ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡିଆ ଗେଟଠାରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
प्रविष्टि तिथि:
23 JAN 2022 10:36PM by PIB Bhubaneshwar
ଏହି ଐତିହାସିକ କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଅମିତ୍ ଶାହ, ଶ୍ରୀ ହରଦୀପ ସିଂ ପୁରୀ ମହୋଦୟ, ମନ୍ତ୍ରୀମଣ୍ଡଳର ଅନ୍ୟାନ୍ୟ ସଦସ୍ୟ, ଆଇଏନଏର ସମସ୍ତ ଟ୍ରଷ୍ଟି, ଏନଡିଏମଏର ସମସ୍ତ ସଦସ୍ୟଗଣ, ଜୁରି ସଦସ୍ୟ, ଏନଡିଆରଏଫ, ତଟରକ୍ଷୀ ବାହିନୀ ଏବଂ ଆଇଏମଡିର ମହାନିର୍ଦ୍ଦେଶକ, ବିପର୍ଯ୍ୟୟ ପରିଚାଳନା ପୁରସ୍କାରର ସମସ୍ତ ବିଜେତା ସାଥୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଭାଇ ଓ ଉଉଣୀମାନେ!
ଭାରତ ମାତାର ବୀର ସୁପୁତ୍ର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ସମଗ୍ର ଦେଶ ତରଫରୁ ମୁଁ ଆଜି କୋଟି କୋଟି ପ୍ରଣାମ କରୁଛି । ଏହି ଦିନ ଐତିହାସିକ ଅଟେ, ଏହି କାଳଖଣ୍ଡ ମଧ୍ୟ ଐତିହାସିକ ଅଟେ ଏବଂ ଏହି ସ୍ଥାନ, ଯେଉଁଠାରେ ଆମେ ସମସ୍ତେ ଏକତ୍ରିକ ହୋଇଛୁ, ତାହା ମଧ୍ୟ ଐତିହାସିକ ଅଟେ । ଭାରତର ଗଣତନ୍ତ୍ରର ପ୍ରତୀକ ଆମର ସଂସଦ ଏଇ ନିକଟରେ ରହିଛି, ଆମର କାର୍ଯ୍ୟକଳାପ ଏବଂ ଲୋକମାନଙ୍କ ପ୍ରତି କର୍ତବ୍ୟନିଷ୍ଠାର ପ୍ରତୀକ ଅନେକ ଭବନ ମଧ୍ୟ ଆମର ଏହିଠାରୁ ଦୃଶ୍ୟମାନ ହେଉଛି, ଆମର ବୀର ଶହୀଦମାନଙ୍କୁ ସମର୍ପିତ ଜାତୀୟ ଯୁଦ୍ଧ ସ୍ମାରକୀ ମଧ୍ୟ ନିକଟରେ ରହିଛି । ଏହିସବୁ ସ୍ଥାନର ଆଲୋକରେ ଆଜି ଆମେ ଇଣ୍ଡିଆ ଗେଟଠରେ ଅମୃତ ମହୋତ୍ସବ ପାଳନ କରୁଛୁ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ନେତାଜୀ ସୁଭାଷ, ଯିଏ ଆମକୁ ସ୍ୱାଧୀନ ଏବଂ ସାର୍ବଭୌମ ଭାରତର ବିଶ୍ୱାସ ପ୍ରଦାନ କରିଥିଲେ, ଯିଏ ଖୁବ ଗର୍ବର ସହିତ, ଖୁବ୍ ଆତ୍ମବିଶ୍ୱାସର ସହିତ, ଖୁବ୍ ସାହସର ସହିତ ଇଂରେଜ ଶାସନ ଆଗରେ କହିଥିଲେ – “ ମୁଁ ଭିକରେ ସ୍ୱାଧୀନତା ନେବି ନାହିଁ, ମୁଁ ଏହାକୁ ହାସଲ କରିବି” । ଯିଏ ଭାରତ ମାଟିରେ ପ୍ରଥମ ସ୍ୱାଧୀନ ସରକାର ସ୍ଥାପନ କରିଥିଲେ, ଆମର ସେହି ନେତାଜୀଙ୍କ ଭବ୍ୟ ପ୍ରତିମୂର୍ତି ଆଜି ଡିଜିଟାଲ ସ୍ୱରୂପରେ ଇଣ୍ଡିଆ ଗେଟ ନିକଟରେ ସ୍ଥାପନ କରାଯାଉଛି । ଖୁବ ଶୀଘ୍ର ଏହି ହେଲୋଗ୍ରାମ ପ୍ରତିମା ସ୍ଥାନରେ ଗ୍ରାନାଇଟରେ ନିର୍ମିତ ବିଶାଳ ପ୍ରତିମୂର୍ତି ମଧ୍ୟ ସ୍ଥାପନ କରାଯିବ । ଏହି ପ୍ରତିମା ସ୍ୱାଧୀନତାର ମହାନାୟକଙ୍କୁ କୃତଜ୍ଞ ରାଷ୍ଟ୍ରର ଶ୍ରଦ୍ଧାଞ୍ଜଳି ଅଟେ । ନେତାଜୀ ସୁଭାଷଙ୍କ ଏହି ପ୍ରତିମା ଆମର ଗଣତାନ୍ତ୍ରିକ ସଂସ୍ଥାଗୁଡିକୁ, ଆମର ପିଢୀକୁ ରାଷ୍ଟ୍ରୀୟ କର୍ତବ୍ୟକୁ ହୃଦୟଙ୍ଗମ କରାଇବ, ଆଗାମୀ ପିଢୀମାନଙ୍କୁ, ବର୍ତମାନ ପିଢୀକୁ ନିରନ୍ତର ପ୍ରେରଣା ଯୋଗାଇ ଚାଲିବ ।
ବନ୍ଧୁଗଣ,
ଗତ ବର୍ଷ ଠାରୁ ଦେଶ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ପାଳନ କରିବା ଆରମ୍ଭ କରିଛି । ଆଜି ପରାକ୍ରମ ଦିବସ ଅବସରରେ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି । ନେତାଜୀଙ୍କ ଜୀବନରୁ ପ୍ରେରଣା ନେଇ ହିଁ ଏହି ପୁରସ୍କାରଗୁଡିକୁ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଥିଲା । ୨୦୧୯ରୁ ୨୦୨୨ ମସିହା ପର୍ଯ୍ୟନ୍ତ, ସେହି ସମୟର ବିଜେତାମାନଙ୍କୁ, ସମସ୍ତ ବ୍ୟକ୍ତିଙ୍କୁ, ସମସ୍ତ ସଂଗଠନଗୁଡିକୁ, ଯେଉଁମାନଙ୍କୁ ଆଜି ସମ୍ମାନିତ କରିବାର ଅବସର ମିଳିଛି, ସେହି ସମସ୍ତଙ୍କୁ ମଧ୍ୟ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଆମ ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ଯେଉଁଭଳି ଭାବରେ ମନୋଭାବ ରହିଛି, ତାକୁ ନେଇ ଏକ ପ୍ରବାଦ ଅତ୍ୟନ୍ତ ଉପଯୁକ୍ତ ମନେହୁଏ – ଯେତେବେଳେ ଶୋଷ ଲାଗିବ ସେତେବେଳେ କୂଅ ଖୋଳିବ । ଏବଂ ଯେପରି ମୁଁ କାଶୀ କ୍ଷେତ୍ରରୁ ଆସିଛି ସେଠାରେ ତ ଆଉ ଏକ ପ୍ରବାଦ ରହିଛି । ସେମାନେ କୁହନ୍ତି – ଭୋଜ ଘଡି କୋହଡା ରୋପେ । ଅର୍ଥାତ୍, ବାହାଘର ବେଳେ ବାଇଗଣ ରୋଇବା । ଅର୍ଥ କୌଣସି ପର୍ବପର୍ବାଣି କିମ୍ବା ଭୋଜି ଆସିଲେ ହିଁ ବାଇଗଣ ରୋଇବା ଭଳି କଥା । ଅର୍ଥାତ୍ ଯେତେବେଳେ ବିପର୍ଯ୍ୟୟ ପୁରା ମୁଣ୍ଡ ଉପରେ ସେତେବେଳେ ସେଥିରୁ ବଂଚିବାର ଉପାୟ ଖୋଜାଯାଉଥିଲା । କେବଳ ଏତିକି ନୁହେଁ, ଆଉ ଏକ ଆଶ୍ଚର୍ଯ୍ୟଜନକ ବ୍ୟବସ୍ଥା ଥିଲା ଯାହା ବିଷୟରେ ଖୁବ କମ ଲୋକ ଜାଣନ୍ତି । ଆମ ଦେଶରେ ବର୍ଷ ବର୍ଷ ଧରି ବିପର୍ଯ୍ୟୟର ବିଷୟ କୃଷି ବିଭାଗ ନିକଟରେ ଥିଲା । ଏହାର ମୂଳ କାରଣ ଏହା ଥିଲା ଯେ, ବନ୍ୟା, ଅତ୍ୟଧିକ ବର୍ଷା, କୁଆପଥର ବର୍ଷା, ଏଭଳି ଯେଉଁ ପରିସ୍ଥିତି ସୃଷ୍ଟି ହେଉଥିଲା, ତାର ମୁକାବିଲା କରିବାର ଦାୟିତ୍ୱ ଏବଂ ସେ ସମ୍ବନ୍ଧୀୟ ସବୁପ୍ରକାର ଜିନିଷ କୃଷି ମନ୍ତ୍ରଣାଳୟ ପାଖରେ ହିଁ ଥିଲା । ଦେଶରେ ବିପର୍ଯ୍ୟୟ ପରିଚାଳନା ଏହିଭଳି ହିଁ ଚାଲି ଆସୁଥିଲା । କିନ୍ତୁ ୨୦୦୧ରେ ଗୁଜରାଟରେ ଭୂମିକମ୍ପ ଆସିବା ପରେ ଯାହା ସବୁ ଘଟିଲା, ତାହା ଦେଶକୁ ନୂଆ ଉପାୟରେ ଭାବିବାକୁ ବାଧ୍ୟ କଲା । ଏବେ ଏହା ବିପର୍ଯ୍ୟୟ ପରିଚାଳନାର ଅର୍ଥ ବଦଳାଇ ଦେଲା । ଆମେ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କଲୁ । ସେହି ସମୟର ଯେଉଁ ଅନୁଭବ ଥିଲା, ସେଥିରୁ ଶିକ୍ଷା ଗ୍ରହଣ କରି ୨୦୦୩ରେ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ୍ ପ୍ରଣୟନ କରାଗଲା । ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗୁଜରାଟ ଏଭଳି ଆଇନ୍ ପ୍ରଣୟନ କରିବାରେ ଦେଶର ପ୍ରଥମ ରାଜ୍ୟ ପାଲଟିଲା । ପରେ କେନ୍ଦ୍ର ସରକାର, ଗୁଜରାଟର ଆଇନରୁ ଶିକ୍ଷା ଗ୍ରହଣ କରି ୨୦୦୫ରେ ସମଗ୍ର ଦେଶ ପାଇଁ ଏହି ଭଳି ହିଁ ବିପର୍ଯ୍ୟୟ ପରିଚାଳନା ଆଇନ୍ ପ୍ରସ୍ତୁତ କଲେ । ଏହି ଆଇନ୍ ପରେ ହିଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ ପାଇଁ ମାର୍ଗ ପ୍ରଶସ୍ତ ହୋଇଥିଲା । ଏହି ଆଇନ୍ କରୋନା ବିରୋଧି ସଂଗ୍ରାମରେ ଦେଶକୁ ଅନେକ ସାହାଯ୍ୟ କଲା ।
ବନ୍ଧୁଗଣ,
ବିପର୍ଯ୍ୟୟ ପରିଚାଳନାକୁ ପ୍ରଭାବଶାଳୀ କରିବା ପାଇଁ ୨୦୧୪ ପରଠାରୁ ଆମ ସରକାର ରାଷ୍ଟ୍ରୀୟ ସ୍ତରରେ ସବୁ ଦିଗରୁ କାର୍ଯ୍ୟ କରିଛନ୍ତି । ଆମେ ରିଲିଫ, ଉଦ୍ଧାର, ପୁନର୍ବାସ ଉପରେ ଜୋର ଦେବା ସହ ସଂସ୍କାର ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ । ଆମେ ଏନଡିଆରଏଫକୁ ମଜବୁତ କରିଛୁ, ଏହାର ଆଧୁନିକୀକରଣ କରିଛୁ, ସମଗ୍ର ଦେଶରେ ଏହାର ବିସ୍ତାର କରିଛୁ । ଅନ୍ତରୀକ୍ଷ ପ୍ରଯୁକ୍ତିଠାରୁ ନେଇ ଯୋଜନା ଏବଂ ପରିଚାଳନା ପର୍ଯ୍ୟନ୍ତ ସର୍ବୋତମ ସମ୍ଭାବ୍ୟ ରୀତିଗୁଡିକୁ ଗ୍ରହଣ କରିଛୁ । ଆମ ଏନଡିଆରଏଫର ସାଥି, ସବୁ ରାଜ୍ୟର ଏସଡିଆରଏଫ, ଏବଂ ସୁରକ୍ଷା ବଳର ଯବାନ ନିଜ ଜୀବନର ବାଜି ଲଗାଇ, ଗୋଟିଏ ଗୋଟିଏ ଜୀବନ ବଂଚାଇ ଥାଆନ୍ତି । ଏଥିପାଇଁ ଆଜି ଏହି ମୁହୂର୍ତ, ଏହିଭଳି ଜୀବନର ବାଜି ଲଗାଉଥିବା, ଅନ୍ୟର ଜୀବନ ବଂଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଉଥିବା, ସେ ଏନଡିଆରଏଫର ଲୋକ ହୁଅନ୍ତୁ, ବା ଏସଡିଆରଏଫର ଲୋକ ହୁଅନ୍ତୁ, ଆମର ସୁରକ୍ଷା ବଳର ସାଥୀ ହୁଅନ୍ତୁ, ଏହି ସମସ୍ତଙ୍କ ପ୍ରତି ଆଜି କୃତଜ୍ଞତା ଜଣାଇବାର, ସେମାନଙ୍କୁ ସଲାମ କରିବାର ସମୟ ଅଟେ ।
ବନ୍ଧୁଗଣ,
ଯଦି ଆମେ ଆମର ବ୍ୟବସ୍ଥାକୁ ମଜବୁତ କରି ଚାଲିବା, ତାହା ହେଲେ ବିପର୍ଯ୍ୟୟ ମୁକାବିଲା କରିବାର କ୍ଷମତା ଦିନକୁ ଦିନ ବଢି ଚାଲିବ । ମୁଁ ଏହି କରୋନା କାଳର ଗୋଟିଏ ଦୁଇଟି ବର୍ଷର କଥା ଯଦି କହିବି, ତାହାହେଲେ ଏହି ମହାମାରୀ ମଧ୍ୟରେ ବି ଦେଶ ସମ୍ମୁଖରେ ନୂଆ ନୂଆ ବିପତି ଆସି ପହଂଚିଛି । ଗୋଟିଏ ପଟେ କରୋନା ବିରୁଦ୍ଧରେ ତ ଲଢୁଥିଲେ । ଅନେକ ସ୍ଥାନରେ ଭୂମିକମ୍ପ ଆସିଗଲା, କେତେ ଯେ ଯାଗାରେ ବନ୍ୟା ଆସିଗଲା । ଓଡିଶା, ପଶ୍ଚିମବଙ୍ଗ, ସମେତ ପୂର୍ବ ଉପକୂଳରେ ବାତ୍ୟା ଆସିଲା, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମ ଉପକୂଳରେ ମଧ୍ୟ ସାମୁଦ୍ରିକ ଝଡ ଆସିଲା, ପୂର୍ବରୁ ଗୋଟିଏ ଗୋଟିଏ ବାତ୍ୟାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଯାଉଥିଲା, କିନ୍ତୁ ଏଥର ଏଭଳି ହେଲା ନାହିଁ । ଦେଶ ପ୍ରତିଟି ଆହ୍ୱାନର ଜବାବ ଏକ ନୂତନ ଶକ୍ତିର ସହିତ ଦେଲା । ଏହି କାରଣରୁ ଏହି ବିପର୍ଯ୍ୟୟଗୁଡିକରେ ଆମେ ଅଧିକରୁ ଅଧିକ ଜୀବନ ବଂଚାଇବାରେ ସଫଳ ହେଲୁ । ଆଜି ବଡ ବଡ ଅନ୍ତରାଷ୍ଟ୍ରୀୟ ସଂସ୍ଥା, ଭାରତର ଏହି ସାମର୍ଥ୍ୟ, ଭାରତରେ ଆସିଥିବା ଏହି ପରିବର୍ତନର ପ୍ରଶଂସା କରୁଛନ୍ତି । ଆଜି ଆମ ଦେଶରେ ଏଭଳି ଏକ ଆମୂଳଚୁଳ ବାତ୍ୟା ପ୍ରତିକ୍ରିୟା ବ୍ୟବସ୍ଥା ରହିଛି, ଯେଉଁଥିରେ କେନ୍ଦ୍ର, ରାଜ୍ୟ, ସ୍ଥାନୀୟ ପ୍ରଶାସନ ଏବଂ ସମସ୍ତ ସଂସ୍ଥା ଏକାଠି ହୋଇ କାର୍ଯ୍ୟ କରୁଛନ୍ତି । ବନ୍ୟା, ମରୁଡି, ବାତ୍ୟା, ଏହି ସମସ୍ତ ବିପର୍ଯ୍ୟୟ ପାଇଁ ସତର୍କତା ବ୍ୟବସ୍ଥାରେ ଉନ୍ନତି କରାଯାଇଛି । ବିପର୍ଯ୍ୟୟ ବିପଦ ବିଶ୍ଳେଷଣ ପାଇଁ ଅତ୍ୟାଧୁନିକ ଉପକରଣ ପ୍ରସ୍ତୁତ କରାଯାଇଛି, ରାଜ୍ୟଗୁଡିକ ସହାୟତାରେ ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ବିପର୍ଯ୍ୟୟ ବିପତି ନକସା ପ୍ରସ୍ତୁତ କରାଯାଇଛି । ଏହାର ଲାଭ ସବୁ ରାଜ୍ୟକୁ, ସମସ୍ତ ହିତଧାରକଙ୍କୁ ମିଳୁଛି । ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ, ଡିଜାଷ୍ଟର ମ୍ୟାନେଜମେଂଟ – ବିପର୍ଯ୍ୟୟ ପରିଚାଳନା, ଆଜି ଦେଶରେ ଜନ ଭାଗିଦାରୀ ଏବଂ ଜନ ବିଶ୍ୱାସର ବିଷୟ ପାଲଟି ଯାଇଛି । ମତେ କୁହାଯାଇଛି ଯେ ଏନଡିଏମଏର ‘ବିପର୍ଯ୍ୟୟ ମିତ୍ର’ ଭଳି ଯୋଜନା ମାଧ୍ୟମରେ ଯୁବକମାନେ ଆଗକୁ ଆସୁଛନ୍ତି । ବିପର୍ଯ୍ୟୟ ମିତ୍ର ଭାବରେ ଦାୟିତ୍ୱ ନେଉଛନ୍ତି । ଅର୍ଥାତ୍ ଜନ ଭାଗିଦାରୀ ବୃଦ୍ଧି ପାଉଛି । ଯଦି କୌଣସି ସ୍ଥାନରେ ବିପର୍ଯ୍ୟୟ ଘଟୁଛି ତ, ଲୋକମାନେ ପୀଡିତ ହୋଇ ରହୁନାହାନ୍ତି, ସେମାନେ ସ୍ୱେଚ୍ଛାସେବୀ ପାଲଟି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି । ଅର୍ଥାତ୍, ବିପର୍ଯ୍ୟୟ ପରିଚାଳନା ଏବେ ଏକ ସରକାରୀ କାର୍ଯ୍ୟ ହୋଇ ରହି ନାହିଁ, ବରଂ ଏହା ‘ସବକା ପ୍ରୟାସ’ର ଏକ ମଡେଲ ପାଲଟି ଯାଇଛି ।
ଏବଂ ବନ୍ଧୁଗଣ,
ଯେତେବେଳେ ମୁଁ ସମସ୍ତଙ୍କ ପ୍ରୟାସର କଥା କହୁଛି, ସେତେବେଳେ ଏଥିରେ ଆମର ପ୍ରତ୍ୟେକ କ୍ଷେତ୍ରରେ ହେଉଥିବା ପ୍ରୟାସ, ଏକ ସାମଗ୍ରିକ ଆଭିମୁଖ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ବିପର୍ଯ୍ୟୟ ପରିଚାଳନାକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଆମେ ଆମର ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକ ପରିବର୍ତନ କରିଛୁ । ସିଭିଲ ଇଞ୍ଜିନିୟରିଂର ଯେଉଁ ପାଠ୍ୟକ୍ରମ ରହିିଛି, ସ୍ଥାପତ୍ୟ ସହ ଜଡିତ ଯେଉଁ ପାଠ୍ୟକ୍ରମ ରହିଛି, ସେହି ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ସହ ସମ୍ପୃକ୍ତ, ଭିତିଭୂମୀର ସଂରଚନା କିଭଳି ହୋଇପାରିବ, ତାହା ସହିତ ବିଷୟଗୁଡିକୁ ଯୋଡିବା, ଏହିସବୁ କାର୍ଯ୍ୟ ପାଇଁ ପ୍ରୟାସ ଚାଲିଛି । ସରକାର ସେତୁ ଭୁଷୁଡିବା ପରିସ୍ଥିତିର ମୁକାବିଲା ନିମନ୍ତେ ସେତୁ ସୁରକ୍ଷା ଆଇନ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ।
ବନ୍ଧୁଗଣ,
ବିଶ୍ୱରେ ଯେତେବେଳେ କୌଣସି ବିପର୍ଯ୍ୟୟ ଘଟେ, ସେଥିରେ ଲୋକମାନଙ୍କର ଦୁଃଖଦ ମୃତ୍ୟୁର ଚର୍ଚ୍ଚା ହୁଏ, ଯେ ଏତେ ଜଣ ଲୋକଙ୍କର ମୃତ୍ୟୁ ହୋଇଗଲା, ଏତେସବୁ ଏମିତି ହୋଇଗଲା, ଏତେ ଲୋକଙ୍କୁ ସ୍ଥାନାନ୍ତର କରାଗଲା, ଆର୍ଥିକ କ୍ଷତି ମଧ୍ୟ ବହୁତ ହୋଇଥାଏ । ତାହାର ମଧ୍ୟ ଚର୍ଚ୍ଚା କରାଯାଏ । କିନ୍ତୁ ବିପର୍ଯ୍ୟୟ ଯୋଗୁଁ ଯେଉଁ ଭିତିଭୂମୀର କ୍ଷତି ହୋଇଥାଏ, ତାହା କଳ୍ପନାର ଉର୍ଦ୍ଧ୍ୱରେ ଥାଏ । ଏଥିପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଯେ ଆଜିର ସମୟରେ ଭିତିଭୂମୀର ନିର୍ମାଣ ଏଭଳି ହେବା ଆବଶ୍ୟକ ଯାହା ବିପର୍ଯ୍ୟୟ ସମୟରେ ମଧ୍ୟ ତିଷ୍ଠି ରହିପାରିବ, ତାର ସାମନା କରିପାରିବ । ଭାରତ ଆଜି ଏହି ଦିଗରେ ମଧ୍ୟ ଦୃତ ଗତିରେ କାର୍ଯ୍ୟ କରୁଛି । ଯେଉଁସବୁ କ୍ଷେତ୍ରରେ ଭୂମିକମ୍ପ, ବନ୍ୟା କିମ୍ବା ବାତ୍ୟା ବିପଦ ଅଧିକ ରହିଥାଏ, ସେଠାରେ ପିଏମ ଆବାସ ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ଗୃହଗୁଡିକରେ ମଧ୍ୟ ଏସବୁ ପ୍ରତି ଧ୍ୟାନ ଦିଆଯାଉଛି । ଉତରାଖଣ୍ଡରେ ଯେଉଁ ଚାରି ଧାମ ମହା-ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି, ସେଥିରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତି ଧ୍ୟାନ ଦିଆଯାଇଛି । ଉତର ପ୍ରଦେଶରେ ଯେଉଁ ନୂତନ ଏକ୍ସପ୍ରେସ ୱେ ନିର୍ମାଣ କରାଯାଉଛି, ସେଥିରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ସହ ଜଡିତ ବିଶେଷତାଗୁଡିକୁ ପ୍ରାଥମିକତା ଦିଆଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଏହି ଏକ୍ସପ୍ରେସ ୱେ, ବିମାନ ଅବତରଣ କାର୍ଯ୍ୟରେ ଲାଗିପାରୁ, ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହା ହେଉଛି ନୂତନ ଭାରତର ଲକ୍ଷ୍ୟ ଅଟେ, ନୂତନ ଭାରତର ଭାବିବାର ଢଙ୍ଗ ଅଟେ ।
ବନ୍ଧୁଗଣ,
ବିପର୍ଯ୍ୟୟ ଅଦମ୍ୟ ଭିତିଭୂମୀର ଏହି ଚିନ୍ତାଧାରା ସହିତ ଭାରତ ବିଶ୍ୱକୁ ମଧ୍ୟ ଏକ ବହୁତ ବଡ ସଂସ୍ଥାର ଧାରଣା ଦେଇଛି, ଉପହାର ଦେଇଛି । ଏହି ସଂସ୍ଥା ହେଉଛି – ସିଡିଆରଆଇ – କୋଆଲିସନ୍ ଫର ଡିଜାଷ୍ଟର ରେସିଲିଏଂଟ ଇନଫ୍ରାଷ୍ଟ୍ରକଚର । ଭାରତର ଏହି ପଦକ୍ଷେପରେ ବ୍ରିଟେନ ଆମର ପ୍ରମୁଖ ସାଥୀ ହୋଇଛି ଏବଂ ବିଶ୍ୱର ୩୫ଟି ଦେଶ ଏଥିରେ ଯୋଡି ହୋଇ ସାରିଲେଣି । ବିଶ୍ୱର ଭିନ୍ନ ଭିନ୍ନ ଦେଶ ମଧ୍ୟରେ, ସେନା ମଧ୍ୟରେ ଆମେ ଅନେକ ମିଳିତ ସାମରିକ ଅଭ୍ୟାସ ଦେଖିଛୁ । ଏହା ପୁରୁଣା ପରମ୍ପରା ଅଟେ ଏବଂ ଏହାର ଚର୍ଚ୍ଚା ମଧ୍ୟ ହୋଇଥାଏ । କିନ୍ତୁ ଭାରତ ପ୍ରଥମ ଥର ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମିଳିତ ଅଭ୍ୟାସର ପରମ୍ପରା ଆରମ୍ଭ କରିଛି । ଅନେକ ଦେଶରେ, କଠିନ ସମୟରେ, ଆମର ବିପର୍ଯ୍ୟୟ ପରିଚାଳନା ସହ ଜଡିତ ସଂସ୍ଥା ସେବା ପ୍ରଦାନ କରିଛନ୍ତି, ମାନବିକତା ପ୍ରତି ନିଜର କର୍ତବ୍ୟ ସମ୍ପାଦନ କରିଛନ୍ତି । ଯେତେବେଳେ ନେପାଳରେ ଭୂମିକମ୍ପ ହୋଇଥିଲା, ଏତେ ପରିମାଣର କ୍ଷୟକ୍ଷତି ହୋଇଥିଲା, ସେତେବେଳେ ଭାରତ ଏକ ମିତ୍ର ଦେଶ ଭାବରେ ସେହି ଦୁଃଖ ବାଂଟିବାକୁ ଟିକିଏ ବି ବିଳମ୍ବ କରି ନଥିଲା । ଆମର ଏନଡିଆରଏଫର ଯବାନମାନେ ସେଠାରେ ତୁରନ୍ତ ପହଂଚି ଯାଇଥିଲେ । ବିପର୍ଯ୍ୟୟ ପରିଚାଳନାରେ ଭାରତର ଅନୁଭବ କେବଳ ଆମ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ । ଆପଣ ସମସ୍ତଙ୍କର ମନେ ଥିବ ୨୦୧୭ରେ ଭାରତ ଦକ୍ଷିଣ ଏସିଆ ଜିଓ-ଷ୍ଟେସନାରୀ ଯୋଗାଯୋଗ ଉପଗ୍ରହ ପ୍ରେରଣ କରିଛି । ପାଣିପାଗ ଏବଂ ଯୋଗାଯୋଗ କ୍ଷେତ୍ରରେ, ଏହାର ଲାଭ ଦକ୍ଷିଣ ଏସିଆର ବନ୍ଧୁ ରାଷ୍ଟ୍ରମାନଙ୍କୁ ମଧ୍ୟ ମିଳୁଛି ।
ବନ୍ଧୁଗଣ,
ପରିସ୍ଥିତି ଯାହା ହେଉନା କାହିଁକି, ଯଦି ଆମ ମଧ୍ୟରେ ସାହସ ଅଛି, ତାହାହେଲେ ଆମେ ବିପର୍ଯ୍ୟୟକୁ ସୁଯୋଗରେ ପରିବର୍ତନ କରିପାରିବା । ଏହି ସନ୍ଦେଶ ନେତାଜୀ ଆମକୁ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଇଥିଲେ । ନେତାଜୀ କହୁଥିଲେ କେବେ ମଧ୍ୟ ସ୍ୱାଧୀନ ଭାରତର ସ୍ୱପ୍ନର ବିଶ୍ୱାସ ହରାନ୍ତୁ ନାହିଁ । ଦୁନିଆରେ ଏପରି କୌଣସି ଶକ୍ତି ନାହିଁ ଯାହା ଭାରତକୁ ଦୋହଲାଇ ଦେବ । ଆଜି ଆମ ସମ୍ମୁଖରେ ସ୍ୱାଧୀନ ଭାରତର ସ୍ୱପ୍ନକୁ ପୂରଣ କରିବାର ଲକ୍ଷ୍ୟ ରହିଛି । ଆମ ସମ୍ମୁଖରେ ସ୍ୱାଧୀନତାର ଶହେ ବର୍ଷ ପୂର୍ବରୁ, ୨୦୪୭ ପୂର୍ବରୁ ନୂତନ ଭାରତ ନିର୍ମାଣର ଳକ୍ଷ୍ୟ ରହିଛି । ଏବଂ ନେତାଜୀଙ୍କର ଦେଶ ଉପରେ ଯେଉଁ ବିଶ୍ୱାସ ଥିଲା, ଯେଉଁ ଭାବନା ନେତାଜୀଙ୍କ ହୃଦୟରେ ସୃଷ୍ଟି ହେଉଥିଲା । ଏବଂ ତାଙ୍କର ଏହି ଭାବନା କାରଣରୁ ହିଁ ମୁଁ କହି ପାରୁଛି ଯେ, ବିଶ୍ୱର କୌଣସି ଶକ୍ତି ନାହିଁ, ଯାହା ଭାରତକୁ ଏହି ଲକ୍ଷ୍ୟରେ ପହଂଚିବାରେ ବାଧା ସୃଷ୍ଟି କରିପାରିବ । ଆମର ସଫଳତାଗୁଡିକ ଆମର ସଙ୍କଳ୍ପ ଶକ୍ତିର ପ୍ରମାଣ ଅଟେ । କିନ୍ତୁ, ଏହି ଯାତ୍ରା ଏବେ ସୁଦୀର୍ଘ ଅଟେ । ଆମକୁ ଏବେ ଆହୁରି ଅନେକ ଶିଖରକୁ ଅତିକ୍ରମ କରିବାକୁ ପଡିବ । ଏଥିପାଇଁ ଆବଶ୍ୟକ ଅଟେ, ଆମକୁ ଦେଶର ଇତିହାସର, ହଜାର ହଜାର ବର୍ଷର ଯାତ୍ରାରେ ଏହାକୁ ଆକାର ଦେଇଥିବା ତପସ୍ୟା, ତ୍ୟାଗ ଏବଂ ବଳିଦାନର ଯେପରି ସ୍ମରଣ ରହେ ।
ଭାଇ ଓ ଭଉଣୀମାନେ,
ସ୍ୱାଧୀନତାର ଅମୃତ ମହୋତ୍ସବର ସଙ୍କଳ୍ପ ହେଉଛି ଯେ ଭାରତ ନିଜର ପରିଚୟ ଏବଂ ପ୍ରେରଣାକୁ ପୁନର୍ଜିବୀତ କରିବ । ଏହା ଦୁର୍ଭାଗ୍ୟଜନକ ଯେ ସ୍ୱାଧୀନତା ପରେ ଦେଶର ସଂସ୍କୃତି ଏବଂ ସଂସ୍କାର ସହିତ ହିଁ ଅନେକ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନକୁ ବିଲୁପ୍ତ କରାଯିବାର କାର୍ଯ୍ୟ କରାଗଲା । ସ୍ୱାଧୀନତା ସଂଗ୍ରାମରେ ଲକ୍ଷ ଲକ୍ଷ ଦେଶବାସୀଙ୍କ ତପସ୍ୟା ଜଡିତ ଥିଲା, କିନ୍ତୁ ସେମାନଙ୍କ ଇତିହାସକୁ ମଧ୍ୟ ସୀମିତ ରଖାଯିବାର ପ୍ରଚେଷ୍ଟା କରାଗଲା । କିନ୍ତୁ ଆଜି ସ୍ୱାଧୀନତାର ଅନେକ ଦଶନ୍ଧି ପରେ ଦେଶ ସେହିସବୁ ତୃଟିଗୁଡିକୁ ଜୋର ସୋରରେ ସୁଧାରୁଛି ଏବଂ ସଂଶୋଧନ କରୁଛି । ଆପଣମାନେ ଦେଖନ୍ତୁ, ବାବା ସାହେବ ଆମ୍ବେଦକରଙ୍କ ସହିତ ଜଡିତ ପଂଚତୀର୍ଥକୁ ଦେଶ ସେମାନଙ୍କର ଗରିମା ଅନୁଯାୟୀ ବିକଶିତ କରୁଛି । ଷ୍ଟାଚ୍ୟୁ ଅଫ ୟୁନିଟି ଆଜି ସମଗ୍ର ବିଶ୍ୱରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯଶଗାନର ତୀର୍ଥ ପାଲଟି ଯାଇଛି । ଭଗବାନ ବିିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପରେ ପାଳନ କରିବାର ପ୍ରାରମ୍ଭ ମଧ୍ୟ ଆମେ ସମସ୍ତେ କରିଦେଇଛୁ । ଆଦିବାସୀ ସମାଜର ଯୋଗଦାନ ଏବଂ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ଆଦିବାସୀ ସଂଗ୍ରହାଳୟ ସ୍ଥାପନ କରାଯାଉଛି । ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ଐତିହ୍ୟକୁ ମଧ୍ୟ ଦେଶ ପୂର୍ଣ୍ଣ ଗୌରବ ସହିତ ସଜାଇବାରେ ଲାଗିଛି । ନେତାଜୀଙ୍କ ଦ୍ୱାରା ଆଣ୍ଡାମାନରେ ତ୍ରିରଙ୍ଗା ଉଡାଇବାର ୭୫ତମ ବର୍ଷରେ ଆଣ୍ଡାମାନରେ ଗୋଟିଏ ଦ୍ୱୀପର ନାମ ତାଙ୍କରି ନାମରେ ରଖାଯାଇଛି । ଏବେ ଡିସେମ୍ବରରେ ହିଁ ଆଣ୍ଡାମାନରେ ବିଶେଷ ‘ସଂକଳ୍ପ ସ୍ମାରକ’ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଏହି ସ୍ମାରକ ନେତାଜୀଙ୍କ ସହିତ ଇଣ୍ଡିଆନ ନ୍ୟାସନାଲ ଆର୍ମିର ସେହି ଯବାନମାନଙ୍କ ପାଇଁ ମଧ୍ୟ ଏକ ଶ୍ରଦ୍ଧାଞ୍ଜଳୀ ଅଟେ, ଯେଉଁମାନେ ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଦେଇଥିଲେ । ଏହା ମୋର ସୌଭାଗ୍ୟ ଯେ ଗତବର୍ଷ ଆଜିର ହିଁ ଦିନରେ ମତେ କୋଲକାତାରେ ନେତାଜୀଙ୍କ ପୈତୃକ ମଧ୍ୟ ଯିବାର ସୁଯୋଗ ମିଳିଥିଲା । ଯେଉଁଭଳି ଭାବରେ ସେ କଲିକତାରୁ ବାହାରିଥିଲେ, ଯେଉଁ ଘରେ ବସି ସେ ପାଠ ପଢୁଥିଲେ, ତାଙ୍କ ଘରର ପାହାଚ, ତାଙ୍କ ଘରର କବାଟ, ସେସବୁର ଦର୍ଶନ ଓ ଅନୁଭବ ଶଦ୍ଦରେ ପରିପ୍ରକାଶ କରିହେବ ନାହିଁ ।
ବନ୍ଧୁଗଣ,
ମୁଁ ୨୦୧୮ ଅକ୍ଟୋବର ୨୧ ତାରିଖର ସେହି ଦିନକୁ ମଧ୍ୟ ଭୁଲିପାରିବି ନାହିଁ । ଯେଉଁଦିନ ଆଜାଦ ହିନ୍ଦ ସରକାରକୁ ୭୫ ବର୍ଷ ପୂରିଥିଲା । ଲାଲକିଲ୍ଲାରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ମୁଁ ଆଜାଦ ହିନ୍ଦ ଫୌଜର ଟୋପି ପିନ୍ଧି ତ୍ରୀରଙ୍ଗା ଉତୋଳନ କରିଥିଲି । ସେ ମୁହୂର୍ତ ଅଦ୍ଭୁତ ଅଟେ, ସେହି ମୁହୂର୍ତ ଅବିସ୍ମରଣୀୟ ଅଟେ । ମୁଁ ଖୁସି ଯେ, ଲାଲକିଲ୍ଲା ରେ ହିଁ ଆଜାଦ ହିନ୍ଦ ଫୌଜ ସହ ଜଡିତ ଏକ ସ୍ମାରକ ଉପରେ ମଧ୍ୟ କାର୍ଯ୍ୟ ଚାଲିିଛି । ୨୦୧୯ରେ, ଜାନୁଆରୀ ୨୬ ପରେଡରେ ଆଜାଦ ହିନ୍ଦ ଫୌଜର ପୂର୍ବ ସୈନିକମାନଙ୍କୁ ଦେଖି ମନ ଯେତିକି ପ୍ରଫୁଲ୍ଲିତ ହୋଇଥିଲା, ତାହା ମଧ୍ୟ ମୋର ଅମୂଲ୍ୟ ସ୍ମୃତି ଅଟେ । ଏବଂ ଏହାକୁ ମଧ୍ୟ ମୁଁ ନିଜର ସୌଭାଗ୍ୟ ମନେ କରୁଛି ଯେ ଆମ ସରକାରଙ୍କୁ ନେତାଜୀଙ୍କ ସହ ଜଡିତ ଫାଇଲଗୁଡିକୁ ସାର୍ବଜନିକ କରିବାର ସୁଯୋଗ ମିଳିଲା ।
ବନ୍ଧୁଗଣ,
ନେତାଜୀ ସୁଭାଷ ଥରେ ଯଦି କିଛି ନିଷ୍ପତି ନେଇଯାଉଥିଲେ ତେବେ ତାଙ୍କୁ କୌଣସି ଶକ୍ତି ଅଟକାଇ ପାରୁନଥିଲା । ଆମକୁ ନେତାଜୀ ସୁଭାଷଙ୍କ “କ୍ୟାନ ଡୁ, ୱିଲ ଡୁ” ର ଭାବନାରୁ ପ୍ରେରଣା ନେଇ ଆଗକୁ ବଢିବାକୁ ହେବ । ସେ ଏହା ଜାଣିଥିଲେ ସେଥିପାଇଁ ଏକଥା ସବୁବେଳେ କହୁଥିଲେ ଯେ ଭାରତରେ ରାଷ୍ଟ୍ରବାଦ ଏଭଳି ସୃଜନାତ୍ମକ ଶକ୍ତିର ସଂଚାର କରିଛି, ଯାହା ଯୁଗ ଯୁଗ ଧରି ଲୋକମାନଙ୍କ ଭିତରେ ସୁପ୍ତ ହୋଇ ରହିଛି । ଆମକୁ ରାଷ୍ଟ୍ରବାଦକୁ ମଧ୍ୟ ଜୀବନ୍ତ ରଖିବାକୁ ପଡିବ । ଆମକୁ ସୃଜନ ମଧ୍ୟ କରିବାର ଅଛି । ଏବଂ ରାଷ୍ଟ୍ର ଚେତନାକୁ ମଧ୍ୟ ଜାଗ୍ରତ ରଖିବାର ଅଛି । ମୋର ବିଶ୍ୱାସ ଅଛି ଯେ, ଆମେ ସମସ୍ତେ ଏକାଠି ହୋଇ ନେତାଜୀ ସୁଭାଷଙ୍କ ସ୍ୱପ୍ନର ଭାରତ ଗଢିବାରେ ସଫଳ ହେବା । ଆପଣ ସମସ୍ତଙ୍କୁ ପୁଣି ଥରେ ପରାକ୍ରମ ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏବଂ ମୁଁ ଆଜି ଏନଡିଆରଏଫ, ଏସଡିଆରଏଫର ଲୋକମାନଙ୍କୁ ମଧ୍ୟ ବିଶେଷ ରୂପରେ ଶୁଭେଚ୍ଛା ଜଣାଉଛି । କାରଣ ବହୁତ ଛୋଟ କାଳଖଣ୍ଡରେ ସେମାନେ ନିଜର ପରିଚୟ ସୃଷ୍ଟି କରି ଦେଇଛନ୍ତି । ଆଜି କେଉଁଠାରେ ବି ବିପତି ହେଉ କିମ୍ବା ବିପର୍ଯ୍ୟୟ ସମ୍ପର୍କିତ ଆଶଙ୍କାର ଖବର ହେଉ, ବାତ୍ୟା ଭଳି । ଏବଂ ଯେତେବେଳେ ଏନଡିଆରଏଫର ଯବାନ ୟୁନିଫର୍ମରେ ଦିଶିଯାଆନ୍ତି । ସାଧାରଣ ମଣିଷ ମୁହଁରେ ଭରସା ଆସିଯାଏ । ଯେ ଏବେ ସହାୟତା ପହଂଚିଗଲା । ଏତେ କମ ସମୟରେ କୌଣସି ସଂସ୍ଥା ଏବଂ ଏହାର ୟୁନିଫର୍ମର ପରିଚୟ ସୃଷ୍ଟି କରିବା, ଅର୍ଥାତ୍ ଯେଭଳି ଆମର ଦେଶରେ କୌଣସି ଅସୁବିଧା ହେଉ, ଏବଂ ସେନା ଯବାନ ପହଂଚିଗଲେ, ସାଧାରଣ ମଣିଷ ମନେର ସନ୍ତୋଷ ଦେଖାଦେଇଥାଏ, ଯାହା ହେଉ ଏବେ ଏମାନେ ପହଂଚିଗଲେ । ସେହିଭଳି ଆଜି ଏନଡିଆରଏଫ ଏବଂ ଏସଡିଆରଏଫର ଯବାନମାନେ ନିଜର ପରାକ୍ରମ ଦ୍ୱାରା ଏହା କରି ଦେଖାଇଛନ୍ତି । ମୁଁ ପରାକ୍ରମ ଦିବସ ଅବସରରେ ନେତାଜୀଙ୍କ ସ୍ମରଣ ପୂର୍ବକ, ଏନଡିଆରଏପର ଯବାନମାନଙ୍କୁ, ଏସଡିଆରଏଫର ଯବାନମାନଙ୍କୁ, ସେମାନେ ଯେଉଁ କାର୍ଯ୍ୟକୁ ଯେଭଳି କରୁଣା ଏବଂ ସମ୍ବେଦନଶୀଳତାର ସହ ସମ୍ପାଦନ କରନ୍ତି । ବହୁତ ବହୁତ ଶୁଭେଚ୍ଛା ଦେଉଛି । ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଜାଣେ ଯେ, ଏହି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ, ଏହି କ୍ଷେତ୍ରରେ କାମ କରୁଥିବା ଅନେକ ନିଜ ନିଜର ଜୀବନର ମଧ୍ୟ ବଳିଦାନ ଦେଇଛନ୍ତି । ମୁଁ ଆଜି ଏଭଳି ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି ଯେଉଁମାନେ କାହାର ଜୀବନ ରକ୍ଷା କରିବା ପାଇଁ ନିଜର ଜୀବନ ବାଜି ଲଗାଇ ଦେଇଥିଲେ । ଏହିଭଳି ସମସ୍ତଙ୍କୁ ମୁଁ ଆଦରପୂର୍ବକ ପ୍ରଣିପାତ କରି ଆପଣ ସମସ୍ତଙ୍କୁ ଆଜି ପରାକ୍ରମ ଦିବସର ଅନେକ ଅନେକ ଶୁଭକାମନା ପ୍ରଦାନ ପୂର୍ବକ ମୋର ବକ୍ତବ୍ୟକୁ ସମାପ୍ତ କରୁଛି । ଅନେକ ଅନେକ ଧନ୍ୟବାଦ ।
JP
(रिलीज़ आईडी: 1792369)
आगंतुक पटल : 235
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam