ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବେସାହାରା ପ୍ରାଣୀଙ୍କ ସାହାରା ପାଲଟିଥିବା ଅବସରପ୍ରାପ୍ତ ସେନା ଅଧିକାରିଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ନିଜ ସଞ୍ଚିତ ଅର୍ଥରେ ପ୍ରାଣୀଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଇଲେ ଅବସରପ୍ରାପ୍ତ ମେଜର ପ୍ରମିଳା ସିଂ

ଆପଣଙ୍କ ପ୍ରୟାସ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ, ଲେଖିଲେ ପ୍ରଧାନମନ୍ତ୍ରୀ

ଏହି ଅଭୂତପୂର୍ବ ପରିସ୍ଥିତି ପଶୁଙ୍କ ପାଇଁ ମଧ୍ୟ ସଙ୍କଟ ଆଣିଛି ଏବଂ ଆମେ ସମସ୍ତେ ସେମାନଙ୍କର ଆବଶ୍ୟକତା ଓ ଯନ୍ତ୍ରଣା ପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି : ପ୍ରଧାନମନ୍ତ୍ରୀ

Posted On: 18 JUL 2021 12:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କୋଟା ସହରରେ ରହୁଥିବା ପ୍ରମିଳା ସିଂଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରମିଳା ହେଉଛନ୍ତି ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରିଣୀ । ତାଙ୍କର ଦୟାଳୁ ସ୍ୱଭାବ ଓ ସେବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି । କରୋନା ଜନିତ ଲକଡାଉନ୍‌ ସମୟରେ ଅବସରପ୍ରାପ୍ତ ମେଜନ ପ୍ରମିଳା ସିଂ ଏବଂ ତାଙ୍କ ପିତା ଶ୍ୟାମବୀର ସିଂ ଅସହାୟ ଓ ପରିତ୍ୟକ୍ତ ସ୍ଥିତିରେ ଥିବା ପଶୁଙ୍କ ଯତ୍ନ ନେଇଥିଲେ । ସେମାନଙ୍କର ଯନ୍ତ୍ରଣାକୁ ବୁଝି ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ । ନିଜର ବ୍ୟକ୍ତିଗତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ମେଜର ପ୍ରମିଳା ଓ ତାଙ୍କ ପିତା ରାସ୍ତାରେ ବୁଲୁଥିବା ବୁଲା ପଶୁଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ମେଜର ପ୍ରମିଳାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରୟାସକୁ ସମାଜ ପାଇଁ ଏକ ପ୍ରେରଣା ବୋଲି ଅଭିହିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କୁ ଲେଖିଥିବା ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବିଗତ ପାଖାପାଖି ଦେଢ଼ ବର୍ଷ ଧରି, ଆମେ ଏକ ଅଭୂତପୂର୍ବ ପରିସ୍ଥିତିକୁ ଦୃଢ଼ତାର ସହ ସମ୍ମୁଖିନ ହୋଇଛୁ । ଏହା ଏପରି ଏକ ଐତିହାସିକ ସମୟ ଯାହାକୁ ଲୋକମାନେ ସାରା ଜୀବନ ଭୁଲି ପାରିବେ ନାହିଁ । ଏହା କେବଳ ମଣିଷଙ୍କ ପାଇଁ ନୁହେଁ ବରଂ ମଣିଷମାନଙ୍କ ସାନ୍ନିଧ୍ୟରେ ରହୁଥିବା ଅନେକ ପ୍ରାଣୀଙ୍କ ପାଇଁ କଷ୍ଟକର ମୁହୂର୍ତ୍ତ। ଏପରି ସ୍ଥିତିରେ ଆପଣ ଅସହାୟ ପଶୁଙ୍କ ଦୁଃଖ-ଯନ୍ତ୍ରଣା ଏବଂ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବା ତଥା ସେମାନଙ୍କର କଲ୍ୟାଣ ପାଇଁ ବ୍ୟକ୍ତିଗତ ସ୍ତରରେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ କାମ କରିବା ପ୍ରଶଂସନୀୟ ଅଟେ ।

ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି ଯାହା ମାନବିକତାକୁ ନେଇ ଆମକୁ ଗର୍ବ କରିବାର ଅବସର ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ମେଜର ପ୍ରମିଳା ଏବଂ ତଙ୍କ ପିତା ଏହିପରି ଭାବେ ସେମାନଙ୍କର ପ୍ରୟାସ ଜରିଆରେ ସମାଜରେ ସଚେତନତା ପ୍ରସାରିତ କରି ନିଜର କାର୍ଯ୍ୟ ମାଧ୍ୟମରେ ଲୋକମାନଙ୍କୁ ନିରନ୍ତର ଅନୁପ୍ରାଣିତ କରି ଚାଲିଥିବେ ।

ଏଥିପୂର୍ବରୁ ମେଜର ପ୍ରମିଳା ସିଂ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ପଶୁମାନଙ୍କର ଦେଖାଶୁଣା କରିବା ଲାଗି ଲକଡାଉନ ସମୟରେ ସେ ଯେଉଁ କାମ ଆରମ୍ଭ କରିଥିଲେ ତାହା ଏବେ ସୁଦ୍ଧା ଜାରି ରହିଛି । ସେ ପତ୍ରରେ ଅସହାୟ ପଶୁଙ୍କ ଯନ୍ତ୍ରଣାକୁ ବ୍ୟକ୍ତ କରି ସମାଜର ଅଧିକରୁ ଅଧିକ ଲୋକଙ୍କୁ ଏମାନଙ୍କ ସହାୟତା କରିବା ନିମନ୍ତେ ଆଗେଇ ଆସିବା ନିମନ୍ତେ ଅପିଲ କରିଛନ୍ତି ।

 

********

P.S



(Release ID: 1736569) Visitor Counter : 225