ଅର୍ଥ ମନ୍ତ୍ରଣାଳୟ

୨୦୨୪- ୨୫ ବଜେଟରେ ପୁଞ୍ଜି ବ୍ୟୟ ପାଇଁ ୧୧,୧୧,୧୧୧ କୋଟି ଟଙ୍କାର ବ୍ୟୟବରାଦ


ରାଜ୍ୟ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଦୀର୍ଘମିଆଦୀ ସୁଧମୁକ୍ତ ଋଣ ନିମନ୍ତେ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା

୨୫,୦୦୦ ଗ୍ରାମୀଣ ଅଞ୍ଚଳକୁ ସବୁ ଋତୁରେ ଯୋଗାଯୋଗ ପ୍ରଦାନ କରିବା ପାଇଁ ପିଏମଜିଏସୱାଇର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ କରାଯିବ

Posted On: 23 JUL 2024 12:43PM by PIB Bhubaneshwar

ଅର୍ଥନୀତି ଉପରେ ଭିତ୍ତିଭୂମି ନିର୍ମାଣ ଏବଂ ଉନ୍ନତିର ଦୃଢ଼ ପ୍ରଭାବକୁ ସ୍ୱୀକାର କରି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪ - ୨୫ ବଜେଟ୍ ଉପସ୍ଥାପନ କରିବା ସମୟରେ ପୁଞ୍ଜି ବ୍ୟୟ ପାଇଁ ୧୧,୧୧,୧୧୧ କୋଟି ଟଙ୍କାର ବ୍ୟୟବରାଦ ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ଦେଶର ଜିଡିପିର ୩.୪ ପ୍ରତିଶତ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ଭିତ୍ତିଭୂମି ପାଇଁ ସୁଦୃଢ଼ ଆର୍ଥିକ ସହାୟତା ବଜାୟ ରଖିବାକୁ ସରକାର ପ୍ରୟାସ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଭିତ୍ତିଭୂମି ପାଇଁ ସମାନ ପରିମାଣର ସହାୟତା ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଦୀର୍ଘମିଆଦୀ ସୁଧମୁକ୍ତ ଋଣ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି । ଏହା ଦ୍ୱାରା ଭିତ୍ତିଭୂମି ପାଇଁ ସମ୍ବଳ ଆବଣ୍ଟନରେ ରାଜ୍ୟଗୁଡ଼ିକୁ ସହାୟତା ମିଳିବ ।

ଭିତ୍ତିଭୂମି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଘରୋଇ କ୍ଷେତ୍ର ଦ୍ୱାରା ଭିତ୍ତିଭୂମିରେ ପୁଞ୍ଜି ନିବେଶକୁ ବ୍ୟବହାର୍ଯ୍ୟତା ଗ୍ୟାପ୍ ପାଣ୍ଠି ଏବଂ ସକ୍ଷମ ନୀତି ଏବଂ ନିୟମାବଳୀ ମାଧ୍ୟମରେ ପ୍ରୋତ୍ସାହିତ କରାଯିବ । ବଜାର ଭିତ୍ତିକ ଆର୍ଥିକ ଢାଞ୍ଚା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯୋଗ୍ୟ ବିବେଚିତ ହୋଇଥିବା ୨୫,୦୦୦ ଗ୍ରାମୀଣ ଅଞ୍ଚଳକୁ ସବୁ ଋତୁରେ  ସଡକ ପରିବହନ ଯୋଗାଯୋଗ ପ୍ରଦାନ କରିବା ପାଇଁ ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀମତୀ ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ଜଳସେଚନ ଏବଂ ବନ୍ୟା ପରିଚାଳନା ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅନେକ ରାଜ୍ୟ ପାଇଁ ଆର୍ଥିକ ସହାୟତା ଓ ସାହାଯ୍ୟ ଘୋଷଣା କରିଥିଲେ ।

ବିହାରରେ ବାରମ୍ବାର ବନ୍ୟା ପରିସ୍ଥିତି ଉପୁଜୁଥିବାରୁ ଅର୍ଥ ମନ୍ତ୍ରୀ ୧୧,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ପ୍ରକଳ୍ପ ଯଥା କୋଶୀ - ମେଚି ଆନ୍ତଃରାଜ୍ୟ ସଂଯୋଗ ଏବଂ ବ୍ୟାରେଜ୍‌, ନଦୀ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜଳସେଚନ ପ୍ରକଳ୍ପ ସମେତ ଅନ୍ୟାନ୍ୟ ୨୦ଟି ନୂତନ ଯୋଜନା ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାବ୍ୟତୀତ କୋଶୀ ସମ୍ବନ୍ଧୀୟ ବନ୍ୟା ପ୍ରଶମନ ଓ ଜଳସେଚନ ପ୍ରକଳ୍ପର ସର୍ଭେ ଓ ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀମତୀ ସୀତାରମଣ ଆସାମରେ ବ୍ରହ୍ମପୁତ୍ର ନଦୀ ଏବଂ ଏହାର ଶାଖା ନଦୀ ଦ୍ୱାରା ନିୟମିତ ବନ୍ୟା ପରିସ୍ଥିତି,  ଯାହା ଭାରତ ବାହାରେ ଉତ୍ପନ୍ନ ହୋଇଥାଏ ତାହାକୁ ମଧ୍ୟ ସ୍ୱୀକାର କରିଥିଲେ ଓ "ବନ୍ୟା ପରିଚାଳନା ଏବଂ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ଆମେ ଆସାମକୁ ସହାୟତା ପ୍ରଦାନ କରିବୁ" ବୋଲି ସେ କହିଥିଲେ ।

ଏହାବ୍ୟତୀତ ବନ୍ୟା, ବାଦଲ ବିସ୍ଫୋରଣ ଏବଂ ପ୍ରବଳ ଭୂସ୍ଖଳନ ଯୋଗୁଁ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ପୁନଃନିର୍ମାଣ ଏବଂ ଥଇଥାନ ପାଇଁ ସରକାର ରାଜ୍ୟମାନଙ୍କୁ ସହାୟତା ଯୋଗାଇ ଦେବେ । ସିକ୍କିମରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଜନିତ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସେ ସିକ୍କିମ ରାଜ୍ୟକୁ ମଧ୍ୟ ସହାୟତା ଘୋଷଣା କରିଛନ୍ତି ।

*****

SSP



 

 



(Release ID: 2035899) Visitor Counter : 6