ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଭିଡ୍ କାରଣରୁ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ପରିବାରଙ୍କ ସହାୟତା ଲାଗି ଆହୁରି ଅଧିକ ପଦକ୍ଷେପ ଘୋଷଣା କଲେ ସରକାର
• କୋଭିଡ କାରଣରୁ ପ୍ରାଣ ହରାଇଥିବା ଲୋକମାନଙ୍କର ଆଶ୍ରିତମାନଙ୍କୁ କର୍ମଚାରୀ ରାଜ୍ୟ ବୀମା ନିଗମ ଅନ୍ତର୍ଗତ ମିଳିବ ପାରିବାରିକ ପେନସନ
• “ଇଡିଏଲଆଇ” ଯୋଜନା ଅନ୍ତର୍ଗତ ମିଳୁଥିବା ବୀମା ଲାଭକୁ ବଢ଼ାଇବା ସହିତ ଏହାକୁ ଆହୁରି କୋହଳ କରାଗଲା
• ଏହି ଯୋଜନାଗୁଡ଼ିକ ଫଳରେ ଏସବୁ ପରିବାରର ଆର୍ଥିକ ସମସ୍ୟା ଦୂର ହେବାରେ ମିଳିବ ସହାୟତା : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
29 MAY 2021 7:47PM by PIB Bhubaneshwar
“ପିଲାଙ୍କ ପାଇଁ ପିଏମ କେୟାର୍ସ-କୋଭିଡ ପ୍ରଭାବିତ ପିଲାମାନଙ୍କର ସଶକ୍ତିକରଣ” ଯୋଜନା ଅନ୍ତର୍ଗତ ଭାରତ ସରକାର ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଘୋଷଣା କରିଛନ୍ତି। ଏହା ବ୍ୟତୀତ କୋଭିଡ କାରଣରୁ ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇଥିବା ପରିବାରର ସହାୟତା ପାଇଁ ଆହୁରି ଅନେକ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ କୋଭିଡ କାରଣରୁ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରକୁ ପେନସନ ସହାୟତା ଯୋଗାଇ ଦିଆଯିବ। ଏଥିସହିତ ବର୍ଦ୍ଧିତ ଓ କୋହଳ ବୀମା କ୍ଷତିପୂରଣ ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଏସବୁ ପରିବାର ସହିତ ଏକଜୁଟ୍ ହୋଇ ଛିଡ଼ା ହୋଇଛି। ସେ ଏହା ମଧ୍ୟ କହିଥିଲେ ଯେ ଏସବୁ ଯୋଜନା ଜରିଆରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକର ଆର୍ଥିକ ସମସ୍ୟା ଦୂର କରିବା ଲାଗି ପ୍ରୟାସ କରାଯାଉଛି।
- କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଅନ୍ତର୍ଗତ ପାରିବାରିକ ପେନସନ
- ଏସବୁ ପରିବାରକୁ ସମ୍ମାନର ସହିତ ଜୀବନ ବିତାଇବା ଏବଂ ନିଜ ଜୀବନସ୍ତରକୁ ସୁଧାରିବାରେ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ରୋଜଗାର ସହ ଜଡ଼ିତ ମୃତ୍ୟୁ ମାମଲାର ଲାଭ ମିଳିପାରିବ। ଏଣିକି କୋଭିଡ କାରଣରୁ ପ୍ରାଣ ହରାଇଥିବା ଲୋକମାନେ ମଧ୍ୟ ଏହି ସୁବିଧାର ଲାଭ ନେଇପାରିବେ। ଏହି ଲୋକମାନଙ୍କ ଆଶ୍ରିତ ପରିବାରର ସଦସ୍ୟମାନେ ବର୍ତ୍ତମାନର ମାନଦଣ୍ଡ ଅନୁଯାୟୀ, ସମ୍ପୃକ୍ତ କର୍ମଚାରୀ ବା ଶ୍ରମଜୀବୀଙ୍କ ହାରାହାରୀ ଦୈନିକ ବେତନ କିମ୍ବା ପାରିଶ୍ରମିକର 90% ସହ ସମାନ ପେନସନର ଲାଭ ନେବା ପାଇଁ ସକ୍ଷମ ହୋଇପାରିବେ। ଏହି ସୁବିଧା ପିଛିଲା ଭାବେ ଲାଗୁ ହେବ ଏବଂ 24.03.2020 ଠାରୁ 24.03.2022 ପର୍ଯ୍ୟନ୍ତ ଘଟିଥିବା ଏପରି ସମସ୍ତ ମାମଲା ନିମନ୍ତେ ଉପଲବ୍ଧ ହେବ।
- କର୍ମଚାରୀ ଭବିଷ୍ୟ ନିଧି ସଂଗଠନ–କର୍ମଚାରୀ ଜମା ସମ୍ବନ୍ଧୀୟ ବୀମା ଯୋଜନା (ଇଡିଏଲଆଇ)
- ଇଡିଏଲଆଇ ଯୋଜନା ଅନ୍ତର୍ଗତ ମିଳୁଥିବା ବୀମା ଲାଭକୁ ବଢ଼ାଇବା ସହିତ କୋହଳ କରାଯାଇଛି। ଅନ୍ୟ ସମସ୍ତ ଲାଭାର୍ଥୀଙ୍କ ବ୍ୟତୀତ କୋଭିଡ କାରଣରୁ ପ୍ରାଣ ହରାଇଥିବା କର୍ମଚାରୀମାନଙ୍କ ପରିବାରବର୍ଗଙ୍କ ସହାୟତା ନିମନ୍ତେ ବିଶେଷ ଭାବେ ଏହି ଯୋଜନା ସହାୟକ ହୋଇପାରିବ।
- ସର୍ବାଧିକ ବୀମା ରାଶି ପରିମାଣ 6 ଲକ୍ଷ ଟଙ୍କାରୁ ବଢ଼ାଇ 7 ଲକ୍ଷ ଟଙ୍କା କରି ଦିଆଯାଇଛି।
- 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବନିମ୍ନ ବୀମା ଲାଭ ବ୍ୟବସ୍ଥାକୁ ପୁନଃପ୍ରଚଳନ କରି ଦିଆଯାଇଛି ଏବଂ ଏହା ପିଛିଲା ଭାବେ 15 ଫେବୃଆରୀ 2020 ଠାରୁ ପରବର୍ତ୍ତୀ ତିନି ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ।
- ଚୁକ୍ତିଭିତ୍ତିରେ କାମ କରୁଥିବା/ଅସ୍ଥାୟୀ ଶ୍ରମଜୀବୀମାନଙ୍କ ପରିବାରଗୁଡ଼ିକୁ ଲାଭ ଦେବା ପାଇଁ କେବଳ ଗୋଟିଏ ପ୍ରତିଷ୍ଠାନରେ ଲଗାତାର ନିୟୋଜିତ ରହିବାର ସର୍ତ୍ତକୁ କୋହଳ କରି ଦିଆଯାଇଛି। ଏଣିକି ମୃତ୍ୟୁ ପୂର୍ବରୁ ବିଗତ 12 ମାସରେ କୌଣସି କାରଣରୁ ଚାକିରି ବଦଳାଇ ଦେଇଥିବା କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମଧ୍ୟ ଏହି ଲାଭ ମିଳିପାରିବ।
ଏହି ଯୋଜନାଗୁଡ଼ିକର ବିସ୍ତୃତ ମାର୍ଗଦର୍ଶିକା ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଉଛି।
********
P.S
(ରିଲିଜ ଆଡି: 1723346)
ପରିଦର୍ଶକ କାଉଣ୍ଟର : 318
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam