ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଉତ୍ପାଦନକାରୀ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ


2014ରେ 2ଟି ମୋବାଇଲ ଉତ୍ପାଦନ ୟୁନିଟ୍ ଥିବାବେଳେ ଆଜି ସାରା ଦେଶରେ 300 ରୁ ଅଧିକ ୟୁନିଟ୍ କାର୍ଯ୍ୟ କରୁଛି: ଶ୍ରୀ ବୈଷ୍ଣବ

ଆମଦାନୀରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ: ଭାରତରେ ବିକ୍ରି ହେଉଥିବା 99.2% ମୋବାଇଲ ଫୋନ୍‌ ସ୍ୱଦେଶୀ, ଉତ୍ପାଦନ ମୂଲ୍ୟ ₹4,22,000 କୋଟିକୁ ବୃଦ୍ଧି, 2024ରେ ରପ୍ତାନି ଟପିଲା ₹1,29,000 କୋଟି

ଚାର୍ଜର୍, ବ୍ୟାଟେରୀ ପ୍ୟାକ୍ ଠାରୁ ଆରମ୍ଭ କରି କ୍ୟାମେରା ମଡ୍ୟୁଲ୍, ଡିସପ୍ଲେ ମଡ୍ୟୁଲ୍ ଇତ୍ୟାଦି ପ୍ରମୁଖ ଇଲେକ୍ଟ୍ରୋନିକ୍ସର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେଇଛି ‘ମେକ୍ ଇନ୍ ଇଣ୍ଡିଆ’

ସେମିକଣ୍ଡକ୍ଟର ଚିପ୍ ଏବଂ ସୂକ୍ଷ୍ମ ଉପାଦାନଗୁଡ଼ିକର ବିକାଶ ଉପରେ ଧ୍ୟାନ ଦେଇ ଭାରତ ବିନିର୍ମାଣର ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରି ନିଜର ଦିଗ ପରିବର୍ତ୍ତନ କରୁଛି

Posted On: 04 FEB 2025 5:03PM by PIB Bhubaneshwar

ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣ ଭାରତକୁ ବିଶ୍ୱ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି। ଏହାର ଶୁଭାରମ୍ଭର ଗୋଟିଏ ଦଶନ୍ଧି ମଧ୍ୟରେ, ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ କେବଳ ଦେଶର ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରୁନାହିଁ ବରଂ ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରିପ୍ରେକ୍ଷୀରେ ବିସ୍ତୃତ ତଥ୍ୟ ପ୍ରଦାନ କରି ବିଗତ ଦଶନ୍ଧିରେ ଭାରତର ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି ।

ଆମଦାନୀରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ - ମୋବାଇଲ ଉତ୍ପାଦନରେ ଭାରତର ଅଭ୍ୟୁଦୟ

ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। 2014 ମସିହାରେ ଭାରତରେ ମାତ୍ର 2ଟି ମୋବାଇଲ ଉତ୍ପାଦନ ୟୁନିଟ ଥିଲା, କିନ୍ତୁ ଆଜି ଦେଶରେ 300ରୁ ଅଧିକ ଉତ୍ପାଦନ ୟୁନିଟ ରହିଛି, ଯାହା ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ବିସ୍ତାରକୁ ଦର୍ଶାଉଛି।

2014-15 ରେ, ଭାରତରେ ବିକ୍ରି ହେଉଥିବା ମୋବାଇଲ୍ ଫୋନର ମାତ୍ର 26 ପ୍ରତିଶତ ଭାରତରେ ନିର୍ମିତ ହେଉଥିଲା, ଅବଶିଷ୍ଟ ଆମଦାନୀ କରାଯାଉଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ଭାରତରେ ବିକ୍ରି ହେଉଥିବା 99.2% ମୋବାଇଲ୍ ଫୋନ୍ ଭାରତରେ ନିର୍ମିତ। ମୋବାଇଲ ଫୋନର ଉତ୍ପାଦନ ମୂଲ୍ୟ 2014 ଆର୍ଥିକ ବର୍ଷରେ 18,900 କୋଟି ଟଙ୍କାରୁ ବୃଦ୍ଧି ପାଇ 2024 ଆର୍ଥିକ ବର୍ଷରେ 4,22,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଭାରତରେ ପ୍ରତିବର୍ଷ 325 ରୁ 330 ନିୟୁତରୁ ଅଧିକ ମୋବାଇଲ୍ ଫୋନ୍ ଉତ୍ପାଦିତ ହେଉଛି ଏବଂ ଭାରତରେ ହାରାହାରି ପ୍ରାୟ ଏକ ବିଲିୟନ ମୋବାଇଲ୍ ଫୋନ୍ ବ୍ୟବହୃତ ହେଉଛି। ଭାରତ ନିର୍ମିତ ମୋବାଇଲ ଫୋନ ଘରୋଇ ବଜାରକୁ ପ୍ରାୟତଃ ପରିପୂର୍ଣ୍ଣ କରିଦେଇଛି। ସେଥିପାଇଁ ମୋବାଇଲ ଫୋନର ରପ୍ତାନୀ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2014ରେ ରପ୍ତାନୀ ପ୍ରାୟ ଶୂନ ଥିଲା, ଯାହା ଏବେ 1,29,000 କୋଟି ଟଙ୍କା ଅତିକ୍ରମ କରିଛି।

ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ନିଯୁକ୍ତି ସୃଷ୍ଟିର ଗୋଟିଏ ଦଶନ୍ଧି

ଏହି କ୍ଷେତ୍ରର ସମ୍ପ୍ରସାରଣ ମଧ୍ୟ ରୋଜଗାରର ଏକ ପ୍ରମୁଖ ଉତ୍ସରେ ପରିଣତ ହୋଇଛି । ବିଗତ ଦଶନ୍ଧିରେ ଏ କ୍ଷେତ୍ରରେ ପ୍ରାୟ 12 ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ନିଯୁକ୍ତି ସୁଯୋଗଗୁଡ଼ିକ କେବଳ ଅଗଣିତ ପରିବାରର ଆର୍ଥିକ ସ୍ଥିତିକୁ ଉନ୍ନତ କରିନାହିଁ, ବରଂ ଦେଶର ସାମାଜିକ-ଆର୍ଥିକ ଢାଞ୍ଚାରେ ମଧ୍ୟ ଯୋଗଦାନ ଦେଇଛି।

ଏହି ମାଇଲଖୁଣ୍ଟ ହାସଲ କରିବାରେ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଚାର୍ଜର୍, ବ୍ୟାଟେରୀ ପ୍ୟାକ୍, ସମସ୍ତ ପ୍ରକାରର ଯନ୍ତ୍ରାଠା, ୟୁଏସବି କେବୁଲ, ଏବଂ ଅଧିକ ଗୁରୁତ୍ୱପୂଣ୍ଣ ଉପକରଣ ଯଥା: ଲିଥିୟମ୍ ଆୟନ୍ ସେଲ୍, ସ୍ପିକର ଏବଂ ମାଇକ୍ରୋଫୋନ୍, ଡିସପ୍ଲେ ଆସେମ୍ବ୍ଲି ଏବଂ କ୍ୟାମେରା ମଡ୍ୟୁଲ୍ ପରି ପ୍ରମୁଖ ଉପାଦାନ ଏବଂ ଡିସପ୍ଲେଆସେମ୍ବ୍ଲିର ଘରୋଇ ଉତ୍ପାଦନକୁ ସକ୍ଷମ କରିଛି। ବିଶେଷ କରି ଉପାଦାନ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭବିଷ୍ୟତରେ ମୂଲ୍ୟ ଶୃଙ୍ଖଳାକୁ ଆହୁରି ଗଭୀର କରିବା ଉପରେ ଧ୍ୟାନ ଦିଆଯିବ। ଏହି ପରିବର୍ତ୍ତନ ଆତ୍ମନିର୍ଭରଶୀଳତା ବୃଦ୍ଧି ଏବଂ ବିଶ୍ୱ ଇଲେକ୍ଟ୍ରୋନିକ୍ସ ବଜାରରେ ଭାରତକୁ ପ୍ରଥମ ସ୍ଥାନରେ ରଖିବା ପାଇଁ ଏକ ବ୍ୟାପକ ରଣନୀତିର ଅଂଶବିଶେଷ।

ମୂଲ୍ୟ ଶୃଙ୍ଖଳାକୁ ଗଭୀର କରିବା: ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ଆଗକୁ ବଢ଼ାଇବା

ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଉପାଦାନ ଇକୋସିଷ୍ଟମର ସ୍ୱଦେଶୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ସୂକ୍ଷ୍ମ ଉପାଦାନ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେଇ ମୂଲ୍ୟ ଶୃଙ୍ଖଳାକୁ ଆହୁରି ଗଭୀର କରିବା ଉପରେ ବର୍ତ୍ତମାନ ଧ୍ୟାନ ଦିଆଯାଇଛି। ଏହା ବିଶ୍ୱସ୍ତରରେ ଏକ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ବଜାର ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବ।

1950 ରୁ 1990 ମଧ୍ୟରେ ପ୍ରତିବନ୍ଧକ ନୀତି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି କରିଥିଲା। ତେବେ, ‘ମେକ୍ ଇନ୍ ଇଣ୍ଡିଆ’ ମୂଲ୍ୟ ଶୃଙ୍ଖଳାରେ ଗଭୀର ଭାବେ ପ୍ରବେଶ କରି ଏବଂ ଯନ୍ତ୍ରାଂଶ ଓ ଚିପ୍ସର ଉତ୍ପାଦନକୁ ବଢ଼ାଇ ଏହି ଧାରାରେ ପରିବର୍ତ୍ତନ ଆଣିଛି ।

ଦେଶରେ ଏକ ସେମିକଣ୍ଡକ୍ଟର ଉତ୍ପାଦନ ଆଧାର ପ୍ରତିଷ୍ଠା କରିବା ମେକ୍ ଇନ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହାକୁ ହାସଲ କରିବା ପାଇଁ ଭାରତ ଛଅ ଦଶନ୍ଧି ଧରି ପ୍ରୟାସ କରିଆସୁଛି। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନର ଶୁଭାରମ୍ଭ ଏବଂ ପାଞ୍ଚଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରି ସହିତ ଦେଶରେ ସେମିକଣ୍ଡକ୍ଟରର ବାସ୍ତବ ଉତ୍ପାଦନ ପାଇଁ ମୂଳଦୁଆ ପ୍ରତିଷ୍ଠା ହୋଇସାରିଛି । ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ମାଇକ୍ରନର ଗୋଟିଏ, ଟାଟା ଇଲେକ୍ଟ୍ରୋନିକ୍ସର ଦୁଇଟି, ସିଜି ପାୱାରର ଗୋଟିଏ, କିନେସ୍‌ ର ସେମିକଣ୍ଡକ୍ଟର ପ୍ରକଳ୍ପ ସାମିଲ ରହିଛି ।

ନୂଆ ଆର୍ଥିକ ଯୁଗକୁ ଆକାର ଦେଉଛି ମେକ ଇନ ଇଣ୍ଡିଆ

ଖେଳଣା ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍, ପ୍ରତିରକ୍ଷା ଉପକରଣ ଠାରୁ ଆରମ୍ଭ କରି ଇ.ଭି. ବାହନ ପର୍ଯ୍ୟନ୍ତ ଉତ୍ପାଦନ ଭାରତକୁ ଫେରି ଆସୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଲକ୍ଷ୍ୟ ହେଉଛି ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି, ଉତ୍ପାଦନ ବୃଦ୍ଧି କରୁଛି ଏବଂ ନିଯୁକ୍ତି ସୃଷ୍ଟି କରୁଛି, ଯଦ୍ଦ୍ୱାରା ଦେଶର ଆର୍ଥିକ ଶକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ମିଳିପାରୁଛି ।

******

P.S/Swadhin


(Release ID: 2099887) Visitor Counter : 13