ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଫଆଇପିଆଇସି ୩ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମାପନୀ ବକ୍ତବ୍ୟ

Posted On: 22 MAY 2023 2:32PM by PIB Bhubaneshwar

ମହାନୁଭବବୃନ୍ଦ, 
ଆପଣମାନଙ୍କ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ । ଆମମାନଙ୍କର ମନ୍ଥନରୁ ଯେଉଁ ନିର୍ଯ୍ୟାସ ବାହାରିଛି ଆମେ ସମସ୍ତେ ଏହା ଉପରେ ନିଶ୍ଚିତ ଭାବେ ଧ୍ୟାନ ଦେବା । ଆମର କିଛି ସମଭାଗୀ ପ୍ରାଥମିକତା ରହିଛି ଏବଂ ପ୍ରଶାନ୍ତ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡିକର କିଛି ଆବଶ୍ୟକତା ମଧ୍ୟ ରହିଛି । ଏହି ମଂଚ ଉପରେ ଏହା ଆମମାନଙ୍କର ପ୍ରୟାସ ଯେ ଆମମାନଙ୍କର ଭାଗିଦାରୀ ଏହି ଦୁଇ ଦିଗକୁ ଧ୍ୟାନରେ ରଖି ଆଗକୁ ବଢୁ । ଏଫଆଇପିଆସିରେ ଆମମାନଙ୍କର ସହଯୋଗକୁ ଆଗକୁ ବଢାଇବା ପାଇଁ ମୁଁ କିଛି ଘୋଷଣା କରିବାକୁ ଚାହୁଁଛି:
୧)    ପ୍ରଶାନ୍ତ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଫିଜିରେ ଏକ ସୁପର ସ୍ପେଶିଆଲିଟି କାର୍ଡିଓଲୋଜି ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଛୁ । ପ୍ରଶିକ୍ଷିତ କର୍ମଚାରୀ, ଅତ୍ୟାଧୁନିକ ସୁବିଧା ଏବଂ ଭିତିଭୂମୀ ସୁବିଧା ଥିବା ଏହି ହସ୍ପିଟାଲ ସମଗ୍ର କ୍ଷେତ୍ର ପାଇଁ ଏକ ଜୀବନ ରେଖା ପାଲଟିବ । ଭାରତ ସରକାର ଏହି ବୃହତ ଗ୍ରୀନଫିଲ୍ଡ ପ୍ରକଳ୍ପର ସମ୍ପୁର୍ଣ୍ଣ ଖର୍ଚ୍ଚ ବହନ କରିବ ।
୨)    ଭାରତ ସମସ୍ତ ୧୪ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ରରେ ଡାଇଲିସିସ ୟୁନିଟ ସ୍ଥାପନାରେ ସାହାଯ୍ୟ କରିବ ।
୩)    ସମସ୍ତ ୧୪ ପ୍ରଶାନ୍ତ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡିକୁ ସାଗର ଆମ୍ବୁଲାନସ ପ୍ରଦାନ କରାଯିବ ।
୪)    ୨୦୨୨ରେ ଫିଜିରେ ଆମେ ଜୟପୁର ଫୁଟ ଶିବିର ଆୟୋଜନ କରିଥିଲୁ । ଏହି ଶିବିରରେ ୬୦୦ରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ପ୍ରୋସଥେଟିକ ଲିମ୍ବ୍‌ସ ଲଗାଯାଇଥିଲା । ବନ୍ଧୁଗଣ, ଏହି ଉପହାର ଯାହାକୁ ମିଳେ, ତାକୁ ଅନୁଭବ ହୁଏ ଯେପରି ଜୀବନ ଦାନ ମିଳିଯାଇଛି । ପିଆଇସି କ୍ଷେତ୍ର ପାଇଁ ଆମେ ଚଳିତ ବର୍ଷ ପାପୁଆ ନ୍ୟୁ ଗିନି (ପିଏନଜି) ରେ ଜୟପୁର ଫୁଟ ଶିବିର ଆୟୋଜନ ପାଇଁ ନିଷ୍ପତି ନେଇଛୁ । ୨୦୨୪ରୁ ପ୍ରତିବର୍ଷ ଏହିଭଳି ଆଉ ଦୁଇଟି ଶିବିର ପ୍ରଶାନ୍ତ ଦ୍ୱୀପପୁଞ୍ଜ ରାଷ୍ଟ୍ରରେ ଆୟୋଜିତ ହେବ ।
୫)    ଭାରତରେ ଜନ ଔଷଧୀ ଯୋଜନା ଦ୍ୱାରା ସୁଲଭ ଭୂଲ୍ୟରେ ଉତମ ଗୁଣମାନର ୧୮୦୦ ଜନୌଷଧୀ ଲୋକମାନଙ୍କୁ ପ୍ରଦାନ କରାଯାଉଛି । ଉଦାହରଣ ସ୍ୱରୂପ, ମଧୁମେହ ନିରୋଧୀ ଔଷଧ ବଜାର ଦର ତୁଳନାରେ ଜନ ଔଷଧୀ କେନ୍ଦ୍ରରେ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ମୂଲ୍ୟରେ ଉପଲବଧ ହେଉଛି ଏବଂ ଅନ୍ୟ ସମସ୍ତ ଔଷଧ ୬୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ  କମ୍ ମୂଲ୍ୟରେ ମିଳୁଛି । ଏହିଭଳି ଜନ ଔଷଧୀ କେନ୍ଦ୍ରଗୁଡିକୁ ଆପଣମାନଙ୍କ ଦେଶରେ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖୁଛି ।
୬)    ବୈଜ୍ଞାନିକ ଅଧ୍ୟୟନ ଦର୍ଶାଉଛି ଯେ, ମଧୁମେହ ଭଳି ଜୀବନ ଯାପନ ଶୈଳୀ ପାଇଁ ସୃଷ୍ଟି ହେଉଥିବା ରୋଗର ନିରାକରଣରେ ଯୋଗ ବେଶ ଉପଯୋଗୀ ହୋଇପାରିବ । ଆମେ ଆପଣମାନଙ୍କ ଦେଶରେ ଯୋଗ କେନ୍ଦ୍ର ସ୍ଥାପନ କରିବାର ପ୍ରସ୍ତାବ ରଖୁଛୁ ।
୭)    ପିଏନଜିରେ ଆଇଟି ଉତ୍କର୍ଷ କେନ୍ଦ୍ରକୁ ଉନ୍ନୀତ କରାଯିବ ଏବଂ ତାହାକୁ ‘ଆଂଚଳିକ ସୂଚନା ପ୍ରଯୁକ୍ତି ଏବଂ ସାଇବର ନିରାପତା ହବ’ ରୂପରେ ବିକଶିତ କରାଯିବ ।
୮)    ଫିଜିର ନାଗରିକମାନଙ୍କ ପାଇଁ ଏକ ୨୪ ଘଂଟିଆ ଜରୁରୀକାଳିନ ହେଲପଲାଇନର ସୁବିଧା ପ୍ରସ୍ତୁତ କରାଯିବ । ପିଆଇସିର ସମସ୍ତ ରାଷ୍ଟ୍ରରେ ମଧ୍ୟ ଏହିଭଳି ସୁବିଧା ସ୍ଥାପିତ ହେଲେ ଆମକୁ ଆନନ୍ଦ ମିଳିବ ।
୯)    ପ୍ରତ୍ୟେକ ପ୍ରଶାନ୍ତ ଦ୍ୱୀପସମୂହ ରାଷ୍ଟ୍ରରେ ଏସଏମଇ କ୍ଷେତ୍ରର ବିକାଶ ପାଇଁ ପ୍ରକଳ୍ପର ଘୋଷଣା କରୁଛି । ଏହି ଯୋଜନା ଅଧୀନରେ ଯନ୍ତ୍ରପାତି ଏବଂ ଜ୍ଞାନକୌଶଳ ଯୋଗାଇ ଦିଆଯିବ ତଥା ସାମର୍ଥ୍ୟ ବୃଦ୍ଧି ନିମନ୍ତେ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
୧୦)    ପ୍ରଶାନ୍ତ ଦ୍ୱୀପସମୂହ ରାଷ୍ଟ୍ରମୁଖ୍ୟମାନଙ୍କର ନିବାସକୁ ସୌରଶକ୍ତି ଚାଳିତ କରିବାର ପ୍ରକଳ୍ପକୁ ଆପଣମାନେ ସମସ୍ତେ ପସନ୍ଦ କରିଛନ୍ତି । ଏବେ ଆମେ ସମସ୍ତ ଏଫଆଇପିଆଇସି ଦେଶରେ ଅତି କମରେ ଅନ୍ତତଃ ସରକାରୀ କୋଠାଗୁଡିକୁ ସୌର ଶକ୍ତି ସହ ସଂଯୋଗ କରିବୁ ।
୧୧)    ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ମୁଁ ସମସ୍ତ ପ୍ରଶାନ୍ତ ଦ୍ୱୀପସମୂହ ରାଷ୍ଟ୍ରର ଲୋକମାନଙ୍କ ପାଇଁ ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା ୟୁନିଟ ପ୍ରଦାନ ପାଇଁ ଘୋଷଣା କରୁଛି ।
୧୨)    କ୍ଷମତା ନିର୍ମାଣରେ ଆମର ଦୀର୍ଘମିଆଦି ସହଯୋଗକୁ ଆହୁରି ଆଗକୁ ବଢାଇ ମୁଁ ଆଜି ପ୍ରଶାନ୍ତ ଦ୍ୱୀପପୁଞ୍ଜ ଦେଶଗୁଡିକ ପାଇଁ ‘ସାଗର ଅମୃତ ସ୍କଲାରଶିପ’ ଯୋଜନାର ଘୋଷଣା କରୁଛି । ଏହା ଅଧୀନରେ ଆଗାମୀ ୫ ବର୍ଷରେ ୧୦୦୦ ଆଇଟିଇସି ପ୍ରଶିକ୍ଷଣ ସୁଯୋଗ ପ୍ରଦାନ କରାଯିବ ।
ମହାନୁଭବବୃନ୍ଦ,
ଆଜି ମୁଁ ନିଜର ବକ୍ତବ୍ୟ ଏଇଠି ସମାପ୍ତ କରୁଛି । ଏହି ମଂଚ ସହିତ ମୋର ବିଶେଷ ନିବିଡତା ରହିଛି । ଏହା ସୀମା ସରହଦର ଉର୍ଦ୍ଧ୍ୱରେ ଏବଂ ଏଥିସହିତ ମାନବିକ ସହଯୋଗର ସୀମାଗୁଡିକୁ ଅସିମୀତ କରି ଦେଇଥାଏ । ପୁଣି ଥରେ ଆଜି ଆପଣ ସମସ୍ତଙ୍କ ଉପସ୍ଥିତି ପାଇଁ ମୁଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ।
ଆଶା କରୁଛି ଆସନ୍ତା ବର୍ଷ ଭାରତରେ ଆପଣମାନଙ୍କୁ ସ୍ୱାଗତ କରିବାର ସୁଯୋଗ ମିଳିବ ।
ଜଣେ ବନ୍ଧୁ ଭାବରେ ମୁଁ ଆଶା କରୁଛି ଯେ, ଜାତିସଂଘରେ ଦକ୍ଷିଣ ବିଶ୍ୱର ସ୍ୱର ଉତୋଳନ ପାଇଁ ୨୦୨୮-୨୯ରେ ଭାରତର ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟତାକୁ ଆପଣ ସମସ୍ତଙ୍କର ସମର୍ଥନ ମିଳିବ । 
ଧନ୍ୟବାଦ!

JP



(Release ID: 1926659) Visitor Counter : 84