ଜଳ ଶକ୍ତି ମନ୍ତ୍ରଣାଳୟ

ଭାରତ-ବାଂଲାଦେଶ ମନ୍ତ୍ରୀସ୍ତରୀୟ ଯୁଗ୍ମ ନଦୀ କମିଶନ ବୈଠକ

Posted On: 26 AUG 2022 10:46AM by PIB Bhubaneshwar

ଭାରତ-ବାଂଲାଦେଶ ମନ୍ତ୍ରୀସ୍ତରୀୟ ୩୮ତମ ଯୁଗ୍ମ ନଦୀ କମିଶନ ବୈଠକ ନୂଆଦିଲ୍ଲୀ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପ୍ରତିନିଧି ଦଳ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନେତୃତ୍ୱରେ ଏବଂ ବାଂଲାଦେଶର ପ୍ରତିନିଧିମାନେ ରାଜ୍ୟ ଜଳଶକ୍ତି ମନ୍ତ୍ରୀ ଶ୍ରୀ ଜାହିଦ୍ ଫାରୁକୀଙ୍କ ନେତୃତ୍ୱରେ ବୈଠକରେ ଯୋଗ ଦେଇଥିଲେ । ବାଂଲାଦେଶର ଜଳସମ୍ପଦ ଉପମନ୍ତ୍ରୀ ଏ.କେ.ଏମ.ଏନାମୁଲ ହକ୍ ଶାମିମ୍ ମଧ୍ୟ ତାଙ୍କ ଦେଶର ପ୍ରତିନିଧି ମଣ୍ଡଳୀରେ ରହିଛନ୍ତି । ଯୁଗ୍ମ ନଦୀ କମିଶନର ବୈଷୟିକ ଭାବ ବିନିମୟ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଦୀର୍ଘ ବ୍ୟବଧାନରେ ମନ୍ତ୍ରୀସ୍ତରୀୟ ବୈଠକ ବସିଥିବାରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ଗତ ଅଗଷ୍ଟ ୨୩ ତରିଖ ଦିନ ଜଳସମ୍ପଦ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଆଲୋଚନା ପ୍ରସଙ୍ଗରେ ଉଭୟ ଦେଶର ସ୍ୱାର୍ଥ ଜଡ଼ିତ ଥିବା କେତେକ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେଗୁଡ଼ିକ ମଧ୍ୟରେ କେତେକ ନଦୀରେ ଜଳ ବଣ୍ଟନ, ନଦୀ ଜଳ ଦୂଷିତ ହେଉଥିବା ପ୍ରକ୍ରିୟା, ପଟୁମାଟି ଜମି ଯାଉଥିବା ପ୍ରକ୍ରିୟାର ପରିଚାଳନା, ନଦୀ ବନ୍ଧର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ । ଉଭୟ ପକ୍ଷ କୁଶିୟାରା ନଦୀର ମଧ୍ୟବର୍ତ୍ତୀକାଳୀନ ଜଳ ବଣ୍ଟନ ସମ୍ପର୍କିତ ବୁଝାମଣାପତ୍ର ଚୂଡ଼ାନ୍ତ ରୂପ ଦେଇଥିଲେ । ଉଭୟ ପକ୍ଷ ମଧ୍ୟ ଫେନୀ ନଦୀର ଜଳ ସଂଗ୍ରହ ସ୍ଥାନ ସମ୍ପର୍କିତ ସ୍ଥାନଗୁଡ଼ିକର ଚିହ୍ନଟକୁ ସ୍ୱାଗତ କରିଥିଲେ । ଏହିସବୁ ସ୍ଥାନରୁ ତ୍ରିପୁରାର ସବରୁମ୍ ସହରକୁ ପାନୀୟ ଜଳଯୋଗାଣ ନିମିତ୍ତ ୨ଠ୧୯ ମସିହାରେ ଭାରତ-ବାଂଲାଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । 

ପାରସ୍ପରିକ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି- ଉଭୟ ଦେଶ ବନ୍ୟା ସମ୍ପର୍କିତ ତଥ୍ୟର ଆଦାନ ପ୍ରଦାନ କରିବେ । ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ହେଉଥିବା ବନ୍ୟାର ତଥ୍ୟ ବାଂଲାଦେଶକୁ ଭାରତ ଏଇ ନିକଟରେ ହସ୍ତାନ୍ତର କରିଛି । ଏହା ଫଳରେ ବାଂଲାଦେଶରେ ଅପ୍ରତ୍ୟାଶିତ ଭାବରେ ହେଉଥିବା ବନ୍ୟାର ମୁକାବିଲା କରିହେବ ।

ଭାରତ ଏବଂ ବାଂଳାଦେଶ ସୀମା ଦେଇ ୫୪ଟି ନଦୀ ପ୍ରବାହିତ ହେଉଛି । ଏଥିମଧ୍ୟରୁ ଅଗ୍ରାଧିକାର ଭିତ୍ତିରେ ୭ଟି ନଦୀର ଜଳ ବଣ୍ଟନ ନେଇ ରାଜିନାମା କାର୍ଯ୍ୟ ଅଗ୍ରଗତି କରିଛି । ଚଳିତ ଦ୍ୱିପାକ୍ଷିକ ବୈଠକରେ ଆଉ ୮ଟି ନଦୀର ଜଳ ବଣ୍ଟନ ନେଇ ତଥ୍ୟ ଆଦାନ ପ୍ରଦାନରେ ଉଭୟ ପକ୍ଷ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ବୈଷୟିକସ୍ତରୀୟ ଯୁଗ୍ମ ନଦୀ ଜଳ କମିଶନ ବୈଠକରେ ଏ ସମ୍ପର୍କିତ ଅଧିକ ଆଲୋଚନା ହେବ ।

ଭାରତ ଏବଂ ବାଂଲାଦେଶ ସୀମାରେ ଥିବା ନଦୀ ଜଳ ବଣ୍ଟନ ନେଇ ଉଭୟ ପକ୍ଷର ସ୍ୱାର୍ଥରେ ୧୯୭୨ ମସିହାରେ ଯୁଗ୍ମ ନଦୀ ଜଳ କମିଶନ ଗଠିତ ହୋଇଥିଲା ।

***

SSD/MB



(Release ID: 1854689) Visitor Counter : 211