ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
51ତମ ଆଇଏଫଏଫଆଇ ପାଇଁ ଗଣମାଧ୍ୟମ ପଞ୍ଜୀକରଣ ଆରମ୍ଭ
ଅନଲାଇନ ମାଧ୍ୟମରେ ଅଂଶଗ୍ରହଣକୁ ପ୍ରୋତ୍ସାହନ
Posted On:
30 DEC 2020 11:13AM by PIB Bhubaneshwar
ଜାନୁଆରୀ 16-24, 2021 ମଧ୍ୟରେ ଗୋଆଠାରେ 51ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି।
ବର୍ତ୍ତମାନର କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି, 51ତମ ଆଇଏଫଏଫଆଇ ଭିନ୍ନ ଢଙ୍ଗରେ ଆୟୋଜନ କରାଯିବ।
କୋଭିଡ-19 ସଂକ୍ରାନ୍ତ ନିୟମକୁ ପାଳନ କରିବା ଲାଗି, ବ୍ୟକ୍ତିଗତ ଭାବେ ଗୋଆ ଆସି ମହୋତ୍ସବର ଖବର ସଂଗ୍ରହ କରୁଥିବା ମାନ୍ୟତାପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସଂଖ୍ୟା ପୂର୍ବାପେକ୍ଷା କମ ରହିବ।
ବ୍ୟକ୍ତିଗତ ଭାବେ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ https://my.iffigoa.org/extranet/media/ ଲିଙ୍କରେ ପଞ୍ଜିକୃତ କରିପାରିବେ।
ଆବେଦନକାରୀଙ୍କ ବୟସ 1 ଜାନୁଆରୀ 2020 ସୁଦ୍ଧା 21 ବର୍ଷରୁ ଅଧିକ ହୋଇଥିବ ଏବଂ ତାଙ୍କର ଆଇଏଫଏଫଆଇ ଭଳି ବଡ଼ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଖବର ସଂଗ୍ରହ କରିବା କ୍ଷେତ୍ରରେ ଅତିକମରେ ତିନି ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଗଣମାଧ୍ୟମ ମାନ୍ୟତା ପ୍ରଦାନ କରାଯିବ।
ପଞ୍ଜୀକରଣ ପ୍ରକ୍ରିୟା 10 ଜାନୁଆରୀ, 2021 ସୁଦ୍ଧା ବନ୍ଦ ହୋଇଯିବ।
ଅନଲାଇନରେ ଅଂଶଗ୍ରହଣ ପାଇଁ ସୁଯୋଗ
ଭର୍ଚୁଆଲ ମାଧ୍ୟମରେ ମହୋତ୍ସବ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ରହିବ। ଏକାଧିକ ଚଳଚ୍ଚିତ୍ରର ସ୍କ୍ରିନିଂ ଅନଲାଇନ କରାଯିବ।
ପିଆଇବି ପକ୍ଷରୁ ଆୟୋଜିତ ହେବାକୁ ଥିବା ସମସ୍ତ ଆଇଏଫଏଫଆଇ ସାମ୍ବାଦିକ ସମ୍ମିଳନୀ ପିଆଇବିର ୟୁଟ୍ୟୁବ ଚ୍ୟାନେଲ youtube.com/pibindiaରେ ଲାଇଭ ଷ୍ଟ୍ରିମ କରାଯିବ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଅନଲାଇନ ପ୍ରଶ୍ନ ପଚାରିବାର ବ୍ୟବସ୍ଥା ରହିବ।
ଯଥା ସମୟରେ ଅନଲାଇନ ଅଂଶଗ୍ରହଣର ସମ୍ପୂର୍ଣ୍ଣ ବିବରଣୀ ଘୋଷଣା କରାଯିବ।
*********
PIB Mumbai / DJM /DR/PS
(Release ID: 1684605)
Visitor Counter : 187
Read this release in:
Marathi
,
Hindi
,
Punjabi
,
Gujarati
,
Tamil
,
Telugu
,
Kannada
,
Bengali
,
Manipuri
,
English
,
Urdu
,
Malayalam