ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦ୍‌ଘାଟିତ - ସ୍ୱଚ୍ଛ ଭାରତ ମିଶନର ଏକ ଇଣ୍ଟରାକ୍‌ଟିଭ ଅଭିଜ୍ଞତା କେନ୍ଦ୍ର

• ମହାତ୍ମା ଗାନ୍ଧୀଙ୍କ ପ୍ରତି ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଉତ୍ସର୍ଗ କଲେ
• ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
• ଭବିଷ୍ୟତରେ ଏହି କାର୍ଯ୍ୟ ଅବ୍ୟାହତ ରଖିବାକୁ ଆହ୍ୱାନ ଜଣାଇଲେ
• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା "ଗନ୍ଦଗୀ ମୁକ୍ତ ଭାରତ" କାର୍ଯ୍ୟକ୍ରମ ଆରମ୍ଭ
• ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ସପ୍ତାହବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

Posted On: 08 AUG 2020 5:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ଏହା ସ୍ୱଚ୍ଛଭାରତ ମିଶନ ସଂକ୍ରାନ୍ତ ଏକ ଇଣ୍ଟରାକ୍‌ଟିଭ (ପାରସ୍ପରିକ କଥୋପକଥନ) ଅଭିଜ୍ଞତା କେନ୍ଦ୍ର । ନୂଆଦିଲ୍ଲୀସ୍ଥିତ ରାଜଘାଟର ଗାନ୍ଧୀସ୍ମୃତି ଓ ଦର୍ଶନ ସମିତିଠାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରତିଷ୍ଠା କରାଯାଇଛି । 2017 ଏପ୍ରିଲ 10ରେ ଗାନ୍ଧୀଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠା ଘୋଷଣା କରିଥିଲେ । ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରତନଲାଲ କଟାରିଆ ଏହି ଅବସରରେ ଉପସ୍ଥିତ ଥିଲେ ।

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରରେ ଉଭୟ ଡିଜିଟାଲ ଏବଂ ବାହ୍ୟ ଢାଞ୍ଚା ରହିଛି । ଏଥିରେ ସ୍ୱଚ୍ଛତା କ୍ଷେତ୍ରରେ ଭାରତର ପରିବର୍ତ୍ତନ ସଂକ୍ରାନ୍ତ କାହାଣୀ ଓ ତଥ୍ୟାବଳୀ ଊପଲ୍‌ବଧ । 2014ରେ 50 କୋଟିରୁ ଅଧିକ ଭାରତୀୟ ବାହାରେ ମଳତ୍ୟାଗ କରୁଥିବାବେଳେ 2019ରେ ଭାରତ କିଭଳି ଏଥିରୁ ମୁକ୍ତ ହୋଇଛି ସେ ବିଷୟରେ ଏଥିରେ ଦର୍ଶାଯାଇଛି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର 3ଟି ପ୍ରମୁଖ ବିଭାଗ ବୁଲି ଦେଖିଛନ୍ତି । ଏକ ନମ୍ବର ହଲ୍‌ରେ ଏକ ଅଭିନବ 360 ଡିଗ୍ରୀର ଅଡିଓ ଭିଜୁଆଲ ଇମର୍‌ସିଭ୍‌ ଶୋର ବ୍ୟବସ୍ଥା କରାଯାଇଛି । ଏଥିରେ ଦେଶର ସ୍ୱଚ୍ଛ ଭାରତ ଯାତ୍ରାର ଗତି ଓ ଉପଲବ୍‌ଧି ସ୍ଥାନ ପାଇଛି । ପ୍ରଧାନମନ୍ତ୍ରୀ ଏହା ଦେଖିଥିଲେ । ତାପରେ ସେ ଦୁଇ ନମ୍ବର ହଲ୍‌କୁ ଯାଇ ଅନେକ ଇଣ୍ଟରାକ୍‌ଟିଭ ଏଲ୍‌ଇଡି ପ୍ୟାନେଲ, ହଲୋଗ୍ରାମ ବକ୍ସ, ଗେମ୍‌ସ ଏବଂ ଆହୁରି ଅନେକ କଥା ଏସ୍‌ବିଏମ୍‌ରେ ଦେଖିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଲାଗିଥିବା ଲନ୍‌ରେ ଆୟୋଜିତ ବିଭିନ୍ନ ପ୍ରକାର କାର୍ଯ୍ୟ ଦେଖିଥିଲେ । ଏଥିରେ 3ଟି ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ । ସେଥିରେ ଗୋଟିକରେ ମହାତ୍ମା ଗାନ୍ଧୀ ଲୋକଙ୍କୁ ସ୍ୱଚ୍ଛ ଶପଥ ବିଷୟରେ କିପରି ବୁଝାଉଛନ୍ତି ଏବଂ ନେତୃତ୍ୱ ଦେଉଛନ୍ତି ତାହା ସ୍ଥାନ ପାଇଛି । ଏହାଛଡା ଗ୍ରାମୀଣ ଝାଡ଼ଖଣ୍ଡର ରାଣୀମିସ୍ତ୍ରି ଏବଂ ଶିଶୁ ସ୍ୱଚ୍ଛାଗ୍ରହୀ ବା ବାନର ସେନାଙ୍କର ଅଡିଓ ଭିଡିଓ ଓ ଚିତ୍ର ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ସ୍କୁଲ ପିଲାଙ୍କ ସହ କଥାବାର୍ତ୍ତା

ସମଗ୍ର ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ ଏହାର ସ୍ମରଣିକା କେନ୍ଦ୍ରକୁ ଯାଇଥିଲେ । ଏହା ପରେ ସେ କେନ୍ଦ୍ରର ଆମ୍ପି ଥିଏଟରରେ ଦିଲ୍ଳୀର 36 ଜଣ ସ୍କୁଲ ପିଲାଙ୍କ ସହ ମତବିନିମୟ କରିଥିଲେ । ଏହି ପିଲାମାନେ ଦେଶର 36ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିଭାବେ ଏଥିରେ ଯୋଗଦେଇଥିଲେ । ଏଥିରେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନୀତିନିୟମ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସହିତ ପିଲାମାନେ ନିଜ ନିଜର ଘର, ସ୍କୁଲ ଏବଂ ଗାଁର ସ୍ୱଚ୍ଛତା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି  ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନମନ୍ତ୍ରୀଙ୍କ ପଚାରିଥିଲେ ଯେ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର କେଉଁ ଜିନିଷଟି ତାଙ୍କୁ ସବୁଠୁ ଭଲ ଲାଗୁଛି । ପ୍ରଧାନମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କୁ ଅର୍ପିତ ହୋଇଥିବା ସ୍ୱଚ୍ଛ ଭାରତ ମିଶନର ପ୍ରେରଣା ତାଙ୍କୁ ସବୁଠୁ ବେଶ୍‌ ଭଲ ଲାଗିଛି ।

ରାଷ୍ଟ୍ରକୁ ଉଦ୍‌ବୋଧନ

ପିଲାମାନଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇଥିଲେ । ସ୍ୱଚ୍ଛ ଭାରତ ମିଶନର ସ୍ମୃତିଚାରଣ କରି ସେ କହିଥିଲେ ଯେ ଏହି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ମହାତ୍ମା ଗାନ୍ଧୀଙ୍କ ପାଇଁ ରାଷ୍ଟ୍ରର ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି । ସେ ମଧ୍ୟ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକୁ ଭବିଷ୍ୟତରେ ଅବ୍ୟାହତ ରଖିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଆମର ଦୈନନ୍ଦିନ ଜୀବନରେ, ବିଶେଷକରି କରୋନା ଭୂତାଣୁ ବିରୋଧୀ ଲଢେଇ ସମୟରେ ସ୍ୱଚ୍ଛତାକୁ ବିଶେଷ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ  କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ "ଗନ୍ଦଗୀ ମୁକ୍ତ ଭାରତ" ଅଭିଯାନ ଆରମ୍ଭ କରିଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ସପ୍ତାହ ବ୍ୟାପୀ ଏହି ସ୍ୱତନ୍ତ୍ର ଅଭିଯାନ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାର କାର୍ଯ୍ୟକ୍ରମ ଉଭୟ ସହର ଓ ଗ୍ରାମାଞ୍ଚଳରେ 7ଦିନ ଧରି ଅନୁଷ୍ଠିତ ହେବ ।

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ପରିଦର୍ଶନ ସମୟ

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ 9 ତାରିଖରୁ ସକାଳ 8ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଖୋଲା ରହିବ । ଜନସାଧାରଣ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ସ୍ୱାସ୍ଥ୍ୟ ଓ ସାମାଜିକ ଦୂରତ୍ୱ ରକ୍ଷାକରି ଏହାକୁ ବୁଲି ଦେଖିପାରିବେ । ତେବେ କେନ୍ଦ୍ର ମଧ୍ୟକୁ ପ୍ରବେଶ ପାଇଁ ଆବଶ୍ୟକ ପଡିଲେ ପରିଦର୍ଶକଙ୍କ ସଂଖ୍ୟାକୁ କର୍ତ୍ତୃପକ୍ଷ ସୀମିତ କରିପାରନ୍ତି ।  ଛାତ୍ରଛାତ୍ରୀଙ୍କ ପାଇଁ ନିକଟ ଭବିଷ୍ୟତରେ ଏହାର ପରିଦର୍ଶନକୁ ବନ୍ଦ ରଖାଯାଇଛି । ତେବେ ସେମାନେ ଭର୍ଚୁଆଲ ବ୍ୟବସ୍ଥାରେ ଦେଖିପାରିବେ । ଆସନ୍ତା 13 ତାରିଖରେ ଏଥିପାଇଁ ପ୍ରଥମ ଭର୍ଚୁଆଲ ଟୁର୍‌ ବ୍ୟବସ୍ଥା କରାଯାଇଛି । ଏଥିରେ ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉପସ୍ଥିତ ରହିବେ । ଟିକେଟ ବୁକିଂ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଲଗ୍‌ ଇନ୍‌ କରନ୍ତୁ: rsk.ddws.gov.in

 

**********

 

 



(Release ID: 1644462) Visitor Counter : 165