ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ମାର୍ଟ ଇଣ୍ଡିଆ ହାକାଥନ 2020 ଗ୍ରାଣ୍ଡ୍ ଫିନାଲେ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
• ଜାତୀୟ ଶିକ୍ଷାନୀତି 2020 ଏକବିଂଶ ଶତାବ୍ଦୀର ଯୁବଗୋଷ୍ଠୀଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରୁଛି : ପ୍ରଧାନମନ୍ତ୍ରୀ
• ଜାତୀୟ ଶିକ୍ଷା ନୀତିରେ ବ୍ୟାପକ ସଂସ୍କାର ଘଟାଯାଇଛି; ଏଥିରେ କର୍ମସଂସ୍ଥାନ ଖୋଜିବା ପରିବର୍ତ୍ତେ କର୍ମସଂସ୍ଥାନ ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରାଯାଇଛି : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 AUG 2020 8:21PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ସ୍ମାର୍ଟ ଇଣ୍ଡିଆ ହାକାଥନ ରାଲିକୁ ସମ୍ବୋଧିତ କରିଛନ୍ତି ।
ସ୍ମାର୍ଟ ଇଣ୍ଡିଆ ହାକାଥନ
ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ୍ ଫିନାଲେକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଲେଯ ଦେଶ ଏବେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଛାତ୍ର ସମାଜ ବିଭିନ୍ନ ପ୍ରକାର ସମାଧାନ ପନ୍ଥା ବାହାର କରିବା ଦିଗରେ କାର୍ଯ୍ୟରତ ଅଛନ୍ତି । ସେହିସବୁ ସମସ୍ୟାବଳୀର ସମାଧାନ ପ୍ରଦାନ ସହିତ ସେମାନେ ଭାରତର ଡାଟା, ଡିଜିଟାଇସେଜନ, ହାଇ- ଟେକ୍ ଭବିଷ୍ୟତ ଆଦି ଦିଗରେ ଭାରତର ଆଶା ଆକାଂକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମଧ୍ୟ ସେମାନେ ନିଜକୁ ନିୟୋଜିତ କରିଛନ୍ତି । ଏକବିଂଶ ଶତାବ୍ଦୀର ଦ୍ରୁତ ପ୍ରଗତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ନିଜକୁ ବେଶ୍ କ୍ଷିପ୍ର ବେଗରେ ପରିବର୍ତ୍ତନ କରିଚାଲିଛି ଏବଂ ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଭାରତର ଏହି ଭୂମିକା ସଂପର୍କରେ ଅବତାରଣା କରି କହିଲେଯେ ଅଭିନବତ୍ୱ, ଗବେଷଣା, ଡିଜାଇନ, ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଦେଶରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରାଯିବା ଆବଶ୍ୟକ ଏବଂ ତାହା ଏବେ ନିର୍ମିତ ହେଉଛି । ସେ ଗୁରୁତ୍ୱ ଆରୋପ କରି କହିଲେ ଯେ ଏଭଳି ପରିବର୍ତ୍ତନ ଓ ପ୍ରଗତିର ଲକ୍ଷ୍ୟ ହେଉଛି ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆଧୁନିକ ଏବଂ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ।
ଜାତୀୟ ଶିକ୍ଷା ନୀତି
ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏକବିଂଶ ଶତାବ୍ଦୀର ଦେଶର ଯୁବ ସମାଜର ଚିନ୍ତା, ଆବଶ୍ୟକତା, ଆକାଂକ୍ଷା ଏବଂ ଆଶାକୁ ଦୃଷ୍ଟିରେ ରଖି ଏଭଳି ଶିକ୍ଷା ନୀତିର ଚିଠା ପ୍ରସ୍ତୁତ କରାଯାଇଥିଲା । ତେଣୁ ଏହାକୁ କେବଳ ଏକ ନୀତି ନଥି ବୋଲି କୁହାଯିବ ନାହିଁ ଅପରନ୍ତୁ, ଏଥିରେ 130 କୋଟିରୁ ଅଧିକ ଭାରତୀୟଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳିତ ହୋଇଛି ବୋଲି ସେ ମତ ପୋଷଣ କରିଥିଲେ । ଶ୍ରୀ ମୋଦୀ କହିଲେ ଯେ “ଆସି ସୁଦ୍ଧା ଅନେକ ଶିଶୁ ଭାବନ୍ତି ଯେ ଯେଉଁ ବିଷୟରେ ସେମାନଙ୍କର ଆଗ୍ରହ ନାହିଁ ସେହି ବିଷୟ ଆଧାରରେ ହିଁ ସେମାନଙ୍କୁ ବିବେଚନା କରାଯାଇଥାଏ । ମାତାପିତା, ସଂପର୍କୀୟ, ବନ୍ଧୁ ଆଦିଙ୍କ ଚାପ ଯୋଗୁଁ ଅନ୍ୟମାନେ ଯେଉଁ ବିଷୟ ଚୟନ କରନ୍ତି ପିଲାମାନଙ୍କୁ ସେହି ବିଷୟରେ ହିଁ ଅଧ୍ୟୟନ କରିବାକୁ ପଡ଼ିଥାଏ । ପରିଣାମ ସ୍ୱରୂପ ବିପୁଳ ସଂଖ୍ୟକ ଜନତା, ଯେଉଁମାନେ କି ବେଶ୍ ଶିକ୍ଷିତ ଓ ପାଠୁଆ, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକତର ଯେଉଁମାମନେ କି ଯାହା ପଢ଼ିଛନ୍ତି, ସେମାନଙ୍କ ପାଇଁ ତାହା ଉପଯୋଗୀ ହୋଇନଥାଏ” । ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଶିକ୍ଷା ନୀତି ଏଭଳି ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇବାର ପ୍ରୟାସ କରିଛି ଓ ଭାରତର ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଶୃଙ୍ଖଳିତ ଭାବେ ସଂସ୍କାର ଘଟାଇବାକୁ ଉଦ୍ୟମ କରିଛି । ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଏବଂ ମହତ୍ତ୍ୱକୁ ସାମ୍ନାକୁ ଆଣିବା ପାଇଁ ଆବଶ୍ୟକ ପରିବର୍ତ୍ତନ ଘଟାଇବାର ପ୍ରୟାସ କରାଯାଇଛି । ଏଥିରେ ଅଧ୍ୟୟନ, ଗବେଷଣା ଏବଂ ଅଭିନବତ୍ୱ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଯଦ୍ୱାରା ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଅଭିଜ୍ଞତା କିଭଳି ସଫଳ, ବ୍ୟାପକ ଏବଂ ଏହା ଜଣେ ବ୍ୟକ୍ତିକୁ ସ୍ୱାଭାବିକ ଭାବେ ନିଜର ଋଚି ଅନୁସାରେ ବିଷୟ ଚୟନ କରିବା ଏବଂ ସେଥିରେ ବିଦ୍ୟାଧ୍ୟୟନର ସୁଯୋଗ ପ୍ରଦାନ କରିଛି ।
ସମବେତ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, “ଏହି ହାକାଥନ ପ୍ରଥମ ସମସ୍ୟା ନୁହେଁ ଯାହାକୁ ସମାଧାନ କରିବା ପାଇଁ ଆପଣମାନେ ପ୍ରୟାସ କରିଛନ୍ତି, କିମ୍ବା ଏହା ଶେଷ ସମସ୍ୟା ମଧ୍ୟ ନୁହେଁ” । ତେଣୁ ଯୁବ ଛାତ୍ରଛାତ୍ରୀମାନଙ୍କ ପ୍ରଧାନମନ୍ତ୍ରୀ ତିନୋଟି କଥା ଉପରେ ଗୁରୁତ୍ୱ ଦେବା ଲାଗି ପରାମର୍ଶ ଦେଇଥିଲେ । ସେଗୁଡ଼ିକ ହେଲା: ଅଧ୍ୟୟନ, ପ୍ରଶ୍ନ ପଚାରିବାର ମାନସିକତା ଏବଂ ସମାଧାନ କରିବାର ଚିନ୍ତନ । ଏହାର ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଜଣେ ଛାତ୍ର ଅଧ୍ୟୟନ କରେ, ସେଥିରୁ ତାଙ୍କୁ ପ୍ରଶ୍ନ ପଚାରିବାର ଜ୍ଞାନ ମିଳିଥାଏ ଏବଂ ଭାରତର ଜାତୀୟ ଶିକ୍ଷା ନୀତିରେ ସେହି ମାନସିକତା ପ୍ରତିଫଳିତ ହୋଇଛି । ସେ ଆହୁରି କହିଲେ ଯେ ସ୍କୁଲ ବ୍ୟାଗର ବୋଝରୁ ଛାତ୍ରଛାତ୍ରୀମାନଙ୍କୁ ମୁକ୍ତି ଦେବାର ପ୍ରୟାସ କରାଯାଇଛି ଯାହାକି ସ୍କୁଲ ପରିସର ବାହାରକୁ ଯିବନାହିଁ । ବରଂ ଅଧ୍ୟୟନର ସୁଫଳ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଜୀବନରେ ସହାୟକ ହୋଇପାରିବ । ଏବେ କେବଳ ସହଜରେ ସ୍ମରଣ ରଖିବା ଠାରୁ ନେଇ ଜଟିଳ ଚିନ୍ତନ ପର୍ଯ୍ୟନ୍ତ ତାଙ୍କୁ ସବୁ ପ୍ରକାର ସୁଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଇଣ୍ଟର ଡିସିପ୍ଲିନାରୀ ଅଧ୍ୟୟନ ଉପରେ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ବିବିଧପ୍ରସଙ୍ଗୀୟ ଅଧ୍ୟୟନ (ଇଣ୍ଟରଡ଼ିସିପ୍ଲିନାରୀ ଷ୍ଟଡ଼ି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି । ଏହା ନୂତନ ଶିକ୍ଷା ନୀତିର ସବୁଠାରୁ ବଡ଼ ଚିତ୍ତାକର୍ଷକ ବୈଶିଷ୍ଟ୍ୟ । ଏଭଳି ଚିନ୍ତାଧାରା ଅଧିକ ଲୋକପ୍ରିୟତା ହାସଲ କରୁଛି କାରଣ ଗୋଟିଏ ସାଇଜର ପୋଷାକ କଦାପି ସମସ୍ତଙ୍କ ପାଇଁ ଫିଟ୍ ହୋଇନଥାଏ । ସେ କହିଲେ ଯେ ବିବିଧ ପ୍ରସଙ୍ଗୀୟ ଶିକ୍ଷା ଏକଥା ସୁନିଶ୍ଚିତ କରିବ ଯେ ଛାତ୍ରଛାତ୍ରୀମାନେ ପ୍ରକୃତରେ କ’ଣ ପଢ଼ିବାକୁ ଚାହାନ୍ତି । ଛାତ୍ରଛାତ୍ରୀମାନେ କ’ଣ ପଢ଼ିବେ ତାହା ସମାଜ କଦାପି ନିର୍ଦ୍ଧାରଣ କରିବା ଉଚିତ ନୁହେଁ ।
ଶିକ୍ଷାର ଉପଲବ୍ଧତା
ବାବା ସାହେବ ଆମ୍ବେଦକରଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ ଯେ ଶିକ୍ଷା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଜରୁରି । ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ଜାତୀୟ ଶିକ୍ଷା ନୀତିରେ ସମସ୍ତଙ୍କ ପାଇଁ ଶିକ୍ଷା ଉପଲବ୍ଧ କରାଯିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତାହା ପ୍ରାଥମିକ ଶିକ୍ଷାଠାରୁ ହିଁ ଆରମ୍ଭ କରାଯାଇଛି । ସେ କହିଲେଯେ ଏହି ନୀତି ସାମଗ୍ରିକ ଭାବେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ଉପସ୍ଥାନ ଅନୁପାତ ବୃଦ୍ଧି କରିବ ଏବଂ 2035 ମସିହା ସୁଦ୍ଧା ତାହା 50% ରେ ପହଞ୍ଚôବ । ସେ କହିଲେ ଯେ ଏହି ଶିକ୍ଷା ନୀତି କର୍ମନିଯୁକ୍ତି ସୃଷ୍ଟି କରିବା ଉପରେ ପ୍ରାଧାନ୍ୟ ଦିଏ, କର୍ମନିଯୁକ୍ତି ପାଇବା ଉପରେ ନୁହେଁ । ଅର୍ଥାତ୍, ଗୋଟିଏ ଦୃ୍ଷ୍ଟିରୁ ଏହା ଆମର ମାନସିକତା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛି ଏବଂ ଆମର କାର୍ଯ୍ୟଧାରା ଉପରେ ମଧ୍ୟ ।
ଆଞ୍ଚଳିକ ଭାଷା ଉପରେ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଶିକ୍ଷା ନୀତି ଭାରତୀୟ ଭାଷାମାନଙ୍କର ପ୍ରଗତି ଓ ବିକାଶକୁ ତ୍ୱରାନ୍ୱବିତ କରିବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍ଥାନୀୟ ଓ ଆଞ୍ଚଳିକ ଭାଷା ଅଧ୍ୟୟନ କରିବାର ଅଧିକ ସୁଯୋଗ ପାଇପାରିବେ ଯାହାକି ସେମାନଙ୍କର ଅଧ୍ୟୟନର ପ୍ରାରମ୍ଭିକ ବର୍ଷରେ ହିଁ ହାସଲ କରାଯାଇପାରିବ । ନୂତନ ଶିକ୍ଷା ନୀତି ଦ୍ୱାରା ଭାରତୀୟ ଭାଷାର ବୈଭବ ସମଗ୍ର ବିଶ୍ୱ ନିକଟରେ ପହଞ୍ଚି ପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।
ବୈଶ୍ୱିକ ସମନ୍ୱୟ ଉପରେ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଶିକ୍ଷା ନୀତି ସ୍ଥାନୀୟତା ଉପରେ ଗୁରୁତ୍ୱ ଆରୋପ କରେ । ସେହିଭଳି ବୈଶ୍ୱିକ ସମନ୍ୱୟ ଉପରେ ମଧ୍ୟ ସମାନ ଭାବେ ପ୍ରାଧାନ୍ୟ ଦିଏ । ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନମାନଙ୍କୁ ଭାରତରେ ସେମାନଙ୍କର କ୍ୟାମ୍ପସମାନ ଖୋଲିବା ପାଇଁ ଆହ୍ୱାନ ଜଣାଯାଇଛି । ଏହା ଭାରତୀୟ ଯୁବ ଛାତ୍ରଛାତ୍ରୀମାନଙ୍କ ବିଶ୍ୱ ସ୍ତରରେ ପରିଚିତ ହେବା ଏବଂ ସୁଯୋଗ ହାସଲ କରିବାର ସୁଯୋଗ ପ୍ରଦାନ କରିବ । ପୁନଶ୍ଚ ଏହା ସେମାନଙ୍କ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବାକୁ ମଧ୍ୟ ସୁଯୋଗ ଓ ସାମର୍ଥ୍ୟ ପ୍ରଦାନ କରିବ । ଏହା ଭାରତରେ ବିଶ୍ୱସ୍ତରୀୟ ଅନୁଷ୍ଠାନମାନ ନିର୍ମାଣ କରିବ ଏବଂ ଭାରତ ଶିକ୍ଷା କ୍ଷେତ୍ରରେ ଏକ ପେଣ୍ଠସ୍ଥଳୀରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।
**********
(ରିଲିଜ ଆଡି: 1642955)
ପରିଦର୍ଶକ କାଉଣ୍ଟର : 273
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam