ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020ର ଉଦ୍‌ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 09 JUL 2020 3:10PM by PIB Bhubaneshwar

ସମାଜର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିଗଣ, ନମସ୍କାର । ଆପଣମାନଙ୍କୁ ଭାରତ ଅଭିନନ୍ଦନ ଜଣାଉଛି । ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଇଣ୍ଡିଆ ଇଙ୍କ୍‌ ଗ୍ରୁପକୁ ଧନ୍ୟବାଦ ଜଣାଉଛି । ବର୍ତ୍ତମାନର କାର୍ଯ୍ୟକ୍ରମ, ଇଣ୍ଡିଆ ଇଙ୍କ୍‌ ବିଗତ ବର୍ଷଭଳି କରିଆସୁଥିବା ଅତି ଚମତ୍କାର କାର୍ଯ୍ୟକ୍ରମର ଅଂଶବିଶେଷ । ଆପଣମାନଙ୍କର ଏହି କାର୍ଯ୍ୟକ୍ରମ ଭାରତୀୟମାନଙ୍କୁ ଏକ ବୈଶ୍ୱିକ ଶ୍ରୋତାମଣ୍ଡଳୀ ସହ ଯୋଡିବାର ସୁଯୋଗ ଦେଇଛି । ଆପଣମାନେ ଭାରତ ଓ ବ୍ରିଟେନ ମଧ୍ୟରେ ସଂପର୍କକୁ ସୁଦୃଢ କରିବାରେ ସହାୟକ ହୋଇଛନ୍ତି । ମୁଁ ଖୁସୀ ଯେ ଚଳିତବର୍ଷର ଏହି କାର୍ଯ୍ୟକ୍ରମ ଅନ୍ୟାନ୍ୟ ଅଂଶୀଦାରଙ୍କ ନିକଟକୁ ସଂପ୍ରସାରିତ ହୋଇଛି । ସେଥିପାଇଁ ପୁନର୍ବାର ଅଭିନନ୍ଦନ । ଆଶା କରୁଛି, ଆସନ୍ତାବର୍ଷ ଆପଣମାନେ ଏହି କାର୍ଯ୍ୟକ୍ରମ ସେଣ୍ଟର କୋର୍ଟରେ ଆୟୋଜନ କରିବାରେ ସୁଯୋଗ ପାଇବେ ଏବଂ ଏହି ଅବସରରେ ୱିମ୍ବଲଡନ ମ୍ୟାଚ ଦେଖିବାର ମଜା ଉଠାଇବେ ।

ବନ୍ଧୁଗଣ,

ଏହି ସମୟରେ ଅର୍ଥନୀତିର ପୁନରୁଦ୍ଧାର କଥା ଆଲୋଚନା କରିବା ସ୍ୱାଭାବିକ । ଆହୁରି ମଧ୍ୟ ଏହା ସ୍ୱାଭାବିକ ଯେ ଭାରତ ସହ ବୈଶ୍ୱିକ ପୁନରୁଦ୍ଧାର ପ୍ରକ୍ରିୟାକୁ ଯୋଡିବା । ବିଶ୍ୱାସ ରହିଛି ଯେ ବୈଶ୍ୱିକ ପୁନରୁଦ୍ଧାରର କାହାଣୀରେ ଭାରତର ପ୍ରମୁଖ ଭୂମିକା ରହିବ । ଏହି କଥା ଦୁଇଟି ବିଷୟ ସହ ନିବିଡଭାବେ ସଂପୃକ୍ତ ଥିବା ମୁଁ ଦେଖିପାରୁଛି । ପ୍ରଥମଟି ହେଲା ଭାରତର ପ୍ରତିଭା । ସମଗ୍ର ବିଶ୍ୱରେ ଆପଣମାନେ ଭାରତୀୟ ପ୍ରତିଭାବାହିନୀର ଅବଦାନକୁ ଦେଖୁଛନ୍ତି । ଏଥିରେ ଭାରତୀୟ ବୃତ୍ତିଧାରୀ, ଚିକିତ୍ସକ, ନର୍ସ, ବ୍ୟାଙ୍କର, ଓକିଲ, ବୈଜ୍ଞାନିକ, ପ୍ରଫେସର, ପରିଶ୍ରମୀ ଶ୍ରମିକଙ୍କୁ ଆପଣମାନଙ୍କୁ ଦେଖିବାର ସୁଯୋଗ ମିଳୁଛି । ଭାରତୀୟ ଟେକ୍‌ନିକାଲ ଉଦ୍ୟୋଗ ଓ ଏହାର ବୃତ୍ତିଧାରୀଙ୍କୁ କିଏ ଭୁଲିପାରିବ ? ସେମାନେ ଦଶନ୍ଧି ଦଶନ୍ଧି ଧରି ବିଶ୍ୱକୁ ବାଟ ଦେଖାଇ ଆସୁଛନ୍ତି । ଭାରତ ପ୍ରତିଭାର ଏକ ଶକ୍ତିକେନ୍ଦ୍ର । ଏହି ପ୍ରତିଭାଧରମାନେ ନିଜର ଅବଦାନ ଦେବାକୁ ଆଗ୍ରହୀ ଏବଂ ଶିଖିବାକୁ ପ୍ରସ୍ତୁତ । ଏହି ଦ୍ୱିପାକ୍ଷିକ ସମନ୍ୱୟ ବେଶ୍‌  ଉପକାରୀ ସାବ୍ୟସ୍ତ ହୋଇଛି ।

ବନ୍ଧୁଗଣ,

ଦ୍ୱିତୀୟ ବିଷୟଟି ହେଲା ସଂସ୍କାର ଓ ଆର୍ଥିକ ନବଜୀବନ ଲାଭରେ ଭାରତର ଦକ୍ଷତା । ଭାରତୀୟମାନେ ସ୍ୱାଭାବିକଭାବେ ସଂସ୍କାରକ । ଇତିହାସ ପ୍ରମାଣ କରିଛି ଯେ ସାମାଜିକ କିମ୍ବା ଆର୍ଥିକ କ୍ଷେତ୍ର ଯେକୌଣସି କ୍ଷେତ୍ରରେ ଯେତେବେଳେ ଆହ୍ୱାନ ଆସିଛି ଭାରତ ତାହାକୁ ସଫଳତାର ସହ ଅତିକ୍ରମ କରିଛି । ସଂସ୍କାରର ଚେତନା ଓ ନବଜୀବନର ପ୍ରୟାସରେ ଭାରତ ଏହା ହାସଲ କରିଛି । ସେହି ଚେତନା ଏବେ ମଧ୍ୟ ଅବ୍ୟାହତ ରହିଛି ।

ବନ୍ଧୁଗଣ,

ଗୋଟିଏ ପଟରେ ଭାରତ ବୈଶ୍ୱିକ ମହାମାରୀ ବିରୋଧରେ ଏକ ଶକ୍ତିଶାଳୀ ଲଢେଇ ଲଢୁଛି । ଏଥିରେ ଲୋକଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ସମାନଭାବେ ଆମେ ମଧ୍ୟ ଅର୍ଥନୀତିର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଛୁ । ଭାରତ ଯେତେବେଳେ ପୁନରୁଦ୍ଧାର କଥା କହେ ସେତେବେଳେ ଅର୍ଥନୀତି ଓ ପରିବେଶ ଉଭୟ କ୍ଷେତ୍ରରେ ଯତ୍ନ, ଅନୁକମ୍ପା ଓ ନିରନ୍ତରତାକୁ ଗୁରୁତ୍ୱ ଦେଇଥାଏ । ଆମେ ଭାରତୀୟ ସଂସ୍କୃତିରେ ପ୍ରକୃତି ମାତାକୁ ସମସ୍ତେ ପୂଜା କରନ୍ତି । ଭାରତରେ ଏ ବିଶ୍ୱାସ ରହିଛି ଯେ ପୃଥିବୀ ଆମର ମାତା ଏବଂ ଆମେ ତାହାର ସନ୍ତାନ ।

ବନ୍ଧୁଗଣ,

ଗତ 6 ବର୍ଷ ମଧ୍ୟରେ ଭାରତ ସଂପୂର୍ଣ୍ଣ ଆର୍ଥିକ ସମାବେଶୀକରଣ, ରେକର୍ଡ ଆବାସ ନିର୍ମାଣ ଓ ଭିତ୍ତିଭୂମି ପ୍ରତିଷ୍ଠା, ବାଣିଜ୍ୟ ବ୍ୟବସାୟର ସୁଗମତା, ଜିଏସ୍‌ଟି ସମେତ ବିଭିନ୍ନ ଟିକସ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆମେ ଏହି ସମୟରେ ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଆରମ୍ଭ କରିଛୁ । ଏସବୁ ଉପଲବ୍ଧି ଭାରତର ପରବର୍ତ୍ତୀ ପର୍ଯ୍ୟାୟରେ ବିକାଶ ପାଇଁ ଆଧାରଶୀଳା ସ୍ଥାପନ କରିଛି ।

ବନ୍ଧୁଗଣ,

ଯାହା ଅସମ୍ଭବ ବୋଲି ବିଶ୍ୱାସ କରାଯାଏ ତାହାକୁ ସମ୍ଭବ କରି ଦେଖାଇବା ବିଚାରରେ ଭାରତୀୟମାନେ କାମ କରନ୍ତି । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ମହାମାରୀ ପ୍ରଭାବ ସତ୍ତ୍ୱେ ଭାରତୀୟ ଅର୍ଥନୀତିରେ କେତେକ ଅନୁକୂଳ ଲକ୍ଷଣ ଦେଖାଦେଲାଣି । ଏଥିପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା, ଏହା ତାହାରି ଫଳ । ଏହି ମହାମାରୀ ସମୟରେ ଆମେ ଆମ ନାଗରିକମାନଙ୍କୁ ଆବଶ୍ୟକ ରିଲିଫ ଓ ସହାୟତା ଯୋଗାଇବା ସହ ବଡ ଧରଣର ଢାଞ୍ଚାଗତ ସଂସ୍କାର ହାତକୁ ନେଇଛୁ । ଆମେ ଆମ ଅର୍ଥନୀତିକୁ ଅଧିକ ଉତ୍ପାଦନଶୀଳ, ନିବେଶ ଅନୁକୂଳ ଏବଂ ପ୍ରତିଯୋଗିତାମୂଳକ କରିଛୁ ।

ଆମ ରିଲିଫ ପ୍ୟାକେଜ ଅତ୍ୟନ୍ତ ସମୟ ଉପଯୋଗୀ ଏବଂ ଲକ୍ଷ୍ୟଭିତ୍ତିକ ହୋଇଛି । ଏହା ଫଳରେ ଅଧିକାଂଶ ଗରିବ ଲୋକଙ୍କୁ ଠିକ୍‌ ସମୟରେ ସହାୟତା ଯୋଗାଇ ଦିଆଯାଇଛି । ଟେକ୍‌ନୋଲଜିକୁ ମୁଁ ଧନ୍ୟବାଦ ଦେବି । ଏହାର ସହାୟତାରେ ସରକାର ଯୋଗାଉଥିବା ପ୍ରତ୍ୟେକ ପଇସା ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିଛି  । ଏହି ସହାୟତା ମଧ୍ୟରେ ମାଗଣା ରନ୍ଧନ ଗ୍ୟାସ୍‌, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା, କୋଟି କୋଟି ଲୋକଙ୍କୁ ମୁକ୍ତ ଖାଦ୍ୟଶସ୍ୟ ଯୋଗାଣ ଆଦି ଅନ୍ତର୍ଭୁକ୍ତ । ଆମେ ଅନ୍‌ଲକିଂ ଆରମ୍ଭ କରିବା ମାତ୍ରେ କୋଟି କୋଟି ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ବିଶ୍ୱର ଅନ୍ୟତମ ସର୍ବବୃହତ୍‌ ସର୍ବସାଧାରଣ କର୍ମଯୋଗାଣ ବ୍ୟବସ୍ଥା ଆରମ୍ଭ କରିଛୁ । ଲୋକଙ୍କୁ ରୋଜଗାର ଯୋଗାଇଦେବା ଏହାର ପ୍ରଥମ ଲକ୍ଷ୍ୟ । ଏହା ଗ୍ରାମ୍ୟ ଅର୍ଥନୀତିକୁ ପୁନଃ ଶକ୍ତିଶାଳୀ କରିବା ସହିତ ଦେଶର ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିପାରିବ ।

ବନ୍ଧୁଗଣ,

ଭାରତ ଏବେ ମଧ୍ୟ ବିଶ୍ୱର ଅନ୍ୟତମ ସର୍ବାଧିକ ମୁକ୍ତ ଅର୍ଥନୀତିଭାବେ ରହିଛି । ଆମେ ବିଶ୍ୱସ୍ତରୀୟ ସବୁ କଂପାନୀକୁ ଭାରତ ଆସି ନିଜର ଉପସ୍ଥିତି ଜାରି କରିବାକୁ ସ୍ୱାଗତ କରୁଛୁ । ଭାରତ ଏ କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ଦେଉଛି ଖୁବ୍‌ କମ୍‌ ଦେଶ ତାହା ଦେଇପାରିବେ । ବିଭିନ୍ନ ଉଦୀୟମାନ କ୍ଷେତ୍ରରେ ଅନେକ ସମ୍ଭାବନା ଓ ସୁଯୋଗ ରହିଛି । ସେ କ୍ଷେତ୍ରରେ ଆମର ସଂସ୍କାର ପୁଞ୍ଜି ନିବେଶ ପାଇଁ ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରିଛି । ନିବେଶକ ଷ୍ଟୋରେଜ ଓ ଲଜିଷ୍ଟିକ୍‌ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ଅପୂର୍ବ ସୁଯୋଗ ପାଇବେ । ଭାରତର କୃଷକମାନଙ୍କ କଠିନ ପରିଶ୍ରମରେ ସହଭାଗୀ ହେବାପାଇଁ ଭାରତ ଆସି ସିଧାସଳଖ ପୁଞ୍ଜି ନିବେଶ କରିବାକୁ ଆମେ ନିବେଶକଙ୍କ ପାଇଁ ଆମ ଦ୍ୱାର ଉନ୍ମୁକ୍ତ କରିଛୁ ।

ବନ୍ଧୁଗଣ,

ଆମେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ମଧ୍ୟ ସଂସ୍କାର କାର୍ଯ୍ୟକାରୀ କରିଛୁ । ଏକ ସମୃଦ୍ଧ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ବୃହତ୍‌ ଶିଳ୍ପ ସଂସ୍ଥାର ବିକାଶରେ ସହାୟକ ହେବ । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ନିବେଶ ସୁଯୋଗ ସୃଷ୍ଟି ହୋଇଛି । କୋହଳ ପୁଞ୍ଜିନିବେଶ ନିୟମ ସହ ବିଶ୍ୱର ଅନ୍ୟତମ ବୃହତ୍‌ ପ୍ରତିରକ୍ଷା ବାହିନୀ ପୁଞ୍ଜିନିବେଶ ପାଇଁ ଆପଣଙ୍କୁ ନିମନ୍ତ୍ରଣ କରୁଛି । ଆପଣମାନେ ଆସନ୍ତୁ ଏବଂ ଏହି ସାମରିକ ବାହିନୀର ଆବଶ୍ୟକତା ପାଇଁ ସାମଗ୍ରୀ ତିଆରି କରନ୍ତୁ । ମହାକାଶ କ୍ଷେତ୍ରରେ ମଧ୍ୟ ଏବେ ଘରୋଇ ନିବେଶ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହୋଇଛି । ଏହାର ଅର୍ଥ ମହାକାଶ ଟେକ୍‌ନୋଲଜିର ବ୍ୟାବସାୟିକ ବ୍ୟବହାର ନିମନ୍ତେ ସୁଯୋଗ ସୃଷ୍ଟି କରିବା, ଯାହା ଲୋକଙ୍କ କଲ୍ୟାଣରେ ଲାଗିପାରିବ । ଭାରତର ଟେକ୍‌ ଓ ଷ୍ଟାର୍ଟଅପ୍‌ ଉଦ୍ୟୋଗ ଏବେ ବେଶ୍‌ ସମୃଦ୍ଧ । ଆକାଂକ୍ଷୀ, ଡିଜିଟାଲି ସକ୍ଷମ, କୋଟି କୋଟି ଲୋକଙ୍କୁ ନେଇ ଭାରତୀୟ ବଜାର ବେଶ୍‌ ସମ୍ଭାବନାମୟ ଓ ସ୍ୱଚ୍ଛଳ । ଏହି ବଜାର ପାଇଁ ଆପଣ କି ପ୍ରକାର ଜିନିଷ ଉତ୍ପାଦନ କରିପାରିବେ ସେ କଥା ଟିକିଏ ଭାବନ୍ତୁ ।

ବନ୍ଧୁଗଣ,

ଏହି ମହାମାରୀ ପୁଣି ଥରେ ପ୍ରମାଣ କରିଛି ଯେ ଭାରତୀୟ ଔଷଧ ଉଦ୍ୟୋଗ କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଉଦ୍ଦିଷ୍ଟ । ଏହା ଔଷଧପତ୍ରର ମୂଲ୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ନିର୍ଦ୍ଦିଷ୍ଟଭାବେ ବିକାଶଶୀଳ ରାଷ୍ଟ୍ରଗୁଡିକ ପାଇଁ ସହାୟକ ହୋଇଛି । ଭାରତରେ ତିଆରି ହେଉଥିବା ଟିକା ବିଶ୍ୱର ଦୁଇ ତୃତୀୟାଂଶ ଶିଶୁଙ୍କ ପାଇଁ ବ୍ୟବହୃତ ହେଉଛି । ଏବେ ମଧ୍ୟ ଆମ କଂପାନୀଗୁଡିକ ଆନ୍ତର୍ଜାତିକ ଉଦ୍ୟମରେ କୋଭିଡ-19ର ଟିକା ପ୍ରସ୍ତୁତି ତଥା ଉତ୍ପାଦନରେ ସକ୍ରିୟ ଅଛନ୍ତି । ମୁଁ ନିଶ୍ଚିତ ଯେ ଟିକାର ବିକାଶ ଏବଂ ଏହାର ବହୁଳ ଉତ୍ପାଦନରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ବନ୍ଧୁଗଣ,

130 କୋଟି ଭାରତୀୟ ଆତ୍ମନିର୍ଭର ଭାରତର ଡାକରା ଦେଇଛନ୍ତି । ଏକ ଆତ୍ମନିର୍ଭର ଭାରତ, ଘରୋଇ ଉତ୍ପାଦନ ଓ ଉପଭୋଗକୁ ବିଶ୍ୱ ଯୋଗାଣ ଶୃଙ୍ଖଳା ସହ ଯୋଡିଛି । ଆତ୍ମ ନିର୍ଭର ଭାରତର ଅର୍ଥ ନୁହେଁ ସ୍ୱୟଂ ନିର୍ଭରଶୀଳ ହେବା ବା ସମଗ୍ର ବିଶ୍ୱ ପାଇଁ ଦ୍ୱାର ବନ୍ଦ କରିଦେବା । ବାସ୍ତବରେ ଏହା ଉତ୍ପାଦନ ଓ ବ୍ୟବହାରରେ ଆତ୍ମନିର୍ଭଶୀଳ ହେବା । ଆମେ ଏ କ୍ଷେତ୍ରରେ ଦକ୍ଷତା, ସମତା ଓ ସ୍ଥିତିସ୍ଥାପକତାକୁ ପ୍ରୋତ୍ସାହନ ଦେବା ନୀତି ପାଳନ କରିବୁ ।

ବନ୍ଧୁଗଣ,

ପଣ୍ଡିତ ରବିଶଙ୍କରଙ୍କ ଏକଶତତମ ଜୟନ୍ତୀ ପାଳନ ଅବସରରେ ଏହି ମଞ୍ଚ ଆୟୋଜିତ ହେଉଥିବାର ଜାଣି ମୁଁ ଅତ୍ୟନ୍ତ ଖୁସୀ । ସେ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୌନ୍ଦର୍ଯ୍ୟକୁ ସମଗ୍ର ବିଶ୍ୱରେ ପହଞ୍ଚାଇଥିଲେ । ଆପଣମାନେ ମଧ୍ୟ ଦେଖିଥିବେ ଏବେ ନମସ୍ତେକିପରି ସମଗ୍ର ବିଶ୍ୱରେ ଅଭିବାଦନର ନୂଆ ଶୈଳୀ ପାଲଟିଛି । ମହାମାରୀ ମଧ୍ୟ ସାରା ବିଶ୍ୱରେ ଯୋଗ, ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧର ଆବଶ୍ୟକତା ବଢାଇଛି । ଭାରତର ପ୍ରାଚୀନ ସଂସ୍କୃତି, ସାର୍ବଜୀନନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆଦର୍ଶ ଆଦି ଆମର ଶକ୍ତି ।

ବନ୍ଧୁଗଣ,

ବିଶ୍ୱର ମଙ୍ଗଳ ଓ ସମୃଦ୍ଧି ପାଇଁ ଯାହା କିଛି ଅଧିକ କରିହେବ ତାହା କରିବା ପାଇଁ ଭାରତ ପ୍ରସ୍ତୁତ । ଏହା ଏକ ସଂସ୍କାରପଥୀ, ପ୍ରଦର୍ଶନକାରୀ ଓ ପରିବର୍ତ୍ତନଶୀଳ ଭାରତ । ଏହା ନୂଆ ଆର୍ଥିକ ସୁଯୋଗ ପ୍ରଦାନକାରୀ ଭାରତ । ଏହା ମାନବ କୈନ୍ଦ୍ରିକ ଏବଂ ସମବେଶୀ ବିକାଶମୂଳକ ପଦକ୍ଷେପ ଗ୍ରହଣ କରୁଥିବା ଭାରତ ।

ଭାରତ ଆପଣଙ୍କ ଅପେକ୍ଷାରେ । ନମସ୍କାର, ଧନ୍ୟବାଦ ।

 

**********

 



(Release ID: 1637614) Visitor Counter : 244