ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାରାଣସୀ ଦେବ ଦୀପାବଳି ମହୋତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
● ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ଚୋରୀ ହୋଇଥିବା ବିଗ୍ରହ ଫେରୁଥିବାରୁ କାଶୀବାସୀଙ୍କୁ ଜଣାଇଲେ ଅଭିନନ୍ଦନ
● ଗୁରୁ ନାନକ ଦେବ ଜୀ ସଂସ୍କାରର ମହାନ ପ୍ରତୀକ : ପ୍ରଧାନମନ୍ତ୍ରୀ
Posted On:
30 NOV 2020 7:27PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.11.2020) ବାରାଣସୀଠାରେ ଦେବ ଦୀପାବଳି ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାଶୀ ନିମନ୍ତେ ଏହା ଏକ ସ୍ଵତନ୍ତ୍ର ଘଟଣା କାରଣ 100 ବର୍ଷ ପୂର୍ବରୁ କାଶୀରୁ ଚୋରୀ ହୋଇଥିବା ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ବିଗ୍ରହ ପୁଣି ଆମ ଦେଶକୁ ଫେରୁଛି । କାଶୀ ନିମନ୍ତେ ଏହା ଏକ ସୌଭାଗ୍ୟର ବିଷୟ । ଦେବାଦେବୀଙ୍କ ପ୍ରାଚୀନ ବିଗ୍ରହମାନ ଆମର ବିଶ୍ଵାସ ଓ ବହୁମୂଲ୍ୟ ଐତିହ୍ୟର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ଏହି ଉଦ୍ୟମ ଆଗରୁ କରାଯାଇଥାନ୍ତା, ତେବେ ଦେଶ ଅନେକ ମୂର୍ତ୍ତି ଫେରିପାଇଥାନ୍ତା । ଆମ ପାଇଁ ଐତିହ୍ୟ ମାନେ ଆମର ସଂସ୍କୃତି, ଆମର ବିଶ୍ଵାସ ଓ ଆମର ମୂଲ୍ୟବୋଧ । ଅନ୍ୟମାନଙ୍କ ପାଇଁ ତାହା କେବଳ ବିଗ୍ରହ ଏବଂ ପରିବାରର ପ୍ରତିଛବି ହୋଇପାରେ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ସମାଜ ଓ ଏହାର ପରିବେଷ୍ଟନୀରେ ଗୁରୁ ନାନକ ଦେବ ମହାନ ସଂସ୍କାରର ପ୍ରତୀକ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେତେବେଳେ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ସମାଜରେ କୌଣସି ପରିବର୍ତ୍ତନ ଆସେ ସେତେବେଳେ ବିରୋଧୀମାନେ କେତେକ ଅଦ୍ଭୁତ ପ୍ରଶ୍ନ ଉଠାଇଥାନ୍ତି । ମାତ୍ର ସେସବୁ ସଂସ୍କାରର ମୂଳଭିତ୍ତି ହେଲା ସମସ୍ତ ଅସମାହିତ ବିଷୟର ସମାଧାନ । ଆମେ ଗୁରୁ ନାନକ ଦେବ ଜୀଙ୍କ ଜୀବନୀରୁ ଏହି ଶିକ୍ଷା ଲାଭ କରିଥାଉ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ କାଶୀରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ କିଛି ଲୋକ ଅଯଥା ଆପତ୍ତି କରିବା ପାଇଁ ଅଭିଯୋଗ ବାଢିଥିଲେ । ସେତେବେଳେ ସ୍ଥିର ହେଲା ଯେ କାଶୀରେ ବିଶ୍ଵନାଥ ଚଲାପଥ ବାବାଙ୍କ ଦରବାର ପର୍ଯ୍ୟନ୍ତ ଯିବ, ସେତେବେଳେ କେତେକ ଅଭିଯୋଗକାରୀ ଏହାର ସମାଲୋଚନା କରିଥିଲେ । ମାତ୍ର ଆଜି ବାବାଙ୍କ କୃପାରୁ କାଶୀର ଗୌରବ ଫେରିଆସିଛି । ଶହ ଶହ ବର୍ଷଧରି ବାବାଙ୍କ ଦରବାର ସହିତ ଗଙ୍ଗା ନଦୀର ସଂଯୋଗକୁ ପୁନଃସଂସ୍ଥାପିତ କରାଯାଇଛି ।
ପ୍ରଧାନମନ୍ତ୍ରୀ କାଶୀ ବିଶ୍ଵନାଥ ବାବାଙ୍କ ଅପାର ମହିମାରୁ ଦେବ ଦୀପାବଳିରେ ଯୋଗଦେବାର ସୁଯୋଗ ପାଇଥିବାରୁ ଖୁସି ପ୍ରକଟ କରିଛନ୍ତି । ଏହି ପ୍ରାଚୀନ ସହର କାଶୀ ବହୁ ବର୍ଷଧରି ବିଶ୍ଵକୁ ପଥ ପ୍ରଦର୍ଶନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନାର କଷଣ ଯୋଗୁଁ ସେ କାଶୀ ଆସିପାରିନାହାନ୍ତି । ଏହା ତାଙ୍କର ନିର୍ବାଚନମଣ୍ଡଳୀ ହୋଇଥିଲେ ମଧ୍ୟ ସେ ସବୁବେଳେ ଏହିପରି ଏକ ଅସମ୍ପୂର୍ଣ୍ଣ ଘଟଣା ତାଙ୍କ ମନରେ ରହିଗଲା ବୋଲି କହିଛନ୍ତି । ବୈଶ୍ଵିକ ମହାମାରୀ କାଳରେ ସେ ଆଦୌ ଜନସାଧାରଙ୍କ ଠାରୁ ଦୂରେଇ ନଯାଇ ସେମାନଙ୍କ ଭଲମନ୍ଦ ଖବର ରଖିଛନ୍ତି । ମହାମାରୀ କାଳରେ କାଶୀବାସୀ ଯେଉଁ ଜନସେବା ମନୋଭାବ ପୋଷଣ କରିଛନ୍ତି, ତାହାର ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି ।
**********
(Release ID: 1677275)
Visitor Counter : 271
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam