କ୍ୟାବିନେଟ

ଜାତୀୟ ସଫାଇ କର୍ମଚାରୀ ଆୟୋଗଙ୍କ କାର୍ଯ୍ୟକାଳ ତିନିବର୍ଷ ବଢାଇବା ନିଷ୍ପତ୍ତିକୁ କ୍ୟାବିନେଟର ଅନୁମୋଦନ

Posted On: 19 JAN 2022 3:38PM by PIB Bhubaneshwar

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସଫାଇ କର୍ମଚାରୀ ଆୟୋଗର କାର୍ଯ୍ୟକାଳ ଆଉ ତିନିବର୍ଷ ବଢାଇବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ (୩୧.୦୩.୨୦୨୨) ପରଠାରୁ ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ଲାଗୁ ହେବ ।

ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ତିନିବର୍ଷ ପାଇଁ ସରକାରଙ୍କୁ ପ୍ରାୟ ୪୩କୋଟି ୬୮ଲକ୍ଷ ଟଙ୍କାର ଖର୍ଚ୍ଚ ବହନ କରିବାକୁ ପଡିବ । ପ୍ରଭାବ: ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ଦେଶର ସଫାଇ କର୍ମଚାରୀ ଏବଂ ଚିହ୍ନଟ ହୋଇଥିବା ହାତରେ ମଇଳା ସଫା କରୁଥିବା ସଫାଇବାଲାମାନେ ଉପକୃତ ହେବେ । ସେମାନେ ୨୦୨୨ ମାର୍ଚ୍ଚ ୩୧ତାରିଖ ପରେ ଆଉ ତିନିବର୍ଷ ପାଇଁ ଆୟୋଗଙ୍କ ସୁପାରିସ ଓ ବ୍ୟବସ୍ଥା ଅନୁସାରେ ଲାଭବାନ ହୋଇପାରିବ । ଦେଶରେ ପ୍ରଚଳିତ ମାନୁଆଲ ସ୍କାଭେଞ୍ଜିଙ୍ଗ(ହାତରେ ମଇଳା ସଫାଇ) ଆଇନ ଅନୁସାରେ ୩୧.୧୨.୨୦୨୧ ସୁଦ୍ଧା ଚିହ୍ନଟ ହୋଇଥିବା ଏହି ବର୍ଗର ସଫାଇବାଲାଙ୍କ ସଂଖ୍ୟା ୫୮୦୯୮ । ନିୟମ ଅନୁସାରେ ସର୍ଭେ କରାଯାଇ ଏମାନଙ୍କୁ ଚିହ୍ନଟ କରାଯାଇଛି ଓ ଏହି ଦାୟିତ୍ୱ ସମ୍ପୃକ୍ତ ଆୟୋଗର ତତ୍ତ୍ୱାବଧାନରେ ହେଉଛି ।

 ସବିଶେଷ: ଜାତୀୟ ସଫାଇ କର୍ମଚାରୀ ଆୟୋଗ(ଏନ୍‌ସିଏସ୍‌କେ) ଏ ସଂକ୍ରାନ୍ତରେ ପ୍ରଣିତ ଆଇନ ଅନୁସାରେ ୧୯୯୩ରେ ଗଠିତ ହୋଇଥିଲା । ପ୍ରଥମେ ଏହାର କାର୍ଯ୍ୟକାଳ ୧୯୯୭ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଏହା ପରେ ସଫାଇ କର୍ମଚାରୀ ଆଇନର ବୈଧତାକୁ ୨୦୦୨ ମାର୍ଚ୍ଚ ୩୧ତାରିଖ ଯାଏ ବୁଦ୍ଧି କରାଯାଇଥିଲା । ଏହା ପରେ ଏହି ସଂସ୍ଥାର କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ଅର୍ଥାତ୍ ୨୦୦୪ ଫେବୃୟାରୀ ୨୯ତାରିଖ ଯାଏ ବଢିଥିଲା । ଏହା ସହିତ ସେହି ତାରିଖ ଅର୍ଥାତ୍ ୨୦୦୪ ଫେବୃୟାରୀ ୨୯ରେ ଏନ୍‌ସିଏସ୍‌କେ ଆଇନର ଅବସାନ ଘଟିଲା । ତା’ ପରଠାରୁ ଏନ୍‌ସିଏସ୍‌କେର କାର୍ଯ୍ୟକାଳକୁ ବିଭିନ୍ନ ସମୟରେ ସରକାରୀ ପ୍ରସ୍ତାବ ମାଧ୍ୟମରେ ବୃଦ୍ଧି କରାଯାଇ ଆସୁଛି ଏବଂ ଆୟୋଗ (ଏନ୍‌ସିଏସ୍‌କେ) କୁ ଏକ ଅଣବୈଧାନିକ ସଂସ୍ଥାର ମାନ୍ୟତା ଦିଆଯାଇଛି । ଏବେ ଯେଉଁ ଆୟୋଗ କାର୍ଯ୍ୟ କରୁଛି ତାହାର କାର୍ଯ୍ୟକାଳ ଚଳିତବ ବର୍ଷ ମାର୍ଚ୍ଚ ୩୧ରେ ପୂରିଯାଉଛି । 

ପୃଷ୍ଠଭୂମି: ଜାତୀୟ ସଫାଇ କର୍ମଚାରୀ ଆୟୋଗ ସମ୍ପୃକ୍ତ କର୍ମଚାରୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଓ ସୁପାରିସମାନ କରି ଆସୁଛି । ଏହାଛଡା ସେମାନଙ୍କ ପାଇଁ ଯେଉଁସବୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି ତାହାର ଅନୁଧ୍ୟାନ ଏବଂ ମୂଲ୍ୟାୟନ ପାଇଁ ମଧ୍ୟ ଆୟୋଗ ସରକାରଙ୍କୁ ସୁପାରିସ କରୁଛି । 

ଏହାଛଡା ଆୟୋଗ ସମ୍ପୃକ୍ତ ସଫାଇ କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ଅଭିଯୋଗ ଆଦିର ମଧ୍ୟ ତଦନ୍ତ କରୁଛି । ୨୦୧୩ର ଆଇନ ଅନୁସାରେ ଦେଶରେ ମଣିଷଙ୍କ ଦ୍ୱାରା ହାତରେ ମଇଳା ସଫାଇକୁ ନିଷିଦ୍ଧ କରାଯାଇଛି ଏବଂ ଏହି ବୃତ୍ତିରେ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବାର ବ୍ୟବସ୍ଥା ରହିଛି । ଆୟୋଗ ଏହି ଆଇନର କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ସୁପାରିସ କରିଆସୁଛି । ଆଇନର କାର୍ଯ୍ୟକାରିତାରେ ତ୍ରୁଟି ବିଚ୍ୟୁତି ଓ ଉଲ୍ଳଂଘନ ଘଟଣା ଏହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାରଙ୍କୁ ସୁପାରିସ କରୁଛି ।

 ସଫାଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସେମାନେ ଏବେ ମଧ୍ୟ ସାମାଜିକ, ଆର୍ଥିକ ଓ ଶୈକ୍ଷିକ କ୍ଷେତ୍ରରେ ପଛରେ ପଡିଛନ୍ତି । ଦେଶରେ ଆଉ ହାତରେ ମଇଳା ସଫାଇ ବ୍ୟବସ୍ଥା ପ୍ରାୟ ନାହିଁ । ଏହା ସତ୍ୱେ କାଁ ଭାଁ କେଉଁଠି ଏହି କାମ ଲୋକେ ହାତରେ କରୁଥିବାର ଖବର ମିଳୁଛି । ସେହିଭଳି ନାଳନର୍ଦ୍ଦମା ଓ ଭୂତଳ ନାଳକୁ କର୍ମଚାରୀମାନେ ଏବେ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଭାବେ ସଫା କରୁଛନ୍ତି । ଏହାକୁ ବନ୍ଦ କରିବାକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହି କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଆହୁରି କିଛି ପଦକ୍ଷେପ ଏବଂ ବିିଭିନ୍ନ ସ୍ତରରୁ ହସ୍ତକ୍ଷେପ / ସହାୟତାର ଆବଶ୍ୟକତା ରହିଛି । ଦେଶର ସିୱେର / ସେପ୍ଟିକ ବ୍ୟବସ୍ଥାରେ ସଫେଇ ସମ୍ପୂର୍ଣ୍ଣଭାବେ ଯାନ୍ତ୍ରିକ ପଦ୍ଧତିରେ କରିବା ସହ ଏହି କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କୁ ସେଥିରୁ ମୁକ୍ତ କରି ସେମାନଙ୍କ ଥଇଥାନ ଓ କଲ୍ୟାଣ ପାଇଁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ସେଥିରେ ସମସ୍ତଙ୍କର ସାହାଯ୍ୟ ସହଯୋଗର ବିଶେଷ ଆବଶ୍ୟକତା ରହିଛି ।

 

*****

TM / SLP



(Release ID: 1791101) Visitor Counter : 194