ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

୨୦୧୪-୧୫ ଠାରୁ ୨୦୨୦-୨୧ (ଅକ୍ଟୋବରରୁ ପରବର୍ତ୍ତୀ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ) କପା ଋତୁ ପାଇଁ ଏମଏସପି ପରିଚାଳନା ଅଧୀନରେ ହୋଇଥିବା କ୍ଷତି ଭରଣା ନିମନ୍ତେ ବ୍ୟୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


୨୦୧୪-୧୫ ଠାରୁ ୨୦୨୦-୨୧ ପର୍ଯ୍ୟନ୍ତ କପା ଋତୁ ପାଇଁ ଭାରତୀୟ କପା ନିଗମ (ସିସିଆଇ)କୁ ୧୭,୪୦୮.୮୫ କୋଟି ଟଙ୍କାର ମୂଲ୍ୟ ସମର୍ଥନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

Posted On: 10 NOV 2021 3:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଭାରତୀୟ କପା ନିଗମ (ସିସିଆଇ)କୁ ୧୭,୪୦୮.୮୫ କୋଟି ଟଙ୍କାର ପ୍ରତିଶ୍ରୁତିବଦ୍ଧ ମୂଲ୍ୟ ସମର୍ଥନ ଯୋଗାଇ ଦେବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୨୦୧୪-୧୫ ଠାରୁ ୨୦୨୦-୨୧ କପା ବର୍ଷ ପର୍ଯ୍ୟନ୍ତ କପା ଋତୁ (୩୦.୦୯.୨୦୨୧) ପାଇଁ ସିସିଆଇକୁ ଏହି ସହାୟତା ପ୍ରଦାନ କରାଯିବ ।

ଏମଏସପି ମୂଲ୍ୟ ସହିତ କପା ମୂଲ୍ୟ ସମାନ ହେବା କାରଣରୁ କପା ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ୨୦୧୪-୧୫ରୁ ୨୦୨୦-୨୧ କପା ବର୍ଷ ପର୍ଯ୍ୟନ୍ତ ମୂଲ୍ୟ ସମର୍ଥନ ପରିଚାଳନା କରିବାର ଆବଶ୍ୟକତା ରହିଥିଲା । ଏହାର କାର୍ଯ୍ୟକାରିତା ଦେଶର ଆର୍ଥିକ ଗତିବିଧିରେ କପା ଚାଷୀଙ୍କ ସମାବେଶୀତାକୁ ବୃଦ୍ଧି କରିଥାଏ । ମୂଲ୍ୟ ସହାୟତା ପରିଚାଳନା କରାଯିବା କାରଣରୁ କପା ମୂଲ୍ୟ ସ୍ଥିର ରହିଥାଏ ଏବଂ ଚାଷୀଙ୍କ ସମସ୍ୟା ଦୂର ହୋଇଥାଏ ।

କପା ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥକରୀ ଫସଲ ମଧ୍ୟରୁ ଅନ୍ୟତମ । ଏହା ପାଖାପାଖି ୫୮ ଲକ୍ଷ କପା ଚାଷୀ ଏବଂ କପା ପ୍ରକ୍ରିୟାକରଣ ଓ ବାଣିଜ୍ୟରେ ନିୟୋଜିତ ରହିଥିବା ୪ରୁ ୫ କୋଟି ଲୋକଙ୍କୁ ଦୀର୍ଘସ୍ଥାୟୀ ଜୀବିକା ପ୍ରଦାନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ।

୨୦୨୦-୨୧ କପା ଋତୁରେ, ୧୩୩ ଲକ୍ଷ ହେକ୍ଟରରେ କପା ଚାଷ କରାଯାଇଥିଲା । ଏଥିରୁ ଆନୁମାନିକ ୩୬୦ ଲକ୍ଷ ବେଲ୍ସ କପା ଉତ୍ପାଦନ କରାଯାଇଥିଲା । ବିଶ୍ୱସ୍ତରରେ ଉତ୍ପାଦିତ ହେଉଥିବା କପାର ଏହା ଥିଲା ୨୫ ପ୍ରତିଶତ । ସିଏସିପିର ସୁପାରିସକୁ ଆଧାର କରି ଭାରତ ସରକାର କପା ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ନିର୍ଦ୍ଧାରଣ କରିଥିଲେ ।

ଭାରତ ସରକାର ସିସିଆଇକୁ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ନିୟୋଜିତ କରିଥିଲେ । କପା ମୂଲ୍ୟ ଏମଏସପି ସ୍ତର ଠାରୁ ତଳକୁ ଖସିଯିବା ପରେ ବିନା କୌଣସି ଧାର୍ଯ୍ୟ ସୀମାରେ ଚାଷୀଙ୍କ ଠାରୁ ସମସ୍ତ ଏଫଏକ୍ୟୁ ମାନର କପା କିଣିବା ଲାଗି ସିସିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା । ମୂଲ୍ୟହ୍ରାସ ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀଙ୍କୁ ଅଭାବୀ ବିକ୍ରିରୁ ସୁରକ୍ଷା ଦେବା ଲାଗି ଏମଏସପି ପରିଚାଳନା ଜରୁରି ଥିଲା ।

ଏମଏସପି ସ୍ୱାୟତ୍ତ ପରିଚାଳନା ପ୍ରକୃତିର ହୋଇଥିବାରୁ ଏହା କପା ଚାଷ ଲାଗି ଦେଶର କପା ଚାଷୀମାନଙ୍କୁ ଦୀର୍ଘସ୍ଥାୟିତ୍ୱ ଭିତ୍ତିରେ ଅନୁପ୍ରାଣିତ କରିଥାଏ । ସୂତା ବୁଣିବା ଉଦ୍ୟୋଗ ପାଇଁ କପା ଏକ କଞ୍ଚାମାଲ ହୋଇଥିବାରୁ ଉନ୍ନତ ଗୁଣବତ୍ତାର କପା ଉତ୍ପାଦନ କରି ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହା ସହାୟକ ହେବ । ଅଧିକ କପା ଉତ୍ପାଦନ କରୁଥିବା ୧୧ଟି ବୃହତ ରାଜ୍ୟର ୧୪୩ଟି ଜିଲ୍ଲାରେ ୪୭୪ଟି କ୍ରୟ କେନ୍ଦ୍ର ପ୍ରତିଷ୍ଠା କରି ସିସିଆଇ ଭିତ୍ତିଭୂମି ପ୍ରସ୍ତୁତ ରଖିଛି ।

ବିଶ୍ୱ ମହାମାରୀ ସମୟରେ ଗତ ଦୁଇଟି କପା ଋତୁ (୨୦୧୯-୨୦ ଏବଂ ୨୦୨୦-୨୧)ରେ ସିସିଆଇ ଦେଶରେ ଉତ୍ପାଦିତ କପାର ପ୍ରାୟ ଏକ ତୃତୀୟାଂଶ କପା କିଣିଥିଲା । ଏହା ପ୍ରାୟ ୨୦୦ ଲକ୍ଷ ବେଲ୍ସ ଥିଲା ଏବଂ ଏ ବାବଦରେ  ଦେଶର ୪୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିସିଆଇ ସିଧାସଳଖ ୫୫,୦୦୦ କୋଟି ଟଙ୍କା ହସ୍ତାନ୍ତର କରିଥିଲା ।

ଚଳିତ ୨୦୨୧-୨୦୨୨ କପା ଋତୁରେ ସିସିସଆଇ କପା ଉତ୍ପାଦନ କରୁଥିବା ୧୧ଟି ବୃହତ ରାଜ୍ୟରେ କପା କ୍ରୟ ପାଇଁ ଯଥେଷ୍ଟ ବ୍ୟବସ୍ଥା କରିଛି । ଏମଏସପି ପରିଚାଳନା ପାଇଁ ୪୫୦ଟି କପା କ୍ରୟ କେନ୍ଦ୍ରରେ ଶ୍ରମଶକ୍ତିଙ୍କୁ ନିୟୋଜିତ କରିଛି ।

 

**********

P.S.



(Release ID: 1770765) Visitor Counter : 177