ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମାପନ ଅଭିଭାଷଣ

Posted On: 04 DEC 2020 2:30PM by PIB Bhubaneshwar

ଉପସ୍ଥିତ ସମସ୍ତ ବରିଷ୍ଠ ସାଥୀମାନଙ୍କୁ ଅନେକ ଅନେକ କୃତଜ୍ଞତା! ଏହି ଆଲୋଚନାରେ ଆପଣମାନେ ଯେଉଁ ବିଚାର ବ୍ୟକ୍ତ କଲେ, ଯେଉଁ ପରାମର୍ଶ ଦେଲେ, ମୁଁ ଭାବୁଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଟୀକାକୁ ନେଇ ଯେଉଁ ବିଶ୍ୱାସ ଏହି ଆଲୋଚନାରେ ସାମ୍ନାକୁ ଆସିଲା, ତାହା କରୋନା ବିରୋଧରେ ଦେଶର ସଂଗ୍ରାମକୁ ଆହୁରି ମଜବୁତ କରିବ।  ଅନେକ ଦେଶରେ ଏ ଦିଗରେ ପ୍ରୟାସ କରାଯାଉଛି, କେଉଁ ସବୁ କାର୍ଯ୍ୟ ହେଉଛି, ସେଗୁଡିକ ଏବେ କେଉଁଠି ପହଞ୍ଚିଲାଣି ଏବଂ କେତେ ଦୃଢ଼ ଭାବେ ଆମେ ଆଗକୁ ବଢ଼ୁଛୁ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିସ୍ତାରପୂର୍ବକ ଏଠାରେ ଉପସ୍ଥାପନା କରାଗଲା।

ସାଥୀଗଣ,

ଏ ସମ୍ପର୍କରେ କିଛିଦିନ ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମୋର ଦୀର୍ଘ ଆଲୋଚନା ହୋଇଥିଲା। ଟୀକାକରଣକୁ ନେଇ ରାଜ୍ୟ ସରକାରଙ୍କ ଠାରୁ ଅନେକଗୁଡ଼ିଏ ପରାମର୍ଶ ମଧ୍ୟ ମିଳିଥିଲା। ଏଇ କିଛିଦିନ ପୂର୍ବରୁ ଭାରତ ନିର୍ମିତ ଟୀକା ତିଆରି କରିବା ଲାଗି ଚେଷ୍ଟା କରୁଥିବା ଦଳ ସହିତ ମୋର ଆଲୋଚନା ହୋଇଥିଲା। ବେଶ କିଛି ସମୟ ପର୍ଯ୍ୟନ୍ତ ଚାଲିଥିବା ଏହି ଆଲୋଚନା ବେଶ ସଫଳ ହୋଇଥିଲା। ବୈଜ୍ଞାନିକମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିଥିଲା। ଭାରତର ବୈଜ୍ଞାନିକମାନେ ନିଜର ସଫଳତାକୁ ନେଇ ବହୁତ ଆଶ୍ୱସ୍ତ ଅଛନ୍ତି। ସେମାନେଙ୍କର ଆତ୍ମବିଶ୍ୱାସ ସ୍ତର ଖୁବ ମଜବୁତ ଅଛି। ଏବେ ଅନ୍ୟ ଦେଶଗୁଡ଼ିକ ପକ୍ଷରୁ ବିକଶିତ କରାଯାଉଥିବା କେତେଗୁଡ଼ିଏ ଟୀକାର ନାମ ଆମେ ବଜାରରେ ଶୁଣିବାକୁ ପାଉଛୁ। କିନ୍ତୁ ସାରା ବିଶ୍ୱର ନଜର ସବୁଠୁ କମ ମୂଲ୍ୟର ସବୁଠୁ ସୁରକ୍ଷିତ ଟୀକା ଉପରେ ରହିଛି। ଏହି କାରଣରୁ ସାରା ବିଶ୍ୱ ଏବେ ଭାରତ ଆଡ଼କୁ ଚାହିଁବା ସ୍ୱାଭାବିକ ଅହମ୍ମଦାବାଦ, ପୁଣେ ଓ ହାଇଦ୍ରାବାଦ ଯାଇ ମୁଁ ଏହା ମଧ୍ୟ ଦେଖିଲି ଯେ ଟୀକା ଉତ୍ପାଦନକୁ ନେଇ ଦେଶର ପ୍ରସ୍ତୁତି କିଭଳି ରହିଛି।

ଆମର ଭାରତୀୟ ଉତ୍ପାଦନକାରୀମାନେ ଆଇସିଏମଆର, ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି ଓ ଗ୍ଲୋବାଲ ଇଣ୍ଡଷ୍ଟ୍ରିର ଅନ୍ୟ ବିଶିଷ୍ଟ ନିର୍ମାତାମାନଙ୍କ ସହିତ ବହୁତ ଭଲ ସମ୍ପର୍କ ସ୍ଥାପନ କରି ତାଳମେଳ ପ୍ରତିଷ୍ଠା କରି କାମ କରୁଛନ୍ତି। ଆପଣମାନେ ଏକପ୍ରକାରେ ଧରି ନିଅନ୍ତୁ ଯେ ସମସ୍ତେ ଅଣ୍ଟା ଭିଡ଼ି ପ୍ରସ୍ତୁତ ଅଛନ୍ତି। ପାଖାପାଖି 8ଟି ଏପରି ସମ୍ଭାବ୍ୟ ଟୀକା ରହିଛି ଯେଉଁଗୁଡ଼ିକ ପରୀକ୍ଷଣର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ଏଗୁଡ଼ିକର ଉତ୍ପାଦନ ଭାରତରେ ହିଁ ହେବ। ଯେପରି ଏଠାରେ ଆଲୋଚନାରୁ ଜଣାପଡ଼ିଲା, ଭାରତର ନିଜର ତିନୋଟି ଭିନ୍ନ ଭିନ୍ନ ଟୀକାର ପରୀକ୍ଷଣ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି। ବିଶେଷଜ୍ଞମାନଙ୍କର କହିବା କଥା ହେଲା, କରୋନା ଟୀକା ପାଇଁ ଆମକୁ ଆଉ ଅଧିକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଟୀକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନଙ୍କ ଠାରୁ ସବୁଜ ସଙ୍କେତ ମିଳିବା ପରେ, ଭାରତରେ ଟୀକାରଣ ଅଭିଯାନ ଆରମ୍ଭ କରି ଦିଆଯିବ। ଟୀକାକରଣର ପର୍ଯ୍ୟାୟରେ କେଉଁମାନେ ଟୀକା ନେବେ, ଏହାକୁ ନେଇ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ପରାମର୍ଶକୁ ଆଧାର କରି କାମ କରୁଛନ୍ତି। ଏଥିରେ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟ ସେବା କର୍ମୀ, ଅଗ୍ରଣୀ କରୋନା ଯୋଦ୍ଧା ଏବଂ ପୂର୍ବରୁ ଯେଉଁମାନଙ୍କର ଗୁରୁତର ରୋଗ ରହିଛି ସେପରି ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ।

ସାଥୀଗଣ,

ଟୀକାର ବିତରଣକୁ ନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିମ ମିଳିତ ଭାବେ କାମ କରୁଛନ୍ତି। ଭାରତ ପାଖରେ ଟୀକା ବିତରଣ ବିଶେଷଜ୍ଞତା ଓ କ୍ଷମତା ରହିଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହି କ୍ଷେତ୍ରରେ ଆମେ ଅତ୍ୟନ୍ତ ଉନ୍ନତ ସ୍ଥିତିରେ ରହିଛୁ। ଆମ ପାଖରେ ଟୀକାକରଣ ପାଇଁ ବିଶ୍ୱର ସବୁଠୁ ବଡ଼ ଏବଂ ଅଭିଜ୍ଞ ନେଟୱାର୍କ ମଧ୍ୟ ରହିଛି। ଏହାର ସମ୍ପୂର୍ଣ୍ଣ ଲାଭ ନିଆଯିବ। ଯାହାକିଛି ଅତିରିକ୍ତ କୋଲ୍ଡ ଚେନ ସରଞ୍ଜାମ, ଅନ୍ୟାନ୍ୟ ଲଜିଷ୍ଟିକ୍ସର ଆବଶ୍ୟକତା ରହିଛି, ରାଜ୍ୟ ସରକାରଙ୍କ ସହାୟତା ନିଆଯାଇ ତାହାର ମଧ୍ୟ ଆକଳନ କରାଯାଉଛି। କୋଲ୍ଡ ଚେନକୁ ଆହୁରି ସୁଦୃଢ଼ କରିବା ଲାଗି ଅନ୍ୟ ନୂଆ ପ୍ରକଳ୍ପ ମଧ୍ୟ ଜାରି ରହିଛି। ଆହୁରି କିଛି ନୂଆ ପ୍ରୟାସ ମଧ୍ୟ କରାଯାଉଛି। ଭାରତ ଏକ ସ୍ୱତନ୍ତ୍ର ସଫ୍ଟୱେର ମଧ୍ୟ ବିକଶିତ କରିଛି, ଯାହା ହେଉଛି Co-WiNଏଥିରେ କରୋନା ଟୀକାର ହିତାଧିକାରୀ, ଟୀକାର ଉପଲବ୍ଧ ଷ୍ଟକ ଏବଂ ଷ୍ଟୋରେଜ ସହ ଜଡ଼ିତ ରିଅଲଟାଇମ ସୂଚନା ରହିବ। ଭାରତରେ କରୋନା ଟୀକାର ଗବେଷଣା ସହ ଜଡ଼ିତ ଦାୟିତ୍ୱ ଜାତୀୟ ବିଶେଷଜ୍ଞ ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ଏଥିରେ ବୈଷୟିକ ବିଶେଷଜ୍ଞ, କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକର ଅଧିକାରୀ, ପ୍ରତ୍ୟେକ ଜୋନ ହିସାବରେ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ମଧ୍ୟ ସାମିଲ ରହିଛନ୍ତି। ଏହି ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରୁଛି। ଜାତୀୟ ଓ ସ୍ଥାନୀୟ, ପ୍ରତ୍ୟେକ ଆବଶ୍ୟକତା ମୁତାବକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଦ୍ୱାରା ସାମୁହିକ ଭାବେ ନିଷ୍ପତ୍ତି ନିଆଯିବ।

ସାଥୀଗଣ,

ଟୀକାର ମୂଲ୍ୟ କେତେ ରହିବ, ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ। କେନ୍ଦ୍ର ସରକାର, ଏ ବିଷୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରୁଛନ୍ତି। ଟୀକାର ମୂଲ୍ୟକୁ ନେଇ ନିଷ୍ପତ୍ତି, ଜନସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କର ଏଥିରେ ସମ୍ପୂର୍ଣ୍ଣ ସହଭାଗିତା ରହିବ।

ସାଥୀଗଣ,

ଏକ ରାଷ୍ଟ୍ର ରୂପରେ ଭାରତ ଯେଉଁ ନିଷ୍ପତ୍ତି ନେଇଛି, ଯେପରି ଭାବେ ଭାରତ ଦ୍ରୁତ ଗତିରେ ବୈଜ୍ଞାନିକ ପଦ୍ଧତିଗୁଡ଼ିକୁ ଆପଣାଇଛି, ତାହାର ପରିଣାମ ଆଜି ଦେଖିବାକୁ ମିଳୁଛି। ଭାରତ ଆଜି ସେସବୁ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇପାରିଛି ଯେଉଁଠି ପ୍ରତିଦିନ ଖୁବ ଅଧିକ ନମୁନା ପରୀକ୍ଷା ହେଉଛି। ଭାରତ ଆଜି ସେସବୁ ଦେଶଗୁଡ଼ିକ ମଧ୍ୟରେ ରହିଛି ଯେଉଁଠି ଆରୋଗ୍ୟ ହାର ଖୁବ ଅଧିକ ରହିଛି। ଭାରତ ମଧ୍ୟ ସେସବୁ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି କରୋନା ଜନିତ ମୃତ୍ୟୁ ହାର ଖୁବ କମ ରହିଛି। ଭାରତ ଯେପରି ଭାବେ କରୋନା ବିରୋଧରେ ସଂଗ୍ରାମ ଜାରି ରହିଛି, ତାହା ପ୍ରତ୍ୟେକ ଦେଶବାସୀଙ୍କ ଅଦମ୍ୟ ଇଚ୍ଛାଶକ୍ତିକୁ ମଧ୍ୟ ଦର୍ଶାଉଛି। ବିକାଶିତ ଦେଶ, ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଦେଶ ତୁଳନାରେ ଭାରତ ଏହି ସଂଗ୍ରାମରେ ଉନ୍ନତ ଢଙ୍ଗରେ ଲଢ଼ିଛି ଏବଂ ନିଜର ଅଧିକରୁ ଅଧିକ ନାଗରିକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି। ଆମ ଭାରତୀୟ ମାନଙ୍କର ସଂଯମ, ସାହସ, ସାମର୍ଥ୍ୟ, ଏହି ସମ୍ପୂର୍ଣ୍ଣ ସଂଗ୍ରାମ କାଳରେ ଅତୁଳନୀୟ ରହିଆସିଛି, ଅଭୂତପୂର୍ବ ରହିଛି। ଆମେ କେବଳ ନିଜର ନାଗରିକଙ୍କ ଚିନ୍ତା କରିନାହୁଁ ବରଂ ଅନ୍ୟ ଦେଶର ନାଗରିକମାନଙ୍କ ଜୀବନ ବଞ୍ଚାଇବା ଲାଗି ଯଥାସମ୍ଭବ ପ୍ରୟାସ କରିଛୁ।

ସାଥୀଗଣ,

ଫେବୃଆରୀ-ମାର୍ଚ୍ଚର ଆଶଙ୍କାପୂର୍ଣ୍ଣ ଥିଲା, ଭୟପୂର୍ଣ୍ଣ ପରିବେଶ ଠାରୁ ଆରମ୍ଭ କରି ଆଜି ଡିସେମ୍ବରର ବିଶ୍ୱାସ ଏବଂ ଆଶାପୂର୍ଣ୍ଣ ବାତାବରଣ ମଧ୍ୟରେ ଭାରତ ଖୁବ ଲମ୍ବା ଯାତ୍ରା ଅତିକ୍ରମ କରି ଆସିଛି। ଏବେ ଆମେ ଟୀକାର ଖୁବ ପାଖରେ ଛିଡ଼ା ହୋଇଛୁ, ଜନଭାଗିଦାରୀ, ବୈଜ୍ଞାନିକ ଦୃଷ୍ଟିକୋଣ, ଏପରି ସହଯୋଗ ଆଗକୁ ମଧ୍ୟ ଦରକାର ପଡ଼ିବ। ଆପଣମାନେ ସମସ୍ତେ ଅଭିଜ୍ଞ ସାଥୀମାନଙ୍କର ପରାମର୍ଶ ମଧ୍ୟ ବିଭିନ୍ନ ସମୟରେ ଏଥିରେ ପ୍ରଭାବୀ ଭୂମିକା ନିର୍ବାହ କରିବ। ଆପଣମାନେ ସମସ୍ତେ ଜାଣନ୍ତି ଯେ ଯେତେବେଳେ ଏତେ ବ୍ୟାପକ ଟୀକାକରଣ ଅଭିଯାନ ଚାଲିଥାଏ, ଅନେକ ଗୁଡ଼ିଏ ଗୁଜବ ମଧ୍ୟ ସମାଜରେ ବ୍ୟାପିଥାଏ। ଏସବୁ ଗୁଜବ ଉଭୟ ଜନହିତ ଓ ରାଷ୍ଟ୍ରହିତ ବିରୋଧରେ ଯାଇଥାଏ। ସେଥିପାଇଁ ସବୁ ରାଜନୈତିକ ଦଳର ଦାୟିତ୍ୱ ହେଉଛି ଆମେ ସମସ୍ତେ ଦେଶର ନାଗରିକମାନଙ୍କୁ ଅଧିକରୁ ଅଧିକ ସଚେତନ କରିବା, ସେମାନଙ୍କୁ କୌଣସି ପ୍ରକାର ଗୁଜବରୁ ସୁରକ୍ଷିତ ରଖିବା। ଏଥିସହିତ ଆମେ ଜାଣିଛୁ ବିଶ୍ୱରେ ଯେପରି ଭାବେ ସ୍ଥିତି ବଦଳୁଛି ଏବଂ ଗ୍ରାଫ କେଉଁ ସ୍ଥାନରୁ କେଉଁ ଆଡ଼କୁ ଯିବା ତାହା କେହି କହିପାରିବେ ନାହିଁ। ଏପରି ସ୍ଥିତିରେ ଆମ ପାଖରେ ଯେଉଁ ପ୍ରମାଣିତ ରାସ୍ତା ରହିଛି, ପ୍ରମାଣିତ ଅସ୍ତ୍ର ରହିଛି ତା’କୁ ମଧ୍ୟ ଆମେ ଛାଡ଼ିବୁ ନାହିଁ। ସେଥିପାଇଁ ଦୁଇ ଗଜ ଦୂରତା ଓ ମାସ୍କ ପିନ୍ଧିବା ପ୍ରତି ମଧ୍ୟ ଆମକୁ ସତର୍କ ରହିବାକୁ ହେବ। ଦେଶ ବର୍ତ୍ତମାନସୁଦ୍ଧା ଯାହା ହାସଲ କରିପାରିଛି, ସାମାନ୍ୟ ଅସାବଧାନତା ତାହାକୁ କ୍ଷତିଗ୍ରସ୍ତ କରିପାରେ। ମୁଁ ସବୁ ରାଜନୈତିକ ଦଳଗୁଡ଼ିକର ମହାନୁଭବମାନଙ୍କୁ ଅନୁରୋଧ କରୁଛି, ଆଜି ସମସ୍ତଙ୍କୁ କହିବାର ସୁଯୋଗ ମିଳିନାହିଁ, କିନ୍ତୁ ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନେ ଲିଖିତ ପରାମର୍ଶ ଦିଅନ୍ତୁ। ଆପଣମାନଙ୍କ ପରାମର୍ଶ ଖୁବ କାମରେ ଆସିବ। ଆପଣମାନଙ୍କର ପରାମର୍ଶକୁ ଖୁବ ଗମ୍ଭୀରତାର ସହିତ ବିଚାର କରାଯିବ ଏବଂ ଯୋଜନା ପ୍ରସ୍ତୁତିରେ ମଧ୍ୟ ତାହା କାମରେ ଲାଗିବ।

ଏସବୁ ଅନୁରୋଧ ସହିତ ମୁଁ ଆଜି ଆପଣମାନଙ୍କୁ ଅନେକ ଅନେକ କୃତଜ୍ଞତା ବ୍ୟକ୍ତ କରୁଛି। ଆପଣମାନେ ସମୟ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ!!!

 

**********

 



(Release ID: 1678375) Visitor Counter : 244