ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅହମ୍ମଦାବାଦ, ଅସରଭାଠାରେ ୨୯୦୦ କୋଟି ଟଙ୍କାର ରେଳବାଇ ପ୍ରକଳ୍ପ ଲୋକାର୍ପିତ


“ଏକତା ଦିବସକୁ ଅଧିକ ମହତ୍ୱପୂର୍ଣ୍ଣ କରିବା ନିମନ୍ତେ ଏହି ପ୍ରକଳ୍ପଗୁଡ଼ିକୁ ସମର୍ପିତ କରାଯାଉଛି ।”

“ଡବଲ ଇଞ୍ଜିନ୍ ସରକାର ଯୋଗୁ ବିକାଶର ‘ଗତି’ ଏବଂ ‘ଶକ୍ତି’ ବୃଦ୍ଧି ପାଉଛି ।”

“ଦେଶବ୍ୟାପୀ ରେଳ ଷ୍ଟେସନଗୁଡ଼ିକର ସ୍ଥିତିରେ ଉନ୍ନତି ଆଜି ଜଳଜଳ ହୋଇ ଦୃଶ୍ୟ ହେଉଛି ।”

“ଯାହା ଦିନେ କେବଳ ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ପହଞ୍ଚରେ ଥିଲା ଏବେ ତାହା ଗରିବ ଓ ମଧ୍ୟମ ବର୍ଗର ଲୋକଙ୍କ ପାଇଁ ଉପଲବ୍ଧ କରାଯାଇପାରିଛି ।”

“ଦେଶ ପାଇଁ ଅସନ୍ତୁଳିତ ବିକାଶ ଏକ ବିରାଟ ଚାଲେଞ୍ଜ୍ ହୋଇ ରହିଆସିଥିଲା । ଆମ ସରକାର ଏହାର ସମାଧାନ ଦିଗରେ କାର୍ଯ୍ୟ କରୁଛି ।”

Posted On: 31 OCT 2022 8:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ଅସରଭାଠାରେ ୨,୯୦୦ କୋଟି ଟଙ୍କାର ଦୁଇଟି ରେଳବାଇ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ଅବସରରେ ସେଠାରେ ଉପସ୍ଥିତ ଜନସମାଗମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଗୁଜରାଟ ପାଇଁ ବିକାଶ ଏବଂ ସଂଯୋଗୀକରଣ ନିମନ୍ତେ ଏକ ମହାନ୍ ଦିବସ । ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ସେ କହିଲେ ଯେ ଗୁଜରାଟର ଲୋକମାନେ ରାଜ୍ୟର ବ୍ୟାପକ କ୍ଷେତ୍ରରେ ବ୍ରଡ୍ ଗେଜ୍ ରେଳଲାଇନ୍ ପାଇଁ ଅନେକ ଦିନରୁ ପ୍ରତୀକ୍ଷା କରି ରହିଥିଲେ ଏବଂ ଆଜି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଯୋଗୁ ସେମାନଙ୍କୁ ଯଥେଷ୍ଟ ମାତ୍ରାରେ ଆଶ୍ୱସ୍ତି ମିଳିପାରିବ । ଦଶନ୍ଧି ଦଶନ୍ଧିର ପ୍ରତୀକ୍ଷା ପରେ ଆଜି ଏହି ରେଳ ପ୍ରକଳ୍ପକୁ ଦେଶବାସୀଙ୍କୁ ଉତ୍ସର୍ଗ କରିବାର ସୁଯୋଗ ତାଙ୍କୁ ମିଳିଥିବାରୁ ସେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ସମଗ୍ର ରୁଟ୍ ଉପରେ ପ୍ରାଧାନ୍ୟ ଆରୋକ କରି କହିଥିଲେ ଯେ ଏବେ ଏହାକୁ ସାମଗ୍ରିକ ଭାବେ ପୁନର୍ବିନ୍ୟାସ କରାଯାଇଛି ଏବଂ ହିମ୍ମତନଗର ବାଟ ଦେଇ ଅସରୱା ଠାରୁ ଉଦୟପୁର ପର୍ଯ୍ୟନ୍ତ ଲମ୍ବିଥିବା ରେଳଧାରଣାକୁ ମିଟର ଗେଜ୍‌ରୁ ବ୍ରଡ୍ ଗେଜ୍‌ରେ ପରିଣତ କରାଯାଇଛି । ସେ ସୂଚାଇଥିଲେ ଯେ ଗୁଜରାଟର ଏହି କ୍ଷେତ୍ର ଏବେ ପ୍ରତିବେଶୀ ରାଜ୍ୟ ରାଜସ୍ଥାନ ସହିତ ଦେଶର ଅବଶିଷ୍ଟ ଭାଗ ସହିତ ଯୋଡ଼ି ହୋଇଯାଇଛି ।  ଲୁନିଧର ଠାରୁ ଜେତଲସାର ପର୍ଯ୍ୟନ୍ତ ସଂପାଦନ କରାଯାଇଥିବା ଗେଜ୍ ପରିବର୍ତ୍ତନ ଦ୍ୱାରା ଏହି କ୍ଷେତ୍ରକୁ ସହଜରେ ରେଳ ସଂଯୋଗ କାର୍ଯ୍ୟ ସମ୍ପନ୍ନ ହୋଇପାରିଛି ଏବଂ ଏଠାରୁ ବାହାରୁଥିବା ରେଳଗୁଡ଼ିକ ଏବେ ଦେଶର ଯେକୌଣସି ସ୍ଥାନକୁ ଯାଇପାରିବ ।

ଯେତେବେଳେ ଏହି ରୁଟ୍‌ର ରେଳଧାରଣାକୁ ମିଟର ଗେଜ୍‌ରୁ ବ୍ରଡ୍ ଗେଜକୁ ବଦଳାଯାଇଛି ସେତେବେଳେ ଏହା ଅନେକ ନୂତନ ସମ୍ଭାବନା ସୃଷ୍ଟି କରିଛି” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଅସରୱା ଠାରୁ ଉଦୟପୁର ପର୍ଯ୍ୟନ୍ତ ୩୦୦ କିଲୋମିଟର ଦୀର୍ଘ ପଥକୁ ଯେତେବେଳେ ମିଟର ଗେଜ୍‌ରୁ ବ୍ରଡ୍ ଗେଜ୍‌କୁ ପରିବର୍ତ୍ତନ କରାଗଲା ସେତେବେଳେ ଗୁଜରାଟ ଏବଂ ରାଜସ୍ଥାନର ଆଦିବାସୀ ଅଧ୍ୟୁସିତ କ୍ଷେତ୍ର ମଧ୍ୟ ଦିଲ୍ଲୀ ଏବଂ ଉତ୍ତର ଭାରତ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଯାଇଛି । ଏହି ରେଳପଥର ବ୍ରଡ୍ ଗେଜ୍‌କୁ ପରିବର୍ତ୍ତନ କରାଯିବା ଫଳରେ ଅହମ୍ମଦାବାଦ ଏବଂ ଦିଲ୍ଲୀ ମଧ୍ୟରେ ଏକ ବିକଳ୍ପ ରେଳମାର୍ଗ ମଧ୍ୟ ଉନ୍ମୋଚିତ ହୋଇପାରିଛି । ବର୍ତ୍ତମାନ, କଚ୍ଛ ଏବଂ ଉଦୟପୁରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କୁ ପ୍ରତ୍ୟକ୍ଷ ରେଳ ସଂଯୋଗୀକରଣ ପ୍ରତିଷ୍ଠ ହୋଇପାରିଛି । ଏହା ଫଳରେ କଚ୍ଛ, ଉଦୟପୁର, ଚିତ୍ତୋରଗଡ଼ ଏବଂ ନଥୱାଡ଼ା ଭଳି ପର୍ଯ୍ୟଟନ ସ୍ଥଳୀମାନଙ୍କୁ ବିଶେଷ ପ୍ରୋତ୍ସାହନ ମିଳିପାରିବ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରର ବ୍ୟବସାୟୀମାନେ ଏଭଳି ରେଳସଂଯୋଗରୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ସୁଫଳ ଲାଭ କରିପାରିବେ ଏବଂ ସେମାନେ ଦିଲ୍ଲୀ, ମୁମ୍ବାଇ ଏବଂ ଅହମ୍ମଦାବାଦ ଭଳି ବଡ଼ ବଡ଼ ଶିଳ୍ପ କେନ୍ଦ୍ରମାନଙ୍କ ସହ ସିଧାସଳଖ ଭାବେ କାରବାର କରିପାରିବେ । “ବିଶେଷ କରି, ହିମ୍ମତନଗରର ଟାଇଲ୍ ଶିଳ୍ପଗୁଡ଼ିକ ଏଥିରୁ ବିଶେଷ ଭାବେ ଉପକୃତ ହୋଇପାରିବେ” ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ଅନୁରୂପ ଭାବେ, ଲୁନିଧର ଠାରୁ ଜେତଲସାର ପର୍ଯ୍ୟନ୍ତ ଲମ୍ବିଥିବା ରେଳଧାରଣାକୁ ବ୍ରଡ୍ ଗେଜ୍‌ରେ ପରିବର୍ତ୍ତନ କରାଯିବା ଫଳରେ ଧସା ଏବଂ ଜେତଲସାର ସେକ୍ସନ୍ ଏବେ ସଂପୂର୍ଣ୍ଣ ରୂପେ ବ୍ରଡ଼୍ ଗେଜ ଲାଇନ୍‌ରେ ରୂପାନ୍ତରିତ ହୋଇଛି । ଏହି ରେଳଲାଇନ୍ ବୋତାଡ଼, ଅମରେଲି ଏବଂ ରାଜକୋଟ ଜିଲ୍ଲା ମଧ୍ୟଦେଇ ଲମ୍ବିଛି ଯାହାର ଇତି ପୂର୍ବରୁ ସୀମିତ ରେଳ ସଂଯୋଗ ଥିଲା । ଏହି ରେଳଲାଇନ୍ ସଂପୂର୍ଣ୍ଣ ହେବା ଫଳରେ ଭାବନଗର ଏବଂ ଅମରେଲି କ୍ଷେତ୍ରର ଜନସାଧାରଣ ସୋମନାଥ ଏବଂ ପୋରବନ୍ଦର ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବେ ରେଳପଥ ସଂଯୋଗର ସୁବିଧା ପାଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ରେଳପଥ ଉନ୍ମୋଚିତ ହେବା ଫଳରେ ଭାବନଗର ଏବଂ ଭିରାବଲ ଭିତରେ ୪୭୦କିଲୋମିଟର ଦୂରତା ଏବେ ୨୯୦ କିଲୋମିଟରକୁ ହ୍ରାସ ପାଇଛି ଯଦ୍ୱାରା ଯାତ୍ରୀମାନଙ୍କ ଯାତ୍ରା ସମୟ ବାରଘଣ୍ଟାରୁ ମାତ୍ର ସାଢ଼େ ଛଅଘଣ୍ଟାକୁ କମିଆସିଛି । ଅନୁରୂପ ଭାବେ ଭାବନଗର ଓ ପୋରବନ୍ଦର ମଧ୍ୟରେ ଦୂରତା ମଧ୍ୟ ପ୍ରାୟ ୨୦୦ କିଲୋମିଟର ହ୍ରାସ ପାଇଛି ଏବଂ ଭାବନଗର – ରାଜକୋଟ ମଧ୍ୟରେ ଦୂରତ୍ୱ ୩୦ କିଲୋମିଟର କମିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନ ବ୍ରଡ୍ ଗେଜ୍ ଲାଇନ୍‌ରେ ଆତଯାତ ହେଉଥିବା ଟ୍ରେନ୍‌ଗୁଡ଼ିକ ଗୁଜରାଟର ଶିଳ୍ପ ବିକାଶରେ ସହାୟକ ହୋଇପାରିବ ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ସବୁ ସ୍ଥାନରେ ପହଞ୍ôଚହେବ ତଥା ପୂର୍ବରୁ ଯେଉଁସବୁ କ୍ଷେତ୍ର ଅପହଞ୍ଚ ରହିଥିଲା ଏବେ ସେଗୁଡ଼ିକ ସଂଯୋଗ ହୋଇପାରିଛି । “ଏକତା ଦିବସରେ ଆଜି ଏହି ପ୍ରକଳ୍ପକୁ ଲୋକାର୍ପଣ କରାଯିବା ଦ୍ୱାରା ଏହାକୁ ଅଧିକ ମହତ୍ତପୂର୍ଣ୍ଣ କରାଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ “ ଯେତେବେଳେ ଡବଲ ଇଞ୍ଜିନ୍ ଇଞ୍ଜିନ୍ ସରକାର କାର୍ଯ୍ୟ କରେ, ଏହାର ଫଳଶ୍ରୁତି କେବଳ ଦ୍ୱିଗୁଣିତ ହୁଏନାହିଁ, ଅପରନ୍ତୁ ଅନେକ ଗୁଣ ବୃଦ୍ଧି ପାଇଥାଏ । ଏଠାରେ ଏକ ସହିତ ଏକ ମିଶିଲେ ଦୁଇ ହୁଏ ନାହିଁ । ବରଂ ଏହା ଶକ୍ତି ଦୃଷ୍ଟିରୁ ୧୧ ହୋଇଯାଏ ବୋଲି ବୁଝିବାକୁ ହେବ ।” ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ “ ଡବଲ ଇଞ୍ଜିନ ସରକାର ଯୋଗୁ, ଗୁଜରାଟରେ କେବଳ ବିକାଶମୂଳକ କାର୍ଯ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇନାହିଁ, ଅପରପକ୍ଷେ ଏହା ମଧ୍ୟ ସମ୍ପସାରିିତ ହେବାର କ୍ଷମତା ହାସଲ କରିଛି ।” ସେ କହିଲେ ଯେ ୨୦୦୯ ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମାତ୍ର ୧୨୫ କିଲୋମିଟର ରେଳପଥର ଦୋହରାକରଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । କିନ୍ତୁ ୨୦୧୪ ଠାରୁ ୨୦୨୨ ମସିହା ଭିତରେ ପ୍ରାୟ ୫୫୦ କିଲୋମିଟର ରେଳପଥର ଦୋହରାକରଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇପାରିଛି । ସେହିଭଳି, ୨୦୦୯ ଠାରୁ ୨୦୧୪ ମସିହା ଭିତରେ ଗୁଜରାଟରେ ମାତ୍ର ୬୦ କିଲୋମିଟର ରେଳପଥର ବିଦ୍ୟୁତିକରଣ  କାର୍ଯ୍ୟ ହୋଇଥିବା ବେଳେ ୨୦୧୪ ଠାରୁ ୨୦୨୨ ମଧ୍ୟରେ ୧୭୦୦ କିଲୋମିଟର ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ବିକାଶର ମାତ୍ରା ଏବଂ ବେଗ ବ୍ୟତୀତ ସେହିସବୁ କାର୍ଯ୍ୟର ଗୁଣାତ୍ମକ ମାନରେ ଉନ୍ନତି, ସୁଗମତା, ନିରାପତ୍ତା ଏବଂ ସ୍ୱଚ୍ଛତା ମଧ୍ୟ ବୃଦ୍ଧି ପାଇଛି । ଏହା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସାରା ଦେଶରେ ଏବେ ରେଳ ଷ୍ଟେସନଗୁଡ଼ିକର ଅବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିପାରିଛି । “ପୂର୍ବରୁ ସମାଜର ସ୍ୱଚ୍ଛଳ ବର୍ଗଙ୍କ ପାଇଁ ଯେଉଁସବୁ ସେବା ଉପଲବ୍ଧ ଥିଲା ଏବେ ଗରିବ ଓ ମଧ୍ୟମ ବର୍ଗର ଲୋକମାନଙ୍କ ନିମନ୍ତେ ଅନୁରୂପ ବାତାବରଣ ସୃଷ୍ଟି କରାଯାଇପାରିଛି” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । “ଗାନ୍ଧୀନଗର ରେଳ ଷ୍ଟେସନ ଭଳି ଅହମ୍ମଦାବାଦ, ସୁରଟ, ଉଧନା, ସାବରମତୀ, ସୋମନାଥ ଏବଂ ନିଉ ଭୁଜ ରେଳ ଷ୍ଟେସନଗୁଡ଼ିକର ମଧ୍ୟ ଉନ୍ନତିସାଧନ କରାଯାଉଛି” ବୋଲି ସେ ସୂଚାଇଥିଲେ । ଏହି ସବୁ କାର୍ଯ୍ୟ କେବଳ ଡବଲ ଇଞ୍ଜିନ୍ ସରକାର ଯୋଗୁ ସମ୍ଭବପର ହୋଇପାରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାର ଏକ ଉଦାହରଣ ଦେଇ କହିଥିଲେ ଯେ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଏବେ ଗାନ୍ଧୀନଗର ଏବଂ ମୁମ୍ବାଇ ମଧ୍ୟରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ପଶ୍ଚିମ ରେଳବାଇର ବିକାଶକୁ ଏକ ନୂତନ ଆଭିମୁଖ୍ୟ ପ୍ରଦାନ ନିମନ୍ତେ ୧୨ଟି ଗତି ଶକ୍ତି କାର୍ଗୋ ଟର୍ମିନାଲ ପ୍ରତିଷ୍ଠା କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି । “ ପ୍ରଥମ ଗତି ଶକ୍ତି ମଲ୍ଟି ମଡେଲ୍ କାର୍ଗୋ ଟର୍ମିନାଲ ଭଦୋଦରା ସର୍କଲରେ ଆରମ୍ଭ କରାଯାଇଛି । ଖୁବ୍ ଶୀଘ୍ର ଅବଶିଷ୍ଟ ଟର୍ମିନାଲଗୁଡ଼ିକ ସେମାନଙ୍କର ସେବା ଯୋଗାଣ ନିମନ୍ତେ ଉପଲବ୍ଧ କରାଯିବ” ବୋଲି ସେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ “ସ୍ୱାଧୀନତା ପ୍ରାପ୍ତିର ଦଶନ୍ଧି ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଧନୀ- ଗରିବଙ୍କ ମଧ୍ୟରେ ଥିବା ଦୂରତ୍ୱ ଗାଁ ଏବଂ ସହର ମଧ୍ୟରେ ଥିବା ବୈଷମ୍ୟ ଏବଂ ବିକାଶର ଅସନ୍ତୁଳିତ ଧାରା ଦେଶ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହୋଇ ରହିଆସିଥିଲା । ଏହାକୁ ସମାଧାନ କରିବା ଦିଗରେ ସରକାର ଏବେ କାର୍ଯ୍ୟ କରୁଛନ୍ତି । ‘ସବ୍‌କା ବିକାଶ’ ନୀତି ଉପରେ ଗୁରୁତ୍ୱ ଆରୋପ କରାଯାଉଛି ଏବଂ ସେଥିପାଇଁ ଭିତ୍ତିଭୂମି ବିକାଶ ଘଟାଯିବା ସହିତ ମଧ୍ୟମ ବର୍ଗର ଲୋକମାନଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ କରିବା ସକାଶେ ଶକ୍ତି ଯୋଗାଇ ଦିଆଯାଉଛି । ଗରିବ ଲୋକମାନଙ୍କୁ ପକ୍କା ଘର, ଶୌଚାଳୟ, ବିଜୁଳି, ଟ୍ୟାପ୍ ଜଳ, ଗ୍ୟାସ, ମାଗଣାରେ ଚିକିତ୍ସା ସୁବିଧା ଏବଂ ବୀମା ସୁବିଧା ଆଦି ଯୋଗାଇ ଦିଆଯାଉଛି । ଆଜି ସୁଶାସନର ତାହା ଲକ୍ଷ୍ୟଣୀୟ ପ୍ରମାଣ ହୋଇପାରିଛି” ବୋଲି ସେ ଉଲ୍ଲେଖ କରିଥିଲେ ।

ଦେଶରେ ସଂଯୋଗୀକରଣର ଭିତ୍ତିଭୂମିରେ ହୋଇଥିବା ବ୍ୟାପକ ପରିବର୍ତ୍ତନର ଧାରା ସଂପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଲେ ଯେ ଯୋଜନାରହିତ ନିର୍ମାଣ ପରିବର୍ତ୍ତେ ବର୍ତ୍ତମାନ ରେଳ, ମେଟ୍ରୋ ଏବଂ ବସ୍‌ସେବା ସଂଯୋଗୀକରଣ ନିମନ୍ତେ ଏକ ସମନ୍ୱିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ସେହିଭଳି ରୁଟ୍ ଏବଂ ମୋଡ୍ ମଧ୍ୟରେ ଉପଯୁକ୍ତ ତାଳମେଳ ରକ୍ଷା ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ଗୁଜରାଟର ଶିଳ୍ପ ସଂସ୍କୃତି ଉପରେ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ଗୁଜରାଟର ବନ୍ଦରଗୁଡ଼ିକ ସଶକ୍ତ ହୋଇଯିବ, ତାହା ସାମଗ୍ରିକ ଭାବେ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ । “ବିଗତ ୮ ବର୍ଷ ଭିତରେ ଗୁଜରାଟର ବନ୍ଦରଗୁଡ଼ିକର କ୍ଷମତା ଦ୍ୱିଗୁଣିତ ହୋଇପାରିଛି” ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଲେ ଯେ ବିକାଶର ଅବାରିତ ପ୍ରକ୍ରିୟା “ବିକଶିତ ଭାରତ ପାଇଁ ଏକ ସମୃଦ୍ଧ ଗୁଜରାଟ ନିର୍ମାଣର ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି ।”

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ତାଙ୍କର ଜୟନ୍ତୀ ଅବସରରେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସ୍ୱାଧୀନ ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ପ୍ରତ୍ୟେକ ଭାରତୀୟ ସର୍ଦ୍ଦାରଜୀଙ୍କ ସଫଳତାକୁ ନେଇ ଗର୍ବ ଅନୁଭବ କରନ୍ତି ।  କେତେକ ସମ୍ବାଦପତ୍ରରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନରେ କେତେକ ସଫଳତା ପାଇଁ ସର୍ଦ୍ଦାର ପଟେଙ୍କ ନାମ ଏବଂ ଛବି ପ୍ରଦାନ କରାଯାଇ ନଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସମାଲୋଚନା କରିଥିଲେ । “ସର୍ଦ୍ଦାର ପଟେଲଙ୍କ ପ୍ରତି ଏଭଳି ଅସମ୍ମାନକୁ କଦାପି ବରଦାସ୍ତ କରାଯିବ ନାହିଁ, ତାହା ପୁଣି ଗୁଜରାଟ ଭୂଇଁରେ” ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ସର୍ଦ୍ଦାର ପଟେଲଙ୍କ ଭଳି ରେଳବାଇ ଭାରତକୁ ସଂଯୋଗ କରୁଛି ଏବଂ ଏହି ପ୍ରକ୍ରିୟା ଚିରନ୍ତନ ଭାବେ ଆଗକୁ ଏବଂ ଉଚିତ ଦିଗରେ ଅଗ୍ରସର ହୋଇଚାଲିଛି ।”

କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାର୍ଦ୍ଦୋଶ, ସାଂସଦ ଏବଂ ରାଜ୍ୟ ମନ୍ତ୍ରୀବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ଅସରଭାଠାରେ ୨,୯୦୦ କୋଟି ଟଙ୍କାର ଦୁଇଟି ରେଳବାଇ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହିସବୁ ପ୍ରକଳ୍ପ ମଧ୍ୟରେ ଅହମ୍ମଦାବାଦ (ଅସରଭା)- ହିମ୍ମତନଗର- ଉଦୟପୁର ଗେଜ୍ ପରିବର୍ତ୍ତନ ଲାଇନ ଏବଂ ଲୁଣିଧର – ଜେତଲସାର ଗେଜ୍ ପରିବର୍ତ୍ତନ ଲାଇନ୍ ସାମିଲ । ପ୍ରଧାନମନ୍ତ୍ରୀ ଏହି ଅବସରରେ ମଧ୍ୟ ଭାଭନଗର – ଜେତଳସାର ଏବଂ ଅସରଭା – ଉଦୟପୁର ମଧ୍ୟରେ ଚଳାଚଳ କରୁଥିବା ଦୁଇଟି ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

 

ସାରା ଦେଶରେ ଏକ ପ୍ରକାର ଗେଜ୍‌ର ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରିବା ସକାଶେ, ରେଳବାଇ ଅଣ- ବ୍ରଡ୍ ଗେଜ୍ ଲାଇନ୍‌ଗୁଡ଼ିକୁ ଏବେ ବ୍ରଡ୍ ଗେଜ୍ ଲାଇନକୁ ପରିବର୍ତ୍ତନ କରୁଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ପ୍ରକଳ୍ପଗୁଡ଼ିକ ଏହି ଦିଗରେ ଆଉ ଏକ ଆଗୁଆ ପଦକ୍ଷେପ ଭାବେ ପରିଚିତ । ଅହମ୍ମଦାବାଦ (ଅସରଭା)- ଉଦୟପୁର ଗେଜ୍ ପରିବର୍ତ୍ତିତ ଲାଇନ୍‌ର ଦୈର୍ଘ୍ୟ ପ୍ରାୟ ୩୦୦ କିଲୋମିଟର । ଏହା ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ପର୍ଯ୍ୟଟକ, ବ୍ୟବସାୟୀଏହି କ୍ଷେତ୍ରର ଉତ୍ପାଦନ ୟୁନିଟ୍ ଏବଂ ଶିଳ୍ପସଂସ୍ଥାମାନଙ୍କୁ ବିଶେଷ ଭାବେ ସହାୟକ ହେବ ଯାହାକି ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ଏହି କ୍ଷେତ୍ରର ସାମାଜିକ ଆର୍ଥିକ ବିକାଶ ପାଇଁ ମଧ୍ୟ ଉପକାରସିଦ୍ଧ ହେବ । ଲୁଣିଧର- ଜେତଲସର ପରିବର୍ତ୍ତିିତ ଗେଜ୍ ଲାଇନ୍ ପିପାଭାଭ ବନ୍ଦର ଏବଂ ଭାଭନଗର ମଧ୍ୟରେ ଯାତାୟାତ ମାର୍ଗକୁ ହ୍ରାସ କରିବ ଯାହାକି ଭେରାଭାଲ ଏବଂ ପୋରବନ୍ଦର ପର୍ଯ୍ୟନ୍ତ ଲମ୍ବିଛି । ଏହି ପ୍ରକଳ୍ପ ମଧ୍ୟ ଏହି ସେକ୍ସନରେ ମାଲ ପରିବହନ କ୍ଷମତାକୁ ବୃଦ୍ଧି କରିବ ଯଦ୍ୱାରା କନାଲୁସ୍ – ରାଜକୋଟ – ବିରାମଗାମ ମାର୍ଗରେ ସଡ଼କରେ ହେଉଥିବା ଭିଡ଼କୁ ଯଥେଷ୍ଟ ମାତ୍ରାରେ କମାଇବ । ବର୍ତ୍ତମାନ ଏହା ଗୀର ସଂରକ୍ଷିତ ଜଙ୍ଗଳ, ସୋମନାଥ ମନ୍ଦିର, ଡିଉ ଏବଂ ଗୀରନାର ପର୍ବତକୁ ମଧ୍ୟ ନିରବଚ୍ଛିନ୍ନ ଭାବେ ସଂଯୋଗୀକରଣ ସୁବିଧା ପ୍ରଦାନ କରିବ ତଥା ସେହି କ୍ଷେତ୍ରର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବ ।

SS



(Release ID: 1872551) Visitor Counter : 249