ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନଭେମ୍ବର 22 ରେ ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

Posted On: 20 NOV 2020 2:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 22 ତାରିଖ ଦିନ ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳ  ଅନ୍ତର୍ଗତ ସୋନଭଦ୍ର ଜିଲ୍ଲାର ମିର୍ଜାପୁରଠାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର  ଶିଳାନ୍ୟାସ କରିବେ । ଦିନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଶିଳାନ୍ୟାସ ସମାରୋହ ପରେ ପରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଜଳ ଓ ପରିମଳ କମିଟି, ପାଣି ସମିତି ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ରହିବେ ।

ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ 2995ଟି ଗ୍ରାମର ଘରଗୁଡିକୁ ପାଇପ ଯୋଗେ ଜଳ ଯୋଗାଣ କରାଯିବ । ଏହିସବୁ ଜିଲ୍ଲାର ପ୍ରାୟ 42 ଲକ୍ଷ ଲୋକ ପ୍ରକଳ୍ପ ଯୋଗୁଁ ଉପକୃତ ହେବେ । ଜିଲ୍ଲା ଜଳ ଏବଂ ପରିମଳ କମିଟି / ପାଣି ସମିତିମାନ ଏହିସବୁ ଗ୍ରାମରେ ଗଠନ କରାଯାଇଛି । ସେମାନେ ପ୍ରକଳ୍ପର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣର ଦାୟିତ୍ଵ ବହନ କରିବେ । ଏହି ପ୍ରକଳ୍ପ ପାଇଁ 5,555 କୋଟି 38 ଲକ୍ଷ ଟଙ୍କାର ଆକଳନ କରାଯାଇଛି । ଆଗାମୀ 24 ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ  ଶେଷ କରିବାକୁ ଯୋଜନା କରାଯାଇଛି ।    

ଜଳ ଜୀବନ ସମ୍ପର୍କରେ ସୂଚନା

ପ୍ରଧାନମନ୍ତ୍ରୀ 2019 ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲାରୁ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ । 2024 ସୁଦ୍ଧା ଦେଶର ପ୍ରତି ଗ୍ରାମର  ଘରଗୁଡିକୁ ପାଇପ ଯୋଗେ  ଜଳ ଯୋଗାଇ ଦେବା ଏହି ମିଶନର ଲକ୍ଷ୍ୟ ରହିଛି । ଏହି ମିଶନ ସମ୍ପର୍କରେ ଘୋଷଣା ହେବା ବେଳକୁ 18 କୋଟି 93 ଲକ୍ଷ ପରିବାର ମଧ୍ୟରୁ କେବଳ ଶତକଡା 17 ଭାଗ ଅର୍ଥାତ 3.23 କୋଟି ଘରକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିଲା । ତେବେ ବର୍ତ୍ତମାନ ଆଗାମୀ 5 ବର୍ଷ ମଧ୍ୟରେ ଅବଶିଷ୍ଟ 15 କୋଟି 70 ଲକ୍ଷ ପରିବାରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବ । କୋଭିଡ-19 ବୈଶ୍ଵିକ ମହାମାରୀ ସତ୍ଵେ ଗତ 15 ମାସ ମଧ୍ୟରେ 2 କୋଟି 63 ଲକ୍ଷ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ବର୍ତ୍ତମାନ 5 କୋଟି 86 ଲକ୍ଷ ଅର୍ଥାତ 30.67 ପ୍ରତିଶତ ଗ୍ରାମାଞ୍ଚଳ ପରିବାରଙ୍କ ନିକଟରେ ପାଇପ ଯୋଗେ ଜଳ ସଂଯୋଗ ରହିଛି ।

**********



(Release ID: 1674489) Visitor Counter : 153