ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

୭୩ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

Posted On: 25 JAN 2022 7:45PM by PIB Bhubaneshwar

ପ୍ରିୟ ଦେଶବାସୀ !

ନମସ୍କାର !

୧) ତେସ୍ତରୀ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶ ବିଦେଶରେ ରହୁଥିବା ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଏହି ଦିବସ ଆମ ସମସ୍ତଙ୍କ ପାଇଁ ସମାନ ଏବଂ ଏହା ଆମର ଭାରତୀୟତାର ପ୍ରତୀକ ହୋଇଥିବାରୁ ଏହାକୁ ପାଳନ କରିବାର ଆବଶ୍ୟକତା ଅପରିହାର୍ଯ୍ୟ । ୧୯୫୦ର ଏହି ଦିବସରେ ଆମ ରାଷ୍ଟ୍ରୀୟତାର ପବିତ୍ର ସାରାଂଶ ଏକ ଆନୁଷ୍ଠାନିକ ରୂପ ନେଇଥିଲା । ସେହିଦିନ ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ପ୍ରତିଷ୍ଠିତ ହୋଇ, “ଆମେ ଭାରତବାସୀ” ଏହାର ସମ୍ବିଧାନକୁ ପ୍ରବର୍ତ୍ତନ କରିଥିଲୁ । ଆମ ଗଣତନ୍ତ୍ରର ବିବିଧତା ଓ ସ୍ପନ୍ଦନ ସାରା ବିଶ୍ୱ ଦ୍ୱାରା ସ୍ୱୀକୃତ । ଏକ ରାଷ୍ଟ୍ର ହିସାବରେ ଏକତାର ଚେତନାରେ ଆମେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଉତ୍ସବ ପାଳନ କରି ଆସୁଛୁ । ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷର ଗଣତନ୍ତ୍ର ଦିବସ ଉତ୍ସବ ପ୍ରଭାବିତ ହୋଇଥିଲେ ମଧ୍ୟ ଏହାର ଉତ୍ସାହ ପୂର୍ବଭଳି ରହିଛି ।

 ୨) ଏହି ଅବସରରେ ଆସନ୍ତୁ ଆମର ସେହି ମହାନ୍ ମୁକ୍ତି ସଂଗ୍ରାମୀମାନଙ୍କୁ ସ୍ମରଣ କରିବା । ସେମାନେ ସ୍ୱରାଜ ପ୍ରତିଷ୍ଠା ଲକ୍ଷ୍ୟରେ ଅତୁଳନୀୟ ସାହସ ପ୍ରଦର୍ଶନ କରି ଲୋକଙ୍କ ମନରେ ସଂଗ୍ରାମର ବହ୍ନି ସୃଷ୍ଟି କରିଥିଲେ । ଦୁଇଦିନ ତଳେ ଜାନୁୟାରୀ ୨୩ତାରିଖରେ, ଆମେ ସମସ୍ତେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିଛୁ । ସେ ଥିଲେ ‘ଜୟହିନ୍ଦ’ ସମ୍ବୋଧନର ସ୍ରଷ୍ଟା ଏବଂ ଏହାକୁ ସେ ବିଧିବଦ୍ଧଭାବେ କାର୍ଯ୍ୟରେ ରୂପାୟିତ କରିଥିଲେ । ସ୍ୱାଧୀନତା ପାଇଁ ତାଙ୍କ ଅନ୍ୱେଷଣ ଓ ଭାରତକୁ ଗର୍ବିତ କରିବାର ଅଭିଳାଷ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରେ ।

 ୩) ଆମ ସମ୍ବିଧାନ ପ୍ରଣୟନ ସଭା ଯେଉଁ ନଥି ପ୍ରସ୍ତୁତ କରିଛି ତାହାର ପ୍ରସ୍ତୁତିରେ ସେହି ସମୟର ଶ୍ରେଷ୍ଠତମ ମସ୍ତିଷ୍କମାନ ନିୟୋଜିତ ହୋଇଥିଲା । ସେଥିପାଇଁ ଆମେ ବିଶେଷ ଭାଗ୍ୟବାନ । ସେମାନେ ଆମ ମୁକ୍ତି ସଂଗ୍ରାମର ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ । ଦୀର୍ଘ ବର୍ଷ ପରେ ଭାରତର ଆତ୍ମାର ପୁନଃ ଜାଗରଣ ହୋଇଥିଲା ଏବଂ ସେହି ଅନନ୍ୟ ପୁରୁଷ ଓ ମହିଳାମାନେ ଏକ ନୂଆ ପ୍ରଭାତର ଅଗ୍ରଦୂତ ଥିଲେ । ସେମାନେ ସମ୍ବିଧାନର ପ୍ରତ୍ୟେକ ଧାରା ଉପଧାରାକୁ ତନ୍ନତନ୍ନ କରି ଆଲୋଚନା କରିବା ସହିତ ସବୁ ବାକ୍ୟାଂଶ, ଶବ୍ଦକୁ ଜନସାଧାରଣଙ୍କ ପକ୍ଷରୁ ପରଖି ଦେଖିଥିଲେ । ସମ୍ବିଧାନର ଚିଠା ପ୍ରସ୍ତାବ ଉପରେ ପ୍ରାୟ ଦୀର୍ଘ ୩ବର୍ଷ କଳା ବିଚାର ଆଲୋଚନା ଓ ମନ୍ଥନ କରାଯାଇଥିଲା । ଅବଶେଷରେ ଡକ୍ଟର ବାବାସାହେବ ଆମ୍ବେଦକର ସମ୍ବିଧାନ ଲେଖନ କମିଟିର ଅଧ୍ୟକ୍ଷଭାବେ ଏହାର ଚୂଡାନ୍ତ ଚିଠା ପ୍ରସ୍ତୁତ କରିଥିଲେ । ତାହାହିଁ ଶେଷରେ ସମ୍ବିଧାନର ମୂଳ ନଥି ପାଲଟିଥିଲା । 

୪) ସମ୍ବିଧାନରେ ରାଷ୍ଟ୍ରର କାର୍ଯ୍ୟ ସମ୍ପର୍କରେ ଯେଉଁ ସବିଶେଷ ଉଲ୍ଲେଖ ରହିଛିି ତାହା ବେଶ୍ ଦୀର୍ଘ । ସମ୍ବିଧାନର ମୁଖ୍ୟବନ୍ଧରେ ରାଷ୍ଟ୍ର ଶାସନର ନିର୍ଦ୍ଦେଶାବଳୀ ସଂକ୍ଷେପରେ ଉଲ୍ଲେଖ କରାଯାଇଛି । ସେଥିରେ ଗଣତନ୍ତ୍ର, ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ନୀତି ଗୁରୁତ୍ୱ ପାଇଛି । ଏହି ସବୁ ନୀତିକୁ ଆଧାର କରି ଆମ ସାଧାରଣତନ୍ତ୍ର ଦଣ୍ଡାୟମାନ ହୋଇଛି । ଏହିସବୁ ମୂଲ୍ୟବୋଧର ଆମେ ସାମୂହିକ ଉତ୍ତରାଧିକାରୀ ।

୫) ନାଗରିକଙ୍କ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ଆଧାରରେ ଏସବୁ ମୂଲ୍ୟବୋଧ ଆମ ସମ୍ବିଧାନରେ ଅଗ୍ରାଧିକାର ପାଇଛି । ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଉଭୟପାର୍ଶ୍ଵ । ସମ୍ବିଧାନରେ ଉଲ୍ଲେଖିତ ମୌଳିକ କର୍ତ୍ତବ୍ୟର ପରିପାଳନ ମାଧ୍ୟମରେ ମୌଳିକ ଅଧିକାର ଉପଯୋଗ କରିବାର ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇଥାଏ । ରାଷ୍ଟ୍ରୀୟ ସେବା ପାଇଁ ପ୍ରଦତ୍ତ ଆହ୍ୱାନରେ ଅନୁପ୍ରାଣିତ ହୋଇ କୋଟି କୋଟି ଦେଶବାସୀ ଜାତୀୟ ମୌଳିକ କର୍ତବ୍ୟ ସମ୍ପାଦନ ମାଧ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିଛନ୍ତି । ସେମାନଙ୍କ ଉଦ୍ୟମରେ କୋଭିଡ ଟିକାକରଣ ଅଭିଯାନ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି । ଏହିସବୁ ଅଭିଯାନର ସଫଳତାର ଶ୍ରେୟ ଅନେକାଂଶରେ ଆମ ଦାୟିତ୍ୱସମ୍ପନ୍ନ ନାଗରିକଙ୍କର । ମୁଁ ନିଶ୍ଚିତ ଯେ ଆମ ଜନତା ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ସବୁ ଅଭିଯାନକୁ ଆଗକୁ ନିରନ୍ତର ସୁଦୃଢ ଓ ବ୍ୟାପକ କରିବେ ଏବଂ ଏଥିରେ ସମାନ ଉତ୍ସର୍ଗୀକୃତ ମନୋଭାବ ନେଇ ସକ୍ରିୟତାର ସହ ସାମିଲ ହେବେ ।

୬) ୧୯୪୯ ନଭେମ୍ବର ୨୬ତାରିଖରେ ଭାରତର ସମ୍ବିଧାନ ଗୃହୀତ ଓ ବୈଧିକୃତ ହୋଇଥିଲା । ସେହି ଦିବସଟିକୁ ଏବେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ତେବେ ଏହାର ପ୍ରବର୍ତ୍ତନ ଦୁଇମାସ ପରେ ହୋଇଥିଲା । ଏହା କରିବା ପଛରେ ଉଦ୍ଦେଶ୍ୟ ଥିଲା ୧୯୩୦ର ସେହି ଦିନର ସଂକଳ୍ପକୁ ମନେ ରଖିବା । ୧୯୩୦ରୁ ୧୯୪୭ଯାଏ ପ୍ରତିବର୍ଷ ଜାନୁୟାରୀ ୨୬କୁ ପୂର୍ଣ୍ଣ ସ୍ୱରାଜ ଦିବସଭାବେ ପାଳନ କରାଯାଉଥିଲା । ସେହି ଦିନଟିକୁ ବାଛି ସମ୍ବିଧାନକୁ ପ୍ରବର୍ତ୍ତନ କରିବାର ନିଷ୍ପତ୍ତି ହୋଇଥିଲା । 

୭) ପୂର୍ଣ୍ଣ ସ୍ୱରାଜ କିପରି ପାଳନ କରାଯିବା ଉଚିତ ସେ ବିଷୟରେ ମହାତ୍ମା ଗାନ୍ଧୀ ୧୯୩୦ରେ ଲେଖିଥିଲେ । ତାଙ୍କ ଲେଖାକୁ ମୁଁ ଉଦ୍ଧାର କରୁଛି ।

ସେ ଲେଖିଥିଲେ, “ ମନେରଖ, ଆମେ ଯେହେତୁ ଆମର ଲକ୍ଷ୍ୟ ଅହିଂସା ଓ ସତ୍ୟ ମାର୍ଗରେ ହାସଲ କରିବାକୁ ଆଗ୍ରହୀ ଥିଲୁ , ସେଥିପାଇଁ ଆମକୁ ଆତ୍ମଶୁଦ୍ଧି ମାଧ୍ୟମରେ କାର୍ଯ୍ୟ କରିବାକୁ ପଡିବ । ଅତଏବ ଆମେ ଏହି ଦିବସଟିକୁ ସେଭଳି କିଛି ଗଠନମୂଳକ କାମରେ ଆମ କ୍ଷମତା ମୁତାବକ ବିନିଯୋଗ କରିବା ଆବଶ୍ୟକ ।”

୮) କହିବା ଅନାବଶ୍ୟକ ଯେ ଗାନ୍ଧିଜୀଙ୍କ ପରାମର୍ଶ ଶାଶ୍ୱତ । ଆଜି ମଧ୍ୟ ସେ ଆମକୁ ସେହିଭଳି ଗଣତନ୍ତ୍ର ଦିବସ ପାଳନ କରିବାକୁ କହିଥାନ୍ତେ । ଅନ୍ତର୍ଦୃଷ୍ଟି ଓ ଆତ୍ମସମୀକ୍ଷା ମାଧ୍ୟମରେ ଉତ୍ତମ ମଣିଷ ହୋଇ ତା’ପରେ ବାହାରକୁ ଦେଖିବାକୁ, ଅନ୍ୟ ସହିତ ହାତ ମିଳାଇବାକୁ ଏବଂ ଉତ୍ତମ ଭାରତ, ଉତ୍ତମ ପୃଥିବୀ ନିର୍ମାଣରେ ଅବଦାନ ରଖିବାକୁ ସେ ଆମକୁ କହିଥିଲେ ।

 ପ୍ରିୟ ଦେଶବାସୀ

୯) ଏବେ ସମଗ୍ର ବିଶ୍ୱ ଯେପରି ସହାୟତା ଲୋଡୁଛି ଆଗରୁ ସେମିତି କେବେ ହୋଇ ନ ଥିଲା । ଦୁଇବର୍ଷରୁ ଅଧିକ ସମୟ ଧରି ସମଗ୍ର ମାନବଜାତି କରୋନା ଭୂତାଣୁ ସହିତ ଲଢେଇ କରୁଛି । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଛି । ବିଶ୍ୱ ଅର୍ଥନୀତି ଉପରେ ଏହାର ଗୁରୁତର କୁପ୍ରଭାବ ପଡିଛି । ସାରା ପୃଥିବୀ ଅଭୂତପୂର୍ବ ଦୁଃଖ ଓ ଦୁର୍ଦ୍ଦଶା ଭୋଗୁଛି । ତୁହାକୁ ତୁହା ନୂଆ ପ୍ରଜାତିର କରୋନା ଭୂତାଣୁ ନୂଆ ନୂଆ ସଙ୍କଟ ସୃଷ୍ଟି କରୁଛି । ଏହା ସମଗ୍ର ମାନବଜାତି ପାଇଁ ଏକ ଅସାଧାରଣ ଆହ୍ୱାନ ।

୧୦) ଭାରତରେ ମହାମାରୀ ପରିଚାଳନା ବିଶେଷ ଜଟିଳ ହେବା ପ୍ରାୟ ନିଶ୍ଚିତ ଥିଲା । ଆମର ବିପୁଳ ଜନସଂଖ୍ୟା ଓ ଉଚ୍ଚ ବିକାଶଶୀଳ ଅର୍ଥନୀତି ଦୃଷ୍ଟିରୁ ଏହି ଅଦୃଶ୍ୟ ଶତ୍ରୁର ମୁକାବିଲା ପାଇଁ ଆମ ପାଖରେ ଆବଶ୍ୟକ ସମ୍ବଳ ଓ ଭିତ୍ତିଭୂମିର ଅଭାବ ରହିଥିଲା । ମାତ୍ର ଏଭଳି ଏକ ଜଟିଳ ସମୟରେ ହିଁ ଆମ ରାଷ୍ଟ୍ରର ସହନଶୀଳତା ଓ ସାମର୍ଥ୍ୟ ଉକୁଟି ଉଠିଲା । କରୋନା ଭୂତାଣୁ ବିରୋଧରେ ଆମେ ଅତୁଳନୀୟ ସଂକଳ୍ପ ପ୍ରଦର୍ଶନ କରି ଏହାର ମୁକାବିଲା କରିଛୁ ବୋଲି ମୁଁ ଗର୍ବର ସହ କହୁଛି । ପ୍ରଥମବର୍ଷରେ ହିଁ ଆମେ ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବଢାଇବା ସହିତ ଦ୍ୱିତୀୟ ବର୍ଷରେ ନିଜ ଦେଶରେ ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲୁ । ଏହା ସହିତ ବିଶ୍ୱ ଇତିହାସର ସର୍ବବୃହତ୍ ଟିକାଦାନ ଅଭିଯାନ ଆରମ୍ଭ କରିଥିଲୁ । ଆମ ଦେଶରେ ଏବେ କରୋନା ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ମହାମାରୀ ସମୟରେ ଆମେ ବିଭିନ୍ନ ଦେଶକୁ ଟିକା, ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାରେ ସକ୍ଷମ ହୋଇଛୁ। ଭାରତର ଏହି କାର୍ଯ୍ୟକୁ ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ପ୍ରଶଂସା କରିଛନ୍ତି । 

୧୧) କରୋନା ଭୂତାଣୁ ନୂଆ ନୂଆ ରୂପରେ ଆସୁଥିବାରୁ ଆମକୁ ବିପତିର ସମ୍ମୁଖୀନ ହେବାକୁ ଅବଶ୍ୟ ପଡିଛି । ଅଗଣିତ ପରିବାର ଏଇ ବିପତ୍ତିକାଳରେ ଅତ୍ୟନ୍ତ କଷ୍ଟକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଆମର ଏହି ସାମୁହିକ ଆଘାତ ଓ କ୍ଷତିକୁ ବର୍ଣ୍ଣନା କରିବାକୁ ଭାଷା ନାହିଁ । ସବୁଠୁ ବଡ ଆଶ୍ୱାସନାହେଲା ଏହି ସାମୁହିକ ବିପର୍ଯ୍ୟୟ ମଧ୍ୟରେ ଅନେକ ଜୀବନ ରକ୍ଷା କରାଯାଇପାରିଛି । ଏବେ ମଧ୍ୟ ମହାମାରୀ ବ୍ୟାପି ରହିଥିବାରୁ ଆମକୁ ସତର୍କ କରିବାକୁ ପଡିବ ଏବଂ ଏଥିରେ କୌଣସି ଢିଲା ଦେବାର ଅକକାଶ ନାହିଁ । ଆମେ ଏଯାଏ ଯେଉଁସବୁ ସତର୍କତା ଅବଲମ୍ବନ କରିଆସିଛୁ ତାହାକୁ ବଜାୟ ରଖିବାକୁ ପଡିବ । ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ରକ୍ଷା କୋଭିଡ ନୀତି ନିୟମପାଳନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଆମ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହି ମହାମାରୀ ସମୟରେ ଆମକୁ ଯେଉଁସବୁ ସତର୍କତା ପାଳନ କରିବାକୁ ପରାମର୍ଶ ଦେଉଛନ୍ତି ତାହାକୁ ପାଳନ କରିବା ପ୍ରତ୍ୟେକ ନାଗରିକଙ୍କ ଏକ ଜାତୀୟ କିର୍ତ୍ତବ୍ୟ । ଏହି ସଂକଟର ଅବସାନ ହେବାଯାଏ ଆମକୁ ଏହି କର୍ତ୍ତବ୍ୟ ପାଳନ କରିବାକୁ ହେବ । 

୧୨) ଏକ ସଙ୍କଟ ସମୟରେ ଆମେ ସବୁ ଭାରତୀୟ ଗୋଟିଏ ପରିବାର ଭଳି ପରସ୍ପର ସହିତ ଯେପରି ଯୋଡି ହୋଇପାରିଛୁ ତାହା ମଧ୍ୟ ପ୍ରଶଂସାଯୋଗ୍ୟ । ସାମାଜିକ ଦୂରତା ରକ୍ଷାର ସମୟ ଆମକୁ ପରସ୍ପର ମଧ୍ୟରେ ଅଧିକ ନିକଟତର ଓ ନିବିଡ କରିଛି । ପରସ୍ପର ଉପରେ ନିର୍ଭର କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ଅନୁଭବ କରିଛୁ । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀମାନେ ମହାମାରୀ ଆହ୍ୱାନର ମୁକାବିଲା କରିବାରେ ଯଥାର୍ଥ ଅବଦାନ ରଖିଛନ୍ତି । ସେମାନେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ନିଜ ଜୀବନକୁ ବିପନ୍ନ କରି ଦୀର୍ଘ ସମୟ ଯାଏ ରୋଗୀସେବା କରିଛନ୍ତି । ଅନ୍ୟମାନେ ମଧ୍ୟ ଦେଶକୁ ଗତିଶୀଳ ଅବସ୍ଥାରେ ରଖିବାକୁ ସମର୍ଥ ହୋଇଛନ୍ତି । ଯୋଗାଣ ଶୃଙ୍ଖଳ ଓ ସେବାକୁ ପାରୁ ପର୍ଯ୍ୟନ୍ତ ଅବ୍ୟାହତ ରଖିବାରେ ସମ୍ପୃକ୍ତ କର୍ମଚାରୀ ସଫଳତା ଲାଭ କରିଛନ୍ତି । ଦେଶର ନେତୃମଣ୍ଡଳୀ, ନୀତି ନିର୍ମାତା, ପ୍ରଶାସକ ଓ ଅନ୍ୟମାନେ କେନ୍ଦ୍ରୀୟ ତଥା ପ୍ରାଦେଶିକସ୍ତରରେ ଏଥିରେ ସମୟୋଚିତ ସହଯୋଗ ରଖିଛନ୍ତି ।

୧୩) ଏସବୁ ହସ୍ତକ୍ଷେପ ଓ ସହଯୋଗ ଯୋଗୁଁ ଗତବର୍ଷ ମନ୍ଥର ହୋଇଥିବା ଦେଶର ଅର୍ଥନୀତି ପୁନର୍ବାର ଗତିଶୀଳ ହୋଇଛି । ସକଳ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୀତି ଚଳିତ ଆଥିକ ବର୍ଷରେ ଏକ ଆକର୍ଷଣୀୟ ହାରରେ ବୃଦ୍ଧି ପାଇବାକୁ ଯାଉଥିବା ଆମ ସାମୁହିକ ଚେତନା ଓ ଭାରତୀୟ ମିଳିତ ପ୍ରୟାସର ଏକ ବଳିଷ୍ଠ ପ୍ରମାଣ। ପୂର୍ବବର୍ଷ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାକୁ ଏହା ପ୍ରମାଣିତ କରୁଛି । ଦେଶର ଅର୍ଥନୀତିର ସବୁ କ୍ଷେତ୍ରରେ ସଂସ୍କାର ଆଣିବାକୁ ସରକାର ଅଦମ୍ୟ ପ୍ରୟାସ ଜାରି ରଖିଛନ୍ତିି । ଯେଉଁଠି ଆବଶ୍ୟକ ପଡୁଛି ସେଠାରେ ସରକାର ସହଯୋଗର ହାତ ବଢାଉଛନ୍ତି । କୃଷି ଓ ମାନୁଫ୍ୟାକଚରିଙ୍ଗ କ୍ଷେତ୍ରରେ ଉନ୍ନତି ଯୋଗୁଁ ଦେଶର ଅର୍ଥନୀତିରେ ଏହି ଆକର୍ଷଣୀୟ ପ୍ରଦର୍ଶନ ସମ୍ଭବ ହୋଇଛି । ଆମର ଚାଷୀ, ବିଶେଷକରି ଯୁବ କୃଷିଜୀବୀମାନେ ନିଜର ସ୍ୱଳ୍ପ ଜମିରେ ଆଗ୍ରହର ସହ ପ୍ରାକୃତିକ ଚାଷବାସ ଅଧିକରୁ ଅଧିକ କରୁଥିବା ଜାଣି ମୁଁ ଆନନ୍ଦିତ । 

୧୪) ଲୋକଙ୍କୁ ରୋଜଗାର ଯୋଗାଣ ଓ ଅର୍ଥନୀତିକୁ ଗତିଶୀଳ କରିବାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଆମର ନବସୃଜନକାରୀ ଯୁବ ଉଦ୍ୟୋଗୀ ଷ୍ଟାର୍ଟଅପ ପରିବେଶର ଉପଯୋଗ କରି ସଫଳତାର ନୂଆ ବେଞ୍ଚମାର୍କ ସୃଷ୍ଟି କରିଛନ୍ତି । ଦେଶର ବିରାଟ ଓ ସୁଦୃଢ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ତାହାର ଏକ ବଳିଷ୍ଠ ଉଦାହରଣ । ଏହା ମାଧ୍ୟମରେ ପ୍ରତିମାସରେ ନିୟୁତ ନିୟୁତ ଡିଜିଟାଲ କାରବାର ହେଉଛି । 

୧୫) ବଡ ଜନସଂଖ୍ୟାର ଲାଭ ଉଠାଇବା ପାଇଁ ସରକାର ନୂଆ ଜାତୀୟ ଶିକ୍ଷା ନୀତିରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିଛନ୍ତି । ସେଥିରେ ପାରମ୍ପରିକ ମୂଲ୍ୟବୋଧ ଓ ଆଧୁନିକ କୌଶଳର ଯଥାର୍ଥ ସମ୍ମିଶ୍ରଣ ଘଟିଛି । ଆନନ୍ଦର କଥା ଯେ ଭାରତ ବିଶ୍ୱର ୫୦ ଅଗ୍ରଣୀ ଅର୍ଥନୀତି ମଧ୍ୟରେ ସ୍ଥାନିତ ହୋଇଛି । ଆହୁରି ସନ୍ତୋଷଜନକ ବିଷୟ ହେଲା ଆମେ ସାମଗ୍ରୀକ ସମାବେଶୀ ନୀତି କାର୍ଯ୍ୟକାରୀ କରୁଥିବାବେଳେ ମେଧା ଓ ପ୍ରତିଭାକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ ।

ଦେବୀ ଓ ସଜ୍ଜନ

୧୬) ଗତବର୍ଷ ଆମ କ୍ରୀଡାବିତ୍‌ମାନେ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଦର୍ଶନ ଜରିଆରେ ଆମ ପାଇଁ ଗୌରବ ଓ ଆନନ୍ଦଆଣିଛନ୍ତି । ଏହି ଯୁବ ଚାମ୍ପିୟନମାନଙ୍କ ଆତ୍ମବିଶ୍ୱାସ କୋଟି କୋଟି ଲୋକଙ୍କୁ ଆଜି ଅନୁପ୍ରାଣିତ କରୁଛି ।

୧୭) ବିଭିନ୍ନ କ୍ଷେତ୍ରରେ ଆମର ଲୋକମାନଙ୍କ ନିଜର ଅଙ୍ଗୀକାର ଓ ଶ୍ରମ ଦ୍ୱାରା ସମାଜ ଓ ଦେଶକୁ କିପରି ସୁଦୃଢ କରିଛନ୍ତି ତାହାର ଉଦାହରଣମାନ ମୁଁ ଗତ କେଇମାସ ମଧ୍ୟରେ ଲକ୍ଷ୍ୟ କରିଛି । ସେଥିମଧ୍ୟରୁ ମୁଁ ମାତ୍ର ଦୁଇଟି ଉଦାହରଣ ଦେବି । ଭାରତୀୟ ନୌବାହିନୀର ଏକ ଉତ୍ସର୍ଗୀକୃତ ଦଳ ଏବଂ କୋଚିନ ସିପିୟାର୍ଡ ଲିମିଟେଡ ଇତିମଧ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନଏସ୍ ବିକ୍ରାନ୍ତର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ତାହା ଖୁବ୍ ଶୀଘ୍ର ନୌସେନାରେ ସାମିଲ ହେବ । ଏହି ଆଧୁନିକ ସାମରିକ ଦକ୍ଷତା ଯୋଗୁଁ ଭାରତ ଏବେ ବିଶ୍ୱର ପ୍ରମୁଖ ନୌଶକ୍ତି ମଧ୍ୟରେ ସ୍ଥାନିତ ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏହା ଏକ ଆକର୍ଷଣୀୟ ସଫଳତା । ଏହା ବ୍ୟତୀତ ମୋର ଆଉ ଏକ ସ୍ୱତନ୍ତ୍ର ଅନୁଭୂତି ରହିଛି ଯାହା ବେଶ୍ ମାର୍ମିକ । ଏହି ଅନୁଭୂତି ମୁଁ ହରିୟାଣାର ଭିୱାନୀ ଜିଲ୍ଲାର ଏକ ଛୋଟ ଗାଁ ‘ସୁଇ’ରୁ ଆସିଛି । ‘ସ୍ୱପ୍ରେରିତ ଗ୍ରାମ ଯୋଜନା’ରେ ଏହି ଗ୍ରାମର ଲୋକମାନେ ନିଜ ଗାଁର ସ୍ଥିତି ବଦଳାଇବାରେ ସମର୍ଥ ହୋଇଛନ୍ତି । ଏହା ପଛରେ ରହିଛି ସେମାନଙ୍କର ସମ୍ବେଦନଶୀଳତା ଓ ଅଭିନିବେଶ । ଏଥିରେ ଗ୍ରାମପ୍ରତି ଥିବା ଆକର୍ଷଣ ଓ ମମତ୍ୱବୋଧର ନିରୋଳା ଭାବ ଦେଖିବାକୁ ମିଳେ । ସବୁ ଗାଁରେ ଏଭଳି ପରିବର୍ତ୍ତନ ଆସିବା ଉଚିତ । ସେହି ଗାଁର କୃତଜ୍ଞ ଲୋକଙ୍କ ହୃଦୟରେ ଜନ୍ମମାଟି ପ୍ରତି ଜୀବନବ୍ୟାପୀ ପ୍ରେମ ଓ ସମ୍ମାନର ଝଲକ ଦେଖିବାକୁ ମିଳେ । ଏହି ଉଦାହରଣ ମୋ ବିଶ୍ୱାସକୁ ଆହୁରି ଦୃଢତର କଲା ଯେ ନୂଆ ଭାରତ ଆତ୍ମପ୍ରକାଶ କରୁଛି - ଏକ ସଶକ୍ତ ଭାରତ, ସମ୍ବେଦନଶୀଳ ଭାରତର ଆତ୍ମପ୍ରକାଶ ହେଉଛି । ମୁଁ ନିଶ୍ଚିତ ଯେ ଏହି ଉଦାହରଣରୁ ପ୍ରେରଣା ନେଇ ଅନ୍ୟ ସମ୍ବଳବାନ୍ ଲୋକ ନିଜ ନିଜର ଗ୍ରାମ ଓ ସହରର ବିକାଶ ପାଇଁ ଅବଦାନ ରଖିବେ । 

 ୧୮) ଏହି ପ୍ରସଙ୍ଗରେ ମୁଁ ମୋର ଏକ ବ୍ୟକ୍ତିଗତ ଅନୁଭୂତି ଆପଣଙ୍କ ସହ ବାଂଟିବାକୁ ଚାହୁଁଛି । ଗତବର୍ଷ ଜୁନ ମାସରେ ମୋର ନିଜ ଜନ୍ମମାଟି ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ପରୌଖଁକୁ ଯିବାର ସୁଯୋଗ ମିଳିଥିଲା । ସେଠାରେ ପହଞ୍ଚିବା ପରେ ସ୍ୱାଭାବିକଭାବେ ଏହି ପବିତ୍ର ମାଟିକୁ ସମ୍ମାନ ଜଣାଇବାର ଭାବନା ମୋ ଭିତରେ ଉଦ୍ରେକ ହେଲା । ମୁଁ ମୋ ଗାଁ ମାଟିରୁ ଟିପେ ଆଣି ମୁଣ୍ଡରେ ଲଗାଇଲି ।

ମୋର ବିଶ୍ୱାସ ଯେ ଗାଁର ଆଶୀର୍ବାଦ ଯୋଗୁଁ ମୁଁ ରାଷ୍ଟ୍ରପତିଭବନରେ ପହଞ୍ଚିବାକୁ ସମର୍ଥ ହେଲି । ପୃଥିବୀର ଯେଉଁଠି ଥାଏ ନା କାହିଁକି ମୋ ଗାଁ ମୋ ଦେଶ ସର୍ବଦା ମୋର ହୃଦୟରେ ଥାଏ । ନିଜର ପ୍ରତିଭା ଓ କଠୋର ଶ୍ରମ ଦ୍ୱାରା ହିଁ ଜୀବନର ସଫଳ ହୋଇଥିବା ଭାରତୀୟମାନଙ୍କୁ ମୋ ଅନୁରୋଧ, ସେମାନେ ସର୍ବଦା ନିଜର ଜଡପିଣ୍ଡ, ନିଜର ଗାଁ, ସହର ଓ ନଗରକୁ ମନେ ରଖନ୍ତୁ । ଆହୁରିମଧ୍ୟ ଆପଣମାନେ ଯେକୌଣସି ବାଟରେ ଯଥାସମ୍ଭବ ନିଜର ଜନ୍ମସ୍ଥାନ ଓ ଦେଶର ସେବା କରିବାକୁ ଚେଷ୍ଟା କରନ୍ତୁ । ଯଦି ଦେଶର ସବୁ ସଫଳ ଲୋକ ନିଜର ଜନ୍ମ ମାଟିର ଉନ୍ନତି ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ତେବେ ସମଗ୍ର ଦେଶ ଏଭଳି ସ୍ଥାନୀୟ ବିକାଶର ଲାଭ ପାଇପାରିବ ।

 

ପ୍ରିୟ ଦେଶବାସୀ: 

୧୯) ଆଜି ଆମର ସୈନିକ ଓ ସୁରକ୍ଷା କର୍ମଚାରୀମାନେ ଜାତୀୟ ଗର୍ବର ଉତରାଧିକାର ବହନ କରୁଛନ୍ତି । ହିମାଳୟର ଅସହ୍ୟ ଥଣ୍ଡା ଓ ମରୁଭୂମିର ନାହିଁ ନ ଥିବା ତାତି ମଧ୍ୟରେ ସେମାନେ ନିଜ ପରିବାରଠାରୁ ବହୁ ଦୂରରେ ରହି ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ସଶନ୍ତ୍ର ବାହିନୀର ନିରନ୍ତର ସତର୍କତା ଯୋଗୁଁ ଆମ ସୀମାରେଖା ସୁରକ୍ଷିତ ରହିଛି ଏବଂ ପୁଲିସ କର୍ମଚାରୀମାନେ ଦେଶର ଆଭ୍ୟନ୍ତରୀଣ ନିରାପତାକୁ ବଜାୟ ରଖିଥିବାରୁ ଦେଶବାସୀ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଛନ୍ତି । ଯେତେବେଳେ ଜଣେ ବୀର ଯବାନ ସହିଦ ହୁଅନ୍ତି ସେତେବେଳେ ସମଗ୍ର ଦେଶ ଦୁଃଖ ଅନୁଭବ କରେ । ଗତମାସରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ଆମେ ଦେଶର ଜଣେ ଅତି ସାହସୀ କମାଣ୍ଡର ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନେକ ବୀର ସୈନିକଙ୍କୁ ହରାଇଥିଲୁ । ଏହି ବିୟୋଗାନ୍ତକ ଘଟଣାରେ ସମଗ୍ର ଦେଶ ଗଭୀର ଭାବେ ଦୁଃଖାଭିଭୂତ ହୋଇଥିଲା । 

ଦେବୀ ଓ ସଜ୍ଜନ

୨୦) ଦେଶପ୍ରେମ ନାଗରିକଙ୍କ ମଧ୍ୟରେ ଦାୟିତ୍ୱବୋଧକୁ ସୁଦୃୃଢ କରେ । ଆପଣ ଜଣେ ଡାକ୍ତର ହୁଅନ୍ତୁ ଅବା ଆଇନଜୀବୀ କିମ୍ବା ଦୋକାନୀ ବା ଅଫିସ କର୍ମଚାରୀ, ସଫେଇ କର୍ମଚାରୀ ବା ଜଣେ ଶ୍ରମିକ ସେଥିରେ କିଛି ଯାଏ ଆସେ ନାହିଁ । ନିଜର କର୍ତ୍ତବ୍ୟ ଉପଯୁକ୍ତଭାବେ ଦକ୍ଷତାର ସହ ନିର୍ବାହ କରିବା ଦ୍ୱାରା ଆପଣ ଦେଶକୁ ପ୍ରଥମ ଓ ସର୍ବୋତମ ଅବଦାନ ଯୋଗାଉଛନ୍ତି । 

୨୧) ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ କମାଣ୍ଡର ହିସାବରେ ମୁଁ ଆନନ୍ଦର ସହ ଉଲ୍ଲେଖ କରୁଛିି ଯେ ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ମହିଳା ସଶକ୍ତିକରଣ ପାଇଁ ଏ ବର୍ଷଟି ଏକ ଐତିହାସିକ ବର୍ଷ ପାଲଟିଛି । ଆମ ଝିଅମାନେ ସବୁ ପ୍ରତିବନ୍ଧକକୁ ହଟାଇ ସଫଳତାର ଉଚ୍ଚସ୍ତରକୁ ଛୁଇଁଛନ୍ତି । ପ୍ରତିରକ୍ଷା ବାହିନୀର ନୂଆ ନୂଆ କ୍ଷେତ୍ରରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ବା ପରମାନେଣ୍ଟ କମିଶନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଆହୁରି ମଧ୍ୟ ଆମ ସେନାର ପ୍ରତିଭା ଯୋଗାଣ ବ୍ୟବସ୍ଥା ଏହା ଦ୍ୱାରା ବଢିବ । ସୈନିକ ସ୍କୁଲ ଓ ସମ୍ମାନଜନକ ଜାତୀୟ ପ୍ରତିରକ୍ଷା ଏକାଡେମୀରୁ ଝିଅମାନେ ଶିକ୍ଷା ଲାଭ କରି ଆସି ପ୍ରତିରକ୍ଷା ବାହିନୀରେ ଏଣିକି ସାମିଲ ହେବେ । ଏହାଫଳରେ ଆମ ସଶସ୍ତ୍ରବାହୀନୀରେ ଥିବା ଲିଙ୍ଗଗତ ଭାରସାମ୍ୟ ଅଧିକ ଭଲ ହେବ ।

 ୨୨) ଭବିଷ୍ୟତ ଆହ୍ୱାନର ମୁକାବିଲା କରିବାକୁ ଭାରତ ଏବେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି ଏବଂ ସେ ନେଇ ମୁଁ ଆଶ୍ୱସ୍ତ । ଏକବିଂଶ ଶତାବ୍ଦୀ ଜଳବାୟୁ ପରିବର୍ତ୍ତନର ଯୁଗ ହେବାକୁ ଯାଉଛି । 

ଏ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ତାହାର ନେତୃତ୍ୱ ଭୂମିକା ଗ୍ରହଣ କରି ନୂଆ ମାର୍ଗ ଦେଖାଉଛି । ନିଜର ସୁଦୃଢ ଓ ମହତାକାଂକ୍ଷୀ ଅକ୍ଷୟ ଊର୍ଜା କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଏ କ୍ଷେତ୍ରରେ ବିଶ୍ୱକୁ ଦିଗ୍‌ଦର୍ଶନ ଦେଉଛି । ବ୍ୟକ୍ତିଗତ ସ୍ତରରେ ଆମେ ପ୍ରତ୍ୟେକ ଗାନ୍ଧିଜୀଙ୍କ ପରାମର୍ଶକୁ ମନେ ପକାଇ ଆମ ଚତୁଃପାଶ୍ୱର୍ର ଦୁନିଆକୁ ବଦଳାଇ ପାରିବା ଓ ଏହାର ସ୍ଥିତିରେ ଉନ୍ନତି ଆଣିପାରିବା । ଭାରତ ସର୍ବଦା ସମଗ୍ର ବିଶ୍ୱକୁ ଗୋଟିଏ କୁଟୁମ୍ବ ଭାବେ ବିଚାର କରିଆସିଛି । ମୁଁ ନିଶ୍ଚିତ ଯେ ଏହି ବିଶ୍ୱ ଭ୍ରାତୃଭାବର ଚେତନାରେ ଅନୁପ୍ରାଣିତ ହୋଇ ଆମ ଦେଶ ଓ ସମଗ୍ର ବିଶ୍ୱ ସମୁଦାୟ ଏକ ଅଧିକ କ୍ଷମତାଭିତ୍ତିକ ଓ ସମୃଦ୍ଧ ଭବିଷ୍ୟତ ଆଡକୁ ଅଗ୍ରସର ହେବ । 

ଦେବୀ ଓ ସଜ୍ଜନ

୨୩) ଚଳିତବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିବ । ଏଥିପାଇଁ ଆମେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛୁ । ଆନନ୍ଦର କଥା ଯେ ଆମ ଲୋକେ, ବିଶେଷକରି ଯୁବବର୍ଗ ଏହି ମହୋତ୍ସବ ପାଳନ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେତ୍ତଉତ୍ସାହର ସହିତ ବହୁସଂଖ୍ୟାରେ ଯୋଗ ଦେଉଛନ୍ତି । ଉତରପିଢି ପାଇଁ ଏହା କେବଳ ଏକ ମହାର୍ଘ୍ୟ ସୁଯୋଗ ନୁହେଁ, ଏହା ମଧ୍ୟ ଅତୀତ ସହିତ ପୁନଃ ସଂଯୋଜିତ ହେବାକୁ ଆମ ନିମନ୍ତେ ଅବକାଶ ଆଣିଛି। ଆମର ଚମତ୍କାର ଗୌରବ ମୟ କାହାଣୀରେ ଆମ ମୁକ୍ତି ସଂଗ୍ରାମ ଏକ ପ୍ରେରଣାଦାୟୀ ଅଧ୍ୟାୟ । ସ୍ୱାଧୀନତାର ଏହି ୭୫ବର୍ଷ ମଧ୍ୟରେ ଯେଉଁ ମୂଲ୍ୟବୋଧ ଗୌରାବାତ୍ମକ ଜାତୀୟ ଆନ୍ଦୋଳନକୁ ଜୀବନ୍ତ କଲା ଆସନ୍ତୁ ତାହାକୁ ପୁନଃ ଆବିଷ୍କାର କରିବା । ଆମ ସ୍ୱାଧୀନତା ପାଇଁ ଅନେକ ନରନାରୀ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ।ଆମ ମୁକ୍ତିସଂଗ୍ରାମୀମାନେ ଅଚିନ୍ତନୀୟ, ଦୁଃଖ, ଯନ୍ତ୍ରଣା ଓ ନିର୍ଯାତନା ଭୋଗ କରି ଆମ ପାଇଁ ଅସୀମ ତ୍ୟାଗ କରିଥିଲେ । ସେହି ତ୍ୟାଗର ପ୍ରତିଦାନରେ ସେମାନେ ଆମ ପାଇଁ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଉତ୍ସବ ଉପଭୋଗ କରିବାର ସୁଯୋଗ ସୃଷ୍ଟି କରିପାରିଛନ୍ତି । ଆସନ୍ତୁ ଗଣତନ୍ତ୍ର ଦିବସ ପାଳନ ଅବସରରେ ସେମାନଙ୍କ ଅବିନାଶୀ ତ୍ୟାଗକୁ ପରମ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରିବା ।

ଦେବୀ ଓ ସଜ୍ଜନ

 ୨୪)ଭାରତ ଏକ ପ୍ରାଚୀନ ସଭ୍ୟତା ; କିନ୍ତୁ ଏକ ଯୁବ ରାଷ୍ଟ୍ର । ଆମ ପାଇଁ ରାଷ୍ଟ୍ରନିର୍ମାଣ ଏକ ନିରନ୍ତର ପ୍ରୟାସ । ଏକ ପରିବାର ଭଳି, ଦେଶରେ ମଧ୍ୟ ପରବର୍ତ୍ତୀ ପିଢିର ସୁଖସମୃଦ୍ଧି ପାଇଁ ଗୋଟିଏ ପିଢିକୁ କଠୋର ପରିଶ୍ରମ କରିବାକୁ ପଡିଥାଏ । ଆମେ ଯେତେବେଳେ ସ୍ୱାଧୀନତା ଲାଭ କଲୁ ସେତେବେଳକୁ ଉପନିବେଶବାଦୀ ଶାସନର ଶୋଷଣ ଯୋଗୁ ଆମେ ଉତ୍କଟ ଦାରିଦ୍ର‌୍ୟ ମଧ୍ୟରେ ରହିଥିଲୁ । ଏବେ କିନ୍ତୁ ବିଗତ ୭୫ବର୍ଷ ମଧ୍ୟରେ ଆମେ ବେଶ ପ୍ରଭାବଶାଳୀ ପ୍ରଗତି ହାସଲ କରିପାରିଛୁ । ଉତର ପିଢି ପାଇଁ ଅନେକ ନୂଆ ସୁଯୋଗ ସୁବିଧା ଅପେକ୍ଷା କରିଛି । ଆମର ଯୁବ ସମାଜ ଏହାର ସୁଯୋଗ ନେଇ ସଫଳତାର ନୂଆମାନଙ୍କ ସ୍ଥାପନ କରିସାରିଲେଣି । ଏହି ଶକ୍ତି, ବିଶ୍ୱାସ, ଉଦ୍ୟମିତାର ସହିତ ଆମ ଦେଶ ପ୍ରଗତି ପଥରେ ଆଗେଇ ଚାଲିବ ଓ ବୈଶ୍ୱିକସ୍ତରରେ ନିଜର ସାମର୍ଥ୍ୟ ଅନୁରୂପ ଯଥାର୍ଥ ସ୍ଥାନ ସୁନିଶ୍ଚିତ କରି ପାରିବ ବୋଲି ମୋର ଦୃଢ ବିଶ୍ୱାସ ।

୨୫) ପୁନର୍ବାର ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଉଛି । 

ଧନ୍ୟବାଦ

ଜୟହିନ୍ଦ୍‌

TM

 

 

 


(Release ID: 1792610) Visitor Counter : 348