ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୃଷି ଭିତ୍ତିଭୂମି ପାଣ୍ଠିର ଅର୍ଥ ଯୋଗାଣ ବ୍ୟବସ୍ଥା ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

• ଏଥିସହିତ ପିଏମ୍‌ କିଷାନ ଯୋଜନାର ଷଷ୍ଠ କିସ୍ତି ଅର୍ଥ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ
• ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଦେଶରେ ଅମଳ ପରବର୍ତ୍ତୀ ଫସଲ ପରିଚାଳନା, ଭିତ୍ତିଭୂମି ଓ ଗୋଷ୍ଠୀଗତ କୃଷି ସମ୍ବଳ ସୃଷ୍ଟିରେ ସହାୟକ ହେବ
• ପିଏମ୍‌ କିଷାନ ଯୋଜନାର ଷଷ୍ଠ କିସ୍ତିରେ ଆସନ୍ତାକାଲି 8.5 କୋଟି ଚାଷୀଙ୍କୁ 17 ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ

Posted On: 08 AUG 2020 1:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କୃଷି ଭିତ୍ତିଭୂମି ପାଣ୍ଠି ଅନ୍ତର୍ଗତ 1 ଲକ୍ଷ କୋଟି ଟଙ୍କା ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରିବେ । ଦିନ 11ଟାରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କାମ ସମ୍ପାଦିତ ହେବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ମଧ୍ୟ ପିଏମ୍‌ କିଷାନ ଯୋଜନାର ଷଷ୍ଠ କିସ୍ତି ପାଇଁ 8.5 କୋଟିରୁ ଅଧିକ ଚାଷୀଙ୍କୁ 17 ହଜାର କୋଟି ଟଙ୍କା ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମକୁ ଦେଶର ଲକ୍ଷ ଲକ୍ଷ ଚାଷୀ, ସମବାୟ ସମିତିର କର୍ମକର୍ତ୍ତା ଏବଂ ନାଗରିକ ଦେଖିପାରିବେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏହି କାର୍ଯ୍ୟକ୍ରମରେ ଭାଗ ନେବେ ।

ଏକଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଗଠନ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଏକ ପ୍ରସ୍ତାବ ଇତିମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ୱାରା ଗୃହୀତ ହୋଇଛି । ଫସଲର ଅମଳ ପରବର୍ତ୍ତୀ ପରିଚାଳନା ଏଥିପାଇଁ ଭିତ୍ତିଭୂମି ନିର୍ମାଣ ଏବଂ ଗୋଷ୍ଠୀଗତ କୃଷି ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା ଏବଂ ପ୍ରକ୍ରିୟାକରଣ ୟୁନିଟ ଆଦି ସ୍ଥାପନ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ । ଏ ସବୁ ମୌଳିକ ଭିତ୍ତିଭୂମି ଏବଂ ସମ୍ବଳ ଚାଷୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସରକାର ଆଶାବାଦୀ । ସେମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ଅଧିକ ମୂଲ୍ୟ ପାଇବେ ଏବଂ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ସେଗୁଡିକୁ ନଷ୍ଟ ହେବାରୁ ରକ୍ଷା କରାଯାଇପାରିବ । ଏହାଦ୍ୱାରା ଚାଷୀଙ୍କ ସାମଗ୍ରୀ ନଷ୍ଟ ହେବନାହିଁ ଏବଂ ସେମାନେ ତିନୋଟ ସମୟରେ ଏହାକୁ ଅଧିକ ମୂଲ୍ୟରେ ବିକି ଲାଭବାନ ହେବେ । ଏହିସବୁ ଭିତ୍ତିଭୂମି ନିର୍ମାଣ ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ସହ ଅଂଶୀଦାରୀ ଭିତ୍ତିରେ ଏସବୁ କାର୍ଯ୍ୟ ସଂପନ୍ନ କରାଯିବ । ଅର୍ଥ ଯୋଗାଇ ଦେବାପାଇଁ 12ଟିରୁ 11ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇତିମଧ୍ୟରେ କୃଷି ମନ୍ତ୍ରଣାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛନ୍ତି । ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ ପାଇଁ ହିତାଧିକାରୀଙ୍କୁ 3 ଶତାଂଶ ସୁଧ ରିଆତି ପ୍ରଦାନ ବ୍ୟବସ୍ଥା କରାଯାଇଛି । ଚାଷୀ, ପ୍ୟାକ୍ସ, ସମବାୟ ସମିତି, ଏଫ୍‌ପିଓ, ଏସ୍‌ଏଚଜି, ଜେଏଲ୍‌ଜି, ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌, କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ସଂସ୍ଥା ଆଦି ଏହି ପ୍ରକଳ୍ପରେ ଅଂଶୀଦାର ହେବାର ସୁବିଧା ରହିଛି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା ପିଏମ୍‌ କିଷାନ 2018 ଡିସେମ୍ବର ପହିଲାରେ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତି ଏହି ଯୋଜନାରେ 9.9 କୋଟିରୁ ଅଧିକ ଚାଷୀଙ୍କୁ 75 ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟକ୍ଷ ନଗଦ ଯୋଗାଣ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି । ନିଜର ପରିବାରର ଆବଶ୍ୟକତା ପୂରଣ ଏବଂ ଚାଷ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ ସଂପୃକ୍ତ ଚାଷୀଙ୍କୁ ଏହା ସାହାଯ୍ୟ କରିବ । ଏହି ଯୋଜନାରେ ସରକାର ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ବ୍ୟବସ୍ଥାରେ ଟଙ୍କା ଯୋଗାଇ ଦେଉଛନ୍ତି । ଆଧାର ଚିହ୍ନଟ ଭିତ୍ତିରେ ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚୁଛି । ଏହା ଫଳରେ ହିତାଧିକାରୀଙ୍କ ଅର୍ଥ ବାଟମାରଣା ବା ଦୁରୂପଯୋଗ ସମ୍ଭାବନା ଦୂର ହୋଇଛି । କୋଭିଡ ମହାମାରୀ ସମୟରେ ଏହି ଅର୍ଥ ଚାଷୀଙ୍କ କାମରେ ବିଶେଷ ଲାଗିବ ବୋଲି ଆଶା କରାଯାଉଛି । ଲକ୍‌ ଡାଉନ ସମୟରେ ଏହି ଯୋଜନାରେ ଚାଷୀଙ୍କୁ ପ୍ରାୟ 22 ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

 

**********



(Release ID: 1644469) Visitor Counter : 167