେ ନିର୍ଣ୍ଣାୟକ ଭୂମିକା ନିଭାଇଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଗୋଟିଏ ଦଶନ୍ଧି ପୂର୍ବରୁ ଦେଶକୁ ସଶକ୍ତ, ଆତ୍ମ ନିର୍ଭର ଓ ଆଧୁନିକ ରାଷ୍ଟ୍ରରେ ପରିଣତ କରିବାକୁ ଆମେ ସଂକଳ୍ପ ନେଇଛୁ । ବିଭିନ୍ନ ପ୍ରକାର ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ନିଯୁକ୍ତି ବିଚାରଧାରା ନୂଆ ନଥିଲା । ମୁଁ ଆମ ତିନି ସେନାକୁ ଧନ୍ୟବାଦ ଜଣାଉଛି ଯିଏ ଏହି ବ୍ୟବସ୍ଥାକୁ ସମର୍ଥନ ଜଣାଇ କାମ କରୁଛନ୍ତି । ଏକାଗ୍ରତା ଓ ନିଷ୍ଠା ସହ ଆମ ସେନା କାମ କରିପାରିଛି । ଦେଶର ଯେଉଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ରହିଛନ୍ତି ସେଥିରେ ଆମେ ସଂସ୍କାର ଆଣିଲୁ । କେବଳ ଏତିକି ନୁହେଁ ଆମେ ବେସରକାରୀ ସଂସ୍ଥାକୁ ବି ପ୍ରତିରକ୍ଷା ସହ ଯୋଡି ଦେଲୁ । ଷ୍ଟାର୍ଟ ଅଫ ଡିଫେନ୍ସରେ ଆମ ଦେଶର ୨୭-୩୦ ବର୍ଷିୟ ବ୍ୟକ୍ତିମାନେ ଯୋଗଦାନ କରୁଛନ୍ତି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ପ୍ରତିରକ୍ଷା କ୍ଷେତ୍ରରେ ମେକ ଇଣ୍ଡିଆ ନାରା ନଥିଲା । ଆମେ ଏଥିପାଇଁ ବଜେଟରେ ପ୍ରାବଧାନ ଓ ଯୋଜନା ପ୍ରଣୟନ କଲୁ । ପ୍ରତିରକ୍ଷା କ୍ଷେତ୍ରରେ ଆମେ ଏବେ ମେକ ଇଣ୍ଡିଆ ସାମଗ୍ରୀ ଉତ୍ପାଦନ କରିବାର କ୍ଷମତା ଅର୍ଜନ କରିଛୁ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଗୋଟିଏ ଦଶକରେ ପ୍ରତିରକ୍ଷା ବଜେଟ ପୂର୍ବ ଅପେକ୍ଷା ତିନି ଗୁଣା ରହିଥିଲା । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ୨୫୦ ପ୍ରତିଶତ ବୃଦ୍ଧି ହୋଇଛି । ୧୧ ବର୍ଷରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୩୦ ଗୁଣା ବଢିଛି । ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ପ୍ରାୟ ଳହେଟି ଦେଶକୁ ପହଂଚି ପାରିଛି ।
ଏବଂ ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଅପରେସନ ସିନ୍ଦୂରରେ ନିୟୋଜିତ ପ୍ରତିରକ୍ଷା ସାମଗ୍ରୀ ପ୍ରାୟତଃ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଭାରତରେ ନିର୍ମିତ ହତିଆରର ଚାହିଦା ବିଶ୍ୱ ଦରବାରରେ ବଢିବାରେ ଲାଗିଛି । ଉଦ୍ୟୋଗୀ ଓ ଏମଏସଏମଇ କ୍ଷେତ୍ରକୁ ବି ଏହା ବଳ ଯୋଗାଇବ । ଆମ ଯୁବକମାନଙ୍କୁ ଏହା ରୋଜଗାର ଦେବ । ନିଜ ଦ୍ୱାରା ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱାରା ଆମ ଯୁବବର୍ଗ ସାରା ବିଶ୍ୱକୁ ନିଜ କରିସ୍ମା ଦେଖାଇ ପାରିବେ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ଭାରତ ଯୋଜନାରେ ଆମେ ଯେଉଁ ପଦକ୍ଷେପ ଉଠାଇଛୁ ତାହା ଅନେକ ଲୋକଙ୍କୁ ଅସୁବିଧାରେ ପକାଉଛି । ଆମକୁ ଜାଣିବାକୁ ହେବ ସେମାନେ କିଏ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଶାସ୍ତ୍ରର ସ୍ପର୍ଦ୍ଧା ସମୟରେ ବିଶ୍ୱଶାନ୍ତି ଲାଗି ଆବଶ୍ୟକ । ପ୍ରଥମରୁ ମୁଁ କହିଛି ଯେ ଭାରତ ଯୁଦ୍ଧ ନୁହେଁ ବରଂ ବୁଦ୍ଧର ଦେଶ । ଆମେ ସମୃଦ୍ଧି ଓ ଶାନ୍ତି ଚାହୁଁଛୁ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆମ ଭାରତ ଛତ୍ରପତି ଶିବାଜୀ ମହାରାଜା, ମହାରାଜ ରଣଜିତ ସିଂ, ରାଜେନ୍ଦ୍ର ଚୋଡା, ମହାରଣା ପ୍ରତାପ, ଲସିଥ ବୀରପୁକାନ, ମହାରାଜା ସୁହେଲଦେବଙ୍କ ଦେଶ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆମେ ବିକାଶ ଓ ଶାନ୍ତି ଲାଗି ସାମରିକ ସାମର୍ଥ୍ୟ ଉପରେ ବି ପୋକସ କରୁଛୁ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଜାତୀୟ ନିରାପତା ନେଇ କଂଗ୍ରେସ ପାଖରେ ଭିଜନ ନାହିଁ । ଯେବେ ମୁଁ ନେହେରୁଙ୍କ କଥା ଉଠାଏ ସେବେ କଂଗ୍ରେସ ବିଳିବିଳେଇବା ଆରମ୍ଭ କରେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୧୯୬୨ ଓ ୧୯୬୩ ମଝିରେ କଂଗ୍ରେସ ନେତାମାନେ ଜାମ୍ମୁ ଓ କାଶ୍ମୀରର ପୁଂଛ, ଉରି, ନିଲମ ବୈଲି, କିଶନ ଗଙ୍ଗା ପରି ଅଂଚଳକୁ ଛାଡି ଦେବାର ପକ୍ଷଧର ଥିଲେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଲାଇନ ଅଫ ପିସ ଏବେ କରାଯାଉଛି । ୧୯୬୬ରେ ରାଣା କଚ୍ଛ ଉପରେ ମଧ୍ୟସ୍ଥତା କରିବାକୁ ଏହି ଲୋକମାନେ ସ୍ୱୀକାର କରିଥିଲେ । ଆଉଥରେ ସେମାନେ ଭାରତର ୮୦୦ ବର୍ଗ କିଲୋମିଟର ଅଂଚଳକୁ ପାକିସ୍ତାନକୁ ସମର୍ପଣ କରିଦେଲେ । ୧୯୬୫ ଯୁଦ୍ଧରେ ଆମ ସେନା ହାଜିପାର ପାସକୁ ପୁଣିଥରେ ବିଜୟ ଲାଭ କଲା । କିନ୍ତୁ କଂଗ୍ରେସ ଏହାକୁ ଫେରେଇ ଦେଲା । ୧୯୭୧ରେ ପାକିସ୍ତାନର ପ୍ରାୟ ୯୩ ହଜାର ଲୋକ ବନ୍ଦୀ ଥିଲେ । ପାକିସ୍ତାନର ଏକ ହଜାର ବର୍ଗ କିଲୋମିଟର ଅଂଚଳକୁ ଆମ ସେନା ଅକ୍ତିଆର କରିଥିଲା । ସେତେବେଳେ ବିଜୟ ମନାଇଥିଲେ ଆମେ ପିଓଏକେକୁ ଫେରାଇ ଆଣିପାରିଥାନ୍ତୁ । ଅତିକମରେ କରତାରପୁର ସାହେବକୁ ବି ନେଇ ପାରିଥାନ୍ତେ । ୧୯୭୪ରେ ଶ୍ରୀଲଙ୍କାକୁ କଚ୍ଚାତିବୁ ଦ୍ୱୀପ ଅର୍ପଣ କରିଦିଆଗଲା । ସିଆଚେନରୁ ସେନା ହଟାଇବା ଲାଗି କଂଗ୍ରେସ ପକ୍ଷଧର ଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୨୦୧୪ ରେ ଦେଶ ସେମାନଙ୍କୁ ମଉକା ଦେଲାନି । ନହେଲେ ସିଆଚେନ ବି ଆଜି ଆମ ପାଖରେ ନଥାନ୍ତା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆଜି କଂଗ୍ରେସର ଯେଉଁମାନେ କୂଟନୀତିର କଥା କହୁଛନ୍ତି ମୁଁ ସେମାନଙ୍କ କୂଟନୀତି ସେମାନଙ୍କୁ ପଢାଉଛି । ୨୬/୧୧ ପରି ଭୟଙ୍କର ଆତଙ୍କୀ ଆକ୍ରମଣ କରିବାର ଯୋଜନା ଥିଲା । ହେଲେ ସେହି ସମୟରେ କଂଗ୍ରେସର ପାକିସ୍ତାନ ପ୍ରୀତି ରହିଥିଲା । ବିଦେଶ ଚାପରେ ସେମାନେ ପରେ ପାକିସ୍ତାନ ସହ କଥା ହେବାକୁ ଆରମ୍ଭ କଲେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୨୬/୧୧ ପରି ଆକ୍ରମଣ ଭଳି ଏତେ ବଡ ଘଟଣା ପରେ ବି ଭାରତରୁ କୂଟନୀତିଜ୍ଞଙ୍କୁ ପଦାକୁ ପଠାଇ ହେଲାନି । ଏକ ଭିସାକୁ ବି ବାତିଲ କରିପାରୁ ନଥିଲେ । ୟୁପିଏ ସରକାର ପାକିସ୍ତାନକୁ ମୁଣ୍ଡରେ ବସାଇ ରଖିଥିଲା । ଆମେ ପାକିସ୍ତାନ ଏମଏଫଏନ ଦର୍ଜାକୁ ରଦ୍ଦ କରି ଦେଲୁ । ଭିସା ବନ୍ଦ କଲୁ । ଅଟାରୀ ସୀମାକୁ ବନ୍ଦ କଲୁ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଭାରତର ସମ୍ପତିକୁ ବାଜିରେ ଲଗାଇବା କଂଗ୍ରେସର ପୁରୁଣା ଅଭ୍ୟାସ । ଏହାର ସବୁଠାରୁ ବଡ ଉଦାହରଣ ହେଲା ସିନ୍ଧୁ ଜଳ ଚୁକ୍ତିନାମା । ଅନେକ ବର୍ଷ ଧରି ସାଂସ୍କୃତିକ ବିଭବରେ ଋଦ୍ଧିମନ୍ତ ସିନ୍ଧୁ ନଦୀ ଓ ଝେଲମ ନଦୀ ଉପରେ ବିବାଦ ସମାଧାନ କରିବା ପାଇଁ ପଂଚାୟତ କାହାକୁ ଦେଇଥିଲେ । ବିଶ୍ୱବ୍ୟାଙ୍କକୁ ଦେଇଥିଲେ । ସିନ୍ଧୁ ନଦୀକୁ ନେଇ ଏହି ଚୁକ୍ତିନାମା ସବୁପ୍ରକାରର ଗୌରବକୁ କ୍ଷୁର୍ଣ୍ଣ କରୁଥିଲା । ଏହା ଭାରତର ଅସ୍ମିତା ପ୍ରତି କୁଠାରଘାତ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଭାରତରୁ ନିର୍ଗତ ନଦୀର ୮୦ ପ୍ରତିଶତ ଜଳ ପାକିସ୍ତାନକୁ ଦେବାକୁ ନେହେରୁ ରାଜି ହୋଇଥିଲେ । ଏତେବଡ ଭାରତ ଦେଶ ପାଇଁ ମାତ୍ର ୨୦ ପ୍ରତିଶତ ଜଳ । ତେବେ ସେହି ୮୦ ପ୍ରତିଶତ ଜଳ ଭାରତ ବିରୋଧରେ ସବୁବେଳେ କୁତ୍ସା ରଟନା କରୁଥିବା ଦେଶକୁ ଦିଆଗଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଯଦି ଏହି ଚୁକ୍ତିନାମା ହୋଇନଥାନ୍ତା ତେବେ ପଶ୍ଚିମରେ ବୋହୁଥିବା ନଦୀଗୁଡିକ ଉପରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇପାରିଥାନ୍ତା । ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀକୁ ଭରପୂର ପାଣି ମିଳୁଛି । ପିଇବା ପାଣିର କୌଣସି ସମସ୍ୟା ନାହିଁ । ଉଦ୍ୟୋଗିକ କ୍ଷେତ୍ରରେ ପ୍ରଗତି ପାଇଁ ଭାରତ ବିଜୁଳି ବି ଉତ୍ପାଦନ କରିପାରୁଛି । କେବଳ ଏତିକି ନୁହେଁ ଏହା ପରେ ନେହେରୁ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ସବୁଠାରୁ ବଡ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ପାକିସ୍ତାନର କହିବା ଅନୁସାରେ ନେହେରୁ ସର୍ତରେ ରାଜି ହୋଇଥିଲେ । ନଦୀ ବନ୍ଧରେ ଜମୁଥିବା ମାଟିର ବ୍ୟବହାର ନେଇ ବି ପାକିସ୍ତାନଠାରୁ ଅନୁମତି ଆଣିବାକୁ ପଡୁଥିଲା । ନଦୀରୁ ମାଟି ବା ପଙ୍କ ଉଦ୍ଧାର ପାଇଁ ବି ଭାରତ ମନଇଚ୍ଛା କରିପାରୁନଥିଲା । ତେବେ ନେହେରୁ ପାକିସ୍ତାନକୁ ସୁହାଇଲା ଭଳି ପଦକ୍ଷେପ ନେଇ ଏପରି ଚୁକ୍ତି କରିଥିଲେ । ଫଳରେ ସେହି ଅଂଚଳର ଚାଷୀ ପାଣି ପାଇପାରୁନଥିଲା । କିଶାନମାନଙ୍କୁ ପଛୁଆ କରି ରଖିବାରେ ଏହି ସିନ୍ଧୁ ନଦୀ ଚୁକ୍ତିନାମା ରହିଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ପାକିସ୍ତାନ ପରେ ଭାରତ ସହ ଛାୟା ଯୁଦ୍ଧ କରୁଥିଲା । ହେଲେ କଂଗ୍ରେସ ସରକାର ସିନ୍ଧୁ ନଦୀ ଚୁକ୍ତିନାମାକୁ ଆଡ ଆଖିରେ ବି ଦେଖିଲା ନାହିଁ । ନେହେରୁଙ୍କ ଗଲତିକୁ ବି ସୁଧାରିଲାନି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
କିନ୍ତୁ ନେହେରୁଙ୍କ ଚୁକ୍ତିକୁ ଆମେ ଆବିୟାନ୍ସରେ ରଖିଦେଲୁ । କୃଷକଙ୍କ ସ୍ୱାର୍ଥ ପାଇଁ ଓ ଦେଶର ହିତ ପାଇଁ ପ୍ରାୟୋଜିତ ଏହି ଚୁକ୍ତି ଆଉ ଆଗକୁ ଚାଲିବ ନାହିଁ । ଭାରତ ସୁନିଶ୍ଚିତ କରିଦେଲା ଯେ ରକ୍ତ ଓ ପାଣି ଏକ ସହ ବୋହି ପାରିବନି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୨୦୧୪ ପୂର୍ବରୁ ଦେଶର ମାହୋଲ ଅସୁରକ୍ଷିତ ଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୨୦୧୪ ପୂର୍ବରୁ ବଜାର ଘାଟ ସବୁଠି ଲୋକେ ପାଦ ରଖିବାକୁ ଭୟ କରୁଥିଲେ । କୌଣସି ଅଜଣା ଜିନିଷକୁ ଛୁଇଁବାକୁ ବାରଣ କରାଯାଇଥିଲା । କାରଣ କାଳେ ତାହା ବୋମା ହୋଇଥାଇପାରେ । ଦେଶର ଅବସ୍ଥା ଏପରି ଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଦେଶର ଦୁର୍ବଳ ସରକାରଙ୍କ ପାଇଁ ଆମକୁ କେତେ ପ୍ରାଣବଳିି ଦେବାକୁ ପଡିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଆତଙ୍କବାଦ ଉପରେ ଲଗାମା ଲଗାଇବାର ଥିଲା । କିନ୍ତୁ ଗତ ୧୧ ବର୍ଷ ଭିତରେ ଆମ ସରକାର ଏହା କରିଦେଖାଇଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
କଂଗ୍ରେସ ସମୟରେ ଯଦି ଆତଙ୍କବାଦକୁ ପ୍ରୋତ୍ସାହିତ କରାଯାଉଥିଲା ତାହା ତେବେ ତୁଷ୍ଟିତକରଣ ରୀଜନୀତି ଯୋଗୁଁ ହେଉଥିଲା । ଭୋଟ ବ୍ୟାହ୍କ ରାଜନୀତିର ପ୍ରାବଲ୍ୟ ରହିଥିଲା । ଯେବେ ଦିଲ୍ଲୀରେ ବାଟଲା ହାଉସ ଘଟଣା ଘଟିଲା ସେବେ ଆତଙ୍କବାଦୀର ମୃତ୍ୟୁରେ ଜଣେ କଂଗ୍ରେସ ନେତା କାନ୍ଦିଲେ । କାରଣ ଭୋଟ ହରାଇବାର ଆଶଙ୍କା ରହିଥିଲା ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
୨୦୧୧ରେ ସଂସଦ ଉପରେ ଆକ୍ରମଣ ହୋଇଥିଲା । ସେତେବେଳେ କଂଗ୍ରେସର ଜଣେ ନେତା ଧରା ପଡିଥିବା ଆଫଜଲ ଗୁରୁକୁ ବେନେଫିଟ ଅଫ ଡାଉଟ ବୋଲି ପ୍ରକାଶ କରିଥିଲେ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ମୁମ୍ବାଇରେ ୨୬/୧୧ ପରି ଆକ୍ରମଣ ହେଲା । ତେବେ ଆତଙ୍କୀକୁ ଖସାଇବା ପାଇଁ କଂଗ୍ରେସ ସରକାର ଉଦ୍ୟମ କରିଥିଲେ । କଂଗ୍ରେସର ଜଣେ ନେତା କହିଥିଲେ ଯେ ଲସ୍କର-ଇ-ତୋଇବାଠାରୁ ବଡ ବିପଦ ହେଉଚି ଭାରତର ହିନ୍ଦୁ ଗ୍ରୁପ ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ତୁଷ୍ଟିକରଣ ଲାଗି ଆଇନକୁ ଦୁର୍ବଳ କରିଥିଲା କଂଗ୍ରେସ । ଗୃହମନ୍ତ୍ରୀ ଏକଥା ବିସ୍ତୃତ ଭାବେ କହିଥିବାରୁ ତାକୁ ମୁଁ ଆଉ ବ୍ୟାଖ୍ୟା କରୁନି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଦଳମତ ନିର୍ବିଶେଷରେ ଆମର ସବୁ ଦଳର ଦେଶ ହିତ ଲାଗି ଏକ ମନୋଭାବ ରହିବା ଉଚିତ । ପହଲଗାମ ଆକ୍ରମଣ ବିରୁଦ୍ଧରେ ଆମ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଗଲା । ସାରା ବିଶ୍ୱରେ ଭାରତର ଜୟଜୟକାର କରାଗଲା । ତେବେ କଂଗ୍ରେସର ଅନେକ ବନ୍ଧୁଙ୍କୁ ଏକଥା ହଜନ ହୋଇନପାରେ । ସମ୍ଭବତଃ ସଂସଦରେ ସେମାନଙ୍କ ବକ୍ତବ୍ୟ ରଖିବାକୁ ସେମାନଙ୍କୁ ବାରଣ କରାଯାଇଛି ।
ଆଦରଣୀୟ ଅଧ୍ୟକ୍ଷ ମହୋଦୟ,
ଏପରି ସମୟରେ ଗୋଟିଏ ପଙ୍କକ୍ତି ମୋର ମନେପଡୁଛି । ଲେଖା ଅଛି ଚର୍ଚ୍ଚା ଏମିତି କର ଯେ ଶତ୍ରୁ ପକ୍ଷରେ ଶିହରଣ ଉଠିବ । ମାନ ସିନ୍ଦୂରକୁ ସମ୍ମାନ ଦେବା ସହ ସେନାକୁ ସହଯୋଗ କରି ଭାରତୀ ମାକୁ ସୁରକ୍ଷା ଦେବା । ଶତ୍ରୁ ଯେଉଁଠି ବସିଥାଉ ନା କାହିଁକି ଆମକୁ ଭାରତ ମା ପାଇଁ ବଂଚିବାକୁ ପଡିବ ।
ମେ।।ର କଂଗ୍ରେସର ସାଥୀମାନଙ୍କୁ ନିବେଦନ ଯେ ପାକିସ୍ତାନକୁ କ୍ଲିନଚିଟ ଦେବାରୁ କ୍ଷାନ୍ତ ରୁହନ୍ତୁ । ବିଜୟର ସମୟକୁ ଉପହାସର ସମୟରେ ପରିବର୍ତନ କରାନଯାଉ । କଂଗ୍ରେସ ନିଜର ସୁଧାର କରିବା ଉଚିତ । ଭାରତର ଆତଙ୍କୀ ନର୍ସରୀରେ ଆତଙ୍କବାଦୀମାନଙ୍କୁ ସଫା କରାଯିବ । ଆମେ ଭାରତର ଭବିଷ୍ୟତ ସହ ପାକିସ୍ତାନକୁ ଖେଳିବାକୁ ଦେବୁ ନାହିଁ । ଏଥିପାଇଁ ଅପେରସନ ଏବେ ବି ଚାଲୁ ରହିଛି । ଯେତେବେଳ ଯାଏ ଭାରତ ବିପକ୍ଷରେ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ଚାଲୁ ରଖି ଥିବ ସେତେ ଦିନ ଯାଏ ଭାରତ ପଦକ୍ଷେପ ନେଉଥିବ । ମୁଁ ସଂସଦକୁ ଆଉଥରେ ଧନ୍ୟବାଦ ଜଣାଉଛି । ବହୁତ ବହୁତ ଧନ୍ୟବାଦ ।
PBD
(Release ID: 2150517)
|