ଅର୍ଥ ମନ୍ତ୍ରଣାଳୟ

ପାରାଦୀପରେ ମାଛଧରା ବନ୍ଦରର ଆଧୁନିକୀକରଣ ଓ ମାଛ ସଂଗ୍ରହ କେନ୍ଦ୍ରର ହେବ ବିକାଶ

କୃଷି, ଆନୁସଙ୍ଗିକ କ୍ଷେତ୍ର ସମେତ କୃଷକ କଲ୍ୟାଣ, ଗ୍ରାମୀଣ ଭାରତର ସାମଗ୍ରୀକ ବିକାଶ ଓ ଆକାଂକ୍ଷିତ ଭାରତ ନିମନ୍ତେ ବଜେଟରେ ୯ଟି ପ୍ରସ୍ତାବ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସଂପ୍ରସାରିତ ହେବ ସ୍ୱାମୀତ୍ୱ ଯୋଜନା

୨୦୨୨ ଆର୍ଥିକ ବର୍ଷ ସୁଦ୍ଧା କୃଷି ଋଣ ଲକ୍ଷ୍ୟ ୧୬ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି

ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠିରେ ଶତକଡା ୩୩ ଭାଗ ବୃଦ୍ଧି

ଅଣୁ ଜଳସେଚନ ପାଣ୍ଠି ଦ୍ୱିଗୁଣିତ

ଅପରେସନ ଗ୍ରୀନ ସ୍କିମ – ‘ଟପସ’ ନଷ୍ଟ ହୋଇଯାଉଥିବା ୨୨ଟି ଅଧିକ ସାମଗ୍ରୀ ଅନ୍ତର୍ଭୁକ୍ତ

ଇ-ନାମ ସହ ସମନ୍ୱିତ ହେବ ଏକ ହଜାରରୁ ଅଧିକ ମଣ୍ଡି

କୃଷି ଭିତ୍ତିଭୂମି ପାଣ୍ଠିରେ ପ୍ରବେଶ କରିବ ଏପିଏମସି

ପାଞ୍ଚଟି ପ୍ରମୁଖ ମାଛଧରା ବନ୍ଦର ପାଇଁ ହେବ ଅଧିକ ପୁଞ୍ଜି ବିନିଯୋଗ

ତାମିଲନାଡୁରେ ପ୍ରତିଷ୍ଠିତ ହେବ ବହୁମୁଖୀ ସାମୁଦ୍ରିକ ଗୁଳ୍ମ ଉଦ୍ୟାନ

Posted On: 01 FEB 2021 1:45PM by PIB Bhubaneshwar

କୃଷିକ୍ଷେତ୍ରର ଉନ୍ନତି ସହ ସାମଗ୍ରୀକ ବିକାଶ ଓ ଆକାଂକ୍ଷିତ ଭାରତ ପାଇଁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆଗତ କେନ୍ଦ୍ରୀୟ ବଜେଟରେ ନଅଟି ପ୍ରମୁଖ ଘୋଷଣା କରିଛନ୍ତି ।

ସ୍ୱାମୀତ୍ୱ ଯୋଜନା

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱାମୀତ୍ୱ ଯୋଜନା ସଂପ୍ରସାରଣ ନିମନ୍ତେ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ପ୍ରସ୍ତାବ ଗ୍ରାମରେ ଜମି ମାଲିକାନାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ସ୍ୱାମୀତ୍ୱ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଜମିମାଲିକ ମାନଙ୍କୁ ସତ୍ତ୍ୱାଧିକାର ପ୍ରଦାନ କରାଯାଇଛି । ଅଦ୍ୟାବଧି ୧୨୪୧ଟି ଗ୍ରାମର ପ୍ରାୟ ୧ ଲକ୍ଷ ୮୦ହଜାର ଜମିମାଲିକଙ୍କୁ କାର୍ଡ ପ୍ରଦାନ କରାଯାଇଛି ।

୨୦୨୨ ଆର୍ଥିକ ବର୍ଷ ସୁଦ୍ଧା କୃଷି ଋଣ ଲକ୍ଷ୍ୟ ୧୬ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି କରାଯାଇଛି

ଆମ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ୨୦୨୨ ଆର୍ଥିକ ବର୍ଷରେ କୃଷି ଋଣ ଲକ୍ଷ୍ୟ ୧୬ ଲକ୍ଷ ୫୦ ହଜାର କୋଟି ବୃଦ୍ଧି କରିଛନ୍ତି । ଶ୍ରୀମତୀ ସୀତାରମଣ ଆହୁରି କହିଛନ୍ତି ଯେ ସରକାର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଋଣ ପରିମାଣ ଅଧିକ କରିବା ଉପରେ ଗୁରୁତ୍ୱ ଦେବେ ।

ଗ୍ରାମାଞ୍ଚଳ ବିକାଶ ଭିତ୍ତିଭୂମି ପାଣ୍ଠିରେ ଶତକଡା ୩୩ ଭାଗବୃଦ୍ଧି

ଅର୍ଥମନ୍ତ୍ରୀ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ନିମନ୍ତେ ଅର୍ଥ ୩୦ ହଜାରରୁ ୪୦ ହଜାର କୋଟି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ଅଣୁ ଜଳସେଚନ ପାଣ୍ଠି ଦ୍ୱିଗୁଣିତ

ନାବାର୍ଡ ଅଧୀନରେ ଅଣୁ ଜଳସେଚନ ପାଣ୍ଠି ଅର୍ଥ ୫ ହଜାର କୋଟି ଥିବାବେଳେ ଶ୍ରୀମତୀ ସୀତାରମଣ ଆଉ ୫ ହଜାର କୋଟି ଆବଣ୍ଟନ ପାଇଁ ଘୋଷଣା କରିଛନ୍ତି ।

ଅପରେସନ ଗ୍ରୀନ ଯୋଜନା – ‘ଟପରେ ୨୨ଟି ନଷ୍ଟ ହୋଇଯାଉଥିବା ସାମଗ୍ରୀ ସାମିଲ

କୃଷି ଓ ତଦଜନିତ ସାମଗ୍ରୀ ରପ୍ତାନୀକୁ ଦୃଷ୍ଟିରେ ରଖି ଏହାର ଗୁଣାତ୍ମକ ମୂଲ୍ୟ ବଜାୟ ରଖିବା ପାଇଁ ଶ୍ରୀମତୀ ସୀତାରମଣ ଅପରେସନ ଗ୍ରୀନ ସ୍କିମର ପରିସର ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି ।ଏହା ବର୍ତ୍ତମାନ କେବଳ ଟମାଟୋ, ପିଆଜ ଓ ଆଳୁ ପାଇଁ ଲାଗୁ ହେଉଥିବାବେଳେ ଏହି ଯୋଜନା ପରିସରକୁ ୨୨ଟି ପଚିସଢ଼ି ଯାଉଥିବା ସାମଗ୍ରୀ ଆସିଯିବ ।

ଇ-ନାମ ସହ ମିଶିବ ଆଉ ଏକ ହଜାର ମଣ୍ଡି

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପାଖାପାଖି ୧.୬୮ କୋଟି କୃଷକ ପଞ୍ଜିକୃତ ହୋଇଥିବା ବେଳେ ଇ-ନାମ ଜରିଆରେ ୧.୧୪ ଲକ୍ଷ କୋଟି ମୂଲ୍ୟର କାରବାର ହେଉଛି । କୃଷିବଜାରରେ ସ୍ୱଚ୍ଛତା ଓ ପ୍ରତିଯୋଗିତା ସୃଷ୍ଟି କରିଥିବାରୁ ଅର୍ଥମନ୍ତ୍ରୀ ଏକ ହଜାର ଅଧିକ ମଣ୍ଡି ଇ-ନାମରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

କୃଷି ଭିତ୍ତିଭୂମି ପାଣ୍ଠିରେ ଏପିଏମସିର ପ୍ରବେଶ

ଭିତ୍ତିଭୂମି ସୁବିଧା ବୃଦ୍ଧି ଦୃଷ୍ଟିରୁ ଅର୍ଥମନ୍ତ୍ରୀ ଏପିଏମସିକୁ କୃଷି ଭିତ୍ତିଭୂମି ପାଣ୍ଠିରେ ପ୍ରବେଶ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି ।

ପାଞ୍ଚଟି ମାଛଧରା ବନ୍ଦର ବିକାଶ ପାଇଁ ପ୍ରସ୍ତାବ

ମାଛଧରା ବନ୍ଦର ଆଧୁନିକୀକରଣ ଓ ମାଛ ସଂଗ୍ରହ କେନ୍ଦ୍ରର ବିକାଶ ନିମନ୍ତେ ଶ୍ରୀମତୀ ସୀତାରମଣ ପର୍ଯ୍ୟାପ୍ତ ପୁଞ୍ଜି ବିନିଯୋଗ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ପାଞ୍ଚଟି ପ୍ରମୁଖ ମାଛଧରା ବନ୍ଦର ଯଥା -କୋଚି, ଚେନ୍ନାଇ, ବିଶାଖାପାଟନମ, ପାରାଦ୍ୱୀପ ଏବଂ ପେଟୁଘାଟ ଆର୍ଥିକ ଦୃଷ୍ଟିରୁ ବିକଶିତ ହେବ । ଏହା ବ୍ୟତିତ ନଦୀ ମୁହାଣ ଓ ଅନ୍ୟାନ୍ୟ ଜଳଉତ୍ସଗୁଡିକର ମାଛଧରାକୁ ପ୍ରୋତ୍ସାହନ ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ।

ତାମିଲନାଡୁରେ ପ୍ରତିଷ୍ଠିତ ହେବ ବହୁମୁଖୀ ସାମୁଦ୍ରିକ ଗୁଳ୍ମ ଉଦ୍ୟାନ

ସାମୁଦ୍ରିକ ଗୁଳ୍ମଚାଷକୁ ଲାଭଜନକ ବିବେଚନା କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହି ନୂତନ ଭାବେ ଆସୁଥିବା କ୍ଷେତ୍ର ଯୋଗୁ ଉପକୂଳବାସିନ୍ଦାଙ୍କ ଜୀବନମାନରେ ଉନ୍ନତି ଘଟିପାରିବ । ସାମୁଦ୍ରିକ ଗୁଳ୍ମ ଉତ୍ପାଦନକୁ ଦୃଷ୍ଟିରେ ରଖି ସେ ତାମିଲନାଡୁରେ ଏକ ବହୁମୁଖୀ ସାମୁଦ୍ରିକ ଗୁଳ୍ମ ଉଦ୍ୟାନ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଚାଷୀମାନଙ୍କ କଲ୍ୟାଣ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଦୋହରାଇ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଗହମ, ଧାନ, ଡାଲିଜାତୀୟ ଶସ୍ୟ ବ୍ୟାପକ ପରିମାଣରେ କୃଷକମାନଙ୍କ ଠାରୁ ଆହରଣ କରାଯାଇଛି । ସେ ଦୃଷ୍ଟିରୁ ଏହି ସମସ୍ତ ଶସ୍ୟର ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ଦେଢ଼ଗୁଣ ବୃଦ୍ଧି କରାଯାଇଛି । ଗହମ କ୍ଷେତ୍ରରେ ୨୦୧୩-୧୪ ଆର୍ଥିକ ବର୍ଷରେ ୩୩ ହଜାର ୮୭୪ କୋଟି ଟଙ୍କା ସହାୟକ ମୂଲ୍ୟବାବଦ ପଇଠ କରାଯାଇଥିବା ବେଳେ, ୨୦୧୯-୨୦ରେ ଏହା ୬୨ ହଜାର ୮୦୨ କୋଟିକୁ ବୃଦ୍ଧି ପାଇଛି ଓ ୨୦୨୦-୨୧ରେ ଏହା ୭୫ ହଜାର ୬୦ କୋଟିକୁ ବୃଦ୍ଧି ପାଇଛି । ୨୦୧୯-୨୦ରେ ୩୫ ଲକ୍ଷ ୫୭ ହଜାର ଗହମ ଚାଷୀ ଉପକୃତ ହୋଇଥିବା ବେଳେ ୨୦୨୦-୨୧ରେ ୪୩ ଲକ୍ଷ ୩୬ ହଜାର ଉପକୃତ ହୋଇଛନ୍ତି ।

ଧାନ କ୍ଷେତ୍ରରେ ୨୦୧୩-୧୪ରେ ୬୩ ହଜାର ୯୨୮ କୋଟି ପ୍ରଦାନ କରାଯାଇଥିବା ବେଳେ, ୨୦୧୯-୨୦ରେ ଏହା ୧ ଲକ୍ଷ ୪୧ ହଜାର ୯୩୦ କୋଟିକୁ ବୃଦ୍ଧି ପାଇଛି । ୨୦୨୦-୨୧ରେ ଏହା ୧ ଲକ୍ଷ ୭୨ ହଜାର ୭୫୨ କୋଟି ହେବ ବୋଲି ଆକଳନ କରାଯାଇଛି । ୨୦୧୯-୨୦ରେ ୧ କୋଟି ୨୪ ଲକ୍ଷ ଧାନ ଚାଷୀ ଉପକୃତ ହୋଇଥିବା ବେଳେ ଏହି ସଂଖ୍ୟା ୨୦୨୦-୨୧ରେ ୧ କୋଟି ୫୪ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଡାଲିଜାତୀୟ ଶସ୍ୟ କ୍ଷେତ୍ରରେ ୨୦୧୩-୧୪ ତୁଳନାରେ ୨୦୨୦-୨୧ରେ ଏହା ୪୦ ଗୁଣବୃଦ୍ଧି ପାଇଛି ।

ତୁଳାଚାଷୀ ୨୦୧୩-୧୪ରେ ମାତ୍ର ୯୦ କୋଟି ଟଙ୍କା ପାଇଥିବା ବେଳେ ୨୭ ଜାନୁଆରୀ ୨୦୨୧ ସୁଦ୍ଧା ୨୫ ହଜାର୯୭୪ କୋଟି ପାଇଛନ୍ତି ।

 

SM

********



(Release ID: 1694091) Visitor Counter : 229