ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପଦକ୍ଷେପ


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯାତ୍ରା ମାର୍ଗଦର୍ଶିକାରେ ସଂଶୋଧନ; ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟମାନଙ୍କ ପାଇଁ କୋହଳ ହେଲା ବିଭିନ୍ନ କଟକଣା

ଭାରତୀୟ ନାଗରିକମାନଙ୍କୁ ବୋର୍ଡିଂ ପୂର୍ବରୁ ବାଧ୍ୟତାମୂଳକ ନେଗେଟିଭ୍‌ ଆରଟିପିସିଆର ଟେଷ୍ଟ ଏବଂ ଟିକାକରଣ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ; ଯାତ୍ରା ପୂର୍ବରୁ ଏୟାର – ସୁବିଧା ପୋର୍ଟାଲରେ ଦସ୍ତାବିଜ ଅପଲୋଡ୍‌ କରିବା ନିୟମ କୋହଳ

ଯେଉଁ ଯାତ୍ରୀମାନେ ପହଞ୍ଚିବା ପୂର୍ବର ନେଗେଟିଭ ଆରଟି ପିସିଆର ପରୀକ୍ଷା ରିପୋର୍ଟ ଦାଖଲ କରିବାରେ ସକ୍ଷମ ହେବେ ନାହିଁ କିମ୍ବା ଯେଉଁମାନେ କୋଭିଡ -୧୯ ଟିକାକରଣ ସମ୍ପୂର୍ଣ୍ଣ କରିନଥିବେ, ସେମାନଙ୍କୁ ପହଞ୍ଚିବା ପରେ ନିଜର ନମୁନା ଦେବାକୁ ଅନୁମତି ଦିଆଯିବ, ଏପରି ଯାତ୍ରୀମାନେ ଭାରତରେ ପହଞ୍ଚିବା ପରେ ୧୪ ଦିନ ପାଇଁ ସ୍ୱାସ୍ଥ୍ୟାବସ୍ଥାର ସ୍ୱ-ନିରୀକ୍ଷଣରେ ରହିବେ

୨୮ ଫେବୃଆରୀ ୨୦୨୨ ସୁଦ୍ଧା, ୟୁକ୍ରେନରୁ ୧୧୫୬ ଜଣ ଭାରତୀୟ ଭାରତରେ ପହଞ୍ଚିଛନ୍ତି, କେହି ଜଣେ ହେଲେ ପ୍ରାର୍ଥୀଙ୍କୁ ସଙ୍ଗରୋଧରେ ରଖାଯାଇନାହିଁ

Posted On: 28 FEB 2022 2:40PM by PIB Bhubaneshwar

ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ସହଭାଗିତା ସ୍ଥାପନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆବଶ୍ୟକ ସହାୟତା ଯୋଗାଇ ଦେଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯାତ୍ରା ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି । ମାନବିକତା ଆଧାରରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନିମ୍ନ କଟକଣାକୁ କୋହଳ କରାଯାଇଛି :

  • ବୋର୍ଡିଂ ପୂର୍ବରୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ କିମ୍ବା ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର  ଦାଖଲ କରିବାର ବାଧ୍ୟତାମୂଳକ ଆବଶ୍ୟକତାକୁ ଭାରତୀୟ ନାଗରିକମାନଙ୍କ ପାଇଁ କୋହଳ କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବା ବର୍ତ୍ତମାନର ମାର୍ଗଦର୍ଶିକାରେ ଏହି ନିୟମ ରହିଛି । ଭାରତ ଆସିବା ପୂର୍ବରୁ ସେମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ ମଧ୍ୟ ଏହିସବୁ କାଗଜପତ୍ର ଅପଲୋଡ୍‌ କରିବାକୁ ପଡ଼ିବ ନାହିଁ ।
  • ଆହୁରି, ଯେଉଁ ଯାତ୍ରୀମାନେ କୋଭିଡ-୧୯ ଟିକାକରଣ ସମ୍ପୂର୍ଣ୍ଣ କରିଛନ୍ତି (ପ୍ରସ୍ଥାନ/ଟିକାକରଣ ଯେକୌଣସି ରାଷ୍ଟ୍ରରୁ ହୋଇଥିଲେ ସୁଦ୍ଧା), ସେମାନେ ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ବିମାନ ବନ୍ଦରରୁ ଘରକୁ ଯିବା ଲାଗି ଅନୁମତି ମିଳିବ । ତେବେ ସେମାନଙ୍କୁ ନିଜର ସ୍ୱାସ୍ଥ୍ୟବସ୍ଥା ଉପରେ ୧୪ ଦିନ ପର୍ଯ୍ୟନ୍ତ ସ୍ୱ-ନିରୀକ୍ଷଣ ଲାଗି ପରାମର୍ଶ ଦିଆଯିବ ।
  • ଯେଉଁ ଯାତ୍ରୀମାନେ ପହଞ୍ଚିବା ପୂର୍ବର ନେଗେଟିଭ ଆରଟି ପିସିଆର ପରୀକ୍ଷା ରିପୋର୍ଟ ଦାଖଲ କରିବାରେ ସକ୍ଷମ ହେବେ ନାହିଁ କିମ୍ବା ଯେଉଁମାନେ କୋଭିଡ -୧୯ ଟିକାକରଣ ସମ୍ପୂର୍ଣ୍ଣ କରିନଥିବେ, ସେମାନଙ୍କୁ ପହଞ୍ଚିବା ପରେ ନିଜର ନମୁନା ଦେବାକୁ ଅନୁମତି ଦିଆଯିବ, ଏପରି ଯାତ୍ରୀମାନେ ଭାରତରେ ପହଞ୍ଚିବା ପରେ ୧୪ ଦିନ ପାଇଁ ସ୍ୱାସ୍ଥ୍ୟାବସ୍ଥାର ସ୍ୱ-ନିରୀକ୍ଷଣରେ ରହିବେ । ଯଦି ସେମାନେ ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତା’ହେଲେ ତାଙ୍କୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ, ଚିକିତ୍ସା କରାଯିବ ।

ୟୁକ୍ରେନରେ ରାଜନୈତିକ ଅସ୍ଥିରତା କାରଣରୁ ବହୁସଂଖ୍ୟକ ଭାରତୀୟ ନାଗରିକ (ମୁଖ୍ୟତଃ ଛାତ୍ରଛାତ୍ରୀ) ସେଠାରେ ଫସି ରହିଛନ୍ତି । ୟୁକ୍ରେନରେ ନୋଟିସ ଟୁ ଏୟାରମ୍ୟାନ କିମ୍ବା ନୋଟିସ ଟୁ ଏୟାର ମିଶନ (ନୋଟାମ୍‌) ବା ବିମାନ ଚଳାଚଳ ଉପରେ କଟକଣା ରହିଥିବାରୁ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସିଧାସଳଖ ବିମାନ ଯୋଗେ ଉଦ୍ଧାର କରାଯିବା ସମ୍ଭବ ନୁହେଁ । ଏହି କାରଣରୁ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ଏହାପରେ ଏସବୁ ରାଷ୍ଟ୍ରରୁ ଅପରେସନ ଗଙ୍ଗା ଜରିଆରେ ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି ।

୨୮ ଫେବୃଆରୀ ୨୦୨୨ (ମଧ୍ୟାହ୍ନ ୧୨ଟା) ସୁଦ୍ଧା, ୫ଟି ବିମାନ (ଗୋଟିଏ ମୁମ୍ବାଇ ଏବଂ ୪ଟି ଦିଲ୍ଲୀ)ରେ ୧୧୫୬ ଜଣ ଭାରତୀୟ ନାଗରିକ ୟୁକ୍ରେନରୁ ଉଦ୍ଧାର ହୋଇ ଭାରତରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ବିମାନ ଯାତ୍ରୀଙ୍କୁ ଏବେ ସୁଦ୍ଧା ସଙ୍ଗରୋଧରେ ରଖାଯାଇନାହିଁ ।

 

*******

P.S.



(Release ID: 1801867) Visitor Counter : 253