ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟ ପ୍ରଦେଶରେ ପିଏମଏୱାଇ-ଜିର ୪.୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ‘ଗୃହ ପ୍ରବେଶ’ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 22 OCT 2022 7:36PM by PIB Bhubaneshwar

ନମସ୍କାର,

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମହାଶୟ, ରାଜ୍ୟ ସରକାରଙ୍କ ମନ୍ତ୍ରିଗଣ, ବିଧାୟକଗଣ, ପଂଚାୟତ ସଦସ୍ୟ, ଅନ୍ୟ ସମସ୍ତ ମହାନୁଭବ ଏବଂ ମଧ୍ୟ ପ୍ରଦେଶର ମୋର ସମସ୍ତ ଭାଇ ଓ ଭଉରୀମାନେ,

ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଧନତେରସ ଏବଂ ଦୀପାବଳୀ ପାଇଁ ବହୁତ- ବହୁତ ଶୁଭକାମନା। ଧନତେରସ ଏବଂ ଦୀପାବଳୀର ଏହି ଅବସର ଏଭଳି ହୋଇଥାଏ, ଯେତେବେଳେ ଆମେ ନୂତନ ଶୁଭାରମ୍ଭ କରୁ । ଘରେ ନୂତନ ରଙ୍ଗ- ରୋଗନ କରୁ, ନୂତନ ବାସନ ଆଣୁ, କିଛି ନା କିଛି ନୂଆ ଯୋଡ଼ିଥାଉ, ନୂତନ ସଂକଳ୍ପ ମଧ୍ୟ ନେଉ । ନୂତନ ଶୁଭାରମ୍ଭ କରିବା ଦ୍ୱାରା ଆମେ ଜୀବନରେ ନୂଆପଣ ଭରି ଦେଉ, ସୁଖ ଏବଂ ସମୃଦ୍ଧି ପାଇଁ ଏକ ନୂତନ ଦ୍ୱାର ଖୋଲିଯାଏ । ଆଜି ମଧ୍ୟ ପ୍ରଦେଶର ସାଢ଼େ 4 ଲକ୍ଷ ଗରିବ ଭଉଣୀ ଏବଂ ଭାଇଙ୍କ ପାଇଁ ନୂତନ ଜୀବନର ଶୁଭାରମ୍ଭ ହେଉଛି। ଆଜି ଏହି ସମସ୍ତ ସାଥୀ ନିଜର ନୂତନ ଏବଂ ପକ୍କା ଘରେ ଗୃହପ୍ରବେଶ କରୁଛନ୍ତି। ଗୋଟିଏ ସମୟ ଥିଲା, ଯେତେବେଳେ ଧନତେରସରେ କେବଳ ସେହି ଲୋକମାନେ ଗାଡ଼ି ଏବଂ ଘର ଭଳି ବଡ଼ ଏବଂ ଦାମୀ ସମ୍ପତି କିଣି ପାରୁଥିଲେ ଯାହାଙ୍କ ପାଖରେ ସଂସାଧନ ରହିଥିଲା, ପଇସା ଥିଲା, ସେହିମାନଙ୍କ ପାଇଁ ଧନତେରସ ହେଉଥିଲା । କିନ୍ତୁ ଆଜି ଦେଖନ୍ତୁ, ଦେଶର ଗରିବ ମଧ୍ୟ ଧନତେରସରେ ଗୃହପ୍ରବେଶ କରୁଛି । ମୁଁ ମଧ୍ୟପ୍ରଦେଶର ସେହି ଲକ୍ଷ- ଲକ୍ଷ ଭଉଣୀଙ୍କୁ ଆଜି ବିଶେଷ ଭାବେ ଶୁଭେଚ୍ଛା ଜଣାଇବି, ଯେଉଁମାନେ ଆଜି ନିଜ ଘରର ମାଲିକାଣୀ ହୋଇଛନ୍ତି, ଆଉ ଲକ୍ଷ- ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଘର ଆପଣମାନଙ୍କୁ ଲକ୍ଷପତି କରି ଦେଇଛି।

ଭାଇ ଓ ଭଉଣୀମାନେ,

ମୁଁ ଟେକ୍ନୋଲୋଜି ମାଧ୍ୟମରେ ସାମ୍ନାରେ ବସିଥିବା ଅସୀମ ଆକାଂକ୍ଷାରେ ଭରା ଅଗଣିତ ଲୋକମାନଙ୍କୁ ଦେଖିପାରୁଛି । ପୂର୍ବରୁ ଏହି ଆକାଂକ୍ଷାଗୁଡ଼ିକ, ଏହି ସ୍ୱପ୍ନ ସାମ୍ନାକୁ ହିଁ ଆସୁ ନଥିଲା କାରଣ ବିନା ଘରରେ ଏହି ସମ୍ଭାବନା ଦବି ଯାଉଥିଲା, ଲୁଚି ରହୁଥିଲା, ଝାଉଁଳି ପଡ଼ୁଥିଲା । ମୋର ବିଶ୍ୱାସ ଯେ ଏବେ ଯେତେବେଳେ ଏହି ସାଥୀମାନଙ୍କୁ, ଏହି ନୂଆ ଘର ମିଳି ଯାଇଛି, ତେବେ ନିଜ ସ୍ୱପ୍ନକୁ ସତ୍ୟ କରିବା ପାଇଁ ନୂଆ ଶକ୍ତି ମଧ୍ୟ ମିଳିଛି । ଏଥିପାଇଁ ଆଜିର ଦିନ ଏମାନଙ୍କ ପାଇଁ ଗୃହପ୍ରବେଶ ନୁହେଁ ବରଂ ହେଉଛି ଘରେ ଖୁସି, ଘରେ ନୂଆ ସଂକଳ୍ପ, ନୂତନ ସ୍ୱପ୍ନ, ନୂତନ ଉତ୍ସାହ, ନୂତନ ଭାଗ୍ୟରେ ପ୍ରବେଶ କରିବା ମଧ୍ୟ । ଏହା ହେଉଛି ଆମର ସରକାରଙ୍କର ସୌଭାଗ୍ୟ ଯେ ବିଗତ 8 ବର୍ଷରେ ସେମାନେ ପିଏମ ଆବାସ ଯୋଜନା ଅଧୀନରେ ସାଢ଼େ ତିନି କୋଟି ଗରିବଙ୍କ ଜୀବନରେ ସବୁଠାରୁ ବଡ଼ ସ୍ୱପ୍ନ ପୂରଣ କରି ପାରିଛନ୍ତି । ଆଉ ଏପରି ନୁହେଁ ଯେ ଆମେ ଏମିତି ହିଁ ଘର ତିଆରି କରି ଦେଇ ଦେଇଛୁ, ଚାରି କାନ୍ଥ ଠିଆ କରି ଦେଇ ଦେଇଛୁ । ଆମ ସରକାର ହେଉଛନ୍ତି ଗରିବଙ୍କୁ ସମର୍ପିତ, ଗରିବମାନଙ୍କ ପାଇଁ, ଏଥିପାଇଁ ଗରିବ ମାନଙ୍କର ଇଚ୍ଛା, ସେମାନଙ୍କର ମନ, ସେମାନଙ୍କର ଆବଶ୍ୟକତାକୁ ସବୁଠାରୁ ଅଧିକ ବୁଝି ପାରୁଛନ୍ତି । ଆମ ସରକାର ଯେଉଁ ଘର ଦେଉଛନ୍ତି ନା, ସେଥିରେ ଅନ୍ୟାନ୍ୟ ସୁବିଧା ମଧ୍ୟ ତା’ସହିତ ରହିଛି। ଶୌଚାଳୟ ହେଉ, ବିଜୁଳି ହେଉ, ପାଣି ହେଉ, ଗ୍ୟାସ ହେଉ, ସରକାରଙ୍କର ଭିନ୍ନ ଭିନ୍ନ ଯୋଜନାମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏହି କୋଟି-କୋଟି ଘରକୁ ସମ୍ପୂର୍ଣ୍ଣ କରିଥାଏ ।

ସାଥୀଗଣ,

ଆପଣମାନଙ୍କ ସହିତ କଥା ହେବା ସମୟରେ ମୋତେ ପୂର୍ବର ସ୍ଥିତି ମଧ୍ୟ ମନେ ପଡ଼ୁଛି, ପୂର୍ବରୁ ଯଦି ଘର ଗରିବମାନଙ୍କ ପାଇଁ ଘୋଷଣା ମଧ୍ୟ ହେଉଥିଲା, ତେବେ ତାଙ୍କୁ ଅଲଗା କରି ଶୌଚାଳୟ ନିର୍ମାଣ କରିବାକୁ ପଡ଼ୁଥିଲା । ବିଜୁଳି, ପାଣି ଏବଂ ଗ୍ୟାସ ସଂଯୋଗ ପାଇଁ ଭିନ୍ନ- ଭିନ୍ନ ସରକାରୀ ଅଫିସକୁ ଅନେକ ଥର ଦୌଡ଼ିବାକୁ ପଡ଼ୁଥିଲା । ପୂର୍ବ ସରକାରଙ୍କ ସମୟରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପୂରଣ କରିବା ପାଇଁ ଗରିବମାନଙ୍କୁ ଅନେକ ଅଫିସରେ ମଧ୍ୟ ଲାଞ୍ଚ ଦେବାକୁ ପଡ଼ୁଥିଲା । କେବଳ ଏତିକି ହିଁ ନୁହେଁ, ପୂର୍ବରୁ ଗରିବଙ୍କ ନାମରେ ଘର ଘୋଷଣା ହୋଇ ଯାଉଥିଲା, ପୁଣି ସରକାର କହୁଥିଲେ କି ଏହିଭଳି ଘର ତିଆରି ହେବ, ସେହି ହୁକୁମ କରୁଥିଲେ। ସେହି ନକ୍ସା ଦେଇ ଦେଉଥିଲେ, ସେଠାରୁ ଜିନିଷ ଆଣିବାର ଅଛି, ଏହି ଜିନିଷ ଆଣିବାର ଅଛି। ଯେଉଁମାନଙ୍କୁ ଘରେ ରହିବାର ଅଛି, ଆରେ ସେମାନଙ୍କର ତ କୌଣସି ପସନ୍ଦ ଥାଏ, ନାପସନ୍ଦ ଥାଏ, ସେମାନଙ୍କର ନିଜସ୍ୱ ସାମାଜିକ ପରମ୍ପରା ରହିଥାଏ, ସେମାନଙ୍କର ନିଜସ୍ୱ ଏକ ଚାଲି ଚଳଣୀ ଥାଏ । ସେ ବିଷୟରେ କୌଣସି ପଚରା ଉଚୁରା ହିଁ ହେଉ ନ ଥିଲା। ଏହି କାରଣ ଥିଲା ଯେ ପୂର୍ବରୁ ଯେଉଁ ଅଳ୍ପ ବହୁତ ଘର ତିଆରି ହେଉଥିଲା, ସେଥିରେ ବହୁତ ଲୋକମାନଙ୍କ ମଧ୍ୟରୁ ଅନେକ ଗୃହପ୍ରବେଶ କରି ପାରୁ ନ ଥିଲେ। କିନ୍ତୁ ଆମେ ଏହି ସ୍ୱାଧୀନ ଘରର ମାଲିକାଣୀଙ୍କୁ, ଘରର ମାଲିକଙ୍କୁ ଦେଇଦେଲୁ । ଏଥିପାଇଁ ଆଜି ପିଏମ୍ ଆବାସ ଯୋଜନା ବହୁତ ବଡ଼ ସାମାଜିକ- ଆର୍ଥିକ ପରିବର୍ତ୍ତନର ମାଧ୍ୟମ ପାଲଟିଛି ।

ଭାଇ ଓ ଭଉଣୀମାନେ,

ଅନେକ ସମୟରେ ଦେଖିଥାଉ ଯେ ଗୋଟିଏ ପିଢ଼ୀ ନିଜେ ଅର୍ଜନ କରିଥିବା ସମ୍ପତ୍ତିକୁ ପରବର୍ତ୍ତୀ ପିଢ଼ୀକୁ ସମର୍ପିତ କରିଥାଏ । ଆମର ଏଠାରେ ପୂର୍ବ ସରକାରଙ୍କ ଭୁଲ ନୀତି ଯୋଗୁଁ ଲୋକମାନଙ୍କୁ ବାଧ୍ୟ ହୋଇ ଗୃହଶୂନ୍ୟ ହୋଇ ପରବର୍ତ୍ତୀ ପିଢ଼ୀକୁ ଦେବାକୁ ପଡ଼ୁଥିଲା। ଆଉ ଯେଉଁ ସନ୍ତାନ ପିଢୀ ପରେ ପିଢୀ ଏହି କୁଚକ୍ରକୁ  ଭାଙ୍ଗୁଥିଲେ, ତାଙ୍କର ବହୁତ ଗୁଣଗାନ ହେଉଥିଲା, ଗୌରବଗାନ ହେଉଥିଲା । ମୋର ସୌଭାଗ୍ୟ ଯେ ଦେଶର ସେବକ ଭାବେ, ଦେଶର କୋଟି କୋଟି  ମାଆ ମାନଙ୍କର ସନ୍ତାନ ଭାବେ ମୋତେ ନିଜର କୋଟି କୋଟି ଗରିବ ପରିବାରକୁ  ଏହି କୁଚକ୍ରରୁ ବାହାରକୁ ବାହାର କରିବାର ସୁଯୋଗ ମିଳିଛି । ଆମ ସରକାର ପ୍ରତ୍ୟେକ ଗରିବଙ୍କୁ ନିଜର ପକ୍କା ଛାତ ଦେବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଆଜି ଏତେ ବଡ଼ ସଂଖ୍ୟାରେ ଏହି ଘର ତିଆରି ହେଉଛି। ମଧ୍ୟ ପ୍ରଦେଶରେ ମଧ୍ୟ ପିଏମ୍ ଆବାସ ଯୋଜନା ଅଧିନରେ ପ୍ରାୟ 30 ଲକ୍ଷ ଘର ନିର୍ମାଣ ହୋଇ ସାରିଛି। ଏବେ 9-10 ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

ସାଥୀଗଣ,

ଲକ୍ଷ ଲକ୍ଷ ନିର୍ମାଣାଧିନ ଏହି ଘର, ଦେଶର କୋଣ- ଅନୁକୋଣରେ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରୁଛି । ଆଜି ସକାଳେ ଯେତେବେଳେ ମୁଁ ରୋଜଗାର ମେଳା କାର୍ଯ୍ୟକ୍ରମରେ ଥିଲି। ତେବେଳେ ମୁଁ ବିଶେଷ ଭାବେ କହିଥିଲି ଯେ, ମୋତେ ସନ୍ଧ୍ୟାରେ ଏକ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଯିବାର ଅଛି, ଆଉ ତା ସହିତ ମଧ୍ୟ ରୋଜଗାର କିପରି ଜଡିତ ମୁଁ ସମ୍ପୂର୍ଣ୍ଣ ଭାବେ କହିବାକୁ ଯାଉଛି।

ସାଥୀଗଣ,

ଆପଣମାନେ ମଧ୍ୟ ଜାଣିଛନ୍ତି, ଯେତେବେଳେ ଘର ତିଆରି ହୋଇଥାଏ ସେତେବେଳେ ନିର୍ମାଣ ସହିତ ଜଡିତ କଞ୍ଚାମାଲ, ଯେପରି,  ଇଟା, ସିମେଣ୍ଟ, ବାଲି, ବଜୁରୀ, ଷ୍ଟିଲ, ରଙ୍ଗ- ରୋଗନ, ବିଜୁଳି ସାମଗ୍ରୀ, ଶୌଚାଳୟ ସିଟ, ନଳ- ପାଇପ, ଏହି ସମସ୍ତ ଜିନିଷର ଚାହିଦା ବୃଦ୍ଧି ପାଇଥାଏ। ଯେତେବେଳେ ଏହି ଚାହିଦା ବୃଦ୍ଧି ପାଇଥାଏ ସେତେବେଳେ ଏହି ସବୁ ସାମଗ୍ରୀକୁ ନିର୍ମାଣ କରୁଥିବା କମ୍ପାନୀମାନ ଅଧିକ ଲୋକଙ୍କୁ ରଖିଥାନ୍ତି, ଅଧିକ ପରିବହନକାରୀଙ୍କ ଆବଶ୍ୟକତା ପଡିଥାଏ, ସେମାନଙ୍କୁ ମଧ୍ୟ କାମରେ ଲଗାଇଥାଏ । ଯେଉଁଠାରେ ଜିନିଷ ବିକ୍ରି ହୋଇଥାଏ ସେଠରେ ମଧ୍ୟ ଲୋକଙ୍କୁ ରୋଜଗାର ମିଳିଥାଏ । ଆଉ ସତନାଠାରୁ ଅଧିକ ଭଲ ଭାବେ କିଏ ଏହାକୁ ବୁଝି ପାରିବ । ସତନା ତ ଚୂନ ପଥର ପାଇଁ, ସିମେଣ୍ଟ ପାଇଁ ମଧ୍ୟ ଜଣାଶୁଣା । ଘର ତିଆରି ହୋଇଥାଏ ତେବେ ସତନାର ସିମେଣ୍ଟର ଚାହିଦା ମଧ୍ୟ ବଢି ଯାଇ ଥାଏ । ଘର ନିର୍ମାଣ କାର୍ଯ୍ୟ ସହିତ ଜଡିତ ଶ୍ରମିକ, ମିସ୍ତ୍ରୀ, ବଢେଇ, ପାଇପ ମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, କାଠକାମ କଲା ବାଲା ସେମାନଙ୍କୁ ମଧ୍ୟ ବହୁତ କାମ ମିଳିଥାଏ । ମୋତେ ଅବଗତ କରାଯାଇଛି ଯେ ମଧ୍ୟ ପ୍ରଦେଶରେ ହିଁ 50 ହଜାରରୁ ଅଧିକ ରାଜମିସ୍ତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ 9-10 ହଜାର ଆମର ମାଆ- ଭଉଣୀ ମାନଙ୍କୁ ମଧ୍ୟ, ସେମାନଙ୍କୁ ରାଜମିସ୍ତ୍ରୀ କହନ୍ତି, ତେଣୁ ଲୋକେ ଏମାନଙ୍କୁ ରାଣୀମିସ୍ତ୍ରୀ ମଧ୍ୟ କହନ୍ତି । ଅର୍ଥାତ ଆମର ଭଉଣୀମାନଙ୍କୁ ନୂତନ କଳା, ରୋଜଗାରର ନୂତନ ସୁଯୋଗ ସହିତ ଯୋଡିବାର କେତେ ବଡ଼ କାର୍ଯ୍ୟ ପିଏମ୍ ଆବାସ ଯୋଜନା ମାଧ୍ୟମରେ ହେଉଛି । ନଚେନ ପୂର୍ବରୁ ତ ନିର୍ମାଣ କ୍ଷେତ୍ରରେ ଭଉଣୀମାନଙ୍କୁ କେବଳ ଅଣ ଦକ୍ଷତା ସଂମ୍ପୂର୍ଣ୍ଣ ଶ୍ରମିକ ଅର୍ଥାତ ଅଣକୁଶଳୀ ଶ୍ରମିକ ଭାବେ ଗଣା ଯାଉଥିଲା । ମଧ୍ୟ ପ୍ରଦେଶରେ ହିଁ ଏ ପର୍ଯ୍ୟନ୍ତ 22 ହଜାର କୋଟି ଟଙ୍କା ଏହି ଗୃହ ନିର୍ମାଣରେ ଖର୍ଚ୍ଚ ହେଇଛି । ଏବେ ଆପଣ ମଧ୍ୟ ଏହା ଚିନ୍ତା କରି ପାରିବେ ଯେ ଏହି 22 ହଜାର କୋଟି ଟଙ୍କା କୁଆଡେ ଗଲା ? ଘର ତିଆରି ହେଲା କିନ୍ତୁ ଯେଉଁ ଅର୍ଥରେ ଘର ତିଆରି ହେଲା ତାହା ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ କାମରେ ଗଲା, ଲୋକଙ୍କ ଘରକୁ ଗଲା, ଲୋକଙ୍କ ଦୋକାନକୁ ଗଲା, ଦୋକାନ ଚଳାଉଥିବା ଲୋକକୁ ମିଳିଲା, କାରଖାନା ଚଳାଉଥିବା ଲୋକକୁ ମିଳିଲା ଫଳରେ ଲୋକଙ୍କ ଆୟ ବୃଦ୍ଧି ହେଲା । ଅର୍ଥାତ କହିବାର ତାତ୍ପର୍ଯ୍ୟ ଏହା ଯେ ଏହି ଘର ସମସ୍ତଙ୍କ ପାଇଁ ଉନ୍ନତି ଓ ପ୍ରଗତି ନେଇକରି ଆସିଛି ଯେଉଁମାନଙ୍କୁ ଘର ମିଳୁଛି, ସେମାନଙ୍କର ମଧ୍ୟ ଉନ୍ନତି ହୋଇଛି ଆଉ ଯେଉଁ ଗାଁରେ ଘର ତିଆରି ହୋଇଛି, ସେହି ଗ୍ରାମବାସୀଙ୍କର ମଧ୍ୟ ଉନ୍ନତି ହୋଇଛି।

ଭାଇ ଓ ଭଉଣୀମାନେ,

ପୂର୍ବର ସରକାରମାନେ ଆଉ ଆମ ସରକାର ମଧ୍ୟରେ ଏକ ବହୁତ ବଡ଼ ପାର୍ଥକ୍ୟ ରହିଛି । ପୂର୍ବ ସରକାରମାନେ ଗରିବମାନଙ୍କୁ କଷ୍ଟ ଦେଉଥିଲେ, ସେମାନଙ୍କୁ ନିଜ ଅଫିସକୁ ଦୌଡ଼ାଇବାରେ ଲାଗି ପଡ଼ିଥିଲେ । ଆମ ସରକାର ଗରିବଙ୍କ ପାଖରେ ସ୍ୱୟଂ ପହଞ୍ଚୁଛି, ପ୍ରତ୍ୟେକ ଯୋଜନାର ଲାଭ ଗରିବଙ୍କୁ ମିଳୁ, ଏଥିପାଇଁ ଅଭିଯାନ ଚଳାଉଛି । ଆଜି ଆମେ ପରିପୂର୍ଣ୍ଣତା କଥା କହୁଛୁ, ଅର୍ଥାତ ଜନ କଲ୍ୟାଣର ପ୍ରତ୍ୟେକ ଯୋଜନାର ଲାଭ ଶତ ପ୍ରତିଶତ ହିତାଧିକାରୀଙ୍କ ପାଖରେ କିପରି ପହଂଚିବ ? କୌଣସି ଭାଇ- ପୁତୁରା ବାଦ ନାହିଁ, କୌଣସି ତୋର- ମୋର ଭାବ ନାହିଁ, ଏମାନଙ୍କୁ ଦେବା, ସେମାନଙ୍କୁ ନ ଦେବା, ଏଭଳି କିଛି ନାହିଁ । ଯେଉଁମାନଙ୍କର ଅଧିକାର ରହିଛି ସମସ୍ତଙ୍କୁ ଦେବାର ଅଛି । ସମସ୍ତଙ୍କୁ ଦ୍ରୁତ ଗତିରେ ପକ୍କା ଘର ମିଳୁ। ଗ୍ୟାସ ସଂଯୋଗ ହେଉ, ବିଜୁଳି ସଂଯୋଗ ହେଉ, ପାଣି ସଂଯୋଗ ହେଉ, ଆୟୂଷ୍ମାନ ଭାରତ ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ହେଉ, ଏହା ସମସ୍ତଙ୍କୁ ଦ୍ରୁତ ଗତିରେ ମିଳୁ । ଭଲ ସଡ଼କ, ଭଲ ସ୍କୁଲ- କଲେଜ ଏବଂ ଭଲ ହସ୍ପାତାଳ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ପାରନ୍ତୁ । ଗାଁ- ଗାଁରେ ଅପ୍ଟିକାଲ ଫାଇବର ଦ୍ରୁତ ଗତିରେ ପହଞ୍ଚୁ । ଆମେ ଏଥିପାଇଁ ଦିନ-ରାତି ପରିଶ୍ରମ କରୁଛୁ । ଶେଷରେ ଆମକୁ ଏତେ ଶୀଘ୍ରତା କାହିଁକି, ଏତେ ଅଧୀରତା ଏଥିପାଇଁ କାରଣ କ’ଣ ? ଏହା ପଛରେ ଅତୀତର ଏକ ବହୁତ ବଡ଼ ଶିକ୍ଷା ରହିଛି । ଏପରି ପ୍ରତ୍ୟେକ ମୌଳିକ ସୁବିଧାଗୁଡ଼ିକ ବିଗତ ଅନେକ ଦଶକ ପର୍ଯ୍ୟନ୍ତ ଲଟକାଇ ରଖାଗଲା । ଦେଶର ଏକ ବହୁତ ବଡ଼ ଜନସଂଖ୍ୟା ଏହି ମୌଳିକ ସୁବିଧାଗୁଡ଼ିକ ପାଇଁ ସେମାନେ ସଂଘର୍ଷ କରୁଥିଲେ । ସେମାନଙ୍କ ପାଖରେ  ଅନ୍ୟ ସମସ୍ତ ଜିନିଷ ବିଷୟରେ ଭାବିବାକୁ ସମୟ ନ ଥିଲା । ଏଥିପାଇଁ ଗରିବୀ ହଟାଇବାର ପ୍ରତ୍ୟେକ ପ୍ରତିଶୃତି, ପ୍ରତ୍ୟେକ ପ୍ରତିଶୃତି, ତାହା କେବଳ ରାଜନୀତିର ପ୍ରତିଶୃତି ହୋଇ ରହିଥିଲା। ତାହା କୌଣସି କାର୍ଯ୍ୟରେ ଆସିଲା ନାହିଁ। ସେନାପତି ଯେତେ ଉତ୍ସାହରେ ଭରି ରହିଥିଲେ ମଧ୍ୟ କିନ୍ତୁ, ଯଦି ସୈନିକଙ୍କ ପାଖରେ ଲଢ଼େଇ କରିବାର ମୌଳିକ ସୁବିଧା ହିଁ ନ ଥିବ, ତେବେ ଯୁଦ୍ଧ ଜିତିବା ଅସମ୍ଭବ ହୋଇଥାଏ । ଏଥିପାଇଁ ଆମେ ଦାରିଦ୍ର୍ୟକୁ ପରାସ୍ତ କରିବା ଲାଗି, ଦାରିଦ୍ର୍ୟରୁ ବାହାରିବା ପାଇଁ ଆମେ ସେହି ମୌଳିକ ସୁବିଧା ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦ୍ରୁତ ଗତିରେ ଯୋଡ଼ିବା ପାଇଁ ନିଶ୍ଚିତ କରିଛୁ। ଏବେ ସୁବିଧା ଗୁଡ଼ିକ ସହିତ ଯୋଡ଼ି ହୋଇ ଗରିବ ଦ୍ରୁତ ଗତିରେ ନିଜର ଦାରିଦ୍ର୍ୟ କମ୍ କରିବା ପାଇଁ ପ୍ରୟାସ କରୁଛି। ଆଉ ମୁଁ ଆପଣମାନଙ୍କୁ କହିବି ଏ ଯେଉଁ ଘର ଆପଣମାନଙ୍କୁ ଦିଆଯାଇଛି ନା। ତାହା କେବଳ ରହିବା, ଖାଇବା, ପିଇବା, ଶୋଇବାର ସ୍ଥାନ ଏପରି ନୁହେଁ । ମୁଁ ତ କହିବି ଏହି ଆପଣଙ୍କର ଘର ଏପରି ଏକ ଦୁର୍ଗ, ଏପରି ଏକ ଦୁର୍ଗ ଯେଉଁଠାରେ ଦାରିଦ୍ର୍ୟକୁ ପ୍ରବେଶ କରିବାକୁ ଦେବେ ନାହିଁ, ଯାହା ବାକି କିଛି, ଦାରିଦ୍ର୍ୟ ଅଛି, ତାହାକୁ ମଧ୍ୟ ବାହାର କରିଦେବ ଏଭଳି ଦୁର୍ଗ ହେଉଛି ଆପଣମାନଙ୍କର ଘର।

ଭାଇ ଓ ଭଉଣୀମାନେ,

ବିଗତ ଅନେକ ମାସ ଧରି କେନ୍ଦ୍ର ସରକାର 80 କୋଟିରୁ ଅଧିକ ଦେଶବାସୀଙ୍କୁ ଏଇଥିପାଇଁ ମାଗଣା ରାସନ ଦେଉଛନ୍ତି, ଫଳରେ ବୈଶ୍ୱିକ ମହାମାରୀ ସମୟରେ ତାଙ୍କୁ ଭୋକିଲା ରହିବା ଭଳି ପରିସ୍ଥିତର ସାମ୍ନା କରିବାକୁ ନ ପଡୁ । ଏଥିପାଇଁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ସାରିଛନ୍ତି । ଆଉ ମୁଁ ଆପଣମାନଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି । ଯେତେବେଳେ ଟିକସଦାତା ମାନଙ୍କୁ ଲାଗୁଛି ଯେ, ଯେଉଁମାନେ ଦେଶର ରାଜକୋଷ ପୂରଣ କରୁଛନ୍ତି, କର ଦେଉଛନ୍ତି, ସେତେବେଳେ ସେମାନଙ୍କୁ ଲାଗୁଛି ଯେ ତାଙ୍କର ଅର୍ଥ ସଠିକ୍ ଜାଗାରେ ଖର୍ଚ୍ଚ ହେଉଛି, ସେତେବେଳେ ଟିକସଦାତାମାନେ ମଧ୍ୟ ଖୁସି ହୋଇଥାନ୍ତି, ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଅଧିକ ଟିକସ ଦେଇ ଚାଲିଥାନ୍ତି । ଆଜି ଦେଶର କୋଟି କୋଟି ଟିକସ ଦାତାଙ୍କୁ ଏହି ସନ୍ତୋଷ ମିଳୁଛି ଯେ, କରୋନା ସମୟରେ କୋଟି କୋଟି ଲୋକଙ୍କ ପେଟ ଭରିବାରେ ସହାୟତା କରି ସେମାନେ କେତେ ବଡ଼ ସେବାର କାର୍ଯ୍ୟ କରୁଛନ୍ତି । ଆଜି ଯେତେବେଳେ ମୁଁ ଚାରି ଲକ୍ଷ ଘର ଦେଉଛି ନା ତେବେ ପ୍ରତ୍ୟେକ ଟିକସ ପ୍ରଦାନକାରୀ ଚିନ୍ତା କରୁଥିବେ ଯେ ଚାଲନ୍ତୁ ମୁଁ ତ ଦୀପାବଳୀ ପାଳନ କରୁଛି କିନ୍ତୁ ମଧ୍ୟ ପ୍ରଦେଶର ମୋର କେହି ଗରିବ ଭାଇ ମଧ୍ୟ ଭଲ ଭାବେ ଦୀପାବଳୀ ପାଳନ କରୁଛି, ତାଙ୍କୁ ପକ୍କା ଘର ମିଳୁଛି । ତାଙ୍କ ଝିଅର ଜୀବନ ସୁଖମୟ ହୋଇଯିବ ।

କିନ୍ତୁ ସାଥୀଗଣ,

ସେହି ଟିକସ ପ୍ରଦାନକାରୀ ଯେତେବେଳେ ଏହା ଦେଖନ୍ତି ଯେ ତାଙ୍କଠାରୁ ଆଦାୟ କରିଥିବା ପଇସାରେ ମାଗଣା ରେୱଡ଼ି ବଣ୍ଟା ଯାଉଛି, ସେତେବେଳେ ଟିକସ ପ୍ରଦାନକାରୀ ସବୁଠାରୁ ଅଧିକ ଦୁଃଖୀ ହୋଇଥାଏ। ଆଜି ଏଭଳି ଅନେକ ଟିକସ ପ୍ରଦାନକାରୀ ଖୋଲା ଭାବେ ମୋତେ ଚିଠି ଲେଖୁଛନ୍ତି । ମୁଁ ଖୁସି ଯେ ଦେଶର ଏକ ବହୁତ ବଡ଼ ବର୍ଗର ଲୋକ, ଦେଶର ରେୱଡ଼ି କଲଚରରୁ ମୁକ୍ତି ପାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ସାଥୀଗଣ,

ଆମ ସରକାରଙ୍କର ଲକ୍ଷ୍ୟ, ନାଗରିକମାନଙ୍କର ଆକାଂକ୍ଷା ଗୁଡ଼ିକୁ ପୂରଣ କରିବା ସହିତ ହିଁ, ଏହି କଥାର ମଧ୍ୟ ରହିଛି ଯେ ଗରିବଙ୍କ, ମଧ୍ୟମବର୍ଗଙ୍କର ଅର୍ଥ ବଞ୍ଚୁ । ଆୟୂଷ୍ମାନ ଭାରତ ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ 4 କୋଟି ଗରିବ ରୋଗୀ ମାଗଣା ଚିକିତ୍ସା କରାଇ ସାରିଛନ୍ତି । ଏହା ଦ୍ୱାରା ଏହି ସବୁ ପରିବାରମାନଙ୍କର ହଜାର- ହଜାର କୋଟି- କୋଟି ଟଙ୍କା ସଞ୍ଚୟ ହୋଇଛି, ଯେଉଁ ଖର୍ଚ୍ଚକୁ ସରକାର ବହନ କରିଛନ୍ତି । ସରକାର କରୋନା କାଳରେ ମାଗଣା ଟିକାକରଣ ଯୋଗୁଁ ହଜାର- ହଜାର କୋଟି- କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଫଳରେ ଗରିବଙ୍କୁ, ମଧ୍ୟମବର୍ଗଙ୍କୁ ହଠାତ୍ ଆସିଥିବା ଏହି ଗମ୍ଭୀର ରୋଗର ବିପତ୍ତି କାରଣରୁ ପକେଟରୁ ଖର୍ଚ୍ଚ କରିବାକୁ ନ ପଡ଼ୁ, ଋଣ କରିବାକୁ ନ ପଡ଼ୁ । ପ୍ରଥମେ କରୋନା ଆସିଲା, ପୁଣି ବିଶ୍ୱରେ ଲଢ଼େଇ ଆସିଗଲା, ଏହା ଫଳରେ ବିଶ୍ୱରୁ ଆଜି ଆମକୁ ମହଙ୍ଗାରେ ସାର କିଣିବାକୁ ପଡ଼ୁଛି । ୟୁରିଆ, ଯାହାର ଏକ ବ୍ୟାଗର ଦାମ ଆଜି ଦୁଇ ହଜାର ଟଙ୍କାରୁ ଅଧିକ ରହିଛି, ତାହାକୁ ଆମେ କୃଷକମାନଙ୍କୁ କେବଳ 266 ଟଙ୍କାରେ ଉପଲବ୍ଧ କରାଉଛୁ । 2000 ଟଙ୍କାର ବ୍ୟାଗ 300 ଟଙ୍କାରୁ ମଧ୍ୟ କମ୍ ଦାମରେ ଦେଇ ଦେଉଛୁ । କୃଷକମାନଙ୍କ ଉପରେ ଆର୍ଥିକ ବୋଝ ନ ପଡ଼ୁ, ଏଥିପାଇଁ ଏବର୍ଷ ସରକାର 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ଏଥିପାଇଁ କରୁଛନ୍ତି । କେନ୍ଦ୍ର ସରକାରଙ୍କର ପିଏମ୍ କିଷାନ ସମ୍ମାନ ନିଧି ମଧ୍ୟ କୃଷକମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହେଉଛି । ଆପଣମାନେ ଦେଖିଥିବେ, କିଛି ଦିନ ପୂର୍ବେ ହିଁ 16 ହଜାର କୋଟି ଟଙ୍କାର ଯେଉଁ କିସ୍ତି ପଠାଯାଇଥିଲା, ତାହା ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ତୁରନ୍ତ ପହଞ୍ଚିଗଲା। ଏବେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଖାତାରେ ଆମ ସରକାର ଜମା କରାଇଛନ୍ତି । ଆଉ ଏହି ସାହାଯ୍ୟ ସେତେବେଳେ ପହଞ୍ଚିଛି, ଯେତେବେଳେ ହେଉଛି ବୁଣାବୁଣିର ସମୟ, ଯେତେବେଳେ ସାର ପାଇଁ, ଔଷଧ ପାଇଁ କୃଷକମାନଙ୍କୁ ଅର୍ଥ ଦରକାର ପଡ଼ିଥାଏ । ଏବେ କୃଷକ ଫସଲ ବିକ୍ରି କରୁଛନ୍ତି ସେତେବେଳେ ଅର୍ଥ ମଧ୍ୟ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ଆସି ଯାଉଛି । ମନରେଗାର ମଜୂରୀ ମଧ୍ୟ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ଆସି ଜମା ହୋଇଯାଉଛି । ଏପରିକି ଆମର ଗର୍ଭବତୀ ମାତାମାନଙ୍କୁ ଯେତେବେଳେ ଭଲ ଖାଦ୍ୟର ସବୁଠାରୁ ଅଧିକ ଆବଶ୍ୟକତା ହୋଇଥାଏ, ସେତେବେଳେ ମାତୃବନ୍ଦନା ଯୋଜନାର ହଜାର- ହଜାର ଟଙ୍କା ସିଧାସଳଖ ସେମାନଙ୍କ ପାଖରେ ପହଞ୍ଚୁଛି।

ଭାଇ ଓ ଭଉଣୀମାନେ,

ଏହି ସବୁକିଛି ଯଦି ସରକାର ଆଜି କରି ପାରୁଛନ୍ତି ତେବେ ତା’ପଛରେ ସବୁଠାରୁ ବଡ଼ କାରଣ ହେଉଛି ସେବାଭାବ, ଆପଣ ସମସ୍ତଙ୍କ ପ୍ରତି ସମର୍ପଣ ଆଉ କେହି କେବେ ହେଲେ ମଧ୍ୟ ଆମର ସମାଲୋଚନା କରନ୍ତୁ ଆମେ ଗରିବଙ୍କର ମଙ୍ଗଳ କରିବା ପାଇଁ ରହିଥିବା ଆମର ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା, ଆପଣମାନଙ୍କର ଆଶୀର୍ବାଦ ଦ୍ୱାରା, ସମର୍ପଣ ଭାବ ଦ୍ୱାରା ଆଗକୁ ବଢ଼ୁଛୁ। ଏଥିପାଇଁ ଆଜି ଏତେ ମାତ୍ରାରେ ଟେକ୍ନୋଲୋଜିର ଉପଯୋଗ କରାଯାଉଛି । ଯେଉଁ ମଧ୍ୟ ଟେକ୍ନୋଲୋଜି ଆମର ବୈଜ୍ଞାନିକ, ଆମର ଯୁବକ ଖୋଜି ବାହାର କରୁଛନ୍ତି, ସାଧାରଣ ଜନତାଙ୍କର ଜୀବନକୁ ସହଜ ଓ ସରଳ କରିବା ପାଇଁ ତାହାର ଉପଯୋଗ କରାଯାଉଛି । ଆଜି ଦେଖନ୍ତୁ, ଗାଁ- ଗାଁରେ ଡ୍ରୋନ ଦ୍ୱାରା ଘରଗୁଡ଼ିକର ସର୍ଭେ ହେଉଛି । ପୂର୍ବରୁ ଯେଉଁ କାର୍ଯ୍ୟ ପଟୱାରୀ କରୁଥିଲେ, ରାଜସ୍ବ ବିଭାଗର କର୍ମଚାରୀ କରୁଥିଲେ, ଏବେ ସେହି କାର୍ଯ୍ୟ ଟେକ୍ନୋଲୋଜି ଦ୍ୱାରା ଡ୍ରୋନ ଆସି କରି ଦେଉଛି । ଦେଶରେ ପ୍ରଥମ ଥର ପାଇଁ ସ୍ୱାମିତ୍ୱ ଯୋଜନା ଦ୍ୱାରା ଗାଁର ଘରଗୁଡ଼ିକର ନକ୍ସା ପ୍ରସ୍ତୁତ କରାଯାଉଛି ଆଉ ଗ୍ରାମୀଣମାନଙ୍କୁ ସ୍ୱାମିତ୍ୱର ପ୍ରମାଣପତ୍ର ଦିଆ ଯାଉଛି । ଯାହା ଫଳରେ ସୀମା ବିବାଦ ନ ହେଉ, ଘର ଉପରେ କେହି ଅବୈଧ ଦଖଲ ନ କରି ପାରନ୍ତୁ ଆଉ ଆବଶ୍ୟକତା ପଡ଼ିଲେ ବ୍ୟାଙ୍କରୁ ମଧ୍ୟ ଋଣ ମିଳି ପାରୁ । ଏହିଭଳି ଭାବେ ଯେତେବେଳେ କୃଷି କ୍ଷେତ୍ରରେ ମଧ୍ୟ ବୃହତ ମାତ୍ରାରେ ଡ୍ରୋନର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି, କୃଷକ ଡ୍ରୋନ ସୁବିଧାର ଲାଭ ଉଠାଇ ପାରିବେ । କିଛି ଦିନ ପୂର୍ବେ ଏକ ବହୁତ ବଡ଼ ପଦକ୍ଷେପ ଆମେ କୃଷକମାନଙ୍କ ପାଇଁ ଉଠାଇଛୁ । ଏବେ ସାରା ଦେଶରେ ଯେଉଁ ଲକ୍ଷ- ଲକ୍ଷ ସାର ଦୋକାନ ରହିଛି, ସେଗୁଡ଼ିକୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଭାବେ ବିକଶିତ କରାଯାଉଛି । ଏବେ କୃଷକମାନଙ୍କୁ ଆବଶ୍ୟକ ରହିଥିବା ପ୍ରତ୍ୟେକ ଜିନିଷ ଗୋଟିଏ ହିଁ ସ୍ଥାନରେ ଏହିସବୁ କିଷାନ କେନ୍ଦ୍ର ଗୁଡ଼ିକରେ ମିଳିବ । ଅନେକ କୃଷି ଉପକରଣ ଏପରିକି ଭବିଷ୍ୟତରେ ଡ୍ରୋନ ମଧ୍ୟ ଏହିସବୁ କିଷାନ କେନ୍ଦ୍ରଗୁଡ଼ିକରେ ଭଡ଼ାରେ ମିଳିବ। ୟୁରିଆକୁ ନେଇ ମଧ୍ୟ ବହୁତ ବଡ଼ ପଦକ୍ଷେପ ଆମେ ଉଠାଇଛୁ । ଏବେ କେଉଁ କମ୍ପାନୀର ୟୁରିଆ ନେବା, କାହାର ନେବା ନାହିଁ, ଏହି ଅସୁବିଧାରୁ କୃଷକମାନଙ୍କୁ ମୁକ୍ତି ମିଳି ଯାଇଛି । ଏବେ ପ୍ରତ୍ୟେକ ସାର ଭାରତ ନାମରେ ହିଁ ମିଳିବ। ଏଥିରେ ମୂଲ୍ୟ ମଧ୍ୟ ସଫା- ପରିସ୍କାର ଭାବେ ଲେଖା ଯାଇଛି । ମୂଲ୍ୟ ଯେତିକି ଲେଖା ଯାଇଛି, କୃଷକମାନଙ୍କୁ ତା’ଠାରୁ ଅଧିକ ଅର୍ଥ ଦେବାର ଆବଶ୍ୟକତା ନାହିଁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏଭଳି ପ୍ରୟାସ ଗୁଡ଼ିକ ଦ୍ୱାରା କୃଷକ ମାନଙ୍କର, ଗରିବ ମାନଙ୍କର ଜୀବନ ସହଜ ଓ ସରଳ ହୋଇ ପାରିବ । ଆମେ ସମସ୍ତେ ବିକଶିତ ଭାରତ ନିର୍ମାଣରେ ଲାଗି ପଡ଼ିବା । ଆଉ ଥରେ ପୁଣି ଆପଣ ସମସ୍ତ ହିତାଧିକାରୀ ମାନଙ୍କୁ ନିଜ ନିଜର ପକ୍କା ଘର ପାଇଁ ଅଭିନନ୍ଦନ ଜଣାଉଛି ଆଉ ମୁଁ କଳ୍ପନା କରି ପାରୁଛି ଯେ ଆପଣମାନଙ୍କୁ କେତେ ଖୁସି ଅନୁଭବ ହେଉଛି । ନିଜର ଘର ତିନି- ତିନି, ଚାରି- ଚାରି ପିଢ଼ୀ ଚାଲି ଯାଇଥିବେ, କେବେ ନିଜ ଘରେ ଦୀପାବଳୀ ପାଳନ କରି ନ ଥିବେ । ଆଜି ଯେତେବେଳେ ଆପଣ ଆପଣଙ୍କ ପିଲାମାନଙ୍କ ସହିତ ନିଜ ଘରେ ଧନତେରସ ଏବଂ ଦୀପାବଳୀ ପାଳନ କରୁଛନ୍ତି, ସେତେବେଳେ ଆପଣଙ୍କ ଜୀବନରେ ଦୀପର କିରଣ ଏକ ନୂତନ ଆଲୋକ ନେଇ ଆସିବ, ମୁଁ ଆପଣମାନଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି । ପରମାତ୍ମାଙ୍କ ଆଶୀର୍ବାଦର ଛତ୍ରଛାୟା ଆପଣମାନଙ୍କ ଉପରେ ରହୁ ଆଉ ଆପଣଙ୍କର ଏହି ନୂତନ ଘର ନୂତନ ପ୍ରଗତିର ଏକ କାରଣ ହୋଇଯାଉ ଏହା ହେଉଛି ମୋର ଶୁଭକାମନା।

ବହୁତ- ବହୁତ ଧନ୍ୟବାଦ।

*****

AH

 



(Release ID: 1870596) Visitor Counter : 128