ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେପ୍ଟେମ୍ବର 13ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର 3ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ ଅର୍ପିତ

Posted On: 11 SEP 2020 6:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 13ରେ ବିହାରରେ ନିର୍ମିତ 3ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ ।  ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍‌ ଏହି ପ୍ରକଳ୍ପକୁ ତିଆରି କରିଛି । ଏହି କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ ।

ଦୁର୍ଗାପୁର-ବାଙ୍କା ପାଇପ ଲାଇନ

ଦୁର୍ଗାପୁର-ବାଙ୍କା ପାଇପ ଲାଇନ ସେକ୍ସନର ଲମ୍ବ 193 କିମି । ଏହା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଅଂଶ । ଏହାକୁ ଇଣ୍ଡିଆନ ଅୟେଲ କଂପାନୀ ତିଆରି କରିଛି । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ 2019 ଫେବୃୟାରୀ 17ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବର୍ତ୍ତମାନର 179 କିମି ଦୈର୍ଘ୍ୟ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନର ଏହା ପରିବର୍ଦ୍ଧିତ ଅଂଶ । ଏହା ବିହାରର ବାଙ୍କାରେ ତିଆରି କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟକୁ ସଂଯୋଗ କରୁଛି । ହଳଦିଆ-ଦୁର୍ଗାପୁର-ବାଙ୍କା ପାଇପ ଲାଇନ 3ଟି ରାଜ୍ୟ ଦେଇ ଯାଇଛି । ଏହି ପାଇପ ଲାଇନ ପଶ୍ଚିମବଂଗରେ 60 କିମି, ଝାଡଖଣ୍ଡରେ 98 କିମି ଏବଂ ବିହାରରେ 35 କିମି ରହିଛି । 14 ଇଞ୍ଚ ଗୋଲେଇର ପାଇପ ଯୋଗେ ଏଥିରେ ଗ୍ୟାସ ପରିବହନ କରାଯାଉଛି । ପାରାଦ୍ୱୀପ ଓ ହଳଦିଆ ତୈଳ ବିଶୋଧନାଗାର ଏବଂ ହଳଦିଆର ଆଇପିପିଏଲ୍‌ରୁ ବିହାରର ଏହି ବଟଲିଂ ପ୍ଲାଣ୍ଟକୁ ଗ୍ୟାସ ଯୋଗାଇ ଦିଆଯିବ । ଏହାଛଡା ବାରାଉଣୀ ଓ ପାରାଦ୍ୱୀପ ଟର୍ମିନାଲରୁ ଏହି ପ୍ଲାଣ୍ଟକୁ ଗ୍ୟାସ ଯୋଗାଣ ବ୍ୟବସ୍ଥା କରାଯାଇଛି ।

ଦୁର୍ଗାପୁର-ବାଙ୍କା ସେକ୍ସନରେ ମାଟିତଳେ ପାଇପ ଲାଇନ ବିଛାଇବା କ୍ଷେତ୍ରରେ ଅନେକ ପ୍ରାକୃତିକ ଏବଂ ମନୁଷ୍ୟକୃତ ପ୍ରତିବନ୍ଧକ ଥିଲା । 154ଟି ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ସଂଯୋଗ ବ୍ୟବସ୍ଥା କରିବାକୁ ପଡିଛି । ଅଜୟ ନଦୀ ସମେତ 13ଟି ନଈ, 5ଟି ଜାତୀୟ ରାଜପଥ ଓ 3ଟି ରେଳପଥକୁ ଅତିକ୍ରମ କରାଯାଇ ଏହି ପାଇପ ଲାଇନ ବିଛାଯାଇଛି । ଅଜୟ ନଦୀର ତଳେ 1077 ମିଟର ଲମ୍ବ ପାଇପ ବିଛାଇବାରେ ନୂତନ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ନଦୀ ତଳେ ଯେଉଁ ପାଇପ ବିଛାଯାଇଛି ତାହା ଅତ୍ୟାଧୁନିକ ଡ୍ରିଲିଂ ଟେକ୍ନୋଲଜିରେ ନିର୍ମିତ । ଏହାଦ୍ୱାରା ନଦୀ ଜଳପ୍ରବାହ ବ୍ୟାହତ ହେଉନାହିଁ ।

ବାଙ୍କା ବଟଲିଂ ପ୍ଲାଣ୍ଟ

ଇଣ୍ଡିଆନ ଅୟେଲ  ପକ୍ଷରୁ ବାଙ୍କାରେ ଯେଉଁ ଏଲପିଜି ବଟଲିଂ ପ୍ଲାଣ୍ଟ ତିଆରି କରାଯାଇଛି ତାହା ରନ୍ଧନ ଗ୍ୟାସ ଯୋଗାଣ କ୍ଷେତ୍ରରେ ବିହାରକୁ ଆତ୍ମନିର୍ଭର କରିବ । ଏଥିପାଇଁ ମୋଟ 131.75 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ବିହାରର ଭାଗଲପୁର, ବାଙ୍କା, ଜାମୁଇ, ଅରାରିଆ, କିଷାନଗଞ୍ଜ ଓ କଟିହାର ଜିଲା ଏବଂ ଝାଡଖଣ୍ଡର ଗୋଡା, ଦେଓଘର, ଦୁମ୍‌କା, ସାହିବଗଞ୍ଜ ଏବଂ ପକୁର ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ । ଏହି ବଟଲିଂ କେନ୍ଦ୍ରରେ 1800 ମେଟ୍ରିକ ଟନ ଏଲପିଜି ଗଚ୍ଛିତ ରହିବାର ସୁବିଧା ଅଛି । ପ୍ରତିଦିନ ଏଠାରୁ 40 ହଜାର ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ହୋଇପାରିବ । ଏହି ପ୍ଲାଣ୍ଟ ଦ୍ୱାରା ବିହାରରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଚମ୍ପାରଣ (ହରସିଦ୍ଧି ଏଲପିଜି ପ୍ଲାଣ୍ଟ)

ବିହାରର ପୂର୍ବ ଚମ୍ପାରଣ ଜିଲା ଅନ୍ତର୍ଗତ ହରସିଦ୍ଧିଠାରେ 136.4 କୋଟି ଟଙ୍କା ବ୍ୟୟରେ ଏଚପିସିଏଲ ଦ୍ୱାରା ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହାର ଏଲପିଜି ଭଣ୍ଡାରଣ କ୍ଷମତା 120 ଟିଏମ୍‌ଟିପିଏ । ମୋଟ 29 ଏକର ଜାଗାରେ ଏହି ପ୍ଲାଣ୍ଟ ନିର୍ମିତ । 2018 ଏପ୍ରିଲ 10 ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିହାରର ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିୱାନ, ଗୋପାଳଗଞ୍ଜ ଏବଂ ସୀତାମାଢି ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତାକୁ ଏହି ପ୍ଲାଣ୍ଟ ପୂରଣ କରିପାରିବ ।

ଦୂରଦର୍ଶନ ସମାଚାର ପକ୍ଷରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ ।

 

**********

 


(Release ID: 1653444) Visitor Counter : 170