ଅର୍ଥ ମନ୍ତ୍ରଣାଳୟ

କୋଭିଡ଼-19 ମହାମାରୀ ପରିସ୍ଥିତି ମଧ୍ୟରେ ଆୟକର ବିଭାଗ ପକ୍ଷରୁ 20 ଲକ୍ଷ ଟିକସଦାତାଙ୍କୁ 62,361 କୋଟି ଟଙ୍କା ଫେରସ୍ତ

Posted On: 03 JUL 2020 12:42PM by PIB Bhubaneshwar

ସରକାରଙ୍କ ଏପ୍ରିଲ 8, 2020 ତାରିଖର ପ୍ରେସ ନୋଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଟିକସଦାତାମାନଙ୍କୁ ସେମାନଙ୍କର ଉଦ୍‌ବୃତ୍ତ ଆୟକର ଫେରସ୍ତ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭିଡ଼-19 ଭଳି ଭୂତାଣୁ ମହାମାରୀ ବେଳେ ଏଭଳି ଅର୍ଥ ଫେରସ୍ତ ଟିକସଦାତାମାନଙ୍କ ପାଇଁ ବେଶ ସହାୟକ ହୋଇଛି । ଏହି ସମୟରେ ଆୟକର ବିଭାଗ ପକ୍ଷରୁ ଏପ୍ରିଲ 8 ତାରିଖ ଠାରୁ ଜୁନ 30, 2020 ମଧ୍ୟରେ ପ୍ରତି ମିନିଟରେ 76ଟି ଲେଖାଏଁ ଟିକସ ଫେରସ୍ତ କାର୍ଯ୍ୟ ସଂପାଦନ କରାଯାଇଛି । ଏହି ଅବଧି ମାତ୍ର 56 ଦିନର ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ (ସିବିଡ଼ିଟି) ପକ୍ଷରୁ 20.44 ଲକ୍ଷ କେଶ୍‌ ସମାଧାନ କରାଯାଇ ଟିକସଦାତାମାନଙ୍କୁ ମୋଟ 62,361 କୋଟି ଟଙ୍କା ଫେରସ୍ତ ଦିଆଯାଇଛି ।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଟିକସଦାତାମାନେ ଆୟକର ବିଭାଗ ପକ୍ଷରୁ ଏଭଳି ସୁବିଧା ହାସଲ କେବଳ ଏବେ କରଦାତା ଅନୁକୂଳ ବ୍ୟବସ୍ଥା ଆପଣାଇବା ଦ୍ୱାରା ନୁହେଁ ଅପରନ୍ତୁ କୋଭିଡ଼-19 ଭଳି ଅସ୍ୱାଭାବିକ ପରିସ୍ଥିତି ସମୟରେ ବିଭାଗ ପକ୍ଷରୁ ସେହିସବୁ ମାମଲାଗୁଡ଼ିକର ସମାଧାନ ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେସୁଦ୍ଧା 19,07,832ଟି କେଶ୍‌ର ବିଚାର କରାଯାଇ ମୋଟ 23,435.57 କୋଟି ଟଙ୍କାର ଆୟକର ଫେରସ୍ତ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି କର୍ପୋରେଟ ଟିକସ କ୍ଷେତ୍ରରେ 1,36,744ଟି ମାମଲାର ସମାଧାନ କରାଯାଇ 38,908.37 କୋଟି ଟଙ୍କା ଫେରସ୍ତ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏତେ ମାତ୍ରାର ଏବଂ ସଂଖ୍ୟକ ଟିକସ ଫେରସ୍ତ କାର୍ଯ୍ୟ ଇଲେକ୍ଟ୍ରୋନିକାଲ ପ୍ରଯୁକ୍ତି ବ୍ୟବସ୍ଥା ଯୋଗୁ ସମ୍ଭବପର ହୋଇପାରିଛି ଯଦ୍ୱାରା ଆୟକର ଦାତା ଏବଂ କର୍ପୋରେଟ୍‌ ଟିକସଦାତାମାନଙ୍କ ବ୍ୟାଙ୍କ ଜମାଖାତାରେ ଫେରସ୍ତ ଅର୍ଥ ସିଧାସଳଖ ପୈଠ ହୋଇପାରୁଛି । ଏଥିପାଇଁ କୌଣସି ଜଣେ ଟିକସଦାତାଙ୍କୁ ସୁଦ୍ଧା ବିଭାଗକୁ ଅର୍ଥ ଫେରସ୍ତ ସକାଶେ ଅନୁରୋଧ କରିବାକୁ ପଡ଼ୁନାହିଁ । ସିଧାସଳଖ ତାହା ସେମାନଙ୍କ ଜମାଖାତାରେ ପହଞ୍ଚିପାରୁଛି ।

ସିବିଡ଼ିଟି ପକ୍ଷରୁ ଗୁରୁତ୍ୱ ଆରୋପ କରି କୁହାଯାଇଛି ଯେ ଟିକସଦାତାମାନଙ୍କୁ ସକଳ ପ୍ରକାର ସୂଚନା ଇମେଲ୍‌ ମାଧ୍ୟମରେ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ଯଦ୍ୱାରା ସେମାନଙ୍କର ରିଫଣ୍ଡ୍‌ ମାମଲା ତୁରନ୍ତ ଫଇସଲା ହୋଇପାରିବ । ଆୟକର ବିଭାଗର ଏଭଳି ଇମେଲ୍‌ର ଉତ୍ତର ଟିକସଦାତାମାନେ ଦେବାକୁ ବିଭାଗ ପ୍ରତ୍ୟାଶା ରଖେ । ଯଦ୍ୱାରା ସେମାନେ ତାହା ପାଇଛନ୍ତି ବୋଲି ବିଭାଗ ସୁନିଶ୍ଚିତ ହୋଇପାରିବ । କରଦାତାମାନଙ୍କୁ ଫେରସ୍ତ ହେବାକୁ ଥିବା ଅର୍ଥ ଏବଂ ସେମାନଙ୍କର ବ୍ୟାଙ୍କ ଜମାଖାତା ନମ୍ବର ଏବଂ ଯେଉଁସବୁ ତ୍ରୁଟି/ ସୂଚନା ମିଶୁନଥିବା ତଥ୍ୟ ଥିବ ତାହା ରିଫଣ୍ଡ୍‌ ପୂର୍ବରୁ ବିଭାଗକୁ ଜଣାଇ ଦେବା ଉଚିତ । ସେଭଳି ସମସ୍ତ ମାମଲାରେ, ଟିକସଦାତାମାନଙ୍କ ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ମିଳିଲେ ଆୟକର ବିଭାଗ ଟଙ୍କା ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।

 

**********

 



(Release ID: 1636282) Visitor Counter : 183