ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତେଲଙ୍ଗାନର ହାଇଦ୍ରାବାଦଠାରେ ଇକ୍ରିସାଟର ୫୦ତମ ବାର୍ଷିକ ସମାରୋହର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 05 FEB 2022 6:26PM by PIB Bhubaneshwar

ତେଲଙ୍ଗାନାର ରାଜ୍ୟପାଳ ଡକ୍ଟର ତମିଲସାଇ ସୁନ୍ଦରରାଜନ ମହୋଦୟ, କେନ୍ଦ୍ର ମନ୍ତ୍ରିପରିଷଦରେ ମୋର ସହଯୋଗୀ ନରେନ୍ଦ୍ର ସିଂହ ତୋମର ମହାଶୟ, ଜି. କିଷନ ରେଡ୍ଡୀ ମହାଶୟ, ଇକ୍ରିସାଟର ମହାନିର୍ଦ୍ଦେଶକ, ଏବଂ ଅନଲାଇନ ମାଧ୍ୟମରେ ଦେଶ ବିଦେଶରୁ, ବିଶେଷ କରି ଆଫ୍ରିକୀୟ ଦେଶରୁ ସାମିଲ ହୋଇଥିବା ମହାନୁଭବ, ଏଠାରେ ଉପସ୍ଥିତ ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତି ଗଣ!

ଆଜି ହେଉଛି ବସନ୍ତ ପଂଚମୀର ପବିତ୍ର ପର୍ବ। ଆଜି ଆମେ ଜ୍ଞାନର ଦେବୀ, ମା’ ସରସ୍ୱତୀଙ୍କ ପୂଜା କରିଥାଉ। ଆପଣ ସମସ୍ତେ ଯେଉଁ କ୍ଷେତ୍ରରେ ଅଛନ୍ତି, ତାହାର ଆଧାର ହେଉଛି ଜ୍ଞାନ-ବିଜ୍ଞାନ, ନବସୃଜନ- ଅଭିନବତା ଆଉ ଏଥିପାଇଁ ବସନ୍ତ ପଂଚମୀର ଦିନ ଏହି ଆୟୋଜନର ଏକ ବିଶେଷ ଗୁରୁତ୍ୱ ଥାଏ। ଆପଣ ସମସ୍ତଙ୍କୁ ସୁବର୍ଣ୍ଣ ଜୟନ୍ତୀ ସମାରୋହର ବହୁତ ବହୁତ ଶୁଭେଚ୍ଛା!

ସାଥୀଗଣ,

50 ବର୍ଷ ହେଉଛି ଏକ ବହୁତ ବଡ଼ ସମୟ। ଆଉ ଏହି 50 ବର୍ଷର ଯାତ୍ରାରେ ଯେବେ- ଯେତେବେଳେ ଯେଉଁ- ଯେଉଁମାନେ ଯୋଗଦାନ ଦେଇଛନ୍ତି ସେମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ। ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସବୁ ଲୋକମାନେ ପ୍ରୟାସ କରିଛନ୍ତି, ମୁଁ ଆଜି ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଏହା ହେଉଛି ଏକ ଅଦ୍ଭୁତ ସଂଯୋଗ ଯେ ଆଜି ଯେତେବେଳେ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣର ପର୍ବ ପାଳନ କରୁଛି, ସେତେବେଳେ ଆପଣଙ୍କ ସଂସ୍ଥା 50 ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ସୋପାନରେ ପହଂଚିଛି। ଯେତେବେଳେ ଭାରତ ନିଜ ସ୍ୱାଧୀନତାର 100 ବର୍ଷ ପୂରଣର ପର୍ବ ପାଳନ କରିବ, ତେବେ ଆପଣ 75 ବର୍ଷରେ ରହିଥିବେ। ଯେଭଳି ଭାରତ ଆଗାମୀ 25 ବର୍ଷ ପାଇଁ ନୂତନ ଲକ୍ଷ୍ୟ ନିର୍ମାଣ କରିଛି, ସେଗୁଡ଼ିକୁ ନେଇ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି, ସେମିତି ହିଁ ଆଗାମୀ 25 ବର୍ଷ ଇକ୍ରିସାଟ ପାଇଁ ମଧ୍ୟ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ।

ସାଥୀଗଣ,

ଆପଣଙ୍କ ପାଖରେ 5 ଦଶକର ଅନୁଭବ ରହିଛି। ଏହି 5 ଦଶକରେ ଆପଣ ଭାରତ ସମେତ ବିଶ୍ୱର ଏକ ବୃହତ ଭାଗରେ କୃଷି କ୍ଷେତ୍ରକୁ ସାହାଯ୍ୟ କରିଛନ୍ତି। ଆପଣଙ୍କ ଗବେଷଣା, ଆପଣଙ୍କ ଟେକ୍ନୋଲୋଜି କଠିନ ପରିସ୍ଥିତିରେ କୃଷିକୁ ସହଜ ଏବଂ ଦୀର୍ଘସ୍ଥାୟୀ କରିଛି। ଏବେ ମୁଁ ଯେଉଁ ଟେକ୍ନୋଲୋଜି ପ୍ରଦର୍ଶନ ଦେଖିଲି, ସେଥିରେ ଇକ୍ରିସାଟର ପ୍ରୟାସ ଗୁଡିକର ସଫଳତା ଦୃଷ୍ଟିଗୋଚର ହେଉଛି। ଜଳ ଏବଂ ମୃତିକାର ପରିଚାଳନା ହେଉ, ଫସଲର କିସମ ଏବଂ ଉତ୍ପାଦନ କ୍ଷେତ୍ରରେ ପରିବର୍ତନ ହେଉ, କୃଷି କ୍ଷେତ୍ରରେ ବିବିଧତାରେ ବୃଦ୍ଧି ହେଉ, ପ୍ରାଣୀପାଳନର ସମନ୍ୱୟ ହେଉ, ଆଉ କୃଷକମାନଙ୍କୁ ବଜାର ସହିତ ସଂଯୋଗ କରିବା ହେଉ, ଏହି ସାମଗ୍ରିକ ଅଭିବ୍ୟକ୍ତି ନିଶ୍ଚିତ ଭାବେ କୃଷିକୁ ଦୀର୍ଘସ୍ଥାୟୀ କରିବାରେ ସାହାଯ୍ୟ କରିଥାଏ। ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଡାଲି, ବିଶେଷକରି ଛୋଟ- ମଟର ଚାଷକୁ ନେଇ ଏହି ଅଂଚଳରେ ଯେଉଁ ସଂପ୍ରସାରଣ ହୋଇଛି, ସେଥିରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। କୃଷକଙ୍କ ସହିତ ଇକ୍ରିସାଟର ଏହି ସହଯୋଗୀ ଦୃଷ୍ଟିଭଙ୍ଗୀ କୃଷିକୁ ଆହୁରି ସଶକ୍ତ କରିବ, ସମୃଦ୍ଧ କରିବ। ଆଜି ଉଦ୍ଭିଦ ସୁରକ୍ଷା ଉପରେ ଜଳବାୟୁ ପରିବର୍ତନ ଗବେଷଣା ସୁବିଧା ଏବଂ ତ୍ୱରିତ ପିଢୀର ଅତ୍ୟାଧୁନିକ ସୁବିଧା ରୂପରେ ନୂତନ ସୁଯୋଗର ଉଦଘାଟନ ହୋଇଛି। ଏହି ଗବେଷଣା ସୁବିଧା, ଜଳବାୟୁ ପରିବର୍ତନର ଆହ୍ୱାନର ସମ୍ମୁଖୀନ ହେବାରେ କୃଷି ଜଗତକୁ ବହୁଳ ଭାବେ ସାହାଯ୍ୟ କରିବ। ଆଉ ଆପଣମାନଙ୍କୁ ଜଣାଥିବ, ପରିବର୍ତିତ ଜଳବାୟୁରେ ଆମର କୃଷିଜନିତ ଅଭ୍ୟାସ ଗୁଡ଼ିକରେ କ’ଣ ସବୁ ପରିବର୍ତନ ଆଣିବା ଦରକାର, ସେହିଭଳି ଭାବେ ଭାରତ ଏକ ବହୁତ ବଡ଼ ପଦକ୍ଷେପ ନେଇଛି ଯେ ଜଳବାୟୁ ପରିବର୍ତନ କାରଣରୁ ଯେଉଁସବୁ ପରିସ୍ଥିତିମାନ ସୃଷ୍ଟି ହୋଇଥାଏ, ପ୍ରାକୃତିକ ବିପର୍ଯ୍ୟୟମାନ ଆସିଥାଏ, ତେବେ ସେଥିରେ ମଣିଷ ମୃତ୍ୟୁର ଚର୍ଚ୍ଚା ସାମ୍ନାକୁ ଆସିଥାଏ। କିନ୍ତୁ ଭିତିଭୂମିର ଯେଉଁ କ୍ଷତି ହୋଇଥାଏ, ତାହା ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଇଥାଏ। ଆଉ ଏଥିପାଇଁ ଭାରତ ସରକାର ଜଳବାୟୁକୁ ସହ୍ୟ କରି ପାରୁଥିବା ଭଳି ଭିତିଭୂମି ପାଇଁ, ତାହା ଉପରେ ଚିନ୍ତନ- ମନନ ଏବଂ ଯୋଜନା ସବୁ ପ୍ରସ୍ତୁତ କରିବା ଲାଗି ବିଶ୍ୱସ୍ତରୀୟ ଅନୁଷ୍ଠାନ ପ୍ରତିଷ୍ଠା କରିଛି। ସେହିଭଳି ଏକ କାର୍ଯ୍ୟ ଆଜି ଏହି କୃଷି କ୍ଷେତ୍ର ପାଇଁ ହେଉଛି। ଆପଣମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ।

ସାଥୀଗଣ,

ଏମିତିରେ ମଧ୍ୟ ଜଳବାୟୁ ପରିବର୍ତନ ବିଶ୍ୱର ପ୍ରତ୍ୟେକ ଜନସଂଖ୍ୟାକୁ ପ୍ରଭାବିତ କରୁଛି, କିନ୍ତୁ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ସେହି ଲୋକମାନେ ହୋଇ ଥାଆନ୍ତି ଯେଉଁମାନେ ସମାଜର ଶେଷ ପାହାଚରେ ରହିଥାଆନ୍ତି। ଯାହାଙ୍କ ପାଖରେ ଉତ୍ସର ଅଭାବ ରହିଛି, ଯେଉଁମାନେ ବିକାଶର ସିଢ଼ିରେ ଉପରକୁ ଚଢ଼ିବା ପାଇଁ ପରିଶ୍ରମ କରୁଛନ୍ତି। ଏଥିରେ ଏକ ବୃହତ ସଂଖ୍ୟାରେ ରହିଛନ୍ତି ଆମର କ୍ଷୁଦ୍ର ଚାଷୀ। ଆଉ ଭାରତରେ 80- 85% କୃଷକ ହେଉଛନ୍ତି କ୍ଷୁଦ୍ର ଚାଷୀ। ଜଳବାୟୁ ପରିବର୍ତନର ବିଷୟ ଆମର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଏକ ବହୁତ ବଡ଼ ସଙ୍କଟ ହୋଇ ଯାଇଥାଏ। ତେଣୁକରି, ଭାରତକୁ ଜଳବାୟୁ ପରିବର୍ତନର ସଙ୍କଟ ସହିତ ଲଢ଼ିବା ପାଇଁ ବିଶ୍ୱକୁ ଏହା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି। ଭାରତ 2070 ପର୍ଯ୍ୟନ୍ତ ନେଟ ଜିରୋର ଲକ୍ଷ୍ୟକୁ ତ ରଖିଛି, ଆମେ ପର୍ଯ୍ୟାବରଣ ପାଇଁ ଜୀବନ ଓ ଜୀବନ ଶୈଳୀ ମିଶନ ଏହି ଜୀବନ ମିଶନ ଲକ୍ଷ୍ୟର ଆବଶ୍ୟକତାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିଭଳି ଭାବେ ପ୍ରୋ- ପ୍ଲାନେଟ ପିପୁଲ ହେଉଛି ଏଭଳି ଏକ ଆନ୍ଦୋଳନ ଯାହାକି ଜଳବାୟୁ ପରିବର୍ତନର ଆହ୍ୱାନ ସହିତ ଲଢ଼ିବା ପାଇଁ ପ୍ରତ୍ୟେକ ସମୁଦାୟକୁ, ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଜଳବାୟୁ ଦାୟିତ୍ୱ ସହିତ ଯୋଡ଼ୁଛି। ଏହା କେବଳ କଥା ମଧ୍ୟରେ ସୀମିତ ନୁହେଁ, ବରଂ ଭାରତ ସରକାରଙ୍କ କାର୍ଯ୍ୟରେ ମଧ୍ୟ ଏହା ପ୍ରତିଫଳିତ ହୋଇଥାଏ। ବିଗତ ବର୍ଷମାନଙ୍କର ପ୍ରୟାସ ସବୁକୁ ଆଗକୁ ବଢ଼ାଇ ଚଳିତ ବର୍ଷର ବଜେଟରେ ଜଳବାୟୁ ସଂପର୍କୀତ କାର୍ଯ୍ୟକଳାପ ଉପରେ ବହୁ ଅଧିକ ପ୍ରାଥମିକତା ଦିଆଯାଇଛି। ଏହି ବଜେଟ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ କ୍ଷେତ୍ରରେ ସବୁଜ ଭବିଷ୍ୟତର ଭାରତର ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବାକୁ ଯାଉଛି।

ସାଥୀଗଣ,

ଜଳବାୟୁ ଏବଂ ଅନ୍ୟାନ୍ୟ ଦିଗଗୁଡ଼ିକ କାରଣରୁ ଭାରତର କୃଷି ସମ୍ମୁଖରେ ଯେଉଁସବୁ ଆହ୍ୱାନ ରହିଛି, ସେଗୁଡ଼ିକ ସହିତ ଲଢ଼ିବା ପାଇଁ ଭାରତର ସମସ୍ତ ପ୍ରୟାସରେ ଆପଣ ସମସ୍ତ ବିଶେଷଜ୍ଞ, ବୈଜ୍ଞାନିକ, ଟେକ୍ନିସିଆନମାନେ ଖୁବ ଭଲ ଭାବେ ପରିଚିତ ଅଛନ୍ତି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହା ମଧ୍ୟ ଜାଣନ୍ତି ଯେ ଭାରତରେ 15 କୃଷି- ଜଳବାୟୁ ମଣ୍ଡଳ ରହିଛି । ଆମର ଏଠାରେ, ବସନ୍ତ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ ଆଉ ଶୀତ, ଏହି 6 ଋତୁ ମଧ୍ୟ ହୋଇଥାଏ। ଅର୍ଥାତ ଆମ ପାଖରେ କୃଷି ସହିତ ଜଡ଼ିତ ବହୁତ ବିବିଧତା ଭରା ଏବଂ ବହୁତ ପ୍ରାଚୀନ ଅନୁଭବ ରହିଛି। ଏହି ଅନୁଭବର ଲାଭ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ମିଳୁ, ଏଥିପାଇଁ ଇକ୍ରିସାଟ ଭଳି ସଂସ୍ଥାଗୁଡ଼ିକୁ ମଧ୍ୟ ନିଜର ପ୍ରୟାସ ବୃଦ୍ଧି କରିବାକୁ ହେବ। ଆଜି ଆମେ ଦେଶର ପ୍ରାୟ 170 ଜିଲାରେ ମରୁଡ଼ି ପ୍ରତିରୋଧର ସମାଧାନ ପ୍ରଦାନ କରୁଛେ । ଜଳବାୟୁ ଜନିତ ଆହ୍ୱାନରୁ ଆମ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆମର ଦୃଷ୍ଟି ମୌଳିକ ଆଧାରକୁ ଧରି ଭବିଷ୍ୟତ ଆଡକୁ ଅଗ୍ରସର, ଦୁଇଟି ଯାକର ଫ୍ୟୁଜନ ଉପରେ ରହିଛି। ଆମର ଫୋକସ ଦେଶର ସେହି 80 ପ୍ରତିଶତରୁ ଅଧିକ କ୍ଷୁଦ୍ର କୃଷକମାନଙ୍କ ଉପରେ ରହିଛି, ଯେଉଁମାନଙ୍କୁ ଆମର ସବୁଠାରୁ ଅଧିକ ଆବଶ୍ୟକତା ରହିଛି। ଏହି ବଜେଟରେ ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ ଯେ ପ୍ରାକୃତିକ କୃଷି ଏବଂ ଡିଜିଟାଲ କୃଷି ଉପରେ ଅଦ୍ଭୁତପୂର୍ବ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗୋଟିଏ ପଟେ ଆମେ ମାଣ୍ଡିଆ- ମୋଟା ଶସ୍ୟର ପରିସର ବୃଦ୍ଧି କରିବା ଉପରେ ଦୃଷ୍ଟି ଦେଉଛୁ, ରାସାୟନିକ ମୁକ୍ତ କୃଷି ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ, ତେବେ ଅନ୍ୟ ପଟେ ସୌର ପମ୍ପରୁ ନେଇ କୃଷକ ଦ୍ରୋନ ପର୍ଯ୍ୟନ୍ତ କୃଷିରେ ଆଧୁନିକ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରୁଛୁ। ସ୍ୱାଧୀନତାର ଅମୃତ କାଳ ଅର୍ଥାତ ଆଗାମୀ 25 ବର୍ଷ ପାଇଁ କୃଷି ବିକାଶ ଲାଗି ଏହା ଆମ ଦୃଷ୍ଟକୋଣର ଏକ ବହୁତ ବଡ଼ ଅଂଶ।

ସାଥୀଗଣ,

ପରିବର୍ତିତ ଭାରତର ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ପକ୍ଷ ହେଉଛି- ଡିଜିଟାଲ କୃଷି। ଏହା ହେଉଛି ଆମର ଭବିଷ୍ୟତ ଏବଂ ଏଥିରେ ଭାରତର ପ୍ରତିଭାବାନ ଯୁବକ, ବହୁତ ଭଲ କାର୍ଯ୍ୟ କରିପାରିବେ। ଡିଜିଟାଲ କୃଷି ମାଧ୍ୟମରେ ଆମେ କିପରି କୃଷକଙ୍କୁ ସଶକ୍ତ କରି ପାରିବା, ଏଥିପାଇଁ ଭାରତରରେ ନିରନ୍ତର ପ୍ରୟାସ ବୃଦ୍ଧି ପାଉଛି। ଫସଲ ଅମଳ ଲକ୍ଷ୍ୟ ଆକଳନ ହେଉ, ଜମିବାଡି ରେକର୍ଡର ଡିଜିଟାଇଜେସନ ହେଉ, ଦ୍ରୋନ ମାଧ୍ୟମରେ କୀଟନାଶକ ଏବଂ ଉର୍ବରକର ସିଂଚନ ହେଉ, ଏଭଳି ଅନେକ ସେବାରେ ଟେକ୍ନୋଲୋଜିର ଉପଯୋଗ, କୃତ୍ରିମ ବୁଦ୍ଧିମତାର ଉପଯୋଗ ବୃଦ୍ଧି କରାଯାଉଛି। କୃଷକମାନଙ୍କୁ ଶସ୍ତା ଏବଂ ହାଇଟେକ୍ ସେବା ଦେବା ପାଇଁ, କୃଷି ଗବେଷଣା ସହିତ ଜଡିତ ଇକୋ ସିଷ୍ଟମ ଓ ଘରୋଇ କୃଷି- ଟେକ୍ନୋଲୋଜି ବିତରକମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରାଯାଉଛି। ଜଳସେଚନର ଅଭାବ ଥିବା ଅଂଚଳରେ କୃଷକମାନଙ୍କୁ ଅଧିକ ଅମଳକ୍ଷମ, ଉନ୍ନତ ବିହନ, ଜଳ ପରିଚାଳନାକୁ ନେଇ ଆଇସିଏଆର ଏବଂ ଇକ୍ରିସାଟର ଭାଗିଦାରୀ ସଫଳ ହୋଇଛି। ଏହି ସଫଳତାକୁ ଡିଜିଟାଲ କୃଷିରେ ମଧ୍ୟ ସଂପ୍ରସାରିତ କରାଯାଇ ପାରିବ।

ସାଥୀଗଣ,

ସ୍ୱାଧୀନତାର ଅମୃତକାଳରେ ଆମେ ଉଚ୍ଚ କୃଷି ଅଭିବୃଦ୍ଧି ଉପରେ ଦୃଷ୍ଟି ଦେଇ ସମାବେଶୀ ଅଭିବୃଦ୍ଧି ଉପରେ ହିଁ ପ୍ରାଥମିକତା ଦେଉଛୁ। ଆପଣମାନେ ଜାଣିଛନ୍ତି କୃଷି କ୍ଷେତ୍ରରେ ମହିମାନଙ୍କର ଯୋଗଦାନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ହିଁ ପ୍ରୟାସ କରାଯାଉଛି। କୃଷି ମାଧ୍ୟମରେ ଦେଶର ଏକ ବହୁତ ବଡ଼ ଜନସଂଖ୍ୟାକୁ ଦାରିଦ୍ର୍ୟରୁ ଉପରକୁ ଉଠାଇ ଉନ୍ନତ ଜୀବନ ଶୈଳୀ ଆଡ଼କୁ ନେଇଯିବା ପାଇଁ ସାମର୍ଥ୍ୟ ରହିଛି। ଏହି ଅମୃତକାଳ କଠିନ ଭୌଗୋଳିକ ପରିସ୍ଥିତିରେ ଚାଷବାସ କରୁଥିବା କୃଷକମାନଙ୍କୁ ସମସ୍ୟାରୁ ମୁକ୍ତ କରିବା ପାଇଁ ନୂତନ ମାଧ୍ୟମ ମଧ୍ୟ ଯୋଗାଇ ଦେବା। ଆମେ ଦେଖିଛୁ, ଜଳସେଚନର ଅଭାବ ଯୋଗୁଁ ଦେଶର ଏକ ବହୁତ ବଡ଼ ଭାଗ ସବୁଜ ବିପ୍ଳବର ଅଂଶ ହୋଇ ପାରି ନଥିଲା। ଆମେ ଏବେ ଦ୍ୱିପାକ୍ଷୀୟ ରଣନୀତି ଉପରେ କାର୍ଯ୍ୟ କରୁଛୁ। ଗୋଟିଏ ପଟେ ଜଳ ସଂରକ୍ଷଣ ମାଧ୍ୟମରେ, ନଦୀଗୁଡ଼ିକୁ ସଂଯୋଗ କରି, ଏକ ବ୍ୟାପକ କ୍ଷେତ୍ରକୁ ଜଳସେଚନ ପରିବେଶକୁ ଅଣାଯାଉଛି, ଆଉ ଏବେ ମୁଁ ପ୍ରାରମ୍ଭରେ ଏଠାକାର ସମସ୍ତ ଉପଲବ୍ଧିକୁ ଦେଖୁଥିଲି, ସେଥିରେ ବୁନ୍ଦେଲଖଣ୍ଡରେ କିଭଳି ଭାବେ ଜଳ ପରିଚାଳନାକୁ ଏବଂ ‘ଗୋଟିଏ ବୁନ୍ଦା ଜଳ- ଅଧିକ ଫସଲ’କୁ ସଫଳ କରିବାରେ କିପରି ସଫଳତା ମିଳିଛି, ତାହାର ସଫଳତା ସମ୍ପର୍କରେ ବୈଜ୍ଞାନିକମାନେ ବିସ୍ତୃତ ଭାବେ ବର୍ଣ୍ଣନା କରୁଥିଲେ। ସେହିପରି ଅନ୍ୟ ପକ୍ଷରେ, ଆମେ କମ୍ ଜଳସେଚିତ ଅଂଚଳରେ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବା ପାଇଁ ଅଣୁ- ଜଳସେଚନ ଉପରେ ଗୁରୁତ୍ୱ ଦେଉଛୁ। ଯେଉଁ ଫସଲକୁ କମ୍ ପାଣିର ଆବଶ୍ୟକତା ରହିଛି, ଆଉ ଯାହା ଜଳର ଅଭାବରୁ ପ୍ରଭାବିତ ହେବ ନାହିଁ ତାହାକୁ ମଧ୍ୟ ଆଧୁନିକ କିସମର ବିକାଶ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ଯେଉଁ ଜାତୀୟ ମିଶନ ଆରମ୍ଭ କରାଯାଇଛି, ତାହା ମଧ୍ୟ ଆମର ନୂତନ ଆଭିମୁଖ୍ୟକୁ ଦର୍ଶାଉଛି। ଆଗାମୀ 5 ବର୍ଷରେ ଆମର ଲକ୍ଷ୍ୟ ପାମ୍ ଅଏଲ ଚାଷ ଅଂଚଳକୁ ସାଢେ 6 ଲକ୍ଷ ହେକ୍ଟରକୁ ବୃଦ୍ଧି କରିବାର ଅଛି। ଏଥି ପାଇଁ ଭାରତ ସରକାର କୃଷକମାନଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି। ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କୃଷକମାନଙ୍କ ପାଇଁ ମଧ୍ୟ ଏହି ମିଶନ ବହୁତ ଲାଭଦାୟକ ହେବ। ମୋତେ ଅବଗତ କରାଯାଇଛି ଯେ ତେଲଙ୍ଗାନାର କୃଷକମାନେ ପାମ୍ ଅଏଲ ଚାଷକୁ ନେଇ ବହୁତ ବଡ଼ ଲକ୍ଷ୍ୟ ରଖିଛନ୍ତି। ସେମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଯଥାସମ୍ଭବ ସହାୟତା କରିବେ।

ସାଥୀଗଣ,

ବିଗତ କିଛି ବର୍ଷରେ ଭାରତରେ ଅମଳ- ପରବର୍ତୀ ଭିତିଭୂମିକୁ ମଧ୍ୟ ସୁଦୃଢ଼ କରାଯାଇଛି। ନିକଟରେ କିଛି ବର୍ଷ ମଧ୍ୟରେ 35 ମିଲିୟନ ଟନ୍ ର ଶୀତଳ ଶୃଙ୍ଖଳ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ସରକାର ଯେଉଁ 1 ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମି ପାଣ୍ଠି ଗଠନ କରିଛନ୍ତି, ସେଥିଯୋଗୁଁ ମଧ୍ୟ ଅମଳ ପରବର୍ତୀ ଭିତିଭୂମିର ଦ୍ରୁତ ଗତିରେ ବିକାଶ ହୋଇଛି। ଆଜି ଭାରତରେ ଆମେ ଏଫପିଓଜ୍ ଏବଂ କୃଷି ମୂଲ୍ୟ ଶୃଙ୍ଖଳର ନିର୍ମାଣ ଉପରେ ମଧ୍ୟ ବହୁତ ଦୃଷ୍ଟି ଦେଉଛୁ। ଦେଶର କ୍ଷୁଦ୍ର ଚାଷୀମାନଙ୍କୁ ହଜାର- ହଜାର ଏଫପିଓଜ୍ ମାଧ୍ୟମରେ ସଂଗଠିତ କରି ଆମେ ସେମାନଙ୍କୁ ଏକ ସଚେତନ ଏବଂ ବଡ଼ ବଜାରର ଶକ୍ତି କରିବାକୁ ଚାହୁଁଛୁ।

ସାଥୀଗଣ,

ଭାରତର ଅର୍ଦ୍ଧ ଶୁଷ୍କ କ୍ଷେତ୍ରରେ କାର୍ଯ୍ୟ କରିବା ଦିଗରେ ଇକ୍ରିସାଟ ପାଖରେ ସମୃଦ୍ଧ ଅଭିଜ୍ଞତା ରହିଛି। ଏଥିପାଇଁ ଏହି ଅର୍ଦ୍ଧ ଶୁଷ୍କ ଅଂଚଳ ନିମନ୍ତେ ଆମକୁ ମିଳିମିଶି, କୃଷକମାନଙ୍କୁ ସାଙ୍ଗରେ ନେଇ ନିରନ୍ତର ଏବଂ ବିବିଧ ଉତ୍ପାଦନ ବ୍ୟବସ୍ଥା ବିକଶିତ କରିବାକୁ ହେବ। ନିଜର ଅନୁଭବକୁ ପୂର୍ବ ଏବଂ ଦକ୍ଷିଣ ଆଫ୍ରିକାର ଦେଶ ସହିତ ବିନିମୟ କରିବା ପାଇଁ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇ ପାରିବ। ଆମର ଲକ୍ଷ୍ୟ କେବଳ ଖାଦ୍ୟଶସ୍ୟର ଉତ୍ପାଦନ ବୃଦ୍ଧି କରିବା ପାଇଁ ନୁହେଁ। ଆଜି ଭାରତ ଏକ ଖାଦ୍ୟଶସ୍ୟ ବଳକା ଦେଶ ହୋଇପାରିଛି, ଯେଉଁ ଶକ୍ତି ଆଧାରରେ ଆମେ ବିଶ୍ୱର ଏତେ ବଡ଼ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଚଳାଉଛୁ, ଏବେ ଆମେ ଖାଦ୍ୟ ସୁରକ୍ଷା ସହିତ ପୋଷଣ ସୁରକ୍ଷା ଉପରେ ମଧ୍ୟ ଦୃଷ୍ଟି ଦେଉଛୁ। ଏହି ଲକ୍ଷ୍ୟ ସହିତ ବିଗତ 7 ବର୍ଷ ମଧ୍ୟରେ ଅନେକ ଜୈବ- ଆଧାରିତ କିସମ ବିକାଶ କରିଛୁ। ଏବେ ନିଜ କୃଷିକୁ ବିବିଧତାପୂର୍ଣ୍ଣ କରିବା ପାଇଁ, ମରୁଡ଼ି ପ୍ରଭାବିତ କ୍ଷେତ୍ରରେ ଅଧିକ ଉତ୍ପାଦନ ଲାଗି, ଅଧିକ ରୋଗ ଏବଂ ପୋକ ସହଣୀ କ୍ଷମତା ଥିବା କିସମ ଉପରେ ଆମକୁ ଅଧିକ କାର୍ଯ୍ୟ କରିବାର ଅଛି।

ସାଥୀଗଣ,

ଇକ୍ରିସାଟ, ଆଇସିଏଆର ଏବଂ କୃଷି ବିଶ୍ୱ ବିଦ୍ୟାଳୟଗୁଡ଼ିକ ସହିତ ମିଶି ଆଉ ଏକ ପଦକ୍ଷେପ ଉପରେ କାର୍ଯ୍ୟ କରାଯାଇ ପାରିବ। ଏହି କ୍ଷେତ୍ର ହେଉଛି ଜୈବ ଇନ୍ଧନର। ଆପଣମାନେ ତ’ ମିଠା ଯଅ (ବାଜରା) ଉପରେ କାର୍ଯ୍ୟ କରି ଚାଲିଛନ୍ତି। ଆପଣ ଏଭଳି ବିହନ ପ୍ରସ୍ତୁତ କରି ପାରିବେ ଯାହାଦ୍ୱାରା ମରୁଡ଼ି ପ୍ରଭାବିତ କୃଷକ, ଅବା କମ୍ ଚାଷଜମି ଥିବା କୃଷକ ଅଧିକ ଜୈବ ଇନ୍ଧନ ଦେଉଥିବା ଫସଲ ଫଳାଇ ପାରିବେ । ବିହନ କିଭଳି ପ୍ରଭାବଶାଳୀ ଢ଼ଂଗରେ ଯୋଗାଇ ଦିଆଯିବା ହେଉ, ତାହା ପ୍ରତି କୃଷକମାନଙ୍କ ଉପରେ କିଭଳି ବିଶ୍ୱାସ ସୃଷ୍ଟି କରାଯାଇ ପାରିବ, ଏହାକୁ ନେଇ ମଧ୍ୟ ମିଳିମିଶି ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

ସାଥୀଗଣ,

ମୋର ବିଶ୍ୱାସ ଯେ ଆପଣଙ୍କ ଭଳି ନବସୃଜନାତ୍ମକ ଚିନ୍ତାଧାରାର ସହାୟତାରେ, ଜନ ଭାଗିଦାରୀରେ ଏବଂ ସମାଜର ପ୍ରତିବଦ୍ଧତା ଦ୍ୱାରା ଆମେ କୃଷି ସହିତ ଜଡ଼ିତ ସମସ୍ତ ଆହ୍ୱାନ ଉପରେ ବିଜୟ ପ୍ରାପ୍ତ କରି ପାରିବା। ଭାରତ ଏବଂ ବିଶ୍ୱର କୃଷକମାନଙ୍କ ଜୀବନକୁ ଉନ୍ନତ କରିବାରେ ଆପଣ ଅଧିକ ସମର୍ଥ ହୁଅନ୍ତୁ, ଉନ୍ନତରୁ ଉନ୍ନତତର ବୈଷୟିକ ସମାଧାନ ଦେଇ ଚାଲନ୍ତୁ, ଏହି କାମନା ସହିତ ପୁଣିଥରେ ଇକ୍ରିସାଟକୁ ଏହି ମହତ୍ୱପୂର୍ଣ୍ଣ ସୋପାନରେ, ଅନେକ ଭବ୍ୟ ଅତୀତକୁ ଅଭିନନ୍ଦନ ଜଣାଇ, ଉଜ୍ଜ୍ୱଳ ଭବିଷ୍ୟତର କାମନା କରି ଦେଶର କୃଷକମାନଙ୍କ ମାନ-ସମ୍ମାନ ଏବଂ ଗୌରବ ଭାବେ ଆପଣଙ୍କର ଏହି ପୁରୁଷାର୍ଥ କାର୍ଯ୍ୟରେ ଆସୁ, ଏଥିପାଇଁ ମୋର ବହୁତ- ବହୁତ ଶୁଭକାମନା, ବହୁତ- ବହୁତ ଶୁଭେଚ୍ଛା!

ଧନ୍ୟବାଦ!  

***** 

AH


(Release ID: 1795878) Visitor Counter : 164