ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଜାପାନ ସମ୍ବାଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 21 DEC 2020 10:01AM by PIB Bhubaneshwar

ପ୍ରିୟ ବନ୍ଧୁଗଣ,

ଷଷ୍ଠ ଭାରତ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧନ କରିବା ପରିପ୍ରେକ୍ଷୀରେ ମୁଁ ବହୁତ ଖୁସି ।

ପାଞ୍ଚ ବର୍ଷ ପୂର୍ବେ, ଆମେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ମିଶି ଏହି ସମ୍ମିଳନୀ ଚକ୍ର ଆରମ୍ଭ କରିଥିଲୁ । ତା’ ପରଠାରୁ ସମ୍ବାଦ ନୂଆଦିଲ୍ଲୀରୁ ଟୋକିଓ, ୟାଙ୍ଗୋନରୁ ଉଲାନବାତର ପର୍ଯ୍ୟନ୍ତ ଯାତ୍ରା କରିଛି । ଏହି ଯାତ୍ରାରେ, ଏହା ନିଜ ମୂଳ ଉଦ୍ଦେଶ୍ୟ ଯେପରିକି ଆଲୋଚନା ଓ ତର୍କକୁ ପ୍ରୋତ୍ସାହିତ କରିବା; ଗଣତନ୍ତ୍ର, ମାନବବାଦ, ଅହିଂସା, ସ୍ୱାଧୀନତା ଏବଂ ସହିଷ୍ଣୁତା ଉପରେ ପର୍ଯ୍ୟବେସିତ ଆପୋସ ମୂଲ୍ୟବୋଧକୁ ସମୃଦ୍ଧ କରିବା ; ଏବଂ ଆଧ୍ୟାତ୍ମିକ ଚେତନା ଓ ଜ୍ଞାନ  ଆଦାନପ୍ରଦାନର ପୁରୁଣା ପରମ୍ପରାକୁ ଆଗକୁ ବଢ଼ାଇବାରେ ସଫଳ ହୋଇଛି । ସମ୍ବାଦ ସମ୍ମିଳନୀକୁ ନିରନ୍ତର ଭାବେ ସମର୍ଥନ କରିଥିବାରୁ ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ବନ୍ଧୁଗଣ,

ଏହି ମଞ୍ଚ ଭଗବାନ ବୁଦ୍ଧଙ୍କ ବିଚାରଧାରା ଏବଂ ଆଦର୍ଶଗୁଡ଼ିକୁ ସମୃଦ୍ଧ କରିବା ପାଇଁ ବହୁତ କାର୍ଯ୍ୟ କରିଛି, ବିଶେଷକରି ଯୁବପିଢ଼ିଙ୍କ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଛି । ଐତିହାସିକ ଭାବେ, ବୁଦ୍ଧଙ୍କ ବାର୍ତ୍ତାର ଆଲୋକ ଭାରତରୁ ବିଶ୍ୱର ଅନେକ ଅଂଶକୁ ବ୍ୟାପିଛି । ଏହି ଆଲୋକ ପ୍ରତ୍ୟେକ ନୂଆ ସ୍ଥାନରେ ପହଞ୍ଚି ପାରିଛି । ବୁଦ୍ଧଙ୍କ ବିଚାରଧାରା ଶତାବ୍ଦୀ ଶତାବ୍ଦୀ ଧରି ଆହୁରି ଆଗକୁ ବଢ଼ିଚାଲିଛି । ଏହି କାରଣରୁ, ବୌଦ୍ଧ ସାହିତ୍ୟ ଏବଂ ଦର୍ଶନର ମହାନ ଚେତନା ଆଜି ଅନେକ ପୃଥକ ପୃଥକ ଦେଶ ଓ ଭାଷାଗୁଡ଼ିକରେ ତଥା ଅନେକ ମଠଗୁଡ଼ିକରେ ଦେଖିବାକୁ ମିଳୁଛି

ଏହି ଆଲେଖ୍ୟ ସାମଗ୍ରିକ ରୂପରେ ମାନବଜାତି ପାଇଁ ଏକ ବଡ଼ ସମ୍ପତ୍ତି ହୋଇଛି । ଆଜି, ଏହିସବୁ ପାରମ୍ପରିକ ବୌଦ୍ଧ ସାହିତ୍ୟ ଏବଂ ଶାସ୍ତ୍ରଗୁଡ଼ିକ ନିମନ୍ତେ ଏକ ପାଠାଗାର ସ୍ଥାପନ ଲାଗି ମୁଁ ପ୍ରସ୍ତାବ ରଖିବାକୁ ଚାହିଁବି । ଭାରତରେ ଏଭଳି ପ୍ରକାର ବ୍ୟବସ୍ଥା ହେଲେ ଆମେ ବେଶ ପ୍ରସନ୍ନ ହେବୁ ଏବଂ ଏଥିପାଇଁ ଉପଯୁକ୍ତ ସମ୍ବଳ ଉପଲବ୍ଧ କରାଇବୁ । ପାଠାଗାର ବିଭିନ୍ନ ଦେଶର ଏଭଳି ସମସ୍ତ ବୌଦ୍ଧ ସାହିତ୍ୟର ଡିଜିଟାଲ ନକଲଗୁଡ଼ିକୁ ସଂଗ୍ରହ କରି ରଖିବ । ଏହାପରେ ଏଗୁଡ଼ିକୁ ଅନୁବାଦ କରାଯାଇ ବୌଦ୍ଧ ଧର୍ମର ସମସ୍ତ ସାଧୁ ଏବଂ ବିଦ୍ୱାନମାନଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯିବ । ପାଠାଗାର କେବଳ ସାହିତ୍ୟର ଏକ ଭଣ୍ଡାର ହେବନାହିଁ ।

ଏହା ଗବେଷଣା ଓ ଆଲୋଚନା ପାଇଁ ଏକ ମଞ୍ଚ ହେବ- ଲୋକ ସମାଜ ମଧ୍ୟରେ ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ବାସ୍ତବ ‘ସମ୍ବାଦ’ ର ଏକ ମାଧ୍ୟମ ହୋଇପାରିବ । ସମକାଳୀନ ଆହ୍ୱାନଗୁଡ଼ିକ ବିରୋଧରେ ଆଧୁନିକ ବିଶ୍ୱରେ ବୁଦ୍ଧଙ୍କ ବାର୍ତ୍ତା କିଭଳି ଆମକୁ ରାସ୍ତା ଦେଖାଇ ପାରିବ, ତାହା ଜାଣିବା ପାଇଁ ଅଧିକ ଗବେଷଣା କରିବାକୁ ହେବ । ଦାରିଦ୍ର୍ୟ, ଜାତିବାଦ, ଉଗ୍ରବାଦ, ଲିଙ୍ଗ ବୈଷମ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ କେତେକ ଆହ୍ୱାନର ସାମନା କରିବା ପାଇଁ ଏହା ସହାୟକ ହୋଇପାରିବ ।

ବନ୍ଧୁଗଣ,

ପ୍ରାୟ ତିନି ସପ୍ତାହ ପୂର୍ବେ, ମୁଁ ସାରନାଥରେ ଥିଲି । ସାରନାଥ ହେଉଛି ସେହି ସ୍ଥାନ, ଯେଉଁଠି ଭଗବାନ ବୁଦ୍ଧ ଆତ୍ମଜ୍ଞାନ ପ୍ରାପ୍ତ ହେବା ପରେ ନିଜର ପ୍ରଥମ ଉପଦେଶ ପ୍ରଦାନ କରିଥିଲେ । ସାରନାଥରୁ ବାହାରିଥିବା ଏହି ଜ୍ୟୋତିପୁଞ୍ଜ ପୂରା ଦୁନିଆରେ ବ୍ୟାପିଯାଇଥିଲା, ଯାହା ଦୟା, ମହାନତା ଏବଂ ସର୍ବୋପରି ମାନବ ସେବାର ଭାବନାକୁ ସମଗ୍ର ବିଶ୍ୱରେ ପହଞ୍ଚାଇ ଥିଲା । ଧୀରେ ଧୀରେ ଏହା ବିଶ୍ୱ ଇତିହାସର ଶୃଙ୍ଖଳା ବଦଳାଇ ଦେଇଥିଲା । ସାରନାଥରେ ହିଁ ଭଗବାନ ବୁଦ୍ଧ ନିଜ ଧର୍ମ ଓ ଆଦର୍ଶ ବିସ୍ତୃତ  ଭାବେ ବଖାଣିଥିଲେ । ତାଙ୍କ ପାଇଁ ପ୍ରାର୍ଥନା ଓ ସଂସ୍କାରଠାରୁ ଅଧିକ ଥିଲା ଧର୍ମ । ଧର୍ମର କେନ୍ଦ୍ରରେ ଥିଲା ମଣିଷ, ଏବଂ ମଣିଷଙ୍କ ମଧ୍ୟରେ ସମ୍ପର୍କ ।  ଜୀବନରେ ଏକ ସକାରାତ୍ମକ ଶକ୍ତି ରହିବା ସବୁଠୁ ମହତ୍ତ୍ୱପୂର୍ଣ୍ଣ । ସମ୍ବାଦ ଏଭଳି ହେବା ଆବଶ୍ୟକ, ଯାହା ଆମର ଗ୍ରହ ଉପରେ ସକାରାତ୍ମକତା, ଏକତା ଏବଂ ଦୟାର ଏହି ଭାବନାକୁ ବିସ୍ତାର କରିପାରିବ । ବର୍ତ୍ତମାନ ସମୟରେ ଏହା ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ।

ବନ୍ଧୁଗଣ,

ଏହା ଏକ ନୂଆ ଦଶନ୍ଧିର ପ୍ରଥମ ସମ୍ବାଦ । ଏହା ମାନବ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ କ୍ଷଣରେ ଅନୁଷ୍ଠିତ ହେଉଛି । ଆମର କାର୍ଯ୍ୟ ଆଗାମୀ ସମୟର ଆଲୋଚନାକୁ ନୂଆ ରୂପ ଦେଇପାରିବ । ନୂଆ ଜିନିଷ ଶିଖିବା ଏବଂ ଉଦ୍ଭାବନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ । ଏହା ଉଜ୍ଜ୍ୱଳ ଯୁବା ମନର ପୋଷ ଭାବେ କାମ କରିବ, ଆଗାମୀ ସମୟରେ ମାନବୀୟ  ମୂଲ୍ୟବୋଧକୁ ସୁଦୃଢ଼ କରିବ । ଶିକ୍ଷା ଏଭଳି ହେବା ଆବଶ୍ୟକ, ଯାହା ଉଦ୍ଭାବନକୁ ଆଗେଇ ନେଇପାରିବ । ସର୍ବୋପରି, ମାନବ ସମୃଦ୍ଧି ପାଇଁ ଉଦ୍ଭାବନ ଏକ ଆଧାରଶିଳା ହୋଇପାରିବ ।

ଉନ୍ମୁକ୍ତ ମନ ହିଁ ସମାଜରେ ଉଦ୍ଭାବନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ତେଣୁ, ଏବେ ହିଁ ସେହି ପ୍ରକୃଷ୍ଟ ସମୟ, ପୂର୍ବ ସମୟଠାରୁ ଏହା ଅଧିକ ପ୍ରକୃଷ୍ଟ । ଅଳ୍ପ କେତେକଙ୍କୁ ନେଇ ବିଶ୍ୱ ଅଭିବୃଦ୍ଧି ଉପରେ ଆଲୋଚନା କରିବା ଅସମ୍ଭବ । ମଞ୍ଚ ବିଶାଳ ହେବା ଦରକାର । ଏଜେଣ୍ଡା ବ୍ୟାପକ ହେବା ଜରୁରି । ଅଭିବୃଦ୍ଧି ପ୍ରଣାଳୀକୁ ମାନବକୈନ୍ଦ୍ରିକ ଦୃଷ୍ଟିକୋଣରୁ ପାଳନ କରିବା ଦରକାର, ଯାହା ଆମ ପରିବେଶ ଅନୁକୂଳ ମଧ୍ୟ ହେବ ।

ବନ୍ଧୁଗଣ,

ନିମ୍ନରେ ତାହା ଠିକ ଭାବେ ବର୍ଣ୍ଣନା ହୋଇଛି:

ୟମକ ୱଗୋ ଧମ୍ମପଦ:

ନ ହି ୱେରେନ ୱେରାନ, ସମ୍ମାନ୍ତିଧ କୁଦାନ୍ତ ।

ଅୱେରେନ ଚ ସମ୍ମନ୍ତି, ଏସ ଧମ୍ମୋ ସନନ୍ତନୋ  । ।

ଶତ୍ରୁତା ଦ୍ୱାରା କଦାପି ଶାନ୍ତି ମିଳିବ ନାହିଁ । ଅତୀତରେ, ମାନବତା ସହଯୋଗ ପରିବର୍ତ୍ତେ ସାମ୍ନାସାମ୍ନି ହେବାର ରାସ୍ତା ଆପଣାଇଥିଲେ । ସାମ୍ରାଜ୍ୟବାଦରୁ ନେଇ ବିଶ୍ୱ ଯୁଦ୍ଧ ପର୍ଯ୍ୟନ୍ତ । ଅସ୍ତ୍ରଶସ୍ତ୍ର ଦୌଡ଼ରୁ ମହାକାଶ ଦୌଡ଼ ପର୍ଯ୍ୟନ୍ତ । ଆମ ପାଖରେ କଥାବାର୍ତ୍ତା କରିବାର ସୁଯୋଗ ଥିଲା, କିନ୍ତୁ ଅନ୍ୟମାନଙ୍କୁ ତଳକୁ ଖସାଇବା ପାଇଁ ସେଥିରେ ଲକ୍ଷ୍ୟ ଥିଲା । ଏବେ, ଆସନ୍ତୁ ମିଳିମିଶି ଊଦ୍ଧ୍ୱର୍କୁ ଉଠିବା । ଭଗବାନ ବୁଦ୍ଧଙ୍କ ଉପଦେଶ ଦ୍ୱାରା ଶତ୍ରୁତା ପରିହାର କରି ସଶକ୍ତ ହେବା ପାଇଁ ଉଦ୍ୟମ କରିବା ଆବଶ୍ୟକ । ତାଙ୍କ ବାଣୀ ଆମକୁ ହୃଦୟବାନ ହେବାକୁ ପ୍ରେରଣା ଦେଉଛି । ତାହା ଆମକୁ କହୁଛି ଯେ: ଅତୀତରୁ ଶିକ୍ଷାଲାଭ କରି ଭବିଷ୍ୟତ ପାଇଁ କାର୍ଯ୍ୟ କରିଚାଲ । ଆମର ଆଗାମୀ ପିଢ଼ି ପାଇଁ ଏହା ସବୁଠୁ ବଡ଼ ସେବା ।

ବନ୍ଧୁଗଣ,

ସମ୍ବାଦର ସାର ହେଉଛି ମିଳିମିଶି ରହିବା । ଆସନ୍ତୁ, ସମ୍ବାଦ ଦ୍ୱାରା ଆମ ମଧ୍ୟରେ ଥିବା ସର୍ବୋତ୍କୃଷ୍ଟ ଭାବନାକୁ ପରିପ୍ରକାଶ କରିବା । ଆମର ପ୍ରାଚୀନ ମୂଲ୍ୟବୋଧକୁ ଆପଣେଇବା ଏବଂ ଆଗାମୀ ସମୟ ପାଇଁ ପ୍ରସ୍ତୁତ ରହିବା । ଆମ ନୀତି ଓ ସିଦ୍ଧାନ୍ତରେ ମାନବତା ହିଁ ମୁଖ୍ୟ ହେବା ଦରକାର । ଆମେ ନିଜ ପ୍ରକୃତି ସହ ସାମଞ୍ଜସ୍ୟତା ରକ୍ଷାକରି ବିକାଶର ଧାରାକୁ ଆଗକୁ ନେବା ଉଚିତ । ମୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସେମାନଙ୍କ ବିଚାରବିମର୍ଶରେ ସଫଳତା କାମନା କରୁଛି ।

ଧନ୍ୟବାଦ ।

 

**********



(Release ID: 1682479) Visitor Counter : 203