ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କରୋନା ମହାମାରୀର ସ୍ଥିତି ଓ ଏହାର ମୁକାବିଲା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବିଚାର ଆଲୋଚନା

• ଆମକୁ ଏକ ନୂଆ ମନ୍ତ୍ର ଅନୁସରଣ କରିବାକୁ ପଡ଼ିବ, ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି 72 ଘଣ୍ଟା ମଧ୍ୟରେ ସେମାନଙ୍କୁ ଠାବକରି ପରୀକ୍ଷା କରାଇବାକୁ ହେବ: ପ୍ରଧାନମନ୍ତ୍ରୀ
• 10ଟି ରାଜ୍ୟରେ ଦେଶର 80 ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଅଛନ୍ତି, ଏହିସବୁ ରାଜ୍ୟରେ ଯଦି ଭୂତାଣୁକୁ ଦମନ କରିହେବ ତା’ହେଲେ ସାରା ଦେଶ ବିଜୟୀ ହୋଇପାରିବ: ପ୍ରଧାନମନ୍ତ୍ରୀ
• କରୋନା ମୃତ୍ୟୁହାରକୁ ଏକ ଶତାଂଶ ତଳକୁ ଆଣିବା ପାଇଁ ଥିବା ଲକ୍ଷ୍ୟ ଖୁବ୍‌ଶୀଘ୍ର ପୂରଣ ହେବ: ପ୍ରଧାନମନ୍ତ୍ରୀ
• ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଂଗ ଓ ତେଲଙ୍ଗାନାରେ ସଂକ୍ରମିତଙ୍କ ପରୀକ୍ଷା ହାର ବୃଦ୍ଧି କରିବାର ଜରୁରୀ ଆବଶ୍ୟକତା ଥିବା ଆଲୋଚନାରୁ ଜଣାପଡିଲା; କହିଲେ ପ୍ରଧାନମନ୍ତ୍ରୀ
• ଏହି ଲଢେଇରେ କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ସବୁଠୁ ସଫଳ ଅସ୍ତ୍ର: ପ୍ରଧାନମନ୍ତ୍ରୀ
• ଦିଲ୍ଳୀ ଓ ଏହାର ନିକଟବର୍ତ୍ତୀ ରାଜ୍ୟଗୁଡିକରେ ମହାମାରୀକୁ ସଫଳତାର ସହ ମୁକାବିଲା କରିବାକୁ ହୋଇଥିବା ଯୋଜନା ସଂପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରସ୍ତାବକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
• ମୁଖ୍ୟମନ୍ତ୍ରୀଗଣ ନିଜ ନିଜ ରାଜ୍ୟର ବାସ୍ତବ ସ୍ଥିତି ସଂପର୍କରେ ତଥ୍ୟ ପ୍ରଦାନ କଲେ ଏବଂ ପରୀକ୍ଷା ସୁବିଧା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ସଂପର୍କରେ ମତ ରଖିଲେ

Posted On: 11 AUG 2020 2:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହ ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବର୍ତ୍ତମାନର କରୋନା ମହାମାରୀର ସ୍ଥିତି ଏବଂ ତାହାର ମୁକାବିଲା କରିବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ମତ ବିନିମୟ କରିଥିଲେ । ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ ।

ଟିମ୍‌ ଇଣ୍ଡିଆ ଦ୍ୱାରା ଟିମ୍‌ ୱାର୍କ

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କ୍ଷେତ୍ରରେ ଟିମ୍‌ ଇଣ୍ଡିଆର ଟିମ୍‌ ୱାର୍କ ପ୍ରଦର୍ଶିତ ହୋଇଛି । ସମସ୍ତେ ମିଳିମିଶି ଉତ୍ତମ ସମନ୍ୱୟ ଓ ସହଯୋଗର ସହିତ ମହାମାରୀ ମୁକାବିଲାରେ ଲାଗିଛନ୍ତି, ଯାହା ଏକ ଉଲ୍ଲେଖନୀୟ କାର୍ଯ୍ୟ । କରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ହସପିଟାଲ ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ତଥା ଚାପ ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ସେ କହିଥିଲେ ଯେ ଆଜିର ବୈଠକରେ ସାମିଲ ହୋଇଥିବା 10 ରାଜ୍ୟରେ ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ 80 ଭାଗ ରୋଗୀ ଅଛନ୍ତି । ଯଦି ଏହି 10ଟି ରାଜ୍ୟରେ କରୋନା ଭୂତାଣୁକୁ ଦମନ କରାଯାଇପାରିବ ତେବେ ସମଗ୍ର ଭାରତ କୋଭିଡ୍‌-19 ଯୁଦ୍ଧରେ ବିଜୟୀ ହେବ ।

ପରୀକ୍ଷା ବଢାଅ, ମୃତ୍ୟୁହାର କମାଅ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୈନିକ ଏବେ ଦେଶରେ ପ୍ରାୟ 7 ଲକ୍ଷ ସ୍ୱାବ ପରୀକ୍ଷା ହେଉଛି ତଥା ଏହି ସଂଖ୍ୟା କ୍ରମଶଃ ବଢୁଛି । ଏହାଫଳରେ ଆକ୍ରାନ୍ତଙ୍କୁ ଆଗୁଆ ଚିହ୍ନଟ ଓ ରୋଗ ନିୟନ୍ତ୍ରଣରେ ଏହା ସହାୟକ ହେଉଛି । ସମଗ୍ର ବିଶ୍ୱରେ ଭାରତରେ କୋଭିଡ୍‌ ମୃତ୍ୟୁହାର ସବୁଠୁ କମ୍‌ । ଏହି ହାର କ୍ରମାଗତଭାବେ କମିବାରେ ମଧ୍ୟ ଲାଗିଛି । ଆହୁରି ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ହାର ମଧ୍ୟ କ୍ରମଶଃ ହ୍ରାସ ପାଉଛି ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହେଉଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳରେ ଲୋକଙ୍କ ବିଶ୍ୱାସ ବଢିଛି ଏବଂ କରୋନା ମୃତ୍ୟୁହାର ଏକ ଶତାଂଶରୁ ତଳକୁ ଆଣିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଖୁବ୍‌ ଶୀଘ୍ର ପୂରଣ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଆଲୋଚନାରୁ ଯାହା ଜଣାଗଲା ଯେ ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଂଗ ଏବଂ ତେଲଙ୍ଗାନାରେ ଆକ୍ରାନ୍ତଙ୍କ ପରୀକ୍ଷା ସୁବିଧା ବଢାଇବାର ଜରୁରୀ ଆବଶ୍ୟକତା ରହିଛି । ଏହି ଲଢେଇରେ କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ବ୍ୟବସ୍ଥା ସବୁଠୁ ସଫଳ ଅସ୍ତ୍ର । ଲୋକେ ଏ ସଂପର୍କରେ ସଚେତନ ଅଛନ୍ତି ଏବଂ ଏହି ଉଦ୍ୟମରେ ମଧ୍ୟ ସହାୟତା କରୁଛନ୍ତି । ଫଳରେ ଆମେ ସଫଳତାର ସହିତ ହୋମ୍‌ କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିପାରିଛୁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆରୋଗ୍ୟ ସେତୁ ଆପ୍‌ର ଗୁରୁତ୍ୱ ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତ ଅନୁସାରେ ଆମେ ଯଦି ପ୍ରାରମ୍ଭିକ 72 ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିପାରିବା ତାହେଲେ ଭୂତାଣୁ ସଂକ୍ରମଣକୁ ରୋକିହେବ । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ 72 ଘଣ୍ଟା ମଧ୍ୟରେ ଠାବକରି ସେମାନଙ୍କ ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଏହାକୁ ଏକ ମନ୍ତ୍ରଭାବେ ଅନୁସରଣ କରିବା ଉଚିତ । ସେହିଭଳି ନିୟମିତ ହାତଧୋଇବା, ଦୁଇଗଜ ଦୂରତ୍ୱ ରକ୍ଷା କରିବା ଏବଂ ମାସ୍କ ପିନ୍ଧିବାକୁ ମଧ୍ୟ ସମାନ ଗୁରୁତ୍ୱର ସହ ପାଳନ କରିବାକୁ ସେ କହିଛନ୍ତି ।

ଦିଲ୍ଲୀ ଓ ନିକଟବର୍ତ୍ତୀ ରାଜ୍ୟଙ୍କ ପାଇଁ ରଣନୀତି

ରାଜଧାନୀ ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ରାଜ୍ୟଗୁଡିକରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଏହି ଯୋଜନାରେ ମୁଖ୍ୟ ବିଷୟଗୁଡିକ ହେଲା ସଂକ୍ରମିତ ଅଞ୍ଚଳକୁ ପୃଥକ କରି ରଖିବା, ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ଯେଉଁମାନେ ଅଧିକ ସଂକ୍ରମିତ ହେବାର ଆଶଂକା ରହିଛି ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା । ଏହି ଢଙ୍ଗରେ କରୋନା ମୁକାବିଲା ଚାଲିଛି ଏବଂ ଏହାର ସଫଳତା ଏବେ ସମସ୍ତେ ଦେଖିପାରୁଛନ୍ତି । ଆହୁରି ମଧ୍ୟ ହସପିଟାଲର ସୁପରିଚାଳନା ଏବଂ ଅଧିକରୁ ଅଧିକ ଆଇସିୟୁ ବେଡ୍‌ ବ୍ୟବସ୍ଥା ଦ୍ୱାରା କରୋନା ବିରୋଧୀ ଲଢେଇ ସଫଳ ହୋଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ମତାମତ

ଏହି ଅବସରରେ ଅଂଶଗ୍ରହଣକାରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ବାସ୍ତବ ସ୍ଥିତି ସଂପର୍କରେ କହିଥିଲେ । କରୋନା ବିରୋଧୀ ଲଢେଇର ସଫଳ ପରିଚାଳନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସେମାନେ ପ୍ରଶଂସା କରିଥିଲେ । ନିୟମିତଭାବେ ରାଜ୍ୟଗୁଡିକୁ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବା ସହିତ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଥିବାରୁ ମୁଖ୍ୟମନ୍ତ୍ରୀଗଣ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜ ନିଜ ରାଜ୍ୟରେ ହେଉଥିବା କରୋନା ପରୀକ୍ଷା, ଏହି ପରୀକ୍ଷାର ହାର ବୃଦ୍ଧି, ଟେଲି ମେଡିସିନ୍‌ର ବ୍ୟବହାର, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସଂକ୍ରାନ୍ତ ବିଷୟ ଆଦି ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେରୋ ସର୍ଭେଲାନ୍ସ ପରିଚାଳନା ପାଇଁ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଲୋଡିବା ସହ ସମଗ୍ର ଦେଶରେ ଏକ ସମନ୍ୱିତ ମେଡିକାଲ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ କ୍ଷେତ୍ରରେ ଭାରତର ଉଦ୍ୟମ ଓ ଉପଲବ୍‌ଧିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ସ୍ୱାସ୍ଥ୍ୟ ସଚିବ ଦେଶରେ କୋଭିଡ୍‌ ସ୍ଥିତିର ଏକ ମୋଟାମୋଟି ଚିତ୍ର ବୈଠକରେ ପ୍ରଦାନ କରିଥିଲେ । ସେ କହିଥିଲେ ଯେ କେତେକ ରାଜ୍ୟରେ କରୋନା ସଂକ୍ରମଣ ହାର ଜାତୀୟ ହାରଠାରୁ ଅଧିକ ରହିଛି । ସେସବୁ ରାଜ୍ୟ ସରକାର ଅଧିକରୁ ଅଧିକ ରୋଗୀଙ୍କ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରମାନେ କରୋନା ସଂକ୍ରମିତଙ୍କ ପ୍ରକୃତ ମୃତ୍ୟୁସଂଖ୍ୟା ପ୍ରଦାନବେଳେ ନିର୍ଭୁଲ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ସଚିବ କହିଥିଲେ । ସ୍ଥାନୀୟ ସମୁଦାୟଙ୍କ ସହଯୋଗରେ କଣ୍ଟେନମେଣ୍ଟ ଜୋନ୍‌ର ସ୍ଥିତି ଅନୁଧ୍ୟାନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । 

କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

 

**********

 



(Release ID: 1645128) Visitor Counter : 214