ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କଚ୍ଛଠାରେ ଆୟୋଜିତ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

“ମହିଳାମାନେ ଆମ ନୈତିକତା, ଅନୁବର୍ତ୍ତିତା, ନିର୍ଣ୍ଣାୟକ ମାନସିକତା ଏବଂ ନେତୃତ୍ୱର ପ୍ରତିଫଳନ”

“ଆମର ବେଦ ଓ ପରମ୍ପରା ଆହ୍ୱାନ ଜଣାଇଛି ଯେ ମହିଳାମାନେ ରାଷ୍ଟ୍ରକୁ ଦିଶା ନିର୍ଦ୍ଦେଶ ପ୍ରଦାନ କରିବାକୁ ସକ୍ଷମ ଓ ଉପଯୁକ୍ତ ।”

“ମହିଳାମାନଙ୍କ ପ୍ରଗତି ସଦାବେଳେ ରାଷ୍ଟ୍ରକୁ ସଶକ୍ତକରିବା ନିମନ୍ତେ ସାମର୍ଥ୍ୟ ଯୋଗାଇଥାଏ ।”

“ଆଜି ଦେଶ ସମ୍ମୁଖରେ ଗୁରୁତ୍ୱ ହେଲା ମହିଳାମାନଙ୍କୁ ଭାରତର ବିକାଶ ଯାତ୍ରାରେ ପୂର୍ଣ୍ଣମାତ୍ରାରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବା ।”

“ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଅଧୀନରେ ଯୋଗାଇ ଦିଆଯାଇଥିବା ଋଣ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ମହିଳାମାନଙ୍କ ନାମରେ ହିଁ ରହିଛି । ସେହିଭଳି ମୁଦ୍ରା ଯୋଜନା ଅଧୀନରେ ଥିବା ମୋଟ ପ୍ରାୟ ୭୦ ପ୍ରତିଶତରୁ ଅଧିକ ରହିଛି ଦେଶର ଭଉଣୀ ଓ କନ୍ୟାମାନଙ୍କ ନାମରେ ।”

Posted On: 08 MAR 2022 6:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ।

ଏହି ଆଲୋଚନାଚକ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସେଠାରେ ଉପସ୍ଥିତ ଥିବା ସମସ୍ତ ମହିଳାମାନଙ୍କୁ ପ୍ରଥମେ ଶୁଭେଚ୍ଛା ଜ୍ଞାପନ କରିଥିଲେ । କଚ୍ଛଭୂମି ନାରୀ ଶକ୍ତିର ପ୍ରତୀକଭାବେ ଶତାବ୍ଦୀ ଶତାବ୍ଦୀ ଧରି ବିଶେଷ ସ୍ଥାନ ଅଧିକାର କରିଆସିଛି ବୋଲି ସ୍ୱୀକାର ପୂର୍ବକ ସେ କହିଲେ ଯେ ମାଆଶା ପୂର୍ଣ୍ଣା ଏଠାରେ ମାତୃଶ୍ୱକ୍ତି ରୂପେ ସାକ୍ଷାତ ବିଦ୍ୟମାନ ରହିଛନ୍ତି । ଏଠାକାର ମହିଳାମାନେ ସମଗ୍ର ସମାଜକୁ କିଭଳି ପ୍ରକୃତିର ନିଷ୍ଠୁରତାର ସହିତ ଜୀବନ ବଞ୍ଚିବାକୁ ହୁଏ ତାହା ଶିଖାଇଛନ୍ତି ଏବଂ ଏଭଳି କଠିନ ସଂଗ୍ରାମରେ କିଭଳି ବିଜୟ ହାସଲ କରାଯାଇପାରିବ ତାହା ମଧ୍ୟ ସେମାନେ ଶିଖାଇଥାନ୍ତିବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜଳସଂରକ୍ଷଣ ପ୍ରୟାସରେ କଚ୍ଛର ମହିଳାମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଯେହେତୁ ଏହି କାର୍ଯ୍ୟକ୍ରମ ଏକ ସୀମାନ୍ତବର୍ତ୍ତୀ ଗ୍ରାମରେ ଆୟୋଜିତ ହୋଇଥିଲା, ପ୍ରଧାନମନ୍ତ୍ରୀ ୧୯୭୧ ମସିହା ଯୁଦ୍ଧକୁ ସ୍ମରଣ କରି ସୂଚାଇଥିଲେ ଯେ ଏଠାକାର ମହିଳାମାନଙ୍କର ସେହି ଯୁଦ୍ଧପାଇଁ ମଧ୍ୟ ବିଶେଷ ଅବଦାନ ରହିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ  ମହିଳାମାନେ ହେଉଛନ୍ତି ନୈତିକତା, ଅନୁବର୍ତ୍ତିତା, ନିଷ୍ପତ୍ତି ନିର୍ଦ୍ଧାରଣ ଏବଂ ନେତୃତ୍ୱ ଗ୍ରହଣ ଭଳି କାର୍ଯ୍ୟର ପ୍ରତିଫଳନ । ସେଇଥି ପାଇଁ ଆମର ବେଦ ଓ ପରମ୍ପରାରେ ସେମାନଙ୍କୁ ଆହ୍ୱାନ ଦିଆଯାଇଛି ଯେ ମହିଳାମାନେ ସକ୍ଷମ, ସଶକ୍ତ ହୋଇ ରାଷ୍ଟ୍ରକୁ ଦିଶା ନିର୍ଦ୍ଦେଶ କରନ୍ତୁବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତରରେ ମୀରାବାଇଙ୍କ ଠାରୁ ଆରମ୍ଭ କରି ଦକ୍ଷିଣରେ ସନ୍ତ ଆକ୍କା ମହାଦେବୀଙ୍କ ପର୍ଯ୍ୟନ୍ତ  ଭାରତର ଦିବ୍ୟ ମହିଳାମାନେ ସଦାବେଳେ ସମାଜରେ ସଂସ୍କାର ଘଟାଇବା ନିମନ୍ତେ ଆହ୍ୱାନ ଦେଇ ଆସିଛନ୍ତି । ତାହାଭକ୍ତି ଆନ୍ଦୋଳନ ଠାରୁ ନେଇ ଜ୍ଞାନ ଦର୍ଶନ ପର୍ଯ୍ୟନ୍ତ ସର୍ବତ୍ର ପ୍ରତିଫଳିତ ହୋଇଛି । ସେହିଭଳି କଚ୍ଚ ଏବଂ ଗୁଜରାଟ ଭୂମି ମଧ୍ୟ ଆହୁରି ଅନେକ ଦିବ୍ୟ ମହିଳାମାନଙ୍କ ଦେଖିଛି ଏବଂ ସେମାନଙ୍କ ମଧ୍ୟରେ ସତୀତୋରାଲ, ଗଙ୍ଗାସତୀ, ସତୀଲୋୟାନ, ରମାବାଇ ଏବଂ ଲୀରାବାଇ ଆଦି । ମହିଳା ସଚେତନତାକୁ ନେଇ ଦେଶର ବିଭିନ୍ନ ଭାବରେ ଅସଂଖ୍ୟ ଦେବୀଙ୍କୁ ଦେଖିବାକୁ ମିଳେ ଏବଂ ସେମାନେ ସ୍ୱାଧୀନତାର ବହ୍ନିକୁ ସଦାବେଳେ ପ୍ରଜ୍ଜ୍ୱଳିତ କରିରଖିଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ ରାଷ୍ଟ୍ର ଯାହାକି ଧରିତ୍ରୀକୁ ସୁଦ୍ଧା ମାତା ବୋଲି ହେତୁକରେ, ମହିଳାମାନଙ୍କ ପ୍ରଗତିକୁ ସେଠାରେ ସଦାସର୍ବଦା ସୁଦୃଢ ରଖାଯାଇଛି ଯାହାକି ରାଷ୍ଟ୍ରର ମହିଳାମାନଙ୍କୁ ସଶକ୍ତ କରିପାରିବ । ଆଜି ଦେଶ ସମ୍ମୁଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ମହିଳାମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଘଟାଇବା । ଆଜି  ଦେଶ ସମ୍ମୁଖରେ ଏହା ମହତ୍ତ୍ୱବହନ କରେ ଯେ ଦେଶର ବିକାଶ ଯାତ୍ରାରେ କିଭଳି ମହିଳାମାନେ ପୂର୍ଣ୍ଣରୂପେ ଅଂଶଗ୍ରହଣ କରିପାରିବେବୋଲି ସେ କହିଥିଲେ । ଏହି ଅବସରରେ ସେ ଦେଶରେ ୧୧ କୋଟି ଶୌଚାଳୟ ନିର୍ମାଣ, ୯ କୋଟି ଉଜ୍ଜ୍ୱଳା ଗ୍ୟାସସଂଯୋଗ ବଣ୍ଟନ, ୨୩ କୋଟି ଜନଧନ ଯୋଜନା ଜମାଖାତା ଖୋଲାକୁ ମହିଳାମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଏବଂ ସେମାନଙ୍କ ଗାରିମା ବୃଦ୍ଧିରେ ସହାୟକ ହୋଇପାରିଛି ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏବେ ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଯଦ୍ୱାରା ମହିଳାମାନେ ଆଗକୁ ବଢ଼ିପାରିବେ, ସେମାନଙ୍କର ସ୍ୱପ୍ନକ ସାକାର କରିପାରିବେ ଏବଂ ନିଜର କାର୍ଯ୍ୟ ଆରମ୍ଭ କରିପାରିବେ । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଋଣ ଯୋଗାଇ ଦିଆଯାଇଥିବା ୮୦ ପ୍ରତିଶତ ହିତାଧିକାରୀ ମହିଳା । ସେହିଭଳି ମୁଦ୍ରା ଯୋଜନାରେ ଯେଉଁ ଭଉଣୀ ଏବଂ କନ୍ୟାମାନେ ଋଣ ନେଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ମହିଳାବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଅନୁରୂପ ଭାବେ ପିଏମଏୱାଇ ଅଧୀନରେ ନିର୍ମିତ ୨ କୋଟି ବାସଗୃହ ମଧ୍ୟରୁ ଅଧିକାଂଶ ଗୃହ ମହିଳାମାନଙ୍କ ନାମରେ ରହିଛି । ଏହିସବୁ କାର୍ଯ୍ୟ ଆର୍ଥିକ ନିଷ୍ପତ୍ତି ଗ୍ରହଣରେ ମହିଳାମାନଙ୍କ ଅଂଶ ଗ୍ରହଣମାତ୍ରାକୁ ବୃଦ୍ଧି କରିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ସରକାର ଇତିମଧ୍ୟରେ ପ୍ରସୂତିକାଳୀନ ସବୈତନିକ ଛୁଟି ମାତ୍ରାକୁ ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରିଛନ୍ତି । ସେ ଆହୁରି କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାମାନଙ୍କ ନିରାପତ୍ତା ଆଇନଗୁଡ଼ିକୁ ମଧ୍ୟ ଅଧିକ କଡ଼ାକଡ଼ି କରାଯାଇଛି । ଦୁଷ୍କର୍ମ ଭଳି ହୀନ ଅପରାଧ ଘଟାଇଥିବା ଅପରାଧିଙ୍କୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଛି । ପୁତ୍ରସନ୍ତାନ ଓ କନ୍ୟାସନ୍ତାନମାନେ ସଭିଏଁ ସମାନ ବୋଲି ବିବେଚନା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେଥିପାଇଁ ସରକାରଏବେ କନ୍ୟାସନ୍ତାନମାନଙ୍କ ବିବାହ ବର୍ଷକୁ ୨୧ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ପ୍ରୟାସ କରୁଛନ୍ତି । ଆଜି ଦେଶ ସଶସ୍ତ୍ର ସେନାରେ କନ୍ୟାସନ୍ତାନମାନଙ୍କ ଅଧିକ ଭୂମିକାଗ୍ରହଣକୁ ପ୍ରୋତ୍ସାହନ ଯୋଗାଉଛି ।ଏହି ପରିପ୍ରେକ୍ଷୀରେ ସୈନିକ ସ୍କୁଲମାନଙ୍କରେ ଏବେ ବାଳିକାମାନେ ନାମ ଲେଖାଇ ପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଥିଲେ ଯେ ସେମାନେ ଦେଶରେ ଅପପୁଷ୍ଟି ଦୂରକରିବା ନିମନ୍ତେ ଚାଲିଥିବା ଅଭିଯାନରେ ସହଯୋଗ କରନ୍ତୁ । ବେଟୀ ବଚାଓ, ବେଟୀ ପଢ଼ାଓ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ କନ୍ୟାଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନରେ ମଧ୍ୟ ସେମାନେ ସାମିଲ ହେବା ଆବଶ୍ୟକ ।

ଏବେ ଭୋକାଲ୍ ଫର୍ ଲୋକାଲଏକ ବିରାଟ ଆଲୋଚନାର ପ୍ରସଙ୍ଗ ହୋଇଛି ଯାହା ଦେଶର ଅର୍ଥ ବ୍ୟବସ୍ଥା ସହିତ ସଂପର୍କୀତ । କିନ୍ତୁ ମହିଳାମାନଙ୍କୁ ସଶକ୍ତକରିବା ଦିଗରେ ଆହୁରି ବେଶ୍ କିଛି କରାଯିବାକୁ ବାକି ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ଥାନୀୟଭାବେ ଉତ୍ପାଦିତ ଅଧିକାଂଶ ସାମଗ୍ରୀର ସାମର୍ଥ୍ୟ ମହିଳାମାନଙ୍କ ହାତରେ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ପରିଶେଷରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାଧୀନତା ସଂଗ୍ରାମରେ ସନ୍ଥ ପରମ୍ପରାର ଭୂମିକା ସଂପର୍କରେ ଉଲ୍ଲେଖ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ କଚ୍ଛର କର୍ଦ୍ଦମାକ୍ତ କ୍ଷେତ୍ରର ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ଅନୁଭବକୁସମସ୍ତ ଅଂଶଗ୍ରହଣକାରୀ ମନଭରି ଉପଭୋଗ କରିବା ସକାଶେ ସୂଚାଇଥିଲେ ।

 

*****

 

 

SS



(Release ID: 1804186) Visitor Counter : 392