ଅର୍ଥ ମନ୍ତ୍ରଣାଳୟ

74ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ

• ଜାତୀୟ ଭିତ୍ତିଭୂମି ପାଇପଲାଇନ ପ୍ରକଳ୍ପ ଦେଶକୁ କୋଭିଡ଼-19ର ପ୍ରଭାବରୁ ମୁକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ: ପ୍ରଧାନମନ୍ତ୍ରୀ
• “ମେକ୍‌ ଇନ୍‌ ଇଣ୍ଡିଆ” ସହିତ “ମେକ୍‌ ଫର୍‌ ୱାର୍ଲ୍ଡ” ଆମର ମନ୍ତ୍ର ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

Posted On: 15 AUG 2020 3:36PM by PIB Bhubaneshwar

ଦେଶର 74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସକ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ଼-19 ପରିଚାଳନା ସଂପର୍କୀତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-19 ପରିଚାଳନାର ଅଂଶବିଶେଷ ସ୍ୱରୂପ ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ଘରୋଇ ଭାବେ ଉତ୍ପାଦନ କରାଯାଉଛି । ଏହା ଦେଶର ଅର୍ଥନୀତିର ପୁନରୁତ୍ଥାନ କରିବାରେ ସହାୟକ ହୋଇଛି ଏବଂ ଏଥିରେ ଦେଶର ମଧ୍ୟବିତ୍ତ ବର୍ଗଙ୍କ ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆତ୍ମ ନିର୍ଭର ଭାରତର ବିଶେଷ ମହତ୍ତ୍ୱ ରହିଛି ଏବଂ ଦେଶର ଏଭଳି ଦୁର୍ଦ୍ଦିନରେ ସମସ୍ତ ଭାରତୀୟ ଏଥିପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛନ୍ତି । 130 କୋଟିରୁ ଅଧିକ ଭାରତୀୟ ଏବେ ଆତ୍ମନିର୍ଭରହେବାକୁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ଯାହାକି ଏଭଳି କରୋନା ମହାମାରୀ ସମୟରେ ସେମାନଙ୍କର ବଜ୍ର ନିଷ୍ପତ୍ତି ବୋଲି କୁହାଯାଇପାରେ । ଆତ୍ମ ନିର୍ଭର ହେବା ବାଧ୍ୟତାମୂଳକ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ । ମୋର ସେମାନଙ୍କର ସାମର୍ଥ୍ୟ ଉପରେ ଦୃଢ ବିଶ୍ୱାସ ରହିଛି, ଆସ୍ଥା ଅଛି ଏବଂ ମୋର ସହ ଭାରତୀୟଙ୍କ ସାମର୍ଥ୍ୟରେ ମୁଁ ବିଶ୍ୱାସୀ । ଥରେ ଆମେ କିଛି କରିବୁ ବୋଲି ସିଦ୍ଧାନ୍ତ ଗ୍ରହଣ କଲେ, ଆମେ ସେତେବେଳ ପର୍ଯ୍ୟନ୍ତ ବିଶ୍ରାମ ନେଇ ନଥାଉ ଯେତେ ପର୍ଯ୍ୟନ୍ତ ସେହି ଲକ୍ଷ୍ୟ ହାସଲ କରାଯାଇ ନପାରିଛିବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଳାର ମଞ୍ଚ ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ଭିତ୍ତିଭୂମି କ୍ଷେତ୍ରକୁ ବିପୁଳ ଭାବେ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମର ଘୋଷଣା କରିଥିଲେ । ସେ କହିଲେ ଯେ ଜାତୀୟ ଭିତ୍ତିଭୂମି ପାଇପଲାଇନ୍‌ (ଏନଆଇପି) ପ୍ରକଳ୍ପ ଜରିଆରେ ଦେଶର ସାମଗ୍ରିକ ଭିତ୍ତିଭୂମିକୁ କିଭଳି ଭାବେ ତ୍ୱରିତ ବିକାଶ ଜରିଆରେ ଆଗକୁ ଆଗେଇ ନିଆଯାଇପାରିବ ତାହା ଉପରେ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି ।  ସେଥିପାଇଁ ଏନଆଇପିରେ 110 ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିପାଇଁ 7,000ଟି ପ୍ରକଳ୍ପକୁ ଏଯାବତ୍‌ ଚିହ୍ନଟ କରାଯାଇ ସାରିଛି ଏବଂ ସେସବୁ ବିଭିନ୍ନ ସେକ୍ଟରର ବୋଲି ସେ ସୂଚନା ଦେଇଥିଲେ । ଜାତୀୟ ଭିତ୍ତିଭୂମି ପାଇପଲାଇନ୍‌ ପ୍ରକଳ୍ପ ଦେଶକୁ କୋଭିଡ଼-19 ପ୍ରଭାବରୁ ମୁକୁଳାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏନଆଇପି ଏଭଳି ଏକ ପ୍ରକଳ୍ପ ଯାହା ଭାରତର ଭିତ୍ତିଭୂମି ସୃଷ୍ଟି ପ୍ରୟାସରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବ । ଏହାଦ୍ୱାର ଅନେକ ନୂଆ ନୂଆ ପ୍ରକଳ୍ପମାନ ସୃଷ୍ଟି ହେବ ଯେଉଁଥିରୁ ଆମର କୃଷକମାନେ, ଯୁବକ ଯୁବତୀମାନେ, ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ବର୍ତ୍ତମାନ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ଆମକୁ ଆଉ ଏକ ମନ୍ତ୍ର- ମେକ୍‌ ଫର୍‌ ୱାର୍ଲ୍ଡକୁ ଆଗକୁ ଆଗେଇ ନେବାକୁ ପଡ଼ିବ ।

ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ ଯେଉଁ ଯେଉଁସବୁ ସଂସ୍କାର କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି ତାହା ଉପରେ ସମଗ୍ର ବିଶ୍ୱ ତୀକ୍ଷ୍ଣ ନଜର ରଖିଛନ୍ତି । ଫଳ ସ୍ୱରୂପ, ଦେଶକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ପ୍ରବାହ ସବୁ ରେକର୍ଡ଼କୁ ଭଙ୍ଗ କରିଛି । ଏଭଳି ଏଫଡ଼ିଆଇରେ 18 ପ୍ରତିଶତ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି ଏବଂ ତାହା ପୁଣି କୋଭିଡ଼-19 ଭଳି ବୈଶ୍ୱିକ ମହାମାରୀ କାଳରେ ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ କିଏ କେବେ କଳ୍ପନା କରିପାରିଥିଲା ଯେ ଦେଶର ଗରିବ ଲୋକଙ୍କ ଜନ ଧନ ବ୍ୟାଙ୍କ୍‌ ଜମାଖାତାକୁ ଲକ୍ଷ ଲକ୍ଷ କୋଟି ଟଙ୍କା ସିଧାସଳକ ହସ୍ତାନ୍ତର ହୋଇପାରିବ? କିଏ କେବେ ଚିନ୍ତା କରିଥିଲା ଯେ ଏଭଳି ଏକ ବିରାଟ ପରିବର୍ତ୍ତନ ଏପିଏମସି ଆଇନରେ ଘଟିବାକୁ ଯାଉଛି ଏବଂ ତାହା ଆମର କୃଷକ ଭାଇଭଉଣୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ଉପକୃତ କରିବ? ଏକ ରାଷ୍ଟ୍ର- ଏକ ରାସନ କାର୍ଡ଼, ଏକ ରାଷ୍ଟ୍ର- ଏକ ଟିକସ ବ୍ୟବସ୍ଥା, ଇନସଲଭେନ୍ସି ଏବଂ ଦେବାଳିଆ ବିଧି ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମିଶ୍ରଣ ଏବେ ଦେଶରେ ବାସ୍ତବତାରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର 7 କୋଟି ପରିବାରଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି, 80 କୋଟିରୁ ଅଧିକ ଲୋକଙ୍କୁ ଏବେ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି ଏବଂ ତାହା ପୁଣି ସେମାନଙ୍କ ନିକଟରେ ରାସନ କାର୍ଡ଼ ଥାଉ ଅବା ନଥାଉ । ସେମାନଙ୍କର ବ୍ୟାଙ୍କ ଜମାଖାତାକୁ ସିଧା ସଳଖ ପ୍ରାୟ 90 ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସରକାରଙ୍କ ଦ୍ୱାରା ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି ଯାହା ସେମାନଙ୍କ ନିଜ ଗ୍ରାମରେ ଗରିବ ଲୋକମାନଙ୍କୁ କର୍ମନିଯୁକ୍ତିର ସୁଯୋଗ ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଥମ ଥର ପାଇଁ ଯେତେବେଳେ ଗୃହ ନିର୍ମାଣ ଋଣ ପାଇଁ  ଆପଣମାନଙ୍କ ଋଣ ପରିଶୋଧ କାଳ ମଧ୍ୟରେ ଇଏମଆଇରେ 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିବେଟ୍‌ ପ୍ରଦାନ କରାଯାଉଛି ତାହା ଦ୍ୱାରା ଲକ୍ଷ ଲକ୍ଷ ହିତାଧିକାରୀ ଉପକୃତ ହୋଇ ପାରିଛନ୍ତି । କେବଳ ଗତ ବର୍ଷ, 25 ହଜାର କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଛି ଯଦ୍ୱାରା ଦୀର୍ଘ ବର୍ଷ ଧରି ଅସଂପୂର୍ଣ୍ଣ ଥିବା ଅନେକ ହଜାର ହଜାର ବାସଗୃହ ସଂପୂର୍ଣ୍ଣ ହୋଇପାରିଛି ବୋଲି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ 40 କୋଟି ଜନ ଧନ ଜମାଖାଦା ଖୋଲା ଯାଇଛି ଏବଂ ସେମାନଙ୍କ ମଧ୍ୟରୁ 22 କୋଟି ଜମାଖାତାଧାରୀ ହେଉଛନ୍ତି କେବଳ ମହିଳା । କରୋନା ମହାମାରୀ ସମୟରେ ଏପ୍ରିଲ- ମେ- ଜୁନ ମାସ ମଧ୍ୟରେ, ଏହି ମହିଳାମାନଙ୍କ ଜମାଖାତାରେ ପ୍ରାୟ ତିରିଶ ହଜାର କୋଟି ଟଙ୍କା ପୈଠ କରାଯାଇଛି । କରୋନା କାଳରେ ଆମର ଡିଜିଟାଲ ଇଣ୍ଡିଆ ଅଭିଯାନର ଭୂମିକା ଯାହା ହେବା କଥା ତାହା ବାସ୍ତବତାରେ ପରିଣତ ହୋଇପାରିଛି । ଗତ ମାସକ ଭିତରେ, ପ୍ରାୟ 3 ଲକ୍ଷ କୋଟି ଟଙ୍କା କେବଳ ଭୀମ୍‌ ଆପ୍‌ ଜରିଆରେ ହସ୍ତାନ୍ତର କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

 

**********

 

 

 



(Release ID: 1646189) Visitor Counter : 204