ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆତ୍ମନିର୍ଭର ଭାରତ ଆପ୍‌ ପ୍ରସ୍ତୁତିରେ ଅଂଶୀଦାର ହେବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 04 JUL 2020 5:20PM by PIB Bhubaneshwar

ଆତ୍ମନିର୍ଭର ଭାରତ ଆପ୍‌ ନିର୍ମାଣ ଓ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି ।

ଲିଙ୍କେଡିନ୍‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର ବିଭିନ୍ନ କ୍ଷେତ୍ରରେ ଯେଉଁ ବୈଷୟିକ ଆବଶ୍ୟକତା ଓ ଆହ୍ୱାନ ମାନ ସୃଷ୍ଟି  ହୋଇଛି ତାହାର ସମାଧାନ କରିବାକୁ ଯୁବ ପ୍ରଯୁକ୍ତିବିତ୍‌ମାନେ ଆଗେଇ ଆସିବାକୁ ଉଲ୍ଲେଖ କରିଛନ୍ତି । ଯୁବ ପ୍ରଯୁକ୍ତିବିତ୍‌ମାନେ ଏ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମାନେ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି । ଏବେ ଭାରତୀୟ ଷ୍ଟାର୍ଟଅପ୍‌ ଓ ଟେକ୍‌ନୋଲଜି ଜଗତରେ ନବସୃଜନ, ବିକାଶ ଏବଂ ଦେଶୀ କାରିଗରୀ ଆପ୍ଲିକେସନ (ଆପ୍‌)କୁ ପ୍ରୋତ୍ସାହିତ କରିବା ପାଇଁ ଅପୂର୍ବ ସୁଯୋଗ ଓ ଆଗ୍ରହ ସୃଷ୍ଟି ହୋଇଛି । ରାଷ୍ଟ୍ର ଏବେ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଅଗ୍ରସର ହେଉଥିବାବେଳେ ଏହା ଏବେ ବେଶ୍‌ ଉତ୍ସାହଜନକ ପରିବେଶ ସୃଷ୍ଟି କରିଛି ।  ଏହାର ସୁଯୋଗ  ନେଇ ଘରୋଇ ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱବଜାରରେ ପ୍ରତିଯୋଗିତା କରିବାକୁ ନୂଆ ନୂଆ ଆପ୍‌ ତିଆରି ପାଇଁ ସେ ପ୍ରଯୁକ୍ତିବିତ୍‌ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଏହି ଲକ୍ଷ୍ୟକୁ ଗୁରୁତ୍ୱ ଦେଇ କେନ୍ଦ୍ର ଇଲେକ୍‌ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଟଳ ଇନୋଭେସନ ମିଶନ ସହ ମିଶି ଏକ ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚାଲେଞ୍ଜ କାର୍ଯ୍ୟ ହାତକୁ ନେଇଛି । ଏହା ଦୁଇଟି କ୍ଷେତ୍ରରେ କାର୍ଯ୍ୟ କରିବ । ସେଥିରେ ଗୋଟିକରେ ବର୍ତ୍ତମାନର ଆପ୍‌ଗୁଡିକର ଉନ୍ନୟନ ଓ ଦ୍ୱିତୀୟଟିରେ ନୂଆ ଆପ୍‌ ବିକଶିତ କରାଯିବ । ଏହି ଆହ୍ୱାନକୁ ଉଭୟ ମନ୍ତ୍ରଣାଳୟ ଓ ପ୍ରଯୁକ୍ତି ସମୁଦାୟ ମିଳିତଭାବେ କାର୍ଯ୍ୟକାରୀ କଲେ ଏହା ସହଜ ଓ ସୁଗମ ହୋଇପାରିବ ।

ବର୍ତ୍ତମାନର ଆପ୍‌ ଓ ପ୍ଲାଟଫର୍ମଗୁଡିକର ବିକାଶ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ଇ-ଲର୍ଣ୍ଣିଂ, ୱାର୍କ ଫ୍ରମ ହୋମ୍‌, ଗେମିଂ, ବିଜିନେସ ଏଣ୍ଟରଟେନମେଣ୍ଟ, ଅଫିସ ୟୁଟିଲିଟିଜ, ସୋସିଆଲ ନେଟୱର୍କ ଆଦି ଅନ୍ତର୍ଭୁକ୍ତ । ଏଥିରେ ସରକାର ଦିଗ୍‌ଦର୍ଶନ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବେ । ଲିଡର-ବୋର୍ଡ ପାଇଁ ଉତ୍ତମ ମାନର ଆପ୍‌ ଚିହ୍ନଟ କରିବାକୁ ଟ୍ରାକ୍‌-1କୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଇ ମାସକ ମଧ୍ୟରେ ସେ କାମ ଶେଷ ହେବ । ନୂଆ ଆପ୍‌ ଓ ପ୍ଲାଟଫର୍ମ ଇନ୍‌କ୍ୟୁବେସନ ପାଇଁ ଟ୍ରାକ୍‌-2 ପ୍ରୟାସରେ ସରକାର ନୂଆ ଚମ୍ପିଆନମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଇଡିଆ, ଇନ୍‌କ୍ୟୁବେସନ, ପ୍ରୋଟୋଟାଇପିଂ, ରୋଲ ଆଉଟ ଓ ମାର୍କେଟ ଆକ୍‌ସେସ ଆଦି ସୁବିଧା ଯୋଗାଇଦେବେ ।

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ ଏହି ପ୍ରୟାସ ଦ୍ୱାରା ପ୍ରଚଳିତ ଆପ୍‌ଗୁଡିକର ଭିଜିବିଲିଟି ଓ କ୍ଲାରିଟି ଅଧିକ ଭଲ ହେବ । ଫଳରେ ସେଗୁଡିକ ବ୍ୟବହାରକାରୀଙ୍କ ପାଇଁ ଅଧିକ ସହାୟକ ହୋଇପାରିବ । ବୈଷୟିକ ସାମଗ୍ରୀ ପ୍ରସ୍ତୁତି ପାଇଁ ବାଟ ବାହାର କରିବା ନିମନ୍ତେ ଦିଗ୍‌ଦର୍ଶନ, ବୈଷୟିକ ସହାୟତା ଓ ଅନ୍ୟାନ୍ୟ ସହଯୋଗ ସରକାର ଯୋଗାଇଦେବେ । ପ୍ରଧାନମନ୍ତ୍ରୀ ଏ ସଂପର୍କରେ ତାଙ୍କ ବିଚାର ବ୍ୟକ୍ତ କରିବା ସହ ଆହୁରି ଜାଣିବାକୁ ଚାହିଁଛନ୍ତି ଯେ ପାରମ୍ପରିକ ଭାରତୀୟ କ୍ରୀଡାକୁ ଟେକ୍‌ନୋଲଜି ଅଧିକ ଲୋକପ୍ରିୟ କରିପାରିବ କି ? ସେହିଭଳି ଲୋକଙ୍କୁ ଥଇଥାନ, ପରାମର୍ଶ ପ୍ରଦାନ ବା ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ  ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଏହା ଯଦି ସାହାଯ୍ୟ କରିପାରିବ ସେସବୁର ମଧ୍ୟ ବିକାଶ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏକ ଆତ୍ମନିର୍ଭର ଆପ୍‌ ଇକୋ ସିଷ୍ଟମ ବିକଶିତ କରିବାକୁ ସେ ବୈଷୟିକ ସମୁଦାୟକୁ ଆହ୍ୱାନ ଜଣାଇଛନ୍ତି ।

 

**********

 



(Release ID: 1636514) Visitor Counter : 248