ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ

● କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି : ପ୍ରଧାନମନ୍ତ୍ରୀ
● ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ 135 କୋଟି ଭାରତୀୟଙ୍କ ଶୁଭକାମନା ରହିବ : ପ୍ରଧାନମନ୍ତ୍ରୀ
● ଟିକାକରଣ ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ସୁବିଧା ପର୍ଯ୍ୟନ୍ତ, ଆମ କ୍ରୀଡ଼ାବିତଙ୍କ ସମସ୍ତ ଆବଶ୍ୟକତା ନିଶ୍ଚିତ ଭାବେ ପୂରଣ ହେବା ଉଚିତ୍ : ପ୍ରଧାନମନ୍ତ୍ରୀ
● ବିଶ୍ଵସ୍ତରରେ ଚମକୁ ଥିବା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ଦ୍ୱାରା ଆହୁରି ହଜାରରୁ ଅଧିକ କ୍ରୀଡ଼ାବିତ୍ ଅନୁପ୍ରାଣିତ ହେବେ : ପ୍ରଧାନମନ୍ତ୍ରୀ
● ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଆମର ଅଲିମ୍ପିକ୍ସ ଦଳ ସହିତ ମୁଁ ଯୋଡ଼ି ହେବି, ସେମାନଙ୍କୁ ଉତ୍ସାହିତ କରିବି ଓ ଏକ ଗର୍ବିତ ରାଷ୍ଟ୍ର ସେମାନଙ୍କ ସହିତ ରହିଛି ବୋଲି ଆଶ୍ଵାସନା ଦେବି : ପ୍ରଧାନମନ୍ତ୍ରୀ

प्रविष्टि तिथि: 03 JUN 2021 4:31PM by PIB Bhubaneshwar

ଟୋକିଓ ଅଲିମ୍ପିକ୍ସକୁ ଆଉ 50 ଦିନ ବାକି  ରହିଛି। ଏହି ଅବସରରେ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ଯ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ଏକ ଉପସ୍ଥାପନା ରଖିଥିଲେ। ସମୀକ୍ଷା କରାଯିବା ସମୟରେ, ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ମହାମାରୀ ସମୟରେ କ୍ରୀଡ଼ାବିତମାନଙ୍କ ବାଧାମୁକ୍ତ ପ୍ରଶିକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଅଲିମ୍ପିକ୍ସ କୋଟା ଜିତିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ, କ୍ରୀଡ଼ାବିତମାନଙ୍କ ଟିକାକରଣ ଏବଂ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଇଚ୍ଛାମୁତାବକ ସହାୟତା ସମ୍ପର୍କରେ ଅବଗତ କରାଯାଇଥିଲା।

ଅଧିକାରୀମାନେ କ୍ରୀଡ଼ାବିତ୍ ଓ ସହାୟକ କର୍ମଚାରୀଙ୍କ ଟିକାକରଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ପ୍ରତ୍ୟେକ ଯୋଗ୍ୟତା ଅର୍ଜନକାରୀ/ସମ୍ଭାବ୍ୟ କ୍ରୀଡ଼ାବିତ, ସହାୟକ କର୍ମଚାରୀ ଓ ଅଧିକାରୀଙ୍କୁ ଯଥାଶୀଘ୍ର ଟିକାକରଣ କରାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଆମର ଅଲିମ୍ପିକ୍ସ ଦଳ ସହିତ ସେ ଯୋଡ଼ି ହୋଇ ସେମାନଙ୍କୁ ଉତ୍ସାହିତ କରିବେ ଓ ସମସ୍ତ ଦେଶବାସୀଙ୍କ ପକ୍ଷରୁ ସେମାନଙ୍କୁ ଶୁଭକାମନା ଜଣାଇବେ। କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ 135 କୋଟି ଭାରତୀୟଙ୍କ ଶୁଭକାମନା ରହିବ । ବିଶ୍ଵସ୍ତରରେ ଚମକୁ ଥିବା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ଦ୍ୱାରା ଆହୁରି ହଜାରରୁ ଅଧିକ କ୍ରୀଡ଼ାବିତ୍ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଅଧିକାରୀମାନେ କହିଥିଲେ ଯେ କ୍ରୀଡ଼ାବିତ୍ ମାନଙ୍କୁ ଅନୁପ୍ରାଣିତ କରିବା ଏବଂ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲାଗି ସେମାନଙ୍କର ମନୋବଳ ବଢ଼ାଇବା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ତେଣୁ, ପ୍ରତିଯୋଗିତା ଚାଲିଥିବା ସମୟରେ ଭାରତରେ ରହିଥିବା ସେମାନଙ୍କର ମାତାପିତା ଓ ପରିବାର ସଦସ୍ୟଙ୍କ ପାଇଁ ନିୟମିତ ଭିଡିଓ କନଫରେନ୍ସ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ କୁହାଯାଇଥିଲା ଯେ 11ଟି କ୍ରୀଡ଼ା ବର୍ଗରେ 100 ଜଣ କ୍ରୀଡ଼ାବିତ୍ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଏବଂ ଆହୁରି 25 ଜଣ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି ଯାହାର ବିବରଣୀ ଜୁନ 2021 ଶେଷ ସୁଦ୍ଧା ପ୍ରକାଶ ପାଇବ। 2016ରେ ରିଓ ଡି ଜେନେରିଓରେ ଅନୁଷ୍ଠିତ ପୂର୍ବ ବର୍ଷର ପାରା ଅଲିମ୍ପିକ୍ସରେ ମୋଟ୍ 19 ଜଣ ଭାରତୀୟ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ 26 ଜଣ ପାରା ଆଥଲେଟ୍ ଯୋଗ୍ୟତା ହାସଲ କରିଥିବା ବେଳେ ଆହୁରି 16 ଜଣ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି।

 

********

P.S


(रिलीज़ आईडी: 1724207) आगंतुक पटल : 248
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam