ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାମନଗର ଏବଂ ଜୟପୁରଠାରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଥିବା ଦୁଇ ଆୟୁର୍ବେଦ ସଂସ୍ଥାନର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 13 NOV 2020 1:00PM by PIB Bhubaneshwar

ନମସ୍କାର!

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଶ୍ରୀପଦ ନାୟକ ମହାଶୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଶୋକ ଗେହଲଟ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ଭାଇ ରୂପାନୀ ମହାଶୟ, ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କଲରାଜ ମହାଶୟ, ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଆୟୁର୍ବେଦ ସହିତ ଜଡ଼ିତ ସମସ୍ତ ବିଦ୍ୱାନଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାମାନେ!

ଆପଣମାନଙ୍କୁ ସମସ୍ତଙ୍କୁ ଧନତେରସ, ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତି ନିମନ୍ତେ ବହୁତ-ବହୁତ ଶୁଭକାମନା । ଧନ୍ୱନ୍ତରୀ ଜୀଙ୍କୁ ଆରୋଗ୍ୟର ଦେବତା ଭାବେ ଗଣାଯାଏ ଏବଂ ଆୟୁର୍ବେଦର ରଚନା ମଧ୍ୟ ତାଙ୍କ ଆଶୀର୍ବାଦରୁ ହୋଇପାରିଛି । ଆଜିକାର ଏହି ପବିତ୍ର ଦିବସ, ଆୟୁର୍ବେଦ ଦିବସରେ, ଭଗବାନ ଧନ୍ୱନ୍ତରୀଙ୍କୁ ସମଗ୍ର ମାନବ ଜାତିର ଏହା ହେଉଛି ପ୍ରାର୍ଥନା ଯେ ସେ ଭାରତ ସମେତ ସମଗ୍ର ଦୁନିଆକୁ ଆରୋଗ୍ୟର ଆଶୀର୍ବାଦ ପ୍ରଦାନ କରନ୍ତୁ ।

ସାଥୀଗଣ,

ଚଳିତ ଥରର ଆୟୁର୍ବେଦ ଦିବସ ଗୁଜରାଟ ଏବଂ ରାଜସ୍ଥାନ ପାଇଁ ହେଉଛି ବିଶେଷ, ଆମର ଯୁବ ସାଥୀମାନଙ୍କ ପାଇଁ ମଧ୍ୟ ହେଉଛି ବିଶେଷ । ଆଜି ଗୁଜରାଟର ଜାମନଗରରେ ଆୟୁର୍ବେଦ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ କୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବେ ମାନ୍ୟତା ମିଳିଛି । ଏହିଭଳି ଭାବେ ଜୟପୁରର ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନକୁ ମଧ୍ୟ ଡିମ୍ଡ଼୍ ବିଶ୍ୱବିଦ୍ୟାଳୟ ରୂପେ ଆଜି ଲୋକାର୍ପିତ କରାଯାଇଛି । ଆୟୁର୍ବେଦରେ ଉଚ୍ଚଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ ସହିତ ଜଡ଼ିତ ଏହି ଉନ୍ନତତମ ସଂସ୍ଥାନଗୁଡ଼ିକ ପାଇଁ ରାଜସ୍ଥାନ-ଗୁଜରାଟ ସହିତ ହିଁ ସଂପୂର୍ଣ୍ଣ ଦେଶକୁ ବହୁତ-ବହୁତ ଶୁଭକାମନା ।

ସାଥୀଗଣ,

ଆୟୁର୍ବେଦ, ହେଉଛି ଭାରତର ଏକ ପରମ୍ପରା ଯାହାର ସଂପ୍ରସାରଣ ହେବା ହେଉଛି ସଂପୂର୍ଣ୍ଣ ମାନବତା ପାଇଁ ମଙ୍ଗଳମୟ । ଏହା ଦେଖି କେଉଁ ଭାରତୀୟଙ୍କୁ ଖୁସି ଅନୁଭବ ହେଉ ନଥିବ ଯେ ଆମର ପାରମ୍ପରିକ ଜ୍ଞାନ, ଏବେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସମୃଦ୍ଧ କରୁଛି । ଆଜି ବ୍ରାଜିଲର ରାଷ୍ଟ୍ରୀୟ ନୀତିରେ ଆୟୁର୍ବେଦ ସାମିଲ ହୋଇଛି । ଭାରତ-ଆମେରିକା ସମ୍ବନ୍ଧ ହେଉ, ଭାରତ-ଜର୍ମାନୀ ସମ୍ପର୍କ ହେଉ, ଆୟୁଷ ଏବଂ ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତି ସହିତ ଜଡ଼ିତ ସହଯୋଗ ନିରନ୍ତର ବଢ଼ି ଚାଲିଛି । ଏହା ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ହେଉଛି ଏକ ଗର୍ବର ବିଷୟ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଏବଂ ମୋର ବନ୍ଧୁ ସେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପାରମ୍ପରିକ ଔଷଧ ପାଇଁ ବିଶ୍ୱସ୍ତରୀୟ କେନ୍ଦ୍ର ଏହାର ସ୍ଥାପନା କରିବା ପାଇଁ ସମଗ୍ର ଦୁନିଆ ମଧ୍ୟରୁ ଭାରତକୁ ବାଛିଛନ୍ତି ଆଉ ଏବେ ଭାରତରେ ହିଁ ସମଗ୍ର ଦୁନିଆ ପାଇଁ ଏହି ଦିଗରେ କାର୍ଯ୍ୟ କରାଯିବ । ଭାରତକୁ ଏହି ବଡ଼ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ, ବିଶେଷ ଭାବେ ଡବ୍ଲୁଏଚଓର ମହାନିର୍ଦ୍ଦେଶକ ମୋର ବନ୍ଧୁ ଡକ୍ଟର ଟ୍ରେଡୋସଙ୍କୁ ମଧ୍ୟ ମୁଁ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି । ମୋର ଏହା ବିଶ୍ୱାସ ରହିଛି କି ଯେଉଁଭଳି ଭାବେ ଭାରତ ଫାର୍ମାସୀ ଅଫ୍ ଦ ୱାର୍ଲ୍ଡ ଭାବେ ଏହି ସ୍ୱରୂପରେ ଉଭା ହୋଇଛି, ସେହିଭଳି ଭାବେ ପାରମ୍ପରିକ ଚିକିତ୍ସାର ଏହି କେନ୍ଦ୍ର ମଧ୍ୟ ଗ୍ଲୋବାଲ ୱେଲନେସର କେନ୍ଦ୍ର ହେବ । ଏହି କେନ୍ଦ୍ର ସମଗ୍ର ଦୁନିଆର ପାରମ୍ପରିକ ଔଷଧ ସବୁର ବିକାଶ ଏବଂ ସେଗୁଡ଼ିକ ସହିତ ଜଡ଼ିତ ଗବେଷଣାକୁ ନୂତନ ଶୀଖର ପ୍ରଦାନ କରିବା ଭଳି ପ୍ରମାଣିତ ହେବ ।

ସାଥୀଗଣ,

ପରିବର୍ତ୍ତିତ ସମୟ ସହିତ ଆଜି ପ୍ରତ୍ୟେକ ଜିନିଷ ସମନ୍ୱିତ ହେଉଛି । ସ୍ୱାସ୍ଥ୍ୟ ମଧ୍ୟ ଏହାଠାରୁ ଭିନ୍ନ ହୋଇ ରହିନାହିଁ । ଏହି ଚିନ୍ତାଧାରା ସହିତ ଆଜି ଦେଶ ଚିକିତ୍ସାର ଭିନ୍ନ-ଭିନ୍ନ ପଦ୍ଧତି ଗୁଡ଼ିକୁ ସମନ୍ୱିତ କରି, ସମସ୍ତଙ୍କୁ ଗୁରୁତ୍ୱ ପ୍ରଦାନ କରିବା ଦିଗରେ ଗୋଟି ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଚିନ୍ତାଧାରା ଆୟୁଷକୁ, ଆୟୁର୍ବେଦକୁ ଦେଶର ଆରୋଗ୍ୟ ନୀତିସ୍ୱାସ୍ଥ୍ୟ ନୀତି (ହେଲ୍ଥ ପଲିସି)ର ପ୍ରମୁଖ ଅଂଶ କରିଛି । ଆଜି ଆମେ ସ୍ୱାସ୍ଥ୍ୟର ଆମର ପାରମ୍ପରିକ ଗୁପ୍ତଧନ(ଖଜାନା)କୁ କେବଳ ଏକ ବିକଳ୍ପ ନୁହେଁ, ବରଂ ଦେଶର ଆରୋଗ୍ୟର ଏକ ବଡ଼ ଆଧାର କରିଛେ ।

ସାଥୀଗଣ,

ଏହା ସଦା ସର୍ବଦା ଏକ ସ୍ଥାପିତ ସତ୍ୟ ହୋଇ ରହି ଆସିଛି ଯେ ଭାରତ ପାଖରେ ଆରୋଗ୍ୟ ସହିତ ଜଡ଼ିତ କେତେ ବଡ଼ ପରମ୍ପରା ରହିଛି । କିନ୍ତୁ ଏହା ମଧ୍ୟ ହେଉଛି ସେତିକି ସଠିକ୍ ଯେ ଏହି ଜ୍ଞାନ ଅଧିକାଂଶ ପୁସ୍ତକଗୁଡ଼ିକରେ, ଶାସ୍ତ୍ରଗୁଡ଼ିକରେ ରହି  ଆସିଛି ଆଉ ଅଳ୍ପ-ବହୁତେ ଜେଜି-ଆଈଙ୍କ ଟୁଣୁକାରେ ରହିଛି । ଏହି ଜ୍ଞାନକୁ ଆଧୁନିକ ଆବଶ୍ୟକତାଗୁଡ଼ିକ ଅନୁସାରେ ବିକଶିତ କରାଯିବା, ଏହା ହେଉଛି ବହୁତ ଆବଶ୍ୟକ । ଏଥିପାଇଁ ଦେଶରେ ଏବେ ପ୍ରଥମ ଥର ପାଇଁ ଆମର ପୁରାତନ ଚିକିତ୍ସା କରିବା ଭଳି ଯେଉଁ ଜ୍ଞାନ ରହିଛି ସେହି ଜ୍ଞାନ ବିଜ୍ଞାନକୁ ଏକବିଂଶ ଶତାବ୍ଦୀର ଆଧୁନିକ ବିଜ୍ଞାନରୁ ମିଳିଥିବା ସୂଚନା ସହିତ ମଧ୍ୟ ତାହାକୁ ଯୋଡ଼ା ଯାଉଛି, ସମନ୍ୱିତ କରାଯାଉଛି, ନୂତନ ଗବେଷଣା କରାଯାଉଛି । ତିନି ବର୍ଷ ପୂର୍ବରୁ ହିଁ ଆମର ଏଠାରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନର ସ୍ଥାପନା କରା ଯାଇଥିଲା । ଲେହରେ ସୋୱା-ରିଗ୍ପା ସହିତ ଜଡ଼ିତ ଗବେଷଣା ଏବଂ ଅନ୍ୟାନ୍ୟ ଅଧ୍ୟୟନ ପାଇଁ ରାଷ୍ଟ୍ରୀୟ ସୋୱା-ରିଗ୍ପା ସଂସ୍ଥାନ ବିକଶିତ କରିବାର କାର୍ଯ୍ୟ ଜାରି ଅଛି । ଆଜି ଗୁଜରାଟ ଏବଂ ରାଜସ୍ଥାନର ଯେଉଁ ଦୁଇଟି ସଂସ୍ଥାନକୁ ଆଧୁନିକୀକରଣ କରାଯାଇଛି, ସେଗୁଡ଼ିକ ମଧ୍ୟ ଏହି ଧାରାର ହେଉଛି ଏକ ବିସ୍ତାର ।

ଭାଇ ଓ ଭଉଣୀମାନେ,

କୁହାଯାଏ ଯେତେବେଳେ ଉଚ୍ଚତା ବଢ଼ିଥାଏ ସେତେବେଳେ ଦାୟିତ୍ୱ ମଧ୍ୟ ବଢ଼ିଥାଏ । ଆଜି ଯେତେବେଳେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନଗୁଡ଼ିକର ଉଚ୍ଚତା ବୃଦ୍ଧି ହୋଇଛି, ସେତେବେଳେ ମୋର ଗୋଟିଏ ଅନୁରୋଧ ମଧ୍ୟ ରହିଛି । ଦେଶର ପ୍ରତିଷ୍ଠିତ ଆୟୁର୍ବେଦ ସଂସ୍ଥାନ ହେବା କାରଣରୁ ଏବେ ଆପଣ ଏବଂ ଆପଣ ସମସ୍ତଙ୍କ ଉପରେ ଏଭଳି ପାଠ୍ୟକ୍ରମ ପ୍ରସ୍ତୁତ କରିବାର ଦାୟିତ୍ୱ ରହିଛି ଯାହା ଅନ୍ତରାଷ୍ଟ୍ରୀୟ ପ୍ରାକ୍ଟିସ ଅନୁକୂଳ ଏବଂ ବୈଜ୍ଞାନିକ ମାନକ ଗୁଡ଼ିକ ଅନୁରୂପ ହେବ । ମୁଁ ଶିକ୍ଷା ମନ୍ତ୍ରଣାଳୟ ଏବଂ ୟୁଜିସିକୁ ମଧ୍ୟ ଅନୁରୋଧ କରି କହିବି ଯେ ଆୟୁର-ଭୌତିକୀ ଏବଂ ଆୟୁର-ରସାୟନ ଶାସ୍ତ୍ର ଭଳି ବିଷୟଗୁଡ଼ିକୁ ନେଇ ନୂତନ ସମ୍ଭାବନା ଗୁଡ଼ିକ ସହିତ କାର୍ଯ୍ୟ କରାଯାଉ । ଏହା ଫଳରେ ଗବେଷଣାକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ସମନ୍ୱିତ ଡକ୍ଟୋରାଲ ଏବଂ ପୋଷ୍ଟ-ଡକ୍ଟୋରାଲ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରାଯାଇ ପାରିବ । ଆଜି ମୋ ଦେଶର ଘରୋଇ କ୍ଷେତ୍ର, ଆମର ଷ୍ଟାର୍ଟ-ଅପ୍ସକୁ ଆୟୁର୍ବେଦର ବିଶ୍ୱ ଚାହିଦା ସ୍ଥିର କରିବା ଦରକାର ଆଉ ଏହି କ୍ଷେତ୍ରରେ ହେବାକୁ ଥିବା ଅଭିବୃଦ୍ଧିରେ ନିଜର ଅଂଶୀଦାରକୁ ସୁନିଶ୍ଚିତ କରିବା ଦରକାର । ଆୟୁର୍ବେଦର ସ୍ଥାନୀୟ ଶକ୍ତି ପାଇଁ ଆପଣଙ୍କୁ ସମଗ୍ର ଦୁନିଆରେ ଭୋକାଲ ହେବାକୁ ପଡ଼ିବ । ମୋର ବିଶ୍ୱାସ ରହିଛି କି ଆମର ମିଳିତ ପ୍ରୟାସ ଦ୍ୱାରା କେବଳ ଆୟୁଷ ହିଁ ନୁହେଁ, ବରଂ ଆରୋଗ୍ୟର ଆମର ସଂପୂର୍ଣ୍ଣ ବ୍ୟବସ୍ଥା ଏକ ବୃହତ ପରିବର୍ତ୍ତନର ସାକ୍ଷୀ ହେବ ।

ସାଥୀଗଣ,

ଆପଣମାନେ ଭଲ ଭାବେ ଏହା ମଧ୍ୟ ଜାଣନ୍ତି କି ଏହି ବର୍ଷ ସଂସଦର ମୌସୁମୀ ଅଧିବେଶନରେ ଦୁଇଟି ଐତିହାସିକ ଆୟୋଗ ମଧ୍ୟ ସୃଷ୍ଟି କରାଯାଇଛି । ପ୍ରଥମଟି ଭାରତୀୟ ଔଷଧ ବ୍ୟବସ୍ଥା ଜାତୀୟ ଆୟୋଗଏବଂ ଦ୍ୱିତୀୟଟି ହେଉଛି ଜାତୀୟ ଆୟୋଗ ହେମିଓପ୍ୟାଥି ଆୟୋଗ । କେବଳ ଏତିକି ନୁହେଁ, ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ମଧ୍ୟ ଭାରତର ମେଡିକାଲ ଶିକ୍ଷାକୁ ସମନ୍ୱିତ କରିବାର ଅଭିବ୍ୟକ୍ତକୁ ପ୍ରୋତ୍ସାହିତ କରାଯାଇଛି । ଏହି ନୀତିର ଭାବନା ହେଉଛି ଯେ ଏଲୋପ୍ୟାଥିକ ଶିକ୍ଷାରେ ଆୟୁର୍ବେଦର ମୌଳିକ ଧାରଣା ନିଶ୍ଚିତ ଭାବେ ଜରୁରୀ ହେଉ ଏବଂ ଆୟୁର୍ବେଦର ଶିକ୍ଷାରେ ଏଲୋପ୍ୟାଥିକ ପ୍ରାକ୍ଟିସଗୁଡ଼ିକର ମୌଳିକ ଧାରଣା ନିଶ୍ଚିତ ଭାବେ ଜରୁରୀ ହେଉ । ଏହି ପଦକ୍ଷେପ ଆୟୁଷ ଏବଂ ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତି ସହିତ ଜଡ଼ିତ ଶିକ୍ଷା ଏବଂ ଗବେଷଣାକୁ ଆହୁରି ସୁଦୃଢ଼ କରିବ ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ଭାରତ ଏବେ ଖଣ୍ଡ-ଖଣ୍ଡ ହୋଇ ନୁହେଁ, ବୌଦ୍ଧିକ ଉପାୟରେ ଚିନ୍ତା କରିଥାଏ । ସ୍ୱାସ୍ଥ୍ୟ ସହିତ ଜଡ଼ିତ ଆହ୍ୱାନ ଗୁଡ଼ିକୁ ମଧ୍ୟ ଏବେ ବୌଦ୍ଧିକ ଅଭିବ୍ୟକ୍ତି ସହିତ ସେହି ଉପାୟରେ ହିଁ ସମାଧାନ କରାଯାଉଛି । ଆଜି ଦେଶରେ ସୁଲଭ ଏବଂ ପ୍ରଭାବଶାଳୀ ଚିକିତ୍ସା ସହିତ ପ୍ରତିଶେଧକ ସ୍ୱାସ୍ଥ୍ୟ ସେବା ଉପରେ, ଆରୋଗ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଆଚାର୍ଯ୍ୟ ଚରକ ମଧ୍ୟ କହିଛନ୍ତି- ସ୍ୱାସ୍ଥ୍ୟସ୍ୟ ସ୍ୱାସ୍ଥ୍ୟ ରକ୍ଷଣଂ, ଆତୁରସ୍ୟ ବିକାର ପ୍ରଶମନଂ ଚ! ଅର୍ଥାତ ସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ରକ୍ଷା କରିବା ଏବଂ ରୋଗୀଙ୍କୁ ରୋଗମୁକ୍ତ କରିବା, ଏହା ହେଉଛି ଆୟୁର୍ବେଦର ଉଦ୍ଦେଶ୍ୟ । ସୁସ୍ଥ ବ୍ୟକ୍ତି ସୁସ୍ଥ ହୋଇ ରୁହନ୍ତୁ, ଏହି ଚିନ୍ତାଧାରା ସହିତ ଏଭଳି ପ୍ରତ୍ୟେକ ପଦକ୍ଷେପ ଗ୍ରହଣ କରାଯାଉଛି, ଯାହା ଫଳରେ ରୋଗ ସୃଷ୍ଟି କରୁଥିବା ପରିସ୍ଥିତି ଦୂର ହେଉ । ଗୋଟିଏ ପଟେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା, ଶୌଚାଳୟ, ବିଶୁଦ୍ଧ ପାଣି, ଧୂଆଁମୁକ୍ତ ରୋଷେଇ, ପୋଷଣ ଏସବୁ ଉପରେ ଧ୍ୟାନ ଦିଆଯାଉଛି ତେବେ ଅନ୍ୟପଟେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ସବୁ ହିନ୍ଦୁସ୍ତାନର କୋଣ ଅନୁକୋଣରେ ପ୍ରସ୍ତୁତ କରାଯାଉଛି । ଏସବୁରେ ବିଶେଷ ଭାବେ ସାଢ଼େ 12 ହଜାରରୁ ଅଧିକ ଆୟୁଷ ଆରୋଗ୍ୟ କେନ୍ଦ୍ର ସଂପୂର୍ଣ୍ଣ ଭାବେ ଆୟୁର୍ବେଦକୁ ସମର୍ପିତ ହୋଇଛି, ଆୟୁର୍ବେଦ ସହିତ ଯୋଡ଼ି ହେଉଛନ୍ତି ।

ସାଥୀଗଣ,

ଆରୋଗ୍ୟର ଏହି ଭାରତୀୟ ଦର୍ଶନ ଆଜି ସମଗ୍ର ବିଶ୍ୱକୁ ଆକର୍ଷିତ କରୁଛି । କରୋନାର ଏହି କଷ୍ଟକର ସମୟ ପୁଣି ଦେଖାଇ ଦେଇଛି ଯେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସହିତ ଜଡ଼ିତ ଭାରତର ଏହି ପାରମ୍ପରିକ ବିଦ୍ୟା ହେଉଛି କେତେ ହିଁ ଉପଯୋଗୀ । ଯେତେବେଳେ କରୋନା ସହିତ ମୁକାବିଲା କରିବା ପାଇଁ କୌଣସି ପ୍ରଭାବଶାଳୀ ଉପାୟ ନଥିଲା, ସେତେବେଳେ ଭାରତର ପ୍ରତିଟି ଘରେ ହଳଦୀ, ଦୁଗ୍ଧ ଏବଂ କାଢ଼ା ଭଳି ଅନେକ ରୋଗ ପ୍ରତିରୋଧକାରୀ ଉପାୟ ବହୁତ ହିଁ କାର୍ଯ୍ୟରେ ଆସିଲା । ଏତେ ବଡ଼ ଜନସଂଖ୍ୟା, ଏତେ ଘନତ୍ୱ ବିଶିଷ୍ଟ ଜନସଂଖ୍ୟା ଆଉ ଏପରି ଆମର ଦେଶ, ଯଦି ଆଜି ନିୟନ୍ତ୍ରିତ ହୋଇ ପାରିବା ଭଳି ସ୍ଥିତିରେ ଅଛି, ତେବେ ସେଥିରେ ଆମର ଏହି ପରମ୍ପରାର ହିଁ ପ୍ରମୁଖ ଭୂମିକା ରହିଛି ।

ସାଥୀଗଣ,

କରୋନା ସମୟରେ ସମଗ୍ର ଦୁନିଆରେ ଆୟୁର୍ବେଦିକ ଉତ୍ପାଦଗୁଡ଼ିକର ଚାହିଦା ଦ୍ରୁତ ଗତିରେ ବଢ଼ିଛି । ବିଗତ ବର୍ଷ ଅପେକ୍ଷା ଏବର୍ଷ ସେପ୍ଟେମ୍ବରରେ ଆୟୁର୍ବେଦିକ ଉତ୍ପାଦଗୁଡ଼ିକର ରପ୍ତାନୀ ପ୍ରାୟତଃ ଦେଢ଼ଗୁଣା, ପାଖାପାଖି 45 ପ୍ରତିଶତ ବଢ଼ିଛି । କେବଳ ଏତିକି ନୁହେଁ ମସଲାଗୁଡ଼ିକର ରପ୍ତାନୀରେ ମଧ୍ୟ ଖୁବ୍ ବୃଦ୍ଧି ରେକର୍ଡ କରାଯାଇଛି । ହଳଦୀ, ଅଦା ଏଭଳି ଜିନିଷ ଯାହାକି ରୋଗ ପ୍ରତିରୋଧକାରୀ ବୁଷ୍ଟର ଭାବେ ଜଣାଶୁଣା, ସେଗୁଡ଼ିକର ରପ୍ତାନୀରେ ହଠାତ୍ ଏଭଳି ଭାବେ ବୃଦ୍ଧି, ଏହା ଦେଖାଉଛି ଯେ ଦୁନିଆରେ ଆୟୁର୍ବେଦିକ ସମାଧାନ ସବୁ ଏବଂ ଭାରତୀୟ ମସଲା ଗୁଡ଼ିକ ଉପରେ ବିଶ୍ୱାସ କେତେ ପରିମାଣରେ ବୃଦ୍ଧି ପାଉଛି । ଏବେ ପୁଣି କେତେଗୁଡ଼ିଏ ଦେଶରେ ହଳଦୀ ସହିତ ଜଡ଼ିତ ବିଶେଷ ପାନୀୟ ପଦାର୍ଥ ଗୁଡ଼ିକର ମଧ୍ୟ ପ୍ରଚଳନ ବଢ଼ି ଚାଲିଛି । ଆଜି ଦୁନିଆର ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲସ୍ ମଧ୍ୟ ଆୟୁର୍ବେଦରେ ନୂତନ ଆଶା, ନୂତନ ବିଶ୍ୱାସ ଦେଖୁଛନ୍ତି ।

ସାଥୀଗଣ,

କରୋନାର ଏହି ସମୟରେ ଆମର ଦୃଷ୍ଟି କେବଳ ଆୟୁର୍ବେଦର ଉପଯୋଗ ପର୍ଯ୍ୟନ୍ତ ସୀମିତ ରହିନାହିଁ ବରଂ ଏହି କଷ୍ଟକର ସମୟର ବ୍ୟବହାର ଆୟୁଷ ସହିତ ଜଡ଼ିତ ଗବେଷଣାକୁ ଦେଶ ଏବଂ ଦୁନିଆରେ ଆଗକୁ ବଢ଼ାଇବା ପାଇଁ କରାଯାଉଛି । ଆଜି ଗୋଟିଏ ପଟେ ଭାରତ ଯେଉଁଠି ଟୀକାର ପରୀକ୍ଷଣ କରୁଛି, ସେଠାରେ ଅନ୍ୟପଟେ କୋଭିଡ଼ ସହିତ ଲଢ଼େଇ କରିବା ପାଇଁ ଆୟୁର୍ବେଦର ଗବେଷଣା ଉପରେ ମଧ୍ୟ ଆନ୍ତର୍ଜାତିକ ସହଯୋଗକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି । ଏବେ-ଏବେ, ଆମର ସାଥୀ ଶ୍ରୀପଦ ମହାଶୟ କହିଲେ ଯେ ଏହି ସମୟରେ ଶହେରୁ ଅଧିକ ସ୍ଥାନମାନଙ୍କରେ ଗବେଷଣା ଚାଲୁ ରହିଛି । ଏଠାରେ କେବଳ ଦିଲ୍ଲୀରେ ହିଁ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ଯେପରି ଆପଣମାନଙ୍କୁ ଏବେ ବିସ୍ତାର ଭାବେ କୁହାଗଲା, ଦିଲ୍ଲୀ ପୁଲିସର 80 ହଜାର ଯୁବକଙ୍କ ଉପରେ ପ୍ରତିରୋଧ ସହିତ ଜଡ଼ିତ ଗବେଷଣା କରିଛନ୍ତି । ଏହା ଦୁନିଆର ସବୁଠାରୁ ବଡ଼ ଗ୍ରୁପଷ୍ଟଡି ବା ଦଳଗତ ପରୀକ୍ଷଣ ହୋଇପାରେ । ଏହାର ମଧ୍ୟ ଉତ୍ସାହଜନକ ପରିଣାମ ଦେଖିବାକୁ ମିଳିଛି । ଆଗାମୀ ଦିନମାନଙ୍କରେ ଆହୁରି କିଛି ଅନ୍ତଃରାଷ୍ଟ୍ରୀୟ ପରୀକ୍ଷଣ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।

ସାଥୀଗଣ,

ଆଜି ଆମେ ଆୟୁର୍ବେଦିକ ଔଷଧ, ଜଡ଼ିବୁଟୀ ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ପୋଷକ ଯୁକ୍ତ ଖାଦ୍ୟ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରୁଛେ । ମୋଟା ଶସ୍ୟ ଅର୍ଥାତ ମାଣ୍ଡିଆର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଜି କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । କେବଳ ଏତିକି ନୁହେଁ, ଗଙ୍ଗା ମାତାଙ୍କ କୂଳରେ ଏବଂ ହିମାଳୟ ଅଂଚଳରେ ଜୈବିକ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି । ଆୟୁର୍ବେଦ ସହିତ ଜଡ଼ିତ ଗଛ-ଲତା ଲଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି, ଏହା ଚେଷ୍ଟା ରହିଛି କି ଦୁନିଆର ସୁସ୍ଥତାରେ ଭାରତ ଅଧିକରୁ ଅଧିକ ଯୋଗଦାନ କରୁ, ଆମର ରପ୍ତାନୀ ମଧ୍ୟ ବୃଦ୍ଧି ହେଉ ଆଉ ଆମର କୃଷକମାନଙ୍କ ଆୟରେ ମଧ୍ୟ ବୃଦ୍ଧି ଘଟୁ । ଆୟୁଷ ମନ୍ତ୍ରଣାଳୟ, ଏଥିପାଇଁ ଏକ ବ୍ୟାପକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଆପଣମାନେ ମଧ୍ୟ ଦେଖିଥିବେ ଯେ କୋଭିଡ଼ ମହାମାରୀ ଆରମ୍ଭ ହେବାପରେ, ଆୟୁର୍ବେଦିକ ଜଡ଼ିବୁଟୀ ଯେପରି ଅଶ୍ୱଗନ୍ଧା, ଗିଲୋୟ, ତୁଳସୀ ଆଦିର ମୂଲ୍ୟ ଏଥିପାଇଁ ବଢ଼ିଲା, କାରଣ ଚାହିଦା ବଢ଼ିଲା, ଲୋକମାନଙ୍କର ବିଶ୍ୱାସ ବଢ଼ିଲା । ମୋତେ ଅବଗତ କରାଯାଇଛି ଯେ ଏଥର ଅଶ୍ୱଗନ୍ଧାର ମୂଲ୍ୟ ଗତ ବର୍ଷ ଅପେକ୍ଷା ଦୁଇ ଗୁଣରୁ ମଧ୍ୟ ଅଧିକ ହୋଇ ଯାଇଛି । ଏହାର ସିଧାସଳଖ ଲାଭ ଏହି ଗଛ, ଏହି ଜଡ଼ିବୁଟୀର ଚାଷ କରୁଥିବା ଆମର କୃଷକ ପରିବାରଙ୍କ ପାଖରେ ପହଂଚିଛି । ଯଦିଓ ଅନେକ ଜଡ଼ିବୁଟୀ ରହିଛି, ଯାହାଙ୍କର ଉପଯୋଗିତା ବିଷୟରେ ଏବେ ମଧ୍ୟ ଆମର ଏଠାରେ ଆହୁରି ଅଧିକ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଏଭଳି ପ୍ରାୟ 50 ଔଷଧୀୟ ବୃକ୍ଷ ଅଛି, ଯାହାର ତରକାରୀ ଏବଂ ସାଲାଡ଼ ରୂପେ ଖୁବ ଉପଯୋଗିତା ରହିଛି । ଏମିତିରେ କୃଷି ମନ୍ତ୍ରଣାଳୟ ହେଉ, ଆୟୁଷ ମନ୍ତ୍ରଣାଳୟ ହେଉ କିମ୍ବା ଅନ୍ୟାନ୍ୟ ବିଭାଗ ହେଉ, ସମସ୍ତଙ୍କର ମିଳିତ ପ୍ରୟାସରେ ଏହି କ୍ଷେତ୍ରରେ ବଡ଼ ପରିବର୍ତନ ଆସି ପାରିବ ।

ସାଥୀଗଣ,

ଆୟୁର୍ବେଦ ସହିତ ଜଡ଼ିତ ଏହି ସଂପୂର୍ଣ୍ଣ ଇକୋ-ସିଷ୍ଟମର ବିକାଶ ଦ୍ୱାରା, ଦେଶରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ସହିତ ଜଡ଼ିତ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଗୁଜରାଟ ଏବଂ ରାଜସ୍ଥାନରେ ଏଥିପାଇଁ ଅପାର ସମ୍ଭାବନାଗୁଡ଼ିକ ମଧ୍ୟ ଭରି ରହିଛି । ମୋର ବିଶ୍ୱାସ ରହିଛି ଯେ ଜାମନଗର ଏବଂ ଜୟପୁରର ଏହି ଦୁଇଟି ସଂସ୍ଥାନ ଏହି ଦିଗରେ ମଧ୍ୟ ଲାଭକାରୀ ସିଦ୍ଧ ହେବେ । ଆଉ ଥରେ ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା । ଆଜି ହେଉଛି ଛୋଟ ଦୀପାବଳି, କାଲି ହେଉଛି ବଡ଼ ଦୀପାବଳି । ଆପଣଙ୍କୁ, ଆପଣଙ୍କ ପରିବାରକୁ ମଧ୍ୟ ମୋ ତରଫରୁ ଏହି ଦୀପାବଳିର ପବିତ୍ର ପର୍ବ ପାଇଁ ଅନେକ-ଅନେକ ଶୁଭକାମନା ।

ବହୁତ-ବହୁତ ଧନ୍ୟବାଦ!!

 

**********

 

 

 


(Release ID: 1672766) Visitor Counter : 233