ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଟୀକାକରଣ ଲାଗି କେନ୍ଦ୍ର ସରକାରଙ୍କ ବ୍ୟାପକ ପ୍ରସ୍ତୁତି

ପ୍ରଶିକ୍ଷାର୍ଥୀଙ୍କ ପାଇଁ 2360 ପ୍ରଶିକ୍ଷଣ ଶିବିର ଆୟୋଜିତ

7000ରୁ ଅଧିକ ଜିଲ୍ଲା ପ୍ରଶିକ୍ଷାର୍ଥୀଙ୍କୁ ତାଲିମ

ଆସନ୍ତା ସପ୍ତାହ ଠାରୁ ଚାରିଟି ରାଜ୍ୟରେ ଟୀକାକରଣ ପରିଚାଳନା ପାଇଁ ଅଭ୍ୟାସ

Posted On: 25 DEC 2020 11:41AM by PIB Bhubaneshwar

ସାରା ଦେଶରେ କୋଭିଡ-19 ଟୀକାକରଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଟୀକାକରଣ ପ୍ରକ୍ରିୟା ଏବଂ ପ୍ରଶିକ୍ଷକମାନଙ୍କୁ ତାଲିମରେ ଟୀକା ପରିଚାଳକମାନଙ୍କର ପ୍ରମୁଖ ଭୂମିକା ରହିବ। ସେଥିପାଇଁ ଟୀକା ପରିଚାଳକମାନଙ୍କୁ ବିଭିନ୍ନ ରାଜ୍ୟକୁ ନିଆଯାଇଛି।

କୋଭିଡ -19 ଟୀକାକରଣ ଏବଂ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାନବ ସମ୍ବଳ ବିକାଶ ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚିକିତ୍ସା ଅଧିକାରୀ, ଟୀକାପ୍ରଦାନକାରୀ, ବିକଳ୍ପ ଟୀକାପ୍ରଦାନକାରୀ, କୋଲ୍ଡଚେନ ପରିଚାଳକ, ସୁପରଭାଇଜର, ଡାଟା ମ୍ୟାନେଜର, ଆଶା ସଂଯୋଜକ ଏବଂ ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ପ୍ରକ୍ରିୟାରେ ସମ୍ପୃକ୍ତ ଥିବା ପେସାଦାରଙ୍କ ସମେତ ବିଭିନ୍ନ ବର୍ଗର ଟୀକା ନିୟନ୍ତ୍ରକ ଓ ପରିଚାଳକମାନଙ୍କ ପାଇଁ ବିସ୍ତୃତ ପ୍ରଶିକ୍ଷଣ ମଡ୍ୟୁଲ ବିକଶିତ କରାଯାଇଛି। ଟୀକାକରଣ ଅଧିବେଶନ ଆୟୋଜନ କରିବା, ସମ୍ପୂର୍ଣ୍ଣ ଟୀକାକରଣ ପ୍ରକ୍ରିୟାକୁ ପରିଚାଳନା ନିମନ୍ତେ କୋ-ଉଇନ ଆଇଟି ପ୍ଲାଟଫର୍ମର ଉପଯୋଗ, ପ୍ରତିକୂଳ ଘଟଣାର ପରିଚାଳନା, ଯୋଗାଯୋଗ ଓ ଆନ୍ତଃବିଭାଗୀୟ ସଂଯୋଜନ, ବାୟୋମେଡ଼ିକାଲ ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିରାକରଣ ନିୟମ ଆଦି ସମସ୍ତ ପରିଚାଳନା ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ପ୍ରଶିକ୍ଷକମାନଙ୍କ ପାଇଁ ଆୟୋଜିତ ଜାତୀୟସ୍ତରର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 2360 ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଏଥିରେ ରାଜ୍ୟ ଟୀକାକରଣ ଅଧିକାରୀ, କୋଲ୍ଡ ଚେନ ଅଧିକାରୀ, ଆଇଇସି ଅଧିକାରୀ, ଡେଭଲପମେଣ୍ଟ ପାର୍ଟନର ଆଦି ସାମିଲ ଥିଲେ। ବର୍ତ୍ତମାନସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସମ୍ପନ୍ନ ହୋଇସାରିଛି। ଏଥିରେ 7ହଜାରରୁ ଅଧିକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। କେବଳ ଲାକ୍ଷାଦୀପରେ ଏହି ପ୍ରଶିକ୍ଷଣ ବାକି ଅଛି ଯାହା 29 ଡିସେମ୍ବରରେ ଶେଷ ହେବ। ପରିଚାଳନା ଗାଇଡଲାଇନ ସମ୍ପର୍କରେ 681 ଜିଲ୍ଲାର (49,604 ଜଣ ପ୍ରଶିକ୍ଷାର୍ଥୀ) ଚିକିତ୍ସା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇସାରିଛି।  17831 ବ୍ଲକ/ପ୍ଲାନିଂ ୟୁନିଟ ମଧ୍ୟରୁ 1399ଟିରେ ଟୀକାକରଣ ଦଳକୁ ପ୍ରଶିକ୍ଷଣ ଦିଆଯାଇସାରିଛି।

କୋଭିଡ-19 ଟୀକାକରଣ ଏବଂ କୋ-ଉଇନ ପୋର୍ଟାଲ ସଂକ୍ରାନ୍ତ ପ୍ରଶ୍ନର ସମାଧାନ ଲାଗି ଜାତୀୟ 1075 ଏବଂ ରାଜ୍ୟ 104 ହେଲ୍ପଲାଇନ କ୍ଷମତାକୁ ବୃଦ୍ଧି କରାଯାଉଛି। କୋଭିଡ-19 ଟୀକାକରଣ ପରିଚାଳନା ଏବଂ ଯୋଜନାବଦ୍ଧ କାର୍ଯ୍ୟ ସମ୍ପର୍କରେ ହୋଇଥିବା ପ୍ରସ୍ତୁତି ଅନୁଧ୍ୟାନ ଲାଗି ଆସନ୍ତା ସପ୍ତାହ ଠାରୁ ଚାରିଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଞ୍ଜାବରେ ଟୀକାକରଣ ପରିଚାଳନା ଅଭ୍ୟାସ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦିଷ୍ଟ ଭୌଗଳିକ ସ୍ଥିତି ଅନୁଯାୟୀ ଏହି ରାଜ୍ୟଗୁଡ଼ିକୁ ଚୟନ କରାଯାଇଛି। ପ୍ରତ୍ୟେକ ରାଜ୍ୟ ଏଥିପାଇଁ ଦୁଇଟି ଜିଲ୍ଲାକୁ ଚୟନ କରିବେ ଏବଂ ପାଞ୍ଚଟି ଅଧିବେଶନ ବ୍ୟବସ୍ଥା ଜିଲ୍ଲା ଡାକ୍ତରଖାନା, ସିଏଚସି/ପିଏଚସି, ସହରାଞ୍ଚଳ, ଘରୋଇ ଡାକ୍ତରଖାନା, ଗ୍ରାମାଞ୍ଚଳ ଆଦିରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ଦୁଇ ଦିନିଆ ଅଭ୍ୟାସ 28 ଏବଂ 29 ଡିସେମ୍ବର 2020ରେ ଆୟୋଜନ କରାଯିବ। ଏହି ଅଭ୍ୟାସରେ ଟୀକାକରଣର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯିବ। ପ୍ରସ୍ତୁତି ସମ୍ପର୍କରେ ବ୍ଲକ ଏବଂ ଜିଲ୍ଲା ସ୍ତରରେ ମକଡ୍ରିଲ ଆୟୋଜନ କରାଯିବ ଏବଂ ମତାମତ ସଂଗ୍ରହ କରାଯାଇ ରାଜ୍ୟ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚୀତ କରାଯିବ। ଏହି ଅଭ୍ୟାସ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିସ୍ତୃତ ଚେକଲିଷ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି ଯାହା ସେମାନଙ୍କର ମାର୍ଗଦର୍ଶନ କରିବ।

କୋଭିଡ-19 ଟୀକାକରଣ ଲାଗି ଜାତୀୟ ସ୍ତରର ବିଶେଷଜ୍ଞ ଗୋଷ୍ଠୀ (ଏନଇଜିଭିଏସି) ତିନୋଟି ପ୍ରାଥମିକ ଜନସଂଖ୍ୟା ଗୋଷ୍ଠୀକୁ ଟୀକା ଦେବା ପାଇଁ ସୁପାରିସ କରିଛି। ସେମାନେ ହେଲେ ସ୍ୱାସ୍ଥ୍ୟ କର୍ମୀ (ପାଖାପାଖି 1 କୋଟି), ଅଗ୍ରଣୀ କରୋନା କର୍ମୀ (ପାଖାପାଖି 2କୋଟି) ଏବଂ ପ୍ରାଥମିକ ବୟସ ଗୋଷ୍ଠୀ (27) କୋଟି। ଟୀକାଗୁଡ଼ିକ ତାପମାତ୍ରା ପ୍ରତି ସମ୍ବେଦନଶୀଳ ହୋଇଥିବାରୁ ଏଗୁଡ଼ିକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ରଖିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସାରା ଦେଶରେ ଥିବା 28,947 କୋଲ୍ଡ ଚେନ ପଏଣ୍ଟରେ ଟୀକା ସଂରକ୍ଷିତ କରି ରଖିବା ନିମନ୍ତେ 85,634ଟି ଉପକରଣ ପ୍ରସ୍ତୁତ ରଖାଯାଇଛି। ସ୍ୱାସ୍ଥ୍ୟ କର୍ମୀ ଏବଂ ଅଗ୍ରଣୀ କର୍ମୀଙ୍କୁ ମିଶାଇ 3 କୋଟି ପ୍ରାଥମିକ ଜନସଂଖ୍ୟାଙ୍କର ଟୀକାକରଣ ନିମନ୍ତେ ଅତିରିକ୍ତ କୋଭିଡ-19 ଟୀକା ସଂରକ୍ଷିତ କରି ରଖିବା ଲାଗି ବର୍ତ୍ତମାନର କୋଲ୍ଡ ଚେନ କ୍ଷମତା ସକ୍ଷମ।

 

*********



(Release ID: 1683659) Visitor Counter : 235