ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ-୨୦୨୪ ଘୋଷଣା


ଏୱାଇଡିଏମଏସର ତୃତୀୟ ସଂସ୍କରଣରେ ଟିଭି, ରେଡିଓ ଏବଂ ଛାପା ଗଣମାଧ୍ୟମ କ୍ଷେତ୍ରରେ ବିଭିନ୍ନ ଭାଷାରେ ୩୩ଟି ସମ୍ମାନ ପ୍ରଦାନ କରାଯିବ

ଯୋଗର ବାର୍ତ୍ତା ପ୍ରଚାରପ୍ରସାର କରିବାରେ ଗଣମାଧ୍ୟମର ଯୋଗଦାନକୁ ମାନ୍ୟତା ଦେବା ଲାଗି ଦିଆଯିବ ପୁରସ୍କାର

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2024 5:39PM by PIB Bhubaneshwar

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ର ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାରର ତୃତୀୟ ସଂସ୍କରଣ ପ୍ରଦାନ କରାଯିବ । ଭାରତ ଏବଂ ବିଦେଶରେ ଯୋଗର ବାର୍ତ୍ତା ପ୍ରଚାର ପ୍ରସାର କରିବାରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସମ୍ମାନ ଜଣାଇ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଜୁନ୍ ଠାରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମଏସ) ପୁରସ୍କାର ପ୍ରଦାନ କରାଯାଇ ଆସୁଛି ।

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ଅଧୀନରେ ତିନୋଟି ବର୍ଗ ଛାପା, ଟେଲିଭିଜନ ଏବଂ ରେଡିଓ ଆଦି କ୍ଷେତ୍ରରେ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ମୋଟ୍‌ ୩୩ଟି ସମ୍ମାନ ପ୍ରଦାନ କରାଯିବ ।

1. ‘‘ସମ୍ବାଦପତ୍ରରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ ପ୍ରଚାରପ୍ରସାର’’ ପାଇଁ ଇଂରାଜୀ ଓ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ସମ୍ମାନ ଦିଆଯିବ ।

2. ‘‘ବୈଦ୍ୟୁତିକ ଗଣମାଧ୍ୟମ (ଟିଭି)ରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ କଭରେଜ୍‌’’ ପାଇଁ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ପୁରସ୍କାର ପ୍ରଦାନ କରାଯିବ ।

3. ‘‘ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ)ରେ ଯୋଗର ଶ୍ରେଷ୍ଠ ଗଣମାଧ୍ୟମ କଭରେଜ୍‌’’ ପାଇଁ ୨୨ଟି ଭାରତୀୟ ଭାଷା ଓ ଇଂରାଜୀରେ ୧୧ଟି ପୁରସ୍କାର ପ୍ରଦାନ କରାଯିବ ।

ଅନ୍ତର୍ଜାତୀୟ ଯୋଗ ଦିବସ

ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଆସୁଛି । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଲାଗି ଏକ ଗଣଆନ୍ଦୋଳନରେ ପରିଣତ ହୋଇଛି । ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣ ପାଇଁ ଏହାର ସାମଗ୍ରିକ ଆଭିମୁଖ୍ୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରିଛି, ଫଳରେ ଏହି ଦିବସ ଏକ ଜାଗତିକ କାର୍ଯ୍ୟକ୍ରମରେ ପରିଣତ ହୋଛି । ଉଭୟ ଭାରତ ଓ ବିଦେଶରେ ଯୋଗର ବାର୍ତ୍ତା ବ୍ୟାପକ ଭାବେ ପ୍ରଚାରପ୍ରସାର କରିବା କ୍ଷେତ୍ରରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେଣୁ ଏହି ପ୍ରାଚୀନ ଅଭ୍ୟାସ ଓ ଏହାର ସଂଖ୍ୟାଧିକ ଲାଭର ପ୍ରଚାରପ୍ରସାର ଲାଗି ଗଣମାଧ୍ୟମର ବ୍ୟାପକ ଶକ୍ତି ଓ ଉତ୍ତରଦାୟିତ୍ୱକୁ ମାନ୍ୟତା ଦେବା ଗୁରୁତ୍ୱପୂର୍ଣ୍ଣ।

ଏୱାଇଡିଏମଏସ ସୁପାରିସ ଓ ମାର୍ଗଦର୍ଶିକା

ନିରପେକ୍ଷ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ସମ୍ମାନରେ ଏକ ସ୍ୱତନ୍ତ୍ର ପଦକ/ଫଳକ/ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ଛାପା ଗଣମାଧ୍ୟମ, ରେଡିଓ ଓ ଟିଭି କ୍ଷେତ୍ରରେ ସମ୍ପୃକ୍ତ ରହିଥିବା ସମସ୍ତ ଗଣମାଧ୍ୟମ ସଂସ୍ଥା/କମ୍ପାନୀ ଆବେଦନ କରିପାରିବେ ।

ମାର୍ଗଦର୍ଶିକା ଅନୁଯାୟୀ, ଛାପା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସେମାନଙ୍କର ନାମାଙ୍କନର ବିବରଣୀ ନିର୍ଦ୍ଧାରିତ ଫର୍ମାଟରେ ପ୍ରକାଶିତ ହୋଇଥିବା ପ୍ରାସଙ୍ଗିକ ସ୍ତମ୍ଭ ଓ ଲେଖାର କ୍ଲିପିଂ ପଠାଇପାରିବେ । ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକ ପ୍ରସାରଣ କରିଥିବା ଅଡିଓ ଭିଜୁଆଲ ପଠାଇପାରିବେ । ଉପରୋକ୍ତ କାର୍ଯ୍ୟକ୍ରମ ଏବଂ ଲେଖା ୧୨ ଜୁନ୍‌ ୨୦୨୪ରୁ ୨୫ ଜୁନ୍‌ ୨୦୨୪ ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରଣ ହୋଇଥିବା ଆବଶ୍ୟକ। ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ହେଉଛି ୮ ଜୁଲାଇ ୨୦୨୪ । ପତ୍ର ସୂଚନା କାର୍ଯ୍ୟାଳୟର ୱେବସାଇଟ୍‌ (https://pib.gov.in/indexd.aspx) ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ (https://mib.gov.in/sites/default/files/AYDMS%20Guidelines%202024_0.pdf )ରେ ପୁରସ୍କାର ସଂକ୍ରାନ୍ତ ବିସ୍ତୃତ ମାର୍ଗଦର୍ଶିକା ଉପଲବ୍ଧ ।

ଏଓ୍ୱାଇଡିଏମଏସର ଦ୍ୱିତୀୟ ସଂସ୍କରଣ -୨୦୨୩

ଏହି ସମ୍ମାନର ପ୍ରଥମ ସଂସ୍କରଣ ୭ ଜାନୁଆରୀ ୨୦୨୦ରେ ପ୍ରଦାନ କରାଯାଇଥିଲା। ସମ୍ମାନର ଦ୍ୱିତୀୟ ସଂସ୍କରଣ ବର୍ତ୍ତମାନ ସୁଦ୍ଧା ଦିଆଯାଇନାହିଁ । ଗତବର୍ଷ ଏୱାଇଡିଏମଏସର ବିଜେତା (ଦ୍ୱିତୀୟ ସଂସ୍କରଣ)ଙ୍କୁ ମଧ୍ୟ ଚଳିତ ବର୍ଷର ଏୱାଇଡିଏମଏସ ବିଜେତା (ତୃତୀୟ ସଂସ୍କରଣ) ସହିତ ସମ୍ମାନିତ କରାଯିବ ।

********

P.S/Swadhin/PIB Bhubaneswar


(ରିଲିଜ ଆଡି: 2024415) ପରିଦର୍ଶକ କାଉଣ୍ଟର : 106