ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ଦ୍ୱିତୀୟ ଦିନ ଦେଶରେ 30 ହଜାର ନୂଆ କରୋନା ପଜିଟିଭ୍ ମାମଲା

● ଗତ ଦେଢ଼ ମାସ ଧରି ଦୈନିକ ନୂଆ କରୋନା ପଜିଟିଭ୍ ମାମଲା ତୁଳନାରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି

Posted On: 17 NOV 2020 11:27AM by PIB Bhubaneshwar

ଗତ ଦୁଇ ଦିନ ଧରି ଭାରତରେ ଦୈନିକ ନୂଆ କରୋନା ମାମଲା 30 ହଜାରରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 29,163 ନୂଆ ମାମଲା ଦେଖାଦେଇଛି ଗତ ଦଶ ଦିନ ଧରି ଦେଶରେ ଦୈନିକ ନୂଆ କରୋନା ମାମଲା 50 ହଜାର ତଳେ ରହିଛି ।

ୟୁରୋପ ଓ ଆମେରିକାରେ ଦୈନିକ କରୋନା ପଜିଟିଭ୍ ମାମଲା ଅଧିକ ଆସୁଥିବା ବେଳେ ଭାରତରେ ତାହା କମ୍ ରହିଛି । ଏହା ଲୋକମାନଙ୍କ ମଧ୍ୟରେ କରୋନାକୁ ନେଇ ଥିବା ସଚେତନତାକୁ ସ୍ପଷ୍ଟ କରୁଛି ।

ଦେଶରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ସୁସ୍ଥ ହେବା ଧାରା ଜାରି ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 29,163 ନୂଆ ମାମଲା ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି 40,791 ।

ଦେଶବ୍ୟାପୀ ନମୁନା ପରୀକ୍ଷାକୁ ସରକାର ତ୍ୱରାନ୍ୱିତ କରିଛନ୍ତି । ଏ ପର୍ଯ୍ୟନ୍ତ ମୋଟ 12,65,42,907 ନମୁନା ପରୀକ୍ଷା ହୋଇଛି । ଏହାଦ୍ୱାରା ପଜିଟିଭ୍ ହାର 7.01%କୁ ହ୍ରାସ ପାଇପାରିଛି ।

ଏବେ ଦେଶରେ ସକ୍ରିୟ ମାମଲା 4,53,401 ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର 5.11% ।

ମୋଟ 82,90,370 ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥତା ହାର 93.42%କୁ ବୃଦ୍ଧି ପାଇଛି ।

ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ 72.87% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ସର୍ବାଧିକ 6,567 ଜଣ ସୁସ୍ଥ ହୋଇଛନ୍ତି । ପଶ୍ଚିମବଙ୍ଗରେ 4,376 ଏବଂ ଦିଲ୍ଲୀରେ 3,560 ଜଣ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲାରୁ 75.14% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ଗତ କିଛି ଦିନ ଧରି ଦିଲ୍ଲୀରେ ଦୈନିକ ନୂଆ ମାମଲା ବୃଦ୍ଧି ପାଉଥିବା ବେଳେ ଗତକାଲି ଆସିଛି 3,797 ମାମଲା । ପଶ୍ଚିମବଙ୍ଗରେ 3,012 ନୂଆ ମାମଲା ଆସିଥିବା ବେଳେ କେରଳରେ ଆସିଛି 2,710 ମାମଲା ।

ଗତ 24 ଘଣ୍ଟା ମଧ୍ୟରେ 449 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 78.40% ମୃତ୍ୟୁ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ଏଥିରୁ ଏକ ପଞ୍ଚମାଂଶରୁ ଅଧିକ ଅର୍ଥାତ 22.76% ଦିଲ୍ଲୀରୁ (99 ମୃତ୍ୟୁ) ଆସିଛି । ଏହା ପଛକୁ ମହାରାଷ୍ଟ୍ରରେ 60 ଏବଂ ପଶ୍ଚିମବଙ୍ଗରେ 53 ଜଣଙ୍କ ମୃତ୍ୟୁ ହୋଇଛି ।

**********

 

 



(Release ID: 1673520) Visitor Counter : 214