ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧର୍ମଚକ୍ର ଦିବସ ଉତ୍ସବର ଉଦ୍‌ଘାଟନ

Posted On: 04 JUL 2020 10:17AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍‌ସି ବ୍ୟବସ୍ଥାରେ ଧର୍ମଚକ୍ର ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ଏହି ଉତ୍ସବଟି ଆଷାଢ ପୂର୍ଣ୍ଣିମା ତଥା ଧର୍ମଚକ୍ର ଦିବସ ରୂପେ ପାଳିତ ହେଉଛି । ଆଷାଢ ପୂର୍ଣ୍ଣିମା ଅବସରରେ ଏବେକାର ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ ସାରନାଥ ସନ୍ନିକଟ ଋଷିପତନଠାରେ ବୌଦ୍ଧତ୍ୱ ପ୍ରାପ୍ତି ପରେ ଗୌତମ ବୁଦ୍ଧ ତାଙ୍କର ପ୍ରଥମ 5ଜଣ ଶିଷ୍ୟଙ୍କୁ ଧର୍ମୋପଦେଶ ପ୍ରଦାନ କରିଥିଲେ । ଏହି ଦିବସଟିକୁ ମଧ୍ୟ ବୌଦ୍ଧ ଧର୍ମାବଲମ୍ବୀମାନେ ଧର୍ମଚକ୍ର ପ୍ରବତ୍ତନ ଦିବସଭାବେ ପାଳନ କରିଥାନ୍ତି । ସେମାନଙ୍କ ମତରେ ବୌଦ୍ଧଧର୍ମର ଚକ ଏହି ଦିବସଠାରୁ ଗଡିବାକୁ ଆରମ୍ଭ କରିଥିଲା ।

ଆଷାଢ ପୂର୍ଣ୍ଣିମା ତଥା ଗୁରୁପୂର୍ଣ୍ଣିମାଭାବେ ପାଳିତ ହେଉଥିବା ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ  ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମଙ୍ଗୋଲିଆ ସରକାରଙ୍କୁ ମଙ୍ଗୋଲୀୟ କଞ୍ଜୁରର ନକଲ ପ୍ରଦାନ କରାଯାଉଥିବାରୁ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଭଗବାନ ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ ଓ ତାଙ୍କ ବାଣୀ ସଂପର୍କରେ ଆଲୋକପାତ କରିଛନ୍ତି । ବିଭିନ୍ନ ଦେଶ ଓ ସମାଜର ଉନ୍ନତି ପାଇଁ ଏହା କିପରି ସହାୟକ ହୋଇଛି ତାହା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ବୁଦ୍ଧଦେବ ମାନବ, ମହିଳା, ଗରିବ ଲୋକଙ୍କୁ ସମ୍ମାନ ପ୍ରଦାନ କରିବାର ଶିକ୍ଷା ଦେଇଯାଇଛନ୍ତି । ତାଙ୍କ ବାଣୀରେ ଶାନ୍ତି ଓ ଅହିଂସାର ବାର୍ତ୍ତା ରହିଛି । ଏହି ବାର୍ତ୍ତା ଏକ ନିରନ୍ତର ଧାରଣୀୟ ପୃଥିବୀ ଗଠନରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଶା ଓ ଉଦେଶ୍ୟ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧଙ୍କ ବାଣୀରେ ଏହି ଦୁଇଟି ବିଷୟ ଗଭୀରଭାବେ ସଂଶ୍ଲିଷ୍ଟ । ଏକବିଂଶ ଶତାବ୍ଦୀ ଘେନି ସେ କିପରି ଆଶାବାଦୀ ପ୍ରଧାନମନ୍ତ୍ରୀ ତାହା ଉଲ୍ଲେଖ କରିବା ସହ ଏ ନେଇ ଯୁବସମାଜ ଉପରେ ସେ ଯଥେଷ୍ଟ ଭରସା ରଖିଛନ୍ତି । ଭାରତର ଷ୍ଟାର୍ଟଅପ୍‌ ପରିବେଶ ସର୍ବବୃହତ୍‌ ତଥା ବୈଶ୍ୱିକ ସମସ୍ୟାର ସମାଧାନ ପାଇଁ ଯୁବ ପ୍ରତିଭାମାନେ କିପରି ଏହା ମାଧ୍ୟମରେ ସମାଧାନର ସୂତ୍ର ବାହାର କରୁଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଏବେ ଅସାଧାରଣ ଆହ୍ୱାନର ମୁକାବିଲା କରୁଛି । ଏହାର ସ୍ଥାୟୀ ସମାଧାନ କେବଳ ଭଗବାନ ବୁଦ୍ଧଙ୍କ ବାଣୀଦ୍ୱାରା ସମ୍ଭବ ହୋଇପାରିବ । ଅଧିକରୁ ଅଧିକ ଲୋକଙ୍କୁ ଭାରତର ବୌଦ୍ଧ ଐତିହ୍ୟସ୍ଥଳୀ ସହିତ ଯୋଡିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଏସବୁ ସ୍ଥାନକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ସଂପର୍କରେ ଚାଲିଥିବା ଉଦ୍ୟମ ସଂପର୍କରେ ମଧ୍ୟ ସୂଚାଇଛନ୍ତି । ଉତ୍ତରପ୍ରଦେଶର କୁଶୀନଗର ବିମାନ ବନ୍ଦରକୁ ଏକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗ୍ରହଣ କରିଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଏହାଦ୍ୱାରା ସେ ଅଞ୍ଚଳକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ସୁବିଧାରେ ଯାଇପାରିବେ । ଏହି ନିଷ୍ପତ୍ତି ଫଳରେ ସେ ଅଞ୍ଚଳରେ ଅର୍ଥନୈତିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********

 



(Release ID: 1636517) Visitor Counter : 213