ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କରୋନା ଟୀକାଦାନ ରଣନୀତି ଆଲୋଚନା ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବଦଳୀୟ ବୈଠକ

• 3ଟି ସ୍ୱଦେଶୀ ସମେତ ମୋଟ 8ଟି ଟୀକା ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
• ଆସନ୍ତା କେଇ ସପ୍ତାହ ମଧ୍ୟରେ କରୋନା ଟୀକା ଉପଲବ୍ଧ ହେବା ଆଶା କରାଯାଉଛି: ଶ୍ରୀ ମୋଦୀ
• ଏକ ନିରାପଦ ଏବଂ ସୁଲଭ ଟୀକା ପାଇଁ ସମଗ୍ର ବିଶ୍ୱ ଭାରତ ଆଡକୁ ଚାହିଁଛି: ପ୍ରଧାନମନ୍ତ୍ରୀ

Posted On: 04 DEC 2020 4:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଦେଶରେ କରୋନା ଟୀକା ପ୍ରଦାନ ସଂକ୍ରାନ୍ତ ରଣନୀତି ନିର୍ଦ୍ଧାରଣ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଲୋକଙ୍କୁ ଟୀକା ଦେବା ପାଇଁ ସରକାର ଏକ ପୂର୍ଣ୍ଣାଙ୍ଗ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏକ ନିରାପଦ ଏବଂ ସୁଲଭ ଟୀକା ପ୍ରସ୍ତୁତି ପାଇଁ ସମଗ୍ର ବିଶ୍ୱ ଭାରତ ଆଡକୁ ଚାହିଁଛି ବୋଲି ସେ ଦୃଢତାର ସହ କହିଛନ୍ତି ।

କରୋନା ଟୀକା ପାଇଁ ଭାରତ ପ୍ରସ୍ତୁତ

ନିକଟରେ ପ୍ରଧାନମନ୍ତ୍ରୀ କରୋନା ଟୀକା ପ୍ରସ୍ତୁତ ହେଉଥିବା ଅହମ୍ମଦାବାଦ, ପୁଣେ ଓ ହାଇଦରାବାଦର 3ଟି ଲ୍ୟାବ ବୁଲି ଦେଖିବା ପରେ ତାଙ୍କର ଅନୁଭୂତି ସଂପର୍କରେ ଆଜିର ବୈଠକରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଏସବୁ ଲ୍ୟାବରେ ପ୍ରସ୍ତୁତ ହେଉଥିବା 8ଟି କରୋନା ବିରୋଧୀ ଟୀକା ବର୍ତ୍ତମାନ ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଯାଇଛି । ସେଥିରେ ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ଦେଶୀ ଜ୍ଞାନକୌଶଳରେ 3ଟି ଟୀକା ପ୍ରସ୍ତୁତ କରାଯାଉଛି । ଏହି 8ଟି ଯାକ ଟୀକା ଭାରତରେ ଉତ୍ପାଦିତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା କେଇ ସପ୍ତାହ ମଧ୍ୟରେ ଏହିସବୁ ଟୀକା ଲୋକଙ୍କୁ ଦେବା ପାଇଁ ମିଳିଯିବ ହେବ ବୋଲି ଆଶା କରାଯାଉଛି । ଯେତେ ଶୀଘ୍ର ବୈଜ୍ଞାନିକମାନେ କରୋନା ଟୀକାକୁ ଅନୁମୋଦନ କରିବେ, ସେତେ ଶୀଘ୍ର ଲୋକଙ୍କଠାରେ ଏହାର ପ୍ରୟୋଗ ପ୍ରକି୍ରୟା ଆରମ୍ଭ ହେବ । କେଉଁ ବର୍ଗର ଲୋକମାନଙ୍କୁ ପ୍ରଥମେ ଏହି ଟୀକା ପ୍ରଦାନ କରାଯିବ ସେ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ନିବିଡ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ଟୀକାଦାନ ଅଭିଯାନ ଆରମ୍ଭ କରିବା ପାଇଁ ଏକ ପୂର୍ଣ୍ଣାଙ୍ଗ ରଣନୀତି ପ୍ରସ୍ତୁତ ହେଉଛି । ଟୀକା ମିଳିଯିବା ମାତ୍ରେ ଟୀକାଦାନ ଅଭିଯାନ ଆରମ୍ଭ କରାଯିବ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତର ଟୀକା ଆବଣ୍ଟନ ଦକ୍ଷତା, ସଫଳତା ଓ ବିଶେଷତ୍ୱ ସଂପର୍କରେ ଉଲ୍ଲେଖକରି କହିଛନ୍ତି ଯେ ଭାରତରେ ଏଥିପାଇଁ ଏକ ବିରାଟ ଓ ସୁସଂହତ ନେଟୱାର୍କ (ବ୍ୟବସ୍ଥା) ରହିଛି । ଏହା କରୋନା ଟୀକାଦାନ ବ୍ୟବସ୍ଥାକୁ ସୁସଂହତ କରିବାରେ ସହାୟକ ହେବ । ଏହି ଟୀକାର ସଂରକ୍ଷଣ ପାଇଁ ଯେଉଁ ଅତିରିକ୍ତ ଶୀତଳୀକରଣ ବ୍ୟବସ୍ଥାର ଆବଶ୍ୟକତା ରହିଛି ସେଥିପାଇଁ ରାଜ୍ୟ ସରକାରଗୁଡିକ ସହ କେନ୍ଦ୍ର ସହଯୋଗ ରକ୍ଷାକରି କୋଲ୍‌ଡ ଚେନ୍‌ ଉପକରଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବ ।

ଟୀକାଦାନ ଅଭିଯାନ ପାଇଁ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ

ଦେଶରେ କରୋନା ଟୀକା ପ୍ରଦାନ ଅଭିଯାନ ଆରମ୍ଭ କରିବା ପାଇଁ ଜାତୀୟ ସ୍ତରରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି । ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ବୈଷୟିକ ବିଶେଷଜ୍ଞ ରହିଛନ୍ତି । ଏହି ବିଶେଷଜ୍ଞ ଗୋଷ୍ଠୀ ଟୀକାଦାନ ଅଭିଯାନ ଦାୟିତ୍ୱ ବହନ କରିବ । ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଉଭୟ ରାଷ୍ଟ୍ରୀୟ ଓ ଆଞ୍ଚଳିକ ଆବଶ୍ୟକତାକୁ ବିଚାରକୁ ନେଇ ମିଳିତ ନିଷ୍ପତ୍ତି ନେବ ।

ମହାମାରୀ ମୁକାବିଲାରେ ଭାରତର ଅଦମନୀୟ ପ୍ରୟାସ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଅଦମନୀୟ ସାହସ ଓ ପ୍ରଚଣ୍ଡ ଇଛାଶକ୍ତିର ସହିତ ଏହି କରୋନା ମହାମାରୀର ମୁକାବିଲା କରିଛି । ଲୋକଙ୍କ ଆତ୍ମସଂଯମ, ସାହସ ଏବଂ ସାମର୍ଥ୍ୟ ଏହି ସମଗ୍ର ଲଢେଇ ସମୟରେ ଅତୁଳନୀୟ ଏବଂ ଅଭୂତପୂର୍ବ ରହିଛି । ଏହି ସଂକଟକାଳରେ ଆମେ କେବଳ ଆମ ଦେଶବାସୀଙ୍କୁ ସାହାଯ୍ୟ କରି ନ ଥିଲୁ; ଅନ୍ୟାନ୍ୟ ଦେଶର ନାଗରିକଙ୍କୁ ସୁରକ୍ଷିତ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲୁ । ଭାରତ ଯେଉଁ ବୈଜ୍ଞାନିକ ପ୍ରଣାଳୀ ଉପଯୋଗ କରିଥିଲା ତାହା ଫଳରେ ଦେଶରେ କରୋନା ଟେଷ୍ଟିଂ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା । ଏହା ଫଳରେ ସଂକ୍ରମିତଙ୍କ ହାର ହ୍ରାସ ପାଇବା ସହିତ ଆକ୍ରାନ୍ତଙ୍କ ମୃତ୍ୟୁହରା ମଧ୍ୟ କମ୍‌ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜବ ପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଟୀକା ବିରୋଧରେ ଗୁଜବ ଓ ଅପପ୍ରଚାର ହୋଇପାରେ । ଏଭଳି ଘଟଣା ଉଭୟ ଜନସ୍ୱାର୍ଥ ଓ ରାଷ୍ଟ୍ର ସ୍ୱାର୍ଥର ପରିପନ୍ଥୀ । ଏଭଳି ଭିତ୍ତିହୀନ ତଥ୍ୟ ଓ ଗୁଜବକୁ ରୋକିବା ପାଇଁ ଦେଶର ନାଗରିକମାନଙ୍କୁ ସଚେତନ କରିବାକୁ ସମଗ୍ର ନେତୃମଣ୍ଡଳୀଙ୍କୁ ସେ ଆହ୍ୱାନ ଜଣାଇଛନ୍ତି ।  ଦେଶର ନାଗରିକମାନେ ରୋଗ ପ୍ରତି ଅଧିକ ସଚେତନ ରହିବା ସହିତ ଅପପ୍ରଚାର ରୋକିବାକୁ ସାଧ୍ୟମତେ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

କରୋନା ବିରୋଧୀ ଲଢେଇରେ ମୂଲ୍ୟବାନ ସହଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସବୁ ଦଳର ନେତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।  ଏହା ସହିତ ସେ ମଧ୍ୟ ଜନସାଧାରଣଙ୍କୁ ଏହି ଲଢେଇ ପାଇଁ ସାଧୁବାଦ ଜଣାଇବା ସହିତ ବ୍ୟକ୍ତିଗତ ସତର୍କତା ଓ ଭୂତାଣୁ ସଂକ୍ରମଣ ବିରୋଧୀ ପଦକ୍ଷେପଗୁଡିକୁ ଅବ୍ୟାହତ ରଖିବାକୁ ଆହ୍ୱାନ ଜଣାଇଛନ୍ତି ।

ବିଭିନ୍ନ ଦଳର ନେତାଙ୍କ ବକ୍ତବ୍ୟ

ଏହି ସର୍ବଦଳୀୟ ବୈଠକରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭାଗ ନେଇଥିଲେ । ପ୍ରମୁଖ ଦଳଗୁଡିକ ମଧ୍ୟରେ ଭାରତୀୟ ଜାତୀୟ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ୱାଇଏସ୍‌ଆର କଂଗ୍ରେସ ପାର୍ଟି, ଜେଡିୟୁ, ବିଜେଡି, ଶିବସେନା, ଟିଆରଏସ୍‌, ବିଏସ୍‌ପି, ସମାଜବାଦୀ ପାର୍ଟି, ଏଆଇଏଡିଏମ୍‌କେ ଏବଂ ଭାରତୀୟ ଜନତା ପାର୍ଟିର ନେତାମାନେ ଯୋଗ ଦେଇଥିଲେ । ଏହିସବୁ ନେତାମାନେ କହିଥିଲେ ଯେ ଦକ୍ଷ ଏବଂ ତ୍ୱରିତ ଟୀକାଦାନ କାର୍ଯ୍ୟକ୍ରମରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପୂର୍ଣ୍ଣପ୍ରାଣରେ ସହାୟତା କରିବାକୁ ପ୍ରସ୍ତୁତ ଓ ପ୍ରତିଶ୍ରୁତିବଦ୍ଧ । ସେମାନେ କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଉଚ୍ଚପ୍ରଶଂସା କରିବା ସହ ବୈଜ୍ଞାନିକ ସମୁଦାୟ ଏବଂ ଔଷଧ ନିର୍ମାଣକାରୀ ସଂସ୍ଥାଗୁଡିକର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବୈଜ୍ଞାନିକ ସମୁଦାୟ ଓ ଔଷଧ ନିର୍ମାତାମାନଙ୍କ ସହଯୋଗ ଫଳରେ କରୋନା ମହାମାରୀର ମୁକାବିଲାରେ ଦେଶ ସଫଳ ହୋଇଛି ବୋଲି ସେମାନେ କହିଥିଲେ ।

 

**********

 



(Release ID: 1678422) Visitor Counter : 221