ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ବଢ଼ିଲା

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି

ମୂଳ ଭାବନା ସହିତ ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ

Posted On: 27 DEC 2020 2:55PM by PIB Bhubaneshwar

କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନଗୁଡ଼ିକୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏଥିପୂର୍ବରୁ ମୋଟର ଯାନ ଆଇନ, 1988 ତଥା କେନ୍ଦ୍ରୀୟ ମୋଟର ଯାନ ନିୟମ, 1989 ସମ୍ବନ୍ଧୀୟ କାଗଜପତ୍ରରର ବୈଧତାକୁ ସମ୍ପ୍ରସାରଣ କରିବା ସଂକ୍ରାନ୍ତରେ 30 ମାର୍ଚ୍ଚ, 2020, 9 ଜୁନ 2020 ଏବଂ 24 ଅଗଷ୍ଟ 2020ରେ ମାର୍ଗଦର୍ଶିକା ଜାରି କରିଥିଲା । ଫିଟନେସ, ପରମିଟ(ସମସ୍ତ ପ୍ରକାରର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏ ସଂକ୍ରାନ୍ତ ଅନ୍ୟ କୌଣସି କାଗଜପତ୍ରର ବୈଧତା 31 ଡିସେମ୍ବର, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ବର୍ତ୍ତମାନ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି, “କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଦିଆଯାଉଛି ଯେ ଉପରୋକ୍ତ ସମସ୍ତ କାଗଜପତ୍ର 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ବୈଧ ବୋଲି ବିଚାର କରାଯିବ । ଏଥିରେ ସେସବୁ କାଗଜପତ୍ର ମଧ୍ୟ ସାମିଲ ରହିଛି ଯାହାର ବୈଧତା 1 ଫେବୃଆରୀ, 2020 ପରଠାରୁ ଶେଷ ହୋଇସାରିଛି କିମ୍ବା 31 ମାର୍ଚ୍ଚ, 2021 ସୁଦ୍ଧା ଶେଷ ହେବ ।
ଏଥିରେ ଏହା ମଧ୍ୟ କୁହାଯାଇଛି, “ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ଏପରି କାଗଜପତ୍ରକୁ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ବୈଧ ବୋଲି ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ନାଗରିକମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ପରିବହନ ସମ୍ବନ୍ଧୀୟ ସେବାର ଲାଭ ଉଠାଇବାରେ ଏହା ସହାୟତା କରିବ ।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଏହି ମାର୍ଗଦର୍ଶିକାକୁ ମୂଳଭାବନା ସହିତ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଯାହାଫଳରେ ନାଗରିକ, ଟ୍ରାନ୍ସପୋର୍ଟର ଏବଂ ବିଭିନ୍ନ ଅନ୍ୟ ସଂଗଠନଗୁଡ଼ିକୁ ସୁବିଧା ମିଳିପାରିବ । ବିଶେଷ କରି କୋଭିଡ ମହାମାରୀ ସମୟରେ କଠିନ ପରିସ୍ଥିତି ଦେଇ ଗତି କରୁଥିବାରୁ ଏହାଦ୍ୱାରା ସେମାନଙ୍କର ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

**********



(Release ID: 1684011) Visitor Counter : 233