ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାବରକାଂଠାର ସାବର ଡାଏରୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ହଜାର କୋଟିରୁ ଅଧିକ ଟଙ୍କାର ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ


ପ୍ରକଳ୍ପଗୁଡ଼ିକ ଯୋଗୁଁ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି ହେବା ସହ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧି ହେବ

“ଏଫପିଓଙ୍କ ଜରିଆରେ କ୍ଷୁଦ୍ର ଚାଷୀମାନେ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନୀ ଓ ଯୋଗାଣ ବ୍ୟବସ୍ଥା ସହ ସଂଯୁକ୍ତ ହେଉଛନ୍ତି ”

“ଚାଷୀମାନଙ୍କ ବିକଳ୍ପ ଆୟ ପନ୍ଥା ନିମନ୍ତେ ରଣନୀତି ସଫଳତା ଆଣିଦେଉଛି ”

Posted On: 28 JUL 2022 2:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାବରକାଂଠା ଅନ୍ତର୍ଗତ ଗାଧୋଡ଼ା ଚୌକି ସ୍ଥିତ ସାବର ଡାଏରୀ ଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ପ୍ରଧାନମନ୍ତ୍ରୀ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାର ହିତାଧିକାରୀ ଓ ମହିଳାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସମ୍ମାନିତ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ସାବର ଡାଏରୀର ସମ୍ପ୍ରସାରଣ ଘଟିଛି । ଶହ ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପ ଏଠାରେ ସ୍ଥାପିତ ହୋଇଛି । ଦୁଗ୍ଧ ଗୁଣ୍ଡ ଉତ୍ପାଦନ କାରଖାନା ସ୍ଥାପନ ସହ ସାବର ଡାଏରୀର ସାମର୍ଥ୍ୟ ଆହୁରି ବୃଦ୍ଧି ପାଇବ । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଯୋଗୁଁ ପ୍ୟାକିଂ ପଦ୍ଧତି ମଧ୍ୟ ପାଚନକ୍ରିୟା ବିହୀନ ହେବ ।” ସାବର ଡାଏରୀର ଅନ୍ୟତମ ପ୍ରତିଷ୍ଠାତା ଭୂରେ ଭାଇ ପଟେଲଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କର ମଧ୍ୟ ସ୍ମୃତିଚାରଣ କରିଥିଲେ ।

ଦୁଇ ଦଶନ୍ଧି ପୂର୍ବେ ସେ ଞ୍ଚଳର ଦାରିଦ୍ର୍ୟ ଓ ମରୁଡ଼ି ବିଷୟରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ସେ କିପରି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଅଞଚଳର ସମସ୍ୟା ଦୂର କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ ତାହାର ସ୍ମୃତିଚାରଣ କରିଥିଲେ । ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସେତେବେଳେ ପ୍ରମୁଖ କାର୍ଯ୍ୟ ଥିଲା । ସେ ମଧ୍ୟ ଗୋଖାଦ୍ୟ, ଔଷଧପତ୍ର ଓ ଆୟୁର୍ବେଦ ଉପଚାର ଜରିଆରେ ପଶୁ ସମ୍ପଦ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ । ଗୁଜରାଟ ଜ୍ୟୋତିଗ୍ରାମ ଯୋଜନା କିପରି ବିକାଶକୁ ତ୍ୱରାନ୍ୱିତ କରିଥିଲା ତା’ର ଅବତାରଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦଶନ୍ଧି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆଜି ଗୁଜରାଟରେ ଦୁଗ୍ଧ ବଜାର ଏକ ଲକ୍ଷ କୋଟି ଟଙ୍କାର କାରବାର କରୁଛି । ୨ଠଠ୭ ଓ ୨ଠ୧୧ରେ ସେ ଏହି ଅଞ୍ଚଳ ପରିଦର୍ଶନ ବେଳେ କିପରି ମହିଳାଙ୍କ ସହଭାଗିତା ଅଧିକ ହେବ ତା’ର ସ୍ମରଣ କରାଇ ଦେଇଥିଲେ । ଆଜି ଅଧିକାଂଶ କମିଟିରେ ମହିଳାଙ୍କ ବେଶ ଭଲ ପ୍ରତିନିଧିତ୍ୱ ରହିଛି । କ୍ଷୀର ବାବଦ ଅର୍ଥ ପଇଠ ମହିଳାଙ୍କୁ କରାଯାଇଥାଏ ବୋଲି ସେ କହିଥିଲେ ।

ଏହି ପରୀକ୍ଷାମୂଳକ ବ୍ୟବସ୍ଥା ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କରାଯାଇଥାଏ । ଆଜି ଦେଶରେ ଦଶ ହଜାର ଚାଷୀ ଉତ୍ପାଦକ ସଂଘ (ଏଫପିଓଏସ) ପୁରା ଦମରେ କାର୍ଯ୍ୟ କରୁଛି । ଏହି ଏଫପିଓଗୁଡ଼ିକ ଜରିଆରେ କ୍ଷୁଦ୍ର ଚାଷୀଗଣ ସିଧାସଳଖ ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟଭିତ୍ତିକ ରପ୍ତାନୀ ଓ ଯୋଗାଣ ବ୍ୟବସ୍ଥା ସହ ଯୋଡ଼ି ହୋଇପାରୁଛନ୍ତି । ଗୁଜରାଟର ଚାଷୀମାନେ ମଧ୍ୟ ଏହାଦ୍ୱାରା ଅନେକ ଲାଭ ପାଇବେ ବୋଲି ସେ କହିଛନ୍ତି ।

ସେ କହିଥିଲେ ଯେ ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଇଥିବା ବିକଳ୍ପ ରଣନୀତି ସଫଳ ହେବାକୁ ଯାଉଛି। ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ମହୁ ଉତ୍ପାଦନ ଚାଷୀମାନଙ୍କୁ ଭଲ ଆୟ ଦେଉଛି । ପ୍ରଥମ ଥର ପାଇଁ ଖଦୀ ଓ ଗ୍ରାମଦ୍ୟୋଗ କାରବାର ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ଗ୍ରାମାଞ୍ଚଳରେ ଏହି କ୍ଷେତ୍ରରେ ଦେଢ଼ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ପେଟ୍ରୋଲରେ ଇଥାନଲ ମିଶ୍ରଣ ଚାଷୀମାନଙ୍କ ନିମନ୍ତେ ଆୟର ନୂଆ ମାର୍ଗ ଖୋଲିଛି ।

“୨ଠ୧୪ ମସିହା ପର୍ଯ୍ୟନ୍ତ ଦେଶରେ ୪ଠଠ ନିୟୁତ ଲିଟରରୁ କମ ଇଥାନଲ ମିଶ୍ରଣ ହେଉଥିଲା । ଆଜି ଏହା ୪ଠଠ କୋଟି ଲିଟରରେ ପହଂଚିଛି । ଆମ ସରକାର ମଧ୍ୟ ୩ କୋଟିରୁ ଅଧିକ ଚାଷୀଙ୍କୁ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ କିଶାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଛି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିମ ପ୍ରଲେପଯୁକ୍ତ ୟୁରିଆ ପାଇଁ ପଦକ୍ଷେପ, ବାଦ ପଡ଼ି ରହିଥିବା ସାର କାରଖାନାଗୁଡ଼ିକର ପୁନରୁଦ୍ଧାର, ବିଶ୍ୱ ବଜାରରେ ଦରବୃଦ୍ଧି ସତ୍ତ୍ୱେ ଛୋଟ ଛୋଟ ସାର କାରଖାନା ପ୍ରତିଷ୍ଠା କରି ସୁଲଭ ମୂଲ୍ୟରେ ୟୁରିଆ ଯୋଗାଣ ଉଭୟ ଦେଶ ଓ ଗୁଜରାଟର ଚାଷୀମାନଙ୍କୁ ଉପକୃତ କରିଛି । ସୁଜଳାଂ ସୁଫଳାଂ ଯୋଜନା ଯୋଗୁଁ ସାବରକଣ୍ଟା ଜିଲ୍ଲାର ଅଧିକାଂଶ ତହସିଲକୁ ଜଳ ଯୋଗାଣ ହୋଇଛି । ସେହିପରି ଜିଲ୍ଲା ଓ ତାହାର ଆଖପାଖ ଅଞ୍ଚଳକୁ ସଂଯୋଗୀକରଣ ମଧ୍ୟ ବୃଦ୍ଧି ପାଇଛି । ସେ ଅଞ୍ଚଳରେ ରାଜପଥ ଓରେଳପଥ ଯୋଗୁଁ ସଂଯୋଗୀକରଣରେ ଉନ୍ନତି ଘଟିଛି । ସଂଯୋଗୀକରଣ ଯୋଗୁ ପର୍ଯ୍ୟଟନ ବିଭବର ବୃଦ୍ଧି ଘଟିବା ସହ ଯୁବାଗୋଷ୍ଠୀ ନିମନ୍ତେ ଚାକିରି ମଧ୍ୟ ସୁନିଶ୍ଚିତ ହେଉଛି ବୋଲି ସେ କହିଥିଲେ ।

ଆଜାଦୀ କା ଅମ୍ରିତ ମହୋତ୍ସବ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଆଦିବାସୀ ନେତାମାନଙ୍କ ତ୍ୟାଗର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ୧୫ ନଭେମ୍ବରକୁ ସରକାର ଜନଜାତୀୟ ଗୌରବ ଦିବସ ଭାବେ ଘୋଷଣା କରିଛନ୍ତି । “ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ଆମ ସରକାର ସ୍ୱତନ୍ତ୍ର ସଂଗ୍ରହାଳୟ ମାନ ନିର୍ମାଣ କରୁଛନ୍ତି ।” ସେ ଆହୁରି କହିଥିଲେ ଯେ “ପ୍ରଥମଥର ନିମନ୍ତେ ଆଦିବାସୀ ସମାଜରୁ ଆସିଥିବା ଦେଶର ଜଣେ ଝିଅ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଛନ୍ତି । ଦେଶ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଏହାର ରାଷ୍ଟ୍ରପତି ପଦରେ ଆସୀନ କରିଛି । ୧୩ଠ କୋଟି ଭାରତୀୟଙ୍କ ପାଇଁ ଏହା ଏକ ମହାନ ଗର୍ବର କ୍ଷଣ ।” ସେ ଦେଶବାସୀଙ୍କୁ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ହର ଘର ତ୍ରିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ପ୍ରକଳ୍ପ ସମ୍ପର୍କରେ ସବିଶେଷ ବୃତ୍ତାନ୍ତ

ପ୍ରଧାନମନ୍ତ୍ରୀ ସାବର ଡାଏରୀରେ ଉଦଘାଟନ କରିଥିବା ପାଉଡ଼ର ପ୍ଲାଣ୍ଟର ଦୈନିକ କ୍ଷମତା ହେଉଛି ୧୨ଠ ନିୟୁତ ମେଟ୍ରିକ ଟନ । ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦ ଖର୍ଚ୍ଚ ପ୍ରାୟ ୩ଠଠ କୋଟି ଟଙ୍କାରୁ ଅଧିକ । ପ୍ଲାଣ୍ଟର ନିର୍ମାଣ ଶୈଳୀ ବୈଶ୍ୱିକ ଖାଦ୍ୟ ନିରାପତ୍ତା ମାନକ ପୂରଣ କରୁଛି । ଏହା ଖୁବ ଉଚ୍ଚ ଶକ୍ତିସମ୍ପନ୍ନ ଓ ବର୍ଜବ୍ୟସ୍ତୁ ଉଦଗୀରଣ ନାହିଁ କହିଲେ ଚଳେ। ଏହି କାରଖାନା ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଓ ସ୍ୱୟଂକ୍ରିୟ ପଦ୍ଧତିରେ ନିର୍ମିତ ହୋଇଛି ।

ପ୍ରଧାନମନ୍ତ୍ରୀ ସାବର ଡାଲରୀ ଏକ ପାଚନକ୍ରିୟା ବିହୀନ ଦୁଗ୍ଧ ପ୍ୟାକେଜିଂ ପ୍ଲାଣ୍ଟର ଉଦଘାଟନ କରିଛନ୍ତି । ଏହି କାରଖାନାର ଉତ୍ପାଦନ ସାମର୍ଥ୍ୟ ହେଉଛି ଦୈନିକ ୩ ଲକ୍ଷ ଲିଟର । ୧୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ସ୍ୱୟଂସକ୍ରିୟ ଓ ପରିବେଶ ଅନୁକୂଳ ଏବଂ ବୈଷୟିକ ଜ୍ଞାନ ଦ୍ୱାରା ପରିଚାଳିତ। ଏହି ପ୍ରକଳ୍ପ ଦୁଗ୍ଧ ଉତ୍ପାଦନକାରୀଙ୍କୁ ଉତ୍ତମ ରୋଜଗାର ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସାବର ଛେନା ଓ ଘୋଳ ଦହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ବାବଦ ପ୍ରାୟ ୬ଠଠ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଦିନକୁ ୨ଠ ନିୟୁତ ଟନ୍ ଛେଦାର ଛେନା, ୧ଠ ନିୟୁତ ଟନ ମୋଜେରେଲା ଛେନା ଓ ୧୬ ନିୟୁତ ଟନ୍ ପ୍ରକ୍ରିୟାକୃତ ଛେନା ଉତ୍ପାନ କରିବ । କାର୍ଯ୍ୟ ଆମ୍ଭ କରିବା ପରେ ଛେନା ଡ୍ରାଇଙ୍ଗ ପ୍ଲାଣ୍ଟରେ ଦୈନିକ ୪ଠ ନିୟୁତ ଟନ ଡ୍ରାଇ ହେବ ।

ସାବର ଡାଏରୀ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ) ଅଂଶବିଶେଷ ଭାବେ ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଅମୂଲ ଛାପରେ ବଜାରକୁ ଛାଡ଼ିଥାଏ ।

 

SM/MB



(Release ID: 1845974) Visitor Counter : 412