ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟିତ 
                    
                    
                        •	ପରିବର୍ତ୍ତିତ ସମୟ ସହ ନିଜକୁ ଖାପ ଖୁଆଇ ବିଶ୍ଵର ସର୍ବଶ୍ରେଷ୍ଠ ବିଷୟକୁ ଆପଣାଇବାକୁ ଆହ୍ଵାନ 
•	ଆମେ ଚାଷୀଙ୍କ କଲ୍ୟାଣ ପାଇଁ ଅଙ୍ଗୀକାରବଦ୍ଧ, ସେମାନଙ୍କ ଉଦବେଗ ପ୍ରତି ଯତ୍ନବାନ ଓ ସମସ୍ୟାର ସମାଧାନ ପାଇଁ ଦେଉଛୁ ପ୍ରତିଶ୍ରୁତି – ପ୍ରଧାନମନ୍ତ୍ରୀ
•	କଚ୍ଛ ଅଞ୍ଚଳ ନୂତନ ପିଢିର ବୈଷୟିକ ଜ୍ଞାନ ଓ ଅର୍ଥନୀତି ଆପଣାଇବାରେ ନେଇଛି ଅଭୂତପୂର୍ଣ୍ଣ ପଦକ୍ଷେପ – ପ୍ରଧାନମନ୍ତ୍ରୀ 
                    
                
                
                    Posted On:
                15 DEC 2020 3:22PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଣାଂଶ ନିଷ୍କାସନ କାରଖାନା, ଉନ୍ନତ ଧରଣର ଅକ୍ଷୟ ଶକ୍ତି ପାର୍କ, ସ୍ଵୟଂକ୍ରିୟ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ କାରଖାନା ରହିଛି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । 
ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୟର ପରିବର୍ତ୍ତନ ସହ ବିଶ୍ଵରେ ଯାହା ସର୍ବଶ୍ରେଷ୍ଠ ତାହାକୁ ଆପଣାଇବାକୁ ପଡିବ । ଏହି ପରିପ୍ରେକ୍ଷୀରେ କଚ୍ଛ ଅଞ୍ଚଳର କୃଷକମାନେ ବିଦେଶକୁ ଫଳ ରପ୍ତାନି  କରୁଥିବାରୁ ସେ ତାହାର ପ୍ରଶଂସା କରିଛନ୍ତି । ଏହା ଆମ କୃଷକମାନଙ୍କର ଉଦ୍ଭାବନାତ୍ମକ ଚିନ୍ତାଧାରାର ପରିଚୟ ବୋଲି ସେ କହିଛନ୍ତି । ସରକାରଙ୍କର ସର୍ବନିମ୍ନ ହସ୍ତକ୍ଷେପ ଯୋଗୁଁ ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ କୃଷି, ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମୃଦ୍ଧିଶାଳୀ ହୋଇପାରିଛି । ଯାହା ଗୁଜରାଟ କରିଛି, ତାହା କୃଷକ ଓ ସମବାୟ ସଂସ୍ଥାକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୃଷିଗତ ସଂସ୍କାର ନେଇ ଚାଷୀମାନଙ୍କୁ ଦିଗଭ୍ରଷ୍ଟ କରାଯାଉଛି । କୃଷି କ୍ଷେତ୍ରରେ ଯେଉଁ ସଂସ୍କାର କରାଯାଇଛି ତାହା, ବିଭିନ୍ନ କୃଷକ ସଂଗଠନ ଓ ବିରୋଧୀ ଦଳଗୁଡିକ ମଧ୍ୟ ବହୁ ବର୍ଷ ଧରି କରିଆସୁଥିଲେ । ସରକାର କୃଷକମାନଙ୍କ  କଲ୍ୟାଣ ନିମନ୍ତେ ସଦାସର୍ବଦା ଅଙ୍ଗୀକାରବଦ୍ଧ ଓ ସେମାନଙ୍କ ଉଦବେଗ ପ୍ରତି ଯତ୍ନବାନ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଦୋହରାଇଛନ୍ତି । 
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି କଚ୍ଛ ଅଞ୍ଚଳ ନୂତନ ପିଢିର ବୈଷୟିକ ଜ୍ଞାନ ଓ ଅର୍ଥନୀତିକୁ ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଖରେରାରେ ଅକ୍ଷୟ ଶକ୍ତି ପାର୍କ ଏବଂ ମାଣ୍ଡଭିରେ ଲବଣାଂଶ ନିଷ୍କାସନ କାରଖାନା, ଅଞ୍ଜରର ସରହଦ ଦେହେରିଠାରେ ନୂତନ ସ୍ଵୟଂଚାଳିତ କାରଖାନାର ଶିଳାନ୍ୟାସ ଯୋଗୁଁ କଚ୍ଛ ଅଞ୍ଚଳରେ ବିକାଶ ପଥର ନୂତନ ମାଇଲଖୁଣ୍ଟ ସ୍ଥାପିତ ହେବ । ଏହି ପ୍ରକଳ୍ପଗୁଡିକ ଯୋଗୁଁ ଆଦିବାସୀ, କୃଷକ, ପଶୁପାଳକ ଓ ସେ ଅଞ୍ଚଳର ସାଧାରଣ ଲୋକ ଅନେକ ସୁବିଧା ପାଇବେ । କଚ୍ଛ ଦେଶର ସବୁଠାରୁ ଦ୍ରୁତତମ ବିକାଶଶୀଳ ଅଞ୍ଚଳ । ଦିନକୁ ଦିନ ଏହି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି  ଘଟୁଛି ।  
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦିନ ଥିଲା ଯେତେବେଳେ ଗୁଜରାଟବାସୀ କେବଳ ରାତ୍ରୀ ଭୋଜନ ସମୟରେ ବିଜୁଳି ଶକ୍ତି ପାଇଁ ଦାବି କରୁଥିଲେ । ମାତ୍ର ଗୁଜରାଟରେ ଅନେକ ପରିବର୍ତ୍ତନ ଆସିଛି । ଆଜି ଗୁଜରାଟର ଯୁବକ ଯୁବତୀ ଅତୀତର ଅସୁବିଧା ସମ୍ପର୍କରେ ଅବଗତ ମଧ୍ୟ ନାହାନ୍ତି ବୋଲି ସେ କହିଛନ୍ତି । କଚ୍ଛ ଅଞ୍ଚଳର ଜନସାଧାରଣ ଏକଦା ବିଯୁକ୍ତ ଅଭିବୃଦ୍ଧିର ସାମ୍ନା କରୁଥିବା ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ କହିଛନ୍ତି ଯେ, ଏବେ ସେଠାକାର ଲୋକମାନେ ଆଉ ବାହାରକୁ ଯାଉନାହାନ୍ତି ଓ ଦୂର ଦୂରାନ୍ତରେ ଥିବା ଲୋକମାନେ ଏବେ ନିଜ ନିଜ ଗ୍ରାମକୁ ଫେରିଆସୁଛନ୍ତି । ଗୁଜରାଟରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରବର୍ତ୍ତୀ କାଳରେ ସାମଗ୍ରିକ ବିକାଶ ପ୍ରତି ଚିନ୍ତା କରିବା ପାଇଁ ଶ୍ରୀ ମୋଦୀ ବିଶ୍ଵବିଦ୍ୟାଳୟ ଓ ଗବେଷକମାନଙ୍କୁ ଆହ୍ଵାନ ଜଣାଇଥିଲେ । 
ଗତ 20 ବର୍ଷ ମଧ୍ୟରେ ଗୁଜରାଟ ସରକାର କୃଷକମାନଙ୍କ ପାଇଁ ପ୍ରବର୍ତ୍ତନ କରିଥିବା ଅନେକ ଅନୁକୂଳ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସୌରଶକ୍ତି ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁଜରାଟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ । 
ଶକ୍ତି ଓ ଜଳ ସୁରକ୍ଷା ଏକବିଂଶ ଶତାବ୍ଦୀ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେତେବେଳେ ନର୍ମଦା ନଦୀର ପାଣି କଚ୍ଛ ଅଞ୍ଚଳରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଥିଲା ସେତେବେଳେ ଅନେକ ଏହାକୁ ଉପହାସ କରୁଥିଲେ । ବର୍ତ୍ତମାନ ନର୍ମଦା ନଦୀର ପାଣି କଚ୍ଛ ଅଞ୍ଚଳରେ ପହଞ୍ଚିଛି ଏବଂ ସେ ଅଞ୍ଚଳର ଅଭିବୃଦ୍ଧି ଘଟିଛି । 
 
**********
                
                
                
                
                
                (Release ID: 1680895)
                Visitor Counter : 173
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam