ବୟନ ଶିଳ୍ପ ମନ୍ତ୍ରଣାଳୟ

‘୰ଲୋକାଲଫର ଦିୱାଲୀ’ ନାମକ ଅଭିଯାନ ଆରମ୍ଭ କଲା ବୟନଶିଳ୍ପ ମନ୍ତ୍ରଣାଳୟ

• ଭାରତୀୟ ହସ୍ତଶିଳ୍ପ ସାମଗ୍ରୀକୁ କିଣି ଏବଂ ଉପହାର ଦେଇ ଏଥର ଦୀପାବଳି ପାଳିବାକୁ ସମସ୍ତଙ୍କୁ ନିବେଦନ

Posted On: 11 NOV 2020 1:15PM by PIB Bhubaneshwar

ହସ୍ତଶିଳ୍ପ ହେଉଛି ଭାରତର ମହିମାମୟ ସାଂସ୍କୃତିକ ପରମ୍ପରାର ଏକ ପ୍ରତୀକ ଏବଂ ଦେଶରେ ଜୀବନଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ମହିଳା ସଶକ୍ତୀକରଣକୁ ବଳିଷ୍ଠ କରିବା ଦିଗରେ ଏହି କ୍ଷେତ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି । କାହିଁକି ନା ତମାମ ହସ୍ତଶିଳ୍ପ କାରିଗର ଏବଂ ତତ ସମ୍ବନ୍ଧୀୟ କର୍ମଚାରୀଙ୍କର 55%ରୁ ଅଧିକ ହେଉଛନ୍ତି ମହିଳା ।

ଏହି ପରିପ୍ରେକ୍ଷୀରେ ଭାରତୀୟ ହସ୍ତଶିଳ୍ପ ସାମଗ୍ରୀକୁ ବ୍ୟବହାର ପାଇଁ ସବୁବେଳେ ଉଦ୍ୟମ କରିବା ଏବଂ ଏ ବାବଦରେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସମସ୍ତଙ୍କୁ ଅପିଲ କରି ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ:

‘‘ନଭେମ୍ବର 9 ତାରିଖରେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଚାଲନ୍ତୁ ଆମେ ସମସ୍ତେ ମିଶି ସ୍ଥାନୀୟ ବୟନ ଓ ହସ୍ତଶିଳ୍ପ ବ୍ୟବସାୟକୁ ଆମର ଦୃଢ଼ ସହଯୋଗ ପ୍ରଦର୍ଶନ କରିବା । କ୍ଷୁଦ୍ର ମାଟି ଦୀପ ହେଉ, ଦେଶୀ ସାଜସଜ୍ଜା ସାମଗ୍ରୀ ହେଉ, ବେଡ ସିଟ, ପରଦା ଅଥବା ହାତ ତିଆରି ସାମଗ୍ରୀ ହେଉ, ସବୁକୁ ସ୍ଥାନୀୟ ଉତ୍ସରୁ ହିଁ କ୍ରୟ କରି ନିଜ ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କୁ ଉପହାର ଦେବା; ଏଥର ଦୀପାବଳିରେ ପ୍ରତ୍ୟେକ କ୍ରୟ ଏହିଭଳି ହେବା ଆବଶ୍ୟକ । ବୁଣାକାର, କାରିଗର, ସ୍ଥାନୀୟ ଓ କ୍ଷୁଦ୍ର ବ୍ୟବସାୟ ଜରିଆରେ ଦୀପାବଳି କ୍ରୟକୁ ଉତ୍ସାହିତ କରିବା ପାଇଁ ନିଜ ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ପ୍ରଦର୍ଶନ କରନ୍ତୁ ଏବଂ ହାସଟ୍ୟାଗ ଦେଇ ୰ଲୋକାଲଫର ଦିୱାଲୀକୁ ବ୍ୟବହାର କରନ୍ତୁ । ଦୀପାବଳି ପାଇଁ ଘରକୁ ନେଉଥିବା ଅଥବା ଅନ୍ୟଙ୍କୁ ଉପହାର ଦେବା ଲାଗି କୌଣସି ପସନ୍ଦର ପୋଷାକ ଅଥବା ହସ୍ତଶିଳ୍ପ ସାମଗ୍ରୀ କ୍ରୟ କରିବା ସମୟରେ ଏହାର ଏକ ଫଟୋ ଉଠାଇ ଏହାକୁ ପୋଷ୍ଟ କରନ୍ତୁ ଏବଂ ଯାହାଠାରୁ ଏ ସବୁ କିଣୁଛନ୍ତି, ତାଙ୍କୁ ମଧ୍ୟ ଟ୍ୟାଗ କରନ୍ତୁ ଏବଂ ୰ଲୋକାଲଫର ଦିୱାଲୀରେ ନିଜକୁ ସାମିଲ କରିନିଅନ୍ତୁ । ଏଭଳି ଆହ୍ୱାନମୂଳକ ସମୟରେ ଏହିସବୁ ସାମଗ୍ରୀର ବିକ୍ରିକୁ ସହାୟତା ଓ ସହଯୋଗ ପ୍ରଦାନ କରନ୍ତୁ; ଆପଣଙ୍କର ଏଭଳି ସମର୍ଥନ ବର୍ତ୍ତମାନ ଅଭାବବୋଧର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଅନେକ ଅବସରକୁ ପୁନର୍ଜୀବିତ କରିବାରେ ବେଶ ସହାୟକ ହୋଇପାରିବ ।’’

 

**********

 



(Release ID: 1672454) Visitor Counter : 193