ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ୍-19 ସଂକ୍ରାନ୍ତରେ ବାରାଣସୀର ଆଞ୍ଚଳିକ ଜନ ପ୍ରତିନିଧି ଓ ଅଧିକାରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ସର୍ବାଧିକ ସମ୍ବେଦନଶୀଳତା ସହିତ ପ୍ରଶାସନ ପକ୍ଷରୁ ବାରାଣସୀର ଜନସାଧାରଣଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ଉଚିତ୍ : ପ୍ରଧାନମନ୍ତ୍ରୀ

“ଦୁଇ ଗଜ ଦୂରତା, ମାସ୍କ ଜରୁରି” ପାଳନ କରାଯିବା ସହ ପ୍ରଶାସନ ସମସ୍ତ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣ କରିବା ସୁନିଶ୍ଚିତ କରିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

ଚିହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଉପରେ ଗୁରୁତ୍ବ ଦେଲେ ପ୍ରଧାନମନ୍ତ୍ରୀ, ପ୍ରଥମ ଲହରୀ ଭଳି ଦ୍ବିତୀୟ ଲହରୀ ସହ ମୁକାବିଲା କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ

କୋଭିଡ ସଂକ୍ରମଣର ନିରାକରଣ ପାଇଁ ଉଭୟ ସରକାର ଓ ସମାଜର ସହଯୋଗ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ

Posted On: 18 APR 2021 1:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାରାଣସୀ ଜିଲ୍ଲାରେ କୋଭିଡ-19 ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କରୋନା ନିରାକରଣ ଏବଂ କରୋନା ସଂକ୍ରମିତ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଲାଗି ପରୀକ୍ଷଣ, ଶଯ୍ୟା, ଟିକା ଓ ମାନବ ସମ୍ବଳ ଆଦିର ଉପଲବ୍ଧତା ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ଜନସାଧାରଣଙ୍କୁ ସମସ୍ତ ଯଥାସମ୍ଭବ ସହାୟତା ଯୋଗାଇ ଦେବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତେ “ଦୁଇ ଗଜ ଦୂରତା ଓ ମାସ୍କ ଜରୁରି” ନିୟମକୁ ପାଳନ କରିବା ଉଚିତ୍। ଟିକାକରଣ ଅଭିଯାନ ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଶାସନ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ। ସର୍ବାଧିକ ସମ୍ବେଦନଶୀଳତାର ସହିତ ବାରାଣସୀର ଜନସାଧାରଣଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ସେ ପ୍ରଶାସନକୁ ଆହ୍ବାନ କରିଥିଲେ।

ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ବର୍ତ୍ତମାନର ସଙ୍କଟ ସମୟରେ ମଧ୍ୟ ସେମାନେ ନିଷ୍ଠାପର ଭାବେ ସେମାନଙ୍କର ଦାୟିତ୍ବ ତୁଲାଉଛନ୍ତି। ସେ କହିଥିଲେ ଯେ ଆମକୁ ଗତ ବର୍ଷର ଅଭିଜ୍ଞତାରୁ ଶିକ୍ଷା ଲାଭ କରି ସତର୍କତାର ସହିତ ଆଗକୁ ବଢ଼ିବାକୁ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରାଣସୀର ପ୍ରତିନିଧି ଭାବେ ସେ ମଧ୍ୟ ସାଧାରଣ ଲୋକଙ୍କ ଠାରୁ ନିୟମିତ ମତାମତ ନେଉଛନ୍ତି।  ସେ କହିଥିଲେ, ଗତ 5-6 ବର୍ଷ ମଧ୍ୟରେ ବାରାଣସୀରେ ଚିକିତ୍ସା ଭିତ୍ତିଭୂମିର ଉନ୍ନତିକରଣ ଓ ଆଧୁନିକୀକରଣ ହେବା ଫଳରେ କରୋନା ମୁକାବିଲାରେ ସହାୟତା ମିଳିପାରୁଛି।

ସମାନ୍ତରାଳ ଭାବେ, ବାରାଣସୀରେ ଶଯ୍ୟା, ଆଇସିୟୁ ଏବଂ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କରାଯାଉଛି। ତେବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ବଢ଼ୁଥିବା ଚାପକୁ ଦୃଷ୍ଟିରେ ରଖି ସମସ୍ତ ସ୍ତରରେ ପ୍ରୟାସକୁ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ବାରାଣସୀ ପ୍ରଶାସନ ଯେଉଁ ଗତିରେ ‘କାଶୀ କୋଭିଡ୍ ମୁକାବିଲା କେନ୍ଦ୍ର’ ସ୍ଥାପନ କରିଥିଲା ସେହି ଅନୁଯାୟୀ ସମସ୍ତ କ୍ଷେତ୍ରରେ କାର୍ଯ୍ୟର ଗତି ବଢ଼ାଇବା ଲାଗି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

‘ପରୀକ୍ଷଣ, ଚିହ୍ନଟ ଓ ଚିକିତ୍ସା’ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇ କହିଥିଲେ ଯେ ପ୍ରଥମ ଲହରୀ ଭଳି ସମାନ ରଣନୀତି ଅବଲମ୍ବନ କରାଯାଇ ଭୂତାଣୁ ବିରୋଧରେ ଲଢ଼େଇ କରାଯାଇପାରିବ। ଯଥାଶୀଘ୍ର ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ଏବଂ ସଂକ୍ରମିତ ଲୋକମାନଙ୍କ ପରୀକ୍ଷଣ ରିପୋର୍ଟ ବାହାର କରିବା ଉପରେ ସେ ଜୋର ଦେଇଥିଲେ। ସମ୍ବେଦନଶୀଳତାର ସହିତ ରୋଗୀ ଏବଂ ଗୃହ ସଙ୍ଗରୋଧରେ ଥିବା ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ରହିଥିବା ସମସ୍ତ ଉତ୍ତରଦାୟିତ୍ବ ପାଳନ କରିବା ନିମନ୍ତେ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସରକାରଙ୍କ ସହିତ ଜଡ଼ିତ ରହି କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ସେମାନଙ୍କୁ ଆହୁରି ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସତର୍କ ଓ ସଜାଗ ରହିବା ଉପରେ ସେ ଜୋର ଦେଇଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ ନିରାକରଣ ଓ ଚିକିତ୍ସା ପାଇଁ ପ୍ରସ୍ତୁତି ସମ୍ପର୍କରେ ବାରାଣସୀ ଅଞ୍ଚଳର ଜନ ପ୍ରତିନିଧି ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ, କଣ୍ଟାକ୍ଟ ଟ୍ରେସିଂ ପାଇଁ ପ୍ରତିଷ୍ଠା କରାଯାଇଥିବା ନିୟନ୍ତ୍ରଣ କକ୍ଷ, ଗୃହ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କ ପାଇଁ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର, ସମର୍ପିତ ଫୋନ ଲାଇନ ଆମ୍ବୁଲାନ୍ସ, ନିୟନ୍ତ୍ରଣ କକ୍ଷରୁ ଟେଲି ମେଡ଼ିସିନ ବ୍ୟବସ୍ଥା, ସହରାଞ୍ଚଳ ଆଦିରେ ଅତିରିକ୍ତ ଜରୁରିକାଳୀନ ମୁକାବିଲା ଦଳ ନିୟୋଜିତ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା 19,8,383 ଲୋକଙ୍କୁ କୋଭିଡ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍ ଓ 35,014 ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଥିବା ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରାଯାଇଥିଲା।

ଏହି ଭିଡିଓ କନଫରେନ୍ସିଂରେ ବାରାଣସୀର ଏମଏଲସି ଏବଂ କୋଭିଡ ଦାୟିତ୍ବରେ ଥିବା ଶ୍ରୀ ଏ.କେ ଶର୍ମା, ଜୋନ ମୁଖ୍ୟ ଶ୍ରୀ ଦୀପକ ଅଗ୍ରଓ୍ବାଲ, ପୋଲିସ କମିଶନର ଶ୍ରୀ ଏ. ସତୀଶ ଗଣେଶ, ଜିଲ୍ଲାପାଳ ଶ୍ରୀ କୌଶଳ ରାଜ ଶର୍ମା, ମହାନଗର ନିଗମ କମିଶନର ଶ୍ରୀ ଗୌରାଙ୍ଗ ରାଠି, ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଏନ.ପି ସିଂ, ଆଇଏମଏସ ବିଏଚୟୁ ନିର୍ଦ୍ଦେଶକ ପ୍ରଫେସର ବି.ଆର ମିତ୍ତଲ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ନୀଳକଣ୍ଠ ତିଓ୍ବାରୀ ଓ ଶ୍ରୀ ରବୀନ୍ଦ୍ର ଜୈଶ୍ବାଲ, ରୋହନିୟା ବିଧାୟକ ଶ୍ରୀ ସୁରେନ୍ଦ୍ର ନାରାୟଣ ସିଂ, ଏମଏଲସି ଶ୍ରୀ ଅଶୋକ ଧଓ୍ବନ ଏବଂ ଶ୍ରୀ ଲକ୍ଷ୍ମଣ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।

 

*******

P.S



(Release ID: 1712571) Visitor Counter : 188