ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଭାରତର ଅଲିମ୍ପିକ୍ସ ପଦକ ବିଜେତାମାନଙ୍କୁ ଭବ୍ୟ ସ୍ବାଗତ, କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଜଣାଇଲେ ସମ୍ବର୍ଦ୍ଧନା

• ଟୋକିଓ 2020 ଅଲିମ୍ପିକ୍ସ କ୍ରୀଡ଼ାରେ ଭାରତ ପ୍ରଥମ ଥର ପାଇଁ ଅନେକ ଉପଲବ୍ଧି ହାସଲ କରିଛି : ଶ୍ରୀ ଅନୁରାଗ ଠାକୁର
• ନୂତନ ଭାରତ କିପରି ଭାବେ ବିଶ୍ବରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି ତାହା ଟିମ ଇଣ୍ଡିଆର ସଫଳତାରେ ପ୍ରତିଫଳିତ ହୋଇଛି : ଶ୍ରୀ ଅନୁରାଗ ଠାକୁର
• ଟୋକିଓରେ ଚମତ୍କାର ପ୍ରଦର୍ଶନ ପରେ ଅଲିମ୍ପିକ୍ସ ତାରକାମାନଙ୍କ ଆଗମନରେ ଜାତୀୟ ରାଜଧାନୀରେ ଏକ ସ୍ବତନ୍ତ୍ର ସାନ୍ଧ୍ୟକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

Posted On: 09 AUG 2021 8:24PM by PIB Bhubaneshwar

ନୂଆଦିଲ୍ଲୀର ଅଶୋକା ହୋଟେଲ ପରିସରରେ ଆୟୋଜିତ ଏକ ଭବ୍ୟ ସାନ୍ଧ୍ୟକାଳୀନ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ସାତ ଅଲିମ୍ପିକ୍ସ ପଦକ ବିଜେତା-ନୀରଜ ଚୋପ୍ରା, ରବି କୁମାର ଦହିୟା, ମୀରାବାଈ ଚାନୁ, ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ଲଭଲିନ ବୋର୍ଗୋହେନ ଏବଂ ଜାତୀୟ ପୁରୁଷ ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ; କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନୀତିଶ ପ୍ରମାଣିକ; କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦ୍ଦେଶକ ଶ୍ରୀ ସନ୍ଦିପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବର୍ଣ୍ଣ ପଦକ ବିଜେତା ନୀରଜ, ରୌପ୍ୟ ପଦକ ବିଜେତା ରବି, ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ, ଲଭଲିନ ଓ ମନପ୍ରୀତ ଦୀର୍ଘ ବିମାନ ଯାତ୍ରା ପରେ ଆଜି ସ୍ବଦେଶ ଫେରିଛନ୍ତି। ସେମାନେ ଗତ ରାତିରେ ଟୋକିଓ 2020ର ଉଦଯାପନୀ ସମାରୋହରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହିତ ଅନ୍ୟ ପଦକ ବିଜେତା ମୀରାବାଈ ଏବଂ ସିନ୍ଧୁ ଉପସ୍ଥିତ ଥିଲେ।

କ୍ରୀଡ଼ା ମନ୍ତ୍ରୀ, ଶ୍ରୀ ଅନୁରାଗ ଠାକୁର କହିଥିଲେ, “ଟୋକିଓ 2020 ଏପରି ଏକ ଅଲିମ୍ପିକ୍ସ କ୍ରୀଡ଼ା ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ଅନେକଗୁଡ଼ିଏ ଉପଲବ୍ଧି ହାସଲ କରିଛି। କ୍ରୀଡ଼ା କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ନୂତନ ଭାରତ କିପରି ଭାବେ ବିଶ୍ବରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି ତାହା ଟିମ ଇଣ୍ଡିଆର ସଫଳତାରେ ପ୍ରତିଫଳିତ ହୋଇଛି । ଏହି ଅଲିମ୍ପିକ୍ସ କ୍ରୀଡ଼ା ଆମକୁ ଦର୍ଶାଇଛି ଯେ ଶୃଙ୍ଖଳା ଏବଂ ସମର୍ପଣ ଜରିଆରେ ଆମେ ମଧ୍ୟ ଚାମ୍ପିଅନ ହୋଇପାରିବା। ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିବା ସହିତ ଅନେକଙ୍କୁ ଅନୁପ୍ରାଣିତ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଥିବା ଭାରତୀୟମାନେ ସେମାନଙ୍କ ପାଇଁ ଶୁଭକାମନା ଜଣାଇଥିଲେ। ବାସ୍ତବରେ କ୍ରୀଡ଼ା ଏକତାର ମହାନ ବନ୍ଧନ, ଆମର କ୍ରୀଡ଼ାବିତମାନେ ଗାଁରୁ ସହର, ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ଆସିଥାନ୍ତି।  ସେମାନଙ୍କର ଯାତ୍ରା ଧୈର୍ଯ୍ୟ ଓ ଉତ୍କୃଷ୍ଟ କ୍ରୀଡ଼ା ନୈପୁଣର ଏକ ଚମତ୍କାର ଗାଥା।”

କ୍ରୀଡ଼ା ମନ୍ତ୍ରୀ ଆହୁରି କହିଥିଲେ ଯେ ଏଥର ଆମେ ପ୍ରଥମ ଥର ପାଇଁ ଅନେକ ଉପଲବ୍ଧି ହାସଲ କରିଛୁ। 128 ଜଣିଆ ଭାରତୀୟ ଦଳ, 7ଟି ଅଲିମ୍ପିକ୍ସ ପଦକ, ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ, କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ ପିଭି ସିନ୍ଧୁ ଦୁଇଟି ପଦକ ଜିତିବା, 41 ବର୍ଷ ବ୍ୟବଧାନ ପରେ ଭାରତୀୟ ପୁରୁଷ ହକି ଦଳ ଏକ ପଦକ (ବ୍ରୋଞ୍ଜ) ହାସଲ କରିବା ଏବଂ ମହିଳା ହକି ଦଳ ଐତିହାସିକ ଉପଲବ୍ଧି ସ୍ବରୂପ ସେମି ଫାଇନାଲରେ ପ୍ରବେଶ କରିବା ଆଦି ଏସବୁ ଉପଲବ୍ଧିରେ ସାମିଲ ରହିଛି। ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌଚାଳନା ପ୍ରତିଯୋଗୀ ନୀତାରା କୁମାନନ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା, ପ୍ରଥମ ଭାରତୀୟ ଫେନ୍ସର ଭାବନା ଦେବୀ ଅଲିମ୍ପିକ୍ସ ଖେଳିବା, ଅଶ୍ବଚାଳନାରେ ଭାରତର ଫଓ୍ବଦ ମିର୍ଜା ଶ୍ରେଷ୍ଠ ସ୍ଥାନ ହାସଲ କରିବା, ରୋଇଂରେ ଭାରତୀୟମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା, ଭାରତୀୟ ଗଲ୍ଫ ଖେଳାଳୀ ଅଦିତି ଜଣେ ଭାରତୀୟ ଭାବେ ସର୍ବୋଚ୍ଚ ସ୍ଥାନ ହାସଲ କରିବା ଏବଂ ଷ୍ଟିପଲଚେଜରେ ଅବିନାଶ ସାବଲେ ଜାତୀୟ ରେକର୍ଡ କରିବା ମଧ୍ୟ ଭାରତ ପାଇଁ ପ୍ରଥମ ଉପଲବ୍ଧି ଥିଲା। ସେ ଆହୁରି କହିଥିଲେ ଯେ, ଭାରତରେ କ୍ରୀଡ଼ାର ଆଧାର ବେଶ ସୁଦୃଢ଼; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଟିଓପି ଓ ଖେଲୋ ଇଣ୍ଡିଆ ଭଳି ଯୋଜନା ବେଶ ଫଳପ୍ରଦ ହେବା କାରଣରୁ ପଦକ ବିଜୟ ଭଳି ସଫଳତା ମିଳିପାରିଛି। ଆମେ ଆମ କ୍ରୀଡ଼ାବିତମାନଙ୍କୁ ସହାୟତା କରିବା ଜାରି ରଖିବୁ ଏବଂ ଆମେ ଭାରତକୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବୁ ବୋଲି କେନ୍ଦ୍ର ମନ୍ତ୍ରୀ ଦୋହରାଇଥିଲେ।

ଶ୍ରୀ କିରେନ ରିଜିଜୁ ସମସ୍ତ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ଭାରତ 2028 ଅଲିମ୍ପିକ୍ସ ସୁଦ୍ଧା ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ ହେବ ବୋଲି ଦୃଢ଼ବିଶ୍ବାସ ପ୍ରକଟ କରିଥିଲେ। 41 ବର୍ଷ ପରେ ହକିରେ ପଦକ ଜିତିବା ଏବଂ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ବିଜୟ ପାଇଁ ସେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରମାଣିକ ଉଚ୍ଚପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆପଣମାନେ ଭାରତକୁ ଗୌରବାନ୍ବିତ କରିଛନ୍ତି। ଏହା ଏକ ଐତିହାସିକ ଏବଂ ସ୍ମରଣୀୟ ମୁହୂର୍ତ୍ତ ଯାହାକି ଆଗାମୀ ପିଢ଼ିକୁ ପ୍ରତିଯୋଗିତା ମୂଳକ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଓ ଦେଶକୁ ଗୌରବାନ୍ବିତ କରିବା ପାଇଁ ଅନୁପ୍ରାଣିତ କରିବ।

ଚଳିତ ଥର ପ୍ରଥମ ଥର ପାଇଁ ଭାରତର ନୀରଜ ଚୋପ୍ରା 87.58 ମିଟର ଦୂରକୁ ଜାଭେଲିନ ଫିଙ୍ଗି ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ଆଥଲେଟିକ୍ସରେ କେବଳ ସ୍ବାଧୀନ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ନୁହେଁ ବରଂ ଜଣେ ଭାରତୀୟ ଆଥଲେଟଙ୍କ ଦ୍ବାରା ସର୍ବପ୍ରଥମ ପଦକ।

ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଛନ୍ତି। ସେ 2016 ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ବେଳେ ଟୋକିଓ 2020ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି କିମ୍ବଦନ୍ତୀ କର୍ଣ୍ଣମ ମାଲେଶ୍ବରୀଙ୍କ ପରେ ମୀରାବାଈ ଚାନୁ ଦ୍ବିତୀୟ ଭାରୋତ୍ତୋଳନକାରୀ ଭାବେ ଦେଶ ପାଇଁ ପଦକ ଆଣିଥିବା ବେଳେ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି 1980 ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଦୀର୍ଘ ଚାରି ଦଶନ୍ଧି ପରେ ହକିରେ ପ୍ରଥମ ପଦକ ହାସଲ କରିପାରିଛି। ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଚଳିତ ଥର 128 ଜଣ କ୍ରୀଡ଼ାବିତ ଭାରତ ପକ୍ଷରୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ସର୍ବାଧିକ 7ଟି ପଦକ ହାସଲ କରିଛନ୍ତି।

ରବି ଦହିୟା ଦ୍ବିତୀୟ କୁସ୍ତିଯୋଦ୍ଧା ଭାବେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟୀ ହୋଇପାରିଛନ୍ତି। ସେହିପରି ମ୍ୟାରିକମଙ୍କ ପରେ ଲଭଲିନ ବୋର୍ଗୋହେନ ଦ୍ବିତୀୟ ମହିଳା ବକ୍ସର ଭାବେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମୋଟ ଉପରେ ତୃତୀୟ ଭାରତୀୟ ବକ୍ସର ଭାବେ ଅଲିମ୍ପିକ୍ସ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ସ ଆରମ୍ଭ ହେବା ପରଠାରୁ ପ୍ରଥମ ଭାରତୀୟ ଫେନ୍ସର ଭାବେ ଭବାନୀ ଦେବୀ ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ନୀତ୍ରା କୁମାନନ ପ୍ରଥମ ଭାରତୀୟ ମହିଳା ନୌଚାଳକ ଭାବେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ସେହିପରି ଅଦିତି ଅଶୋକ ଗଲ୍ଫ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହି ଭାରତୀୟ ଭାବେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିଲେ।

 

********

P.S.

 



(Release ID: 1744247) Visitor Counter : 298