ପ୍ରତିରକ୍ଷା ମନ୍ତ୍ରଣାଳୟ
ରକ୍ଷାମନ୍ତ୍ରୀଙ୍କ ଦ୍ଵାରା ଏରୋ ଇଣ୍ଡିଆ 21 ୱେବସାଇଟ ଉଦ୍ଘାଟିତ
● ଏସିଆର ସର୍ବବୃହତ ଏରୋ ଶୋ ନିମନ୍ତେ ସ୍ପେସ ବୁକିଙ୍ଗ ଆରମ୍ଭ
Posted On:
11 SEP 2020 1:21PM by PIB Bhubaneshwar
ଏରୋ ଇଣ୍ଡିଆ 21ର ତ୍ରୟୋଦଶ ସଂସ୍କରଣ ଆସନ୍ତା ଫେବୃଆରୀ 2021 ମସିହା 3ରୁ 7 ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ । ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଏରୋ ଇଣ୍ଡିଆ 21 ୱେବସାଇଟ https://aeroindia.gov.in ଉନ୍ମୋଚନ କରିଛନ୍ତି । ଏଥିସହିତ ସ୍ପେସ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଛି । ଏସିଆର ସର୍ବବୃହତ ଏରୋ ଶୋ ପାଇଁ ଏହି ୱେବସାଇଟ ଅନଲାଇନରେ ଉପଲବ୍ଧ । ଉଭୟ ପ୍ରଦର୍ଶନକାରୀ ଓ ପରିଦର୍ଶକଙ୍କ ପାଇଁ ଏହି ୱେବସାଇଟ ବିଭିନ୍ନ ମାର୍ଗଦର୍ଶନ ଦେବ । ଏଥିରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ ଓ ହେଲିକେପ୍ଟର ସମ୍ପର୍କରେ ବିଷୟବସ୍ତୁ ସ୍ଥାନିତ ହେବ । ରକ୍ଷାମନ୍ତ୍ରୀ ଏହି ଏରୋ ଶୋ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି ।
ପ୍ରଦର୍ଶନକାରୀ ଭାବେ ଏଥିରେ ଯୋଗଦେବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥା ନିଜର ନାମ ପଞ୍ଜୀକୃତ କରି ଅନଲାଇନ ସ୍ପେସ ବୁକିଙ୍ଗ କରିପାରିବେ । ଏରୋ ଇଣ୍ଡିଆ ୱେବସାଇଟ ଜରିଆରେ ସମସ୍ତ ଦେୟ ଅନଲାଇନରେ ପଇଠ କରିବାକୁ ଥିବାବେଳେ ଯିଏ ଆଗ ଆସିବ ତାକୁ ଅଗ୍ରାଧିକାର ଦିଆଯିବ । ଅକ୍ଟୋବର 31 ପୂର୍ବରୁ ଅନଲାଇନ ଜରିଆରେ ସ୍ପେସ ବୁକିଙ୍ଗ କରୁଥିବା ପ୍ରଦର୍ଶନକାରୀଙ୍କୁ ରିହାତି ସୁଯୋଗ ମିଳିବ । ବ୍ୟବସାୟ ଓ ଅନ୍ୟାନ୍ୟ ପରିଦର୍ଶକମାନେ ୱେବସାଇଟ ଜରିଆରେ ସେମାନଙ୍କ ଅନଲାଇନ ଟିକେଟ କିଣିପାରିବେ । 3ରୁ 7 ଫେବୃଆରୀ 2021 ମଧ୍ୟରେ ହେବାକୁ ଥିବା ଏହି ଶୋ ପାଇଁ ଟିକେଟ ବୁକିଙ୍ଗ କରାଯିବ । ଯେକୌଣସି ଗଣମାଧ୍ୟମ ସେମାନଙ୍କ ପ୍ରକାଶନ ପାଇଁ ବା ପ୍ରଦର୍ଶନର ପ୍ରସାରଣ ପାଇଁ ୱେବସାଇଟ ଜରିଆରେ ପଞ୍ଜୀକୃତ କରିପାରିବେ । ବିଭିନ୍ନ ପ୍ରଶ୍ନର ସମାଧାନ ଓ ଫିଡବ୍ୟାକ ପାଇଁ ଏହି ୱେବସାଇଟ ଜରିଆରେ ପରିଦର୍ଶକମାନେ ସେମାନଙ୍କ ପ୍ରଶ୍ନ ପଚାରିବା ସହ ମନ୍ତବ୍ୟ ପ୍ରଦାନ କରିପାରିବେ । ଯେପରି ନିରାପଦର ସହ ଏହା ସମ୍ପନ୍ନ ହେବ ସେଥିପାଇଁ ସ୍ୱାସ୍ଥ୍ୟ ନିୟମାବଳୀ ମଧ୍ୟ ଜାରି କରାଯିବ । ବୈଶ୍ଵିକ ମହାମାରୀ ସମ୍ପର୍କିତ ମାର୍ଗଦର୍ଶିକାକୁ ଆଖିଆଗରେ ରଖି ୱେବସାଇଟ ଜରିଆରେ ପାରସ୍ପରିକ ମତ ବିନିମୟର ବ୍ୟବସ୍ଥା ରହିଛି । ଏହାଫଳରେ ଅଂଶଗ୍ରହଣକାରୀଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ ।
ଏଠାରେ ସ୍ମରଣ କରାଯାଇପାରେ ଯେ, ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ରୁଷ ଗସ୍ତ କାଳରେ ହୋଇଥିବା ଦ୍ଵିପାକ୍ଷିକ ଆଲୋଚନାରେ ଶ୍ରୀ ସିଂ ଏରୋ ଇଣ୍ଡିଆ 21 ଶୋ ସମ୍ପର୍କରେ ସୂଚନା ଦେବା ସହ ପ୍ରତିରକ୍ଷା ମନ୍ତ୍ରୀ, ରୁଷିଆ ଶିଳ୍ପ ପ୍ରତିନିଧି କେନ୍ଦ୍ର-ଏସିଆ ଦେଶଗୁଡିକର ରକ୍ଷାମନ୍ତ୍ରୀମାନଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ ।
ପ୍ରତିରକ୍ଷା ଉତ୍ପାଦନ ସଚିବ ଶ୍ରୀ ରାଜ କୁମାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ୱେବସାଇଟ ଉନ୍ମୋଚନ କାଳରେ ଉପସ୍ଥିତ ଥିଲେ ।
**********
(Release ID: 1653420)
Visitor Counter : 181
Read this release in:
Malayalam
,
Tamil
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Telugu