ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତ ଭାବେ ଉଦ୍‌ଘାଟନ କଲେ ନୂଆ ସୁପ୍ରିମକୋର୍ଟ ଭବନ

Posted On: 30 JUL 2020 1:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ଆଜି ମିଳିତଭାବେ ସେ ଦେଶର ନୂଆ ସୁପ୍ରିମକୋର୍ଟ ଭବନ ଉଦ୍‌ଘାଟିତ ହୋଇଛି । ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦନ କରାଯାଇଛି । ଭାରତର ଆର୍ଥିକ ସହାୟତାରେ ନିର୍ମିତ ଏହି ସୁପ୍ରିମକୋର୍ଟ ଭବନ ରାଜଧାନୀ ପୋର୍ଟଲୁଇରେ ନିର୍ମାଣ କରାଯାଇଛି । ଏଥିପାଇଁ ଭାରତ ସରକାର 28.12 ନିୟୁତ ଆମେରିକୀୟ ଡଲାର ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି । କୋଭିଡ୍‌ ମହାମାରୀ ସମୟରେ ପୋର୍ଟ ଲୁଇଠାରେ ଭାରତ ସହାୟତାରେ ନିର୍ମିତ ଓ ଉଦ୍‌ଘାଟିତ ହେବାରେ ମରିସସ୍‌ର ଏହା ପ୍ରଥମ ପ୍ରକଳ୍ପ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଉନ୍ନୟନମୂଳକ ସହଯୋଗିତା ପଛରେ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଓ ଦର୍ଶନ ରହିଛି । ଏଭଳି ଲୋକ କଲ୍ୟାଣକାରୀ ପ୍ରକଳ୍ପମାନ ମିଳିତ ସହଯୋଗରେ ନିର୍ମିତ ହେଲେ ଦୁଇଦେଶ ମଧ୍ୟରେ ସଂପର୍କ ଅଧିକ ନିବିଡ଼ ହେବ । ସେ କହିଛନ୍ତି ଯେ ନୂଆ ସୁପ୍ରିମକୋର୍ଟ ଭବନର ଆଧୁନିକ ଡିଜାଇନ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ବ୍ୟବସ୍ଥା ମରିସସ୍‌ ନ୍ୟାୟପାଳିକାକୁ ଏକ ଯଥାର୍ଥ ଆସନ ଯୋଗାଇବ । ଏହା ମଧ୍ୟ ଭାରତ ଓ ମରିସସ୍‌ ମଧ୍ୟରେ ସହଯୋଗ ଏବଂ ମିଳିତ ମୂଲ୍ୟବୋଧର ଏକ ପ୍ରତୀକଭାବେ ରହିବ । ପ୍ରାରମ୍ଭିକ ଖର୍ଚ୍ଚ ଅଟକଳ ମଧ୍ୟରେ ନିର୍ଦ୍ଧାରିତ ସମୟରେ ଏହି ଭବନ ନିର୍ମାଣ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ମରିସସ୍‌ ସହ ବିକାଶମୂଳକ ସହଯୋଗ ଭାରତର ଅଂଶୀଦାରୀଭିତ୍ତିକ ପଦକ୍ଷେପର ହୃଦୟ ସଦୃଶ୍ୟ । ସେ କହିଛନ୍ତି ଯେ ଭାରତର ବିକାଶ ସହଯୋଗ ପ୍ରୟାସରେ କୌଣସି ସର୍ତ୍ତ ବା କୌଣସି ରାଜନୈତିକ ଅଥବା ବ୍ୟାବସାୟିକ ବିଚାର ନଥାଏ । ମିତ୍ର ପ୍ରତି ସମ୍ମାନ ପ୍ରଦର୍ଶନ କରି ତାହାର ବିକାଶରେ ସହଯୋଗ କରିବା ଭାରତୀୟ ନୀତିର ମୂଳମନ୍ତ୍ର । ସେ କହିଛନ୍ତି ଯେ ସମ୍ମାନ, ବିବିଧତା, ଭବିଷ୍ୟତ ପାଇଁ ଯତ୍ନ ଏବଂ ନିରନ୍ତର ବିକାଶ ଉପରେ ଭାରତର ବିକାଶମୂଳକ ସହଯୋଗିତା ନୀତି ଗଢ଼ି ଉଠିଛି । ମରିସସ୍‌ର ବିକାଶରେ ଭାରତ ଗର୍ବ ଅନୁଭବ କରେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଦ୍ୱିପାକ୍ଷିକ ସହଯୋଗ ଓ ସଂପର୍କ ଅଧିକ ନିବିଡ଼ ହୋଇ ନୂଆ ଶିଖରରେ ପହଞ୍ଚିବା ଘେନି ସେ ଦୃଢ଼ ଆଶାବାଦୀ ।

ମରିସସ୍‌ ପ୍ରଧାନମନ୍ତ୍ରୀ ଶ୍ରୀ ଜଗନ୍ନାଥ ଏହି ପ୍ରକଳ୍ପରେ ଭାରତର ସହଯୋଗ ଓ ସହାୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଦୁଇଦେଶ ମଧ୍ୟରେ ସୁସଂପର୍କ ଓ ସହଯୋଗିତା ବୃଦ୍ଧିର ଏହା ଏକ ଉଜ୍ଜ୍ୱଳ ନମୁନା ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଭାରତର ଆଥିର୍କ ସହାୟତାରେ ନିର୍ମିତ ସୁପ୍ରିମକୋର୍ଟର ନୂଆ ଭବନ ମରିସସ୍‌ରେ ଭିତ୍ତିଭୂମି ଆଧୁନିକୀକରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହାଦ୍ୱାରା ମରିସସ୍‌ର ନ୍ୟାୟ ବ୍ୟବସ୍ଥା ଅଧିକ ଦକ୍ଷ, ସମାବେଶୀ ଏବଂ ସମସ୍ତଙ୍କ ପାଖରେ ପହଞ୍ଚିବାରେ ସମର୍ଥ ହେବ । ସାଗରନୀତି ବା ଏକ ଅଞ୍ଚଳର ସବୁ ରାଷ୍ଟ୍ରଙ୍କ ନିରାପତ୍ତା ତଥା ଅଭିବୃଦ୍ଧି ଦୃଷ୍ଟିକୋଣ ଆଧାରରେ ମରିସସ୍‌ ନୂଆ ସୁପ୍ରିମକୋର୍ଟ ଭବନ ନିର୍ମାଣ ଭାରତ ମହାସାଗର ଅଞ୍ଚଳରେ ଭାରତର ଭୂମିକାର ଏକ ବଳିଷ୍ଠ ନିଦର୍ଶନ । ଏହା ଦୁଇଦେଶର ସଂପର୍କ ଓ ଅଂଶୀଦାରୀକୁ ଅଧିକ ବିଶ୍ୱସନୀୟ ଓ ନିକଟତର କରିବ ବୋଲି ସେ କହିଛନ୍ତି ।

 

**********



(Release ID: 1642421) Visitor Counter : 183