ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡ. ବାଳାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ‘ଦେହ ବେଚୱା କାରଣି’ ଉନ୍ମୋଚିତ

• ‘ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ’ର ନାମ ପରିବର୍ତ୍ତିତ ହୋଇ ହେଲା ଲୋକନେତେ ଡ. ବାଳାସାହେବ ବିଖେ ପାଟିଲ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ
• ଡ. ବାଳାସାହେବ ବିଖେ ପାଟିଲଙ୍କ ଉଦ୍ୟମ ଓ ଅବଦାନ ଭବିଷ୍ୟତ ପିଢିକୁ ଅନୁପ୍ରାଣିତ କରିବ: ପ୍ରଧାନମନ୍ତ୍ରୀ

Posted On: 13 OCT 2020 2:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଡ. ବାଳାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ଦେହ ବେଚୱା କାରଣିପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଏହା ସହିତ ସେ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନର ନାମକୁ ଲୋକନେତେ ଡ. ବାଳାସାହେବ ବିଖେ ପାଟିଲ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ ନାମରେ ପୁନର୍ନାମିତ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରତ୍ୟେକ ଅଞ୍ଚଳରେ ବିଖେ ପାଟିଲଙ୍କ ଜୀବନୀ ସଂପର୍କିତ କାହାଣୀ ଶୁଣିବାକୁ ମିଳେ । ସେ ଡ. ବିଠଳରାଓ ବିଖେ ପାଟିଲଙ୍କ ପଦାଙ୍କ ଅନୁସରଣ କରି ମହାରାଷ୍ଟ୍ରର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ବିଖେ ପାଟିଲଙ୍କ ଜୀବନ ଗ୍ରାମବାସୀ, ଦରିଦ୍ର ଜନତା, ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା । ସେମାନଙ୍କ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସେ ନାନା ମତେ ଉଦ୍ୟମ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାଳାସାହେବ ପାଟିଲଜୀ ସର୍ବଦା ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଯଥାର୍ଥ ସାମାଜିକ ପରିବର୍ତ୍ତନ ଆଣିବାରେ ରାଜନୀତିକୁ ଏକ ମାଧ୍ୟମଭାବେ ଗ୍ରହଣ କରିଥିଲେ । ଏହା ମାଧ୍ୟମରେ ସେ ଗରିବ ଓ ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରି ସଫଳ ହୋଇଥିଲେ । ବାଳାସାହେବଙ୍କ ଏହି ଆଭିମୁଖ୍ୟ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନକରି ଗଢି ତୋଳିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାଳାସାହେବ ପାଟିଲଙ୍କ ଆତ୍ମଜୀବନୀ ଆମ ସମସ୍ତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏଥିରେ ସେ  ଗ୍ରାମବିକାଶ, ଗରିବମମାନଙ୍କ କଲ୍ୟାଣ, ସେମାନଙ୍କ ଶିକ୍ଷା, ମହାରାଷ୍ଟ୍ରରେ ସମବାୟ ଆନ୍ଦୋଳନର ସଫଳତା ଆଦି ବିଷୟ ଏବଂ ତାଙ୍କର ଅବଦାନ ସଂପର୍କରେ ଉଲ୍ଲେଖ କରିଛନ୍ତି । ଏସବୁ ତଥ୍ୟ ଆଗାମୀ ପିଢିକୁ ଅନୁପ୍ରାଣିତ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡ. ବାଳାସାହେବ ପାଟିଲ ଗରିବ ଏବଂ କୃଷକଙ୍କ ଯନ୍ତ୍ରଣା ଓ ଦୁର୍ଦ୍ଦଶା ବେଶ୍‌ ଭଲଭାବେ ବୁଝିଥିଲେ । ତେଣୁ ସେ ଚାଷୀମାନଙ୍କୁ ଏକାଠି କରି ସମବାୟ ସୂତ୍ରରେ ବାନ୍ଧିଥିଲେ । ଅଟଳଜୀଙ୍କ ସରକାରରେ ଜଣେ ମନ୍ତ୍ରୀଭାବେ ସେ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ଭାଗରେ ସମବାୟ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି  ଯେ ଯେତେବେଳେ ଗ୍ରାମୀଣ ଶିକ୍ଷା ସମଗ୍ର ଦେଶରେ ଆଲୋଚନାର ପରିସରରେ ବିଶେଷ ନଥିଲା ଡ.ବାଳାସାହେବ ପାଟିଲ ସେତେବେଳେ ପ୍ରବରା ଗ୍ରାମୀଣ ଶିକ୍ଷଣ ସଂସ୍ଥାନ ଗଠନ କରି ଗ୍ରାମାଞ୍ଚଳର ଯୁବକମାନଙ୍କୁ ସଶକ୍ତ କରିବାକୁ ଉଦ୍ୟମ କରିଥିଲେ । ଏହି ଶିକ୍ଷା ସଂସ୍ଥାନ ପ୍ରବରା ରୁରାଲ ଏଡୁକେସନ ସୋସାଇଟିମାଧ୍ୟମରେ ସେ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ କାମ କରିଥିଲେ । ସେ ଆହୁରି କହିଛନ୍ତି ଯେ ବାଳାସାହେବ ପାଟିଲଜୀ ଗ୍ରାମାଞ୍ଚଳରେ ଚାଷବାସ କ୍ଷେତ୍ରରେ ଶିକ୍ଷାର ଗୁରୁତ୍ୱ ସଂପର୍କରେ ଅବଗତ ଥିଲେ । ଏବେ ଚାଷୀମାନଙ୍କୁ ଉଦ୍ୟୋଗୀ ବନିବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଆହୁରି କହିଥିଲେ ଯେ ସ୍ୱାଧୀନତା ପରେ ଯେତେବେଳେ ଦେଶବାସୀଙ୍କ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟଶସ୍ୟ ଉତ୍ପାଦିତ ହେଉ ନ ଥିଲା ସେତେବେଳେ ସରକାର ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ । ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିର ଏହି କ୍ଷଣରେ ଚାଷୀଙ୍କ ଲାଭ ଉପରେ ଯଥୋଚିତ ଗୁରୁତ୍ୱ ଦିଆଯାଇନଥିଲା । ସେ କହିଛନ୍ତି ଯେ ଏବେ ଦେଶ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି ଏବଂ ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରହିଛି । ଏଥିପାଇଁ ନିୟମିତ ବ୍ୟବଧାନରେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉଛି । ୟୁରିଆ ସାରରେ ନିମକୋଟିଂ ବ୍ୟବସ୍ଥା କରାଯାଇଛି ଏବଂ ଚାଷୀଙ୍କୁ ଶସ୍ୟବୀମାର ଉତ୍ତମ ସୁବିଧା ଯୋଗାଇ ଦିଆଯାଇଛି । ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଫଳରେ ଚାଷୀମାନେ ଏବେ ଛୋଟମୋଟ ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରୁନାହାନ୍ତି । ଅଧିକନ୍ତୁ କୋଲ୍ଡ ଚେନ୍‌, ବୃହତ୍‌ ଫୁଡ୍‌ ପାର୍କ, କୃଷି ପ୍ରକ୍ରିୟାକରଣ ଭିତ୍ତିଭୂମି ଆଦିର ସୁବିଧା ବୃଦ୍ଧି କରିବାକୁ ଅଭୂତପୂର୍ବ ଢଙ୍ଗରେ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଳାସାହେବ ପାଟିଲଙ୍କ ପାରମ୍ପରିକ କୃଷି ଜ୍ଞାନ ଉପରେ ଗୁରୁତ୍ୱ ଦେଇ ଏହାର ସଂରକ୍ଷଣ ସପକ୍ଷରେ ମତ ଦେଇଛନ୍ତି । ପ୍ରାକୃତିକ ପରିବେଶରେ ସେ କିପରି ଚାଷ କରୁଥିଲେ ଏବଂ ଯେଉଁସବୁ କୌଶଳ ଅବଲମ୍ବନ କରୁଥିଲେ ତାହାକୁ ନୂଆ ଚାଷ ପଦ୍ଧତି ସହ ମିଶାଇ ଚାଷବାସରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଆଖୁଚାଷର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ମଧ୍ୟ ଏହି ଚାଷରେ ଉଭୟ ନୂଆ ଓ ପୁରୁଣାକାଳିଆ ପଦ୍ଧତି ବ୍ୟବହାର କରାଯାଉଛି । ଆଖୁରୁ ଚିନି ଓ ଇଥାନଲ୍‌ ପ୍ରସ୍ତୁତ କରିବା ପାଇଁ ନୂଆ ନୂଆ ଉଦ୍ୟୋଗମାନ ସ୍ଥାପନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡ.ବାଳାସାହେବ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ଏବଂ ଚାଷ କାର୍ଯ୍ୟ ପାଇଁ ଜଳସେଚନ ବ୍ୟବସ୍ଥା ସକାଶେ ଉଦ୍ୟମ କରି ସଫଳ ହୋଇଥିଲେ । ସେ କହିଛନ୍ତି ଯେ ଏବେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ମହାରାଷ୍ଟ୍ରରେ 26ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜୋରସୋରରେ କାମ ଚାଲିଛି । ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ବହୁ ଦିନରୁ ଅଟକି ରହିଥିଲା । ସେଥିମଧ୍ୟରୁ 9ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି । ଏହାଫଳରେ 5ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯାଇପାରିବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଳଜୀବନ ମିଶନ ଅଧୀନରେ ମହାରାଷ୍ଟ୍ରର ସବୁ ପରିବାରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଯାଉଛି । ଏହି କାମ ଦ୍ରୁତଗତିରେ ଚାଲିଛି । ଇତିମଧ୍ୟରେ ମହାରାଷ୍ଟ୍ରର 19 ଲକ୍ଷ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ବ୍ୟବସ୍ଥା ଗତବର୍ଷ ଶେଷ ହୋଇଛି । କରୋନା ମହାମାରୀ ସମୟରେ ଏହି ଯୋଜନାରେ 13 ଲକ୍ଷ ଗରିବ ପରିବାରକୁ ଏହି ସୁବିଧା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ମୁଦ୍ରା ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୁବିଧା ସୁଯୋଗ ବୃଦ୍ଧି ପାଇଛି । ସ୍ୱୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ଦେଶରେ 7 କୋଟିରୁ ଅଧିକ ମହିଳା 3 ଲକ୍ଷ କୋଟିରୁ ଅଧିକ ଟଙ୍କା ଋଣ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଚାଷୀ ଓ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ବ୍ୟାଙ୍କରୁ ସୁବିଧାରେ ଋଣ ଯୋଗାଣ ବ୍ୟବସ୍ଥା କରାଯାଇଛି । ପ୍ରାୟ 2.5 କୋଟି କ୍ଷୁଦ୍ର ଚାଷୀ ପରିବାର ଯେଉଁମାନେ କି ପୂର୍ବରୁ କିଷାନ କ୍ରେଡିଟ କାର୍ଡରୁ ବଞ୍ଚିତ ଥିଲେ ଏବେ ଏହି ସୁବିଧା ପାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସେମାନଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବ । ବାଳାସାହେବ ବିଖେ ପାଟିଲ ମଧ୍ୟ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତା ଭାବନା ସୃଷ୍ଟି କରିବାରେ ବିଶ୍ୱାସ କରୁଥିଲେ ଏବଂ ଏ ଦିଗରେ କାର୍ଯ୍ୟ କରିଥିଲେ ।

 

**********



(Release ID: 1664138) Visitor Counter : 172