ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ

ପିଏମ୍‌ ଏଫଏମ୍‌ଇ ଯୋଜନାରେ 35 ହଜାର କୋଟି ଟଙ୍କାର ନିବେଶ ସୁବିଧା ସହ 9 ଲକ୍ଷ କୁଶଳୀ ଓ ଅର୍ଦ୍ଧକୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ : ହରସିମରତ କୌର ବାଦଲ

• ଏହି ଯୋଜନାରେ 8 ଲକ୍ଷ ଉଦ୍ୟୋଗ ଉପକୃତ ହେବେ ଓ ଉତ୍ତମ ସୂଚନା, ତାଲିମ, ବାହ୍ୟ ଅନୁଭୂତି ତଥା ଅନ୍ୟାନ୍ୟ ସୁବିଧା ପାଇବେ
• ଶ୍ରୀମତୀ ବାଦଲଙ୍କ ଦ୍ୱାରା ପିଏମ୍‌ ଏଫ୍‌ଏମ୍‌ଇ ଯୋଜନାର ଶୁଭାରମ୍ଭ
• ପ୍ରକାଶ ପାଇଲା ଯୋଜନାର ନିର୍ଦେଶାବଳୀ

Posted On: 29 JUN 2020 1:33PM by PIB Bhubaneshwar

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲଙ୍କ ଦ୍ୱାରା ଆଜି ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ ଅଫ୍‌ ମାଇକ୍ରୋ ଫୁଡ୍‌ ପ୍ରୋସେସିଂ ଇଣ୍ଟରପ୍ରାଇଜେସ (ପିଏମ୍‌ ଏଫ୍‌ଏମ୍‌ଇ) ଯୋଜନାର ଶୁଭାରମ୍ଭ ହୋଇଛି । ଆତ୍ମନିର୍ଭର ଭାରତ ଅଭିଯାନର ଅଂଶ ସ୍ୱରୂପ ଏହି ଯୋଜନାର ପ୍ରବର୍ତ୍ତନ ଉତ୍ସବରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ସୁଶ୍ରୀ କୌର କହିଛନ୍ତି ଯେ ଏହି ଯୋଜନାରେ ମୋଟ 45 ହଜାର କୋଟି ଟଙ୍କାର ନିବେଶ ସୃଷ୍ଟି କରାଯିବ । ଏହା ଫଳରେ ଏହି ଉଦ୍ୟୋଗରେ 9 ଲକ୍ଷ କୁଶଳୀ ଓ ଅଣକୁଶଳୀ ଲୋକଙ୍କ ପାଇଁ ନିଯୁକ୍ତି ସୁବିଧା ସୃଷ୍ଟି ହୋଇପାରିବ । ମୋଟ 8 ଲକ୍ଷ ଉଦ୍ୟୋଗ ଏହି ଯୋଜନାରେ ଉପକୃତ ହେବେ ଏବଂ ସେଗୁଡିକୁ ସୂଚନା, ତାଲିମ, ଉତ୍ତମ ବାହ୍ୟ ଅଭିଜ୍ଞତା ଓ ଫର୍ମାଲାଇଜେସନ (ଆନୁଷ୍ଠାନୀକରଣ)ର ସୁବିଧା ମିଳିବ । ଏହି ଯୋଜନାର ନିର୍ଦେଶାବଳୀ ମଧ୍ୟ ଆଜି ଉନ୍ମୋଚିତ ହୋଇଛି ।

ସ୍ଥାନୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡିକର ଭୂମିକା ବର୍ଣ୍ଣନା କରିବା ଅବସରରେ ମନ୍ତ୍ରୀ ଶ୍ରୀମତୀ ବାଦଲ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଥିବା ଏହିସବୁ ଉଦ୍ୟୋଗ ସ୍ଥାନୀୟ ଜନସାଧାରଣଙ୍କୁ ଭାରତୀୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାର ଏକ ଦୀର୍ଘ ପରମ୍ପରା ରହିଛି ।  2020 ମେ 12ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ୟେଶରେ ଦେଇଥିବା ବାର୍ତ୍ତାରେ ଏ ସଂପର୍କରେ ଯଥେଷ୍ଟ ଉଲ୍ଲେଖ ଅଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ‘ସଂକଟ କାଳରେ ଏହି ସ୍ଥାନୀୟ ବ୍ୟବସ୍ଥା ଆମର ଚାହିଦା ପୂରଣ କରିଛି ଓ ଆମକୁ ରକ୍ଷା କରିଛି । ସ୍ଥାନୀୟତା କେବଳ ମାମୁଲି ଆବଶ୍ୟକତା ନୁହେଁ, ଏହା ଆମର ଦାୟିତ୍ୱ ମଧ୍ୟ । ସ୍ଥାନୀୟତାକୁ ଆମେ ଆମ ଜୀବନର ମନ୍ତ୍ର କରିବାକୁ ସମୟ ଆମକୁ ଶିକ୍ଷା ଦେଇଛି । ଆପଣମାନେ ଯେଉଁ ଗ୍ଲୋବାଲ ବ୍ରାଣ୍ଡ ଏବେ ଦେଖୁଛନ୍ତି ଏକଦା ସେ ମଧ୍ୟ ଏହାରି ଭଳି ଅତି ସ୍ଥାନୀୟ ଥିଲା । କିନ୍ତୁ ଲୋକେ ଯେତେବେଳେ ଏହାକୁ ବ୍ୟବହାର କରିବାକୁ ଲାଗିଲେ, ଏହାକୁ ପ୍ରୋତ୍ସାହିତ କରି ଏକ ବ୍ରାଣ୍ଡର ରୂପଦେଇ ସେଥିପାଇଁ ଗର୍ବିତ ହେଲେ, ସେତେବେଳେ ଏହି ସ୍ଥାନୀୟ ସାମଗ୍ରୀ ବୈଶ୍ୱିକ ବା ଗ୍ଲୋବାଲ ପ୍ରୋଡାକ୍ଟରେ ପରିଣତ ହେଲା । ଏଣୁ ଆଜିଠାରୁ ପ୍ରତ୍ୟେକ ଭାରତୀୟଙ୍କୁ ଭୋକାଲ ଫର୍‌ ଲୋକାଲ ହେବାକୁ ପଡିବ ଏବଂ ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେବାକୁ ହେବ । କେବଳ ସ୍ଥାନୀୟ ଭାବେ ଉତ୍ପାଦିତ ସାମଗ୍ରୀ କିଣିଲେ ହେବ ନାହିଁ; ବରଂ ଗର୍ବର ସହ ସେସବୁ ଜିନିଷକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ମୋର ଦୃଢ଼ ବିଶ୍ୱାସ ଆମ ଦେଶ ଏହା କରିପାରିବ ।

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ସଂପର୍କରେ ଉଲ୍ଲେଖ କରି ଶ୍ରୀମତୀ ବାଦଲ କହିଛନ୍ତି ଯେ କେତେକ ଅସୁବିଧା ଯୋଗୁଁ ଏହିସବୁ ଉଦ୍ୟୋଗ ଆଶାଜନକଭାବେ ଉତ୍ପାଦନ କରିପାରୁନାହାନ୍ତି । ଫଳରେ ସେମାନଙ୍କ ଅଭିବୃଦ୍ଧି ବ୍ୟାହତ ହେଉଛି । ଆଧୁନିକ ଟେକ୍‌ନୋଲଜି ଓ ଯନ୍ତ୍ରପାତିର ଅଭାବ ସହିତ କର୍ମଚାରୀଙ୍କ ତାଲିମ, ବ୍ୟାଙ୍କଋଣ ସୁବିଧା, ଉତ୍ପାଦିତ ସାମଗ୍ରୀର ମାନ ନିୟନ୍ତ୍ରଣ, ବ୍ରାଣ୍ଡିଂ ଓ ବିକ୍ରିବଟା ଆଦିର ସୁବିଧା ଅଭାବ ଏହି ଉଦ୍ୟୋଗର ପ୍ରମୁଖ ସମସ୍ୟା । ଦକ୍ଷତାହାନି ମଧ୍ୟ ଏହି ଉଦ୍ୟୋଗରେ ଏକ ବଡ ପ୍ରତିବନ୍ଧକ । ଯଥେଷ୍ଟ ଚାହିଦା ଥିଲେ ମଧ୍ୟ ସାମଗ୍ରୀ ମୂଲ୍ୟ ମିଶ୍ରିତ ଓ ଉଚ୍ଚ ମାନର ହୋଇନଥିବାରୁ ଏହି ଅସଂଗଠିତ ଉଦ୍ୟୋଗ ବିଶେଷ ଅଗ୍ରଗତି କରିପାରୁନାହିଁ । ଶ୍ରୀମତୀ ବାଦଲ ଆହୁରି କହିଛନ୍ତି ଯେ, ଅସଂଗଠିତ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ଏବେ ପ୍ରାୟ 25 ଲକ୍ଷ କ୍ଷୁଦ୍ର ଶିଳ୍ପସଂସ୍ଥା ରହିଛି । ଏହିସବୁ ଉଦ୍ୟୋଗ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ମୋଟ 74 ଶତାଂଶ ଲୋକଙ୍କୁ ନିଯୁକ୍ତି ଦେଇଥାଏ । ଏସବୁ ୟୁନିଟ ମଧ୍ୟରୁ ପ୍ରାୟ 66 ଶତାଂଶ  ଗ୍ରାମାଞ୍ଚଳରେ ଅବସ୍ଥିତ ଏବଂ ମୁଖ୍ୟତଃ ପାରିବାରିକ ମାଲିକାନାରେ କାର୍ଯ୍ୟକରେ । ସ୍ଥାନୀୟ ଲୋକଙ୍କୁ ଏହା ନିଯୁକ୍ତି ଦେବା ସହିତ ଲୋକଙ୍କୁ କାମ ଅନ୍ୱେଷଣରେ ଭିଟାମାଟି ନ ଛାଡିବାରେ ସହାୟକ ହୋଇଥାଏ । ଏହିସବୁ ଉଦ୍ୟୋଗ ମୁଖ୍ୟତଃ ଅଣୁ ଶିଳ୍ପୋଦ୍ୟୋଗର ଅନ୍ତର୍ଭୁକ୍ତ ।

ପିଏମ୍‌ ଏଫ୍‌ଏମ୍‌ଇ ଯୋଜନାର ସବିଶେଷ ରୂପରେଖ

ଖାଦ୍ୟ ପ୍ରକ୍ରିୟାକରଣରେ ଥିବା ଅତି ଛୋଟ ଛୋଟ ଉଦ୍ୟୋଗକୁ ଆର୍ଥିକ, ବୈଷୟିକ ଏବଂ ବ୍ୟାବସାୟିକ ସହାୟତା ଯୋଗାଇ ସେଗୁଡିକର ଉନ୍ନତୀକରଣ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପିଏମ୍‌ ଏଫ୍‌ଏମ୍‌ଇ ଯୋଜନା ଦେଶବ୍ୟାପୀ ଆରମ୍ଭ କରିଛି । ଏହି ଯୋଜନା ଚଳିତ 2020-21 ଆର୍ଥିକ ବର୍ଷଠାରୁ 5 ବର୍ଷ ପାଇଁ 2024-25 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ମୋଟ 10 ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ଅର୍ଥର 60 ଶତାଂଶ କେନ୍ଦ୍ର ଓ 40 ଶତାଂଶ ରାଜ୍ୟ ସରକାର ବହନ କରିବେ । ତେବେ ଉତ୍ତର ପୂର୍ବାଞ୍ଚଳ ଓ ହିମାଳୟ ସଂଲଗ୍ନ ରାଜ୍ୟଗୁଡିକ ପାଇଁ ଏ କ୍ଷେତ୍ରରେ କେନ୍ଦ୍ର ସରକାର 90 ଭାଗ ଅର୍ଥ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏ ବାବଦ ସମସ୍ତ ବ୍ୟୟ କେନ୍ଦ୍ର ସରକାର ବହନ କରିବେ । ଏହି ଯୋଜନାରେ ଗୋଟିଏ ଜିଲା ଗୋଟିଏ ସାମଗ୍ରୀ ନୀତି (ଓଡିଓଡିପି) ଅନୁସାରେ କାର୍ଯ୍ୟ କରାଯିବ । ତଦନୁସାରେ ସାମଗ୍ରୀର ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ବିକ୍ରିବଟା ଆଦି ନିର୍ଦ୍ଧାରିତ ନିର୍ଦେଶାବଳୀ ଅନୁସାରେ କରାଯିବ । କେଉଁ ଜିଲାରେ କେଉଁ ଖାଦ୍ୟ ପଦାର୍ଥର ପ୍ରକ୍ରିୟାକରଣ କରାଯିବ ସେ ସଂପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏଥିପାଇଁ ମଧ୍ୟ କ୍ଲଷ୍ଟରଭିତ୍ତିକ (ଚକଡା) ଚାଷକୁ ବିଚାରକୁ ନିଆଯିବ । ଏହା ଫଳରେ ଉଦ୍ୟୋଗୁଡିକୁ କଞ୍ଚାମାଲ ମିଳିବାରେ ଅସୁବିଧା ହେବନାହିଁ ।  ଫଳ ଓ ପନିପରିବା ଭଳି ଯେଉଁସବୁ ଦ୍ରବ୍ୟ ବିଶେଷ ପଚନଶୀଳ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇ ଆବଶ୍ୟକସ୍ଥଳେ ତାହାର ସଂରକ୍ଷଣ ଓ ତ୍ୱରିତ ପ୍ରକ୍ରିୟାକରଣ କରାଯିବ । ଏହା ସହିତ ବିଭିନ୍ନ ପ୍ରକାର ସାମଗ୍ରୀକୁ ପ୍ରକ୍ରିୟାକୃତ କରି ତାହାକୁ ବଜାରକୁ ଛଡ଼ାଯିବ । ଏଥିପାଇଁ ଯେଉଁସବୁ ସାମଗ୍ରୀର ଚିଠା ପ୍ରସ୍ତୁତ ହୋଇଛି ସେଥିରେ ଆମ୍ବ, ଆଳୁ, ଲିଚୁ, ଟମାଟୋ, କିନୁ, କମଳା, ଭୁଜିଆ, ପେଠା, ପାମ୍ପଡ, ଆଚାର, ମକା ଓ ବାଜରା ଜାତୀୟ ଶସ୍ୟ ପ୍ରସ୍ତୁତ ସାମଗ୍ରୀ, ମାଛ, ମାଂସ, ଅଣ୍ଡା, ପଶୁ ଖାଦ୍ୟ ଆଦି ଅନ୍ତର୍ଭୁକ୍ତ । ଏସବୁ ସାମଗ୍ରୀର ପ୍ରକ୍ରିୟାକରଣ ଜିଲାୱାରୀ କରାଯିବ । ଏହା ସହିତ ଯେଉଁସବୁ ଉଦ୍ୟୋଗ ଅନ୍ୟାନ୍ୟ ସାମଗ୍ରୀ ପ୍ରକ୍ରିୟାକରଣ କରୁଛନ୍ତି, ସେଗୁଡିକୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ଉଭୟ ପ୍ରକାର ସାମଗ୍ରୀ ପାଇଁ ବ୍ରାଣ୍ଡିଂ, ମାର୍କେଟିଂ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦିଆଯିବ । ଏହଛଡା ଏହି ଯୋଜନାରେ ଆବର୍ଜନାରୁ ସାମଗ୍ରୀ ଉତ୍ପାଦନ, ଲଘୁ ବନଜାତ ଦ୍ରବ୍ୟ ଆଦିର ପ୍ରକ୍ରିୟାକରଣ ପାଇଁ ମଧ୍ୟ ଆକାଂକ୍ଷୀ ଜିଲାରେ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ।

ଏବେ ଯେଉଁସବୁ ବ୍ୟକ୍ତିଗତ ଅତିକ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟ କରୁଛି ସେମାନେ ଚାହିଁଲେ ନିଜ ସଂସ୍ଥାର ଉନ୍ନତୀକରଣ ପାଇଁ ପ୍ରକଳ୍ପ ଖର୍ଚ୍ଚର 35 ଶତାଂଶ ଅନୁପାତରେ ଋଣଭିତ୍ତିକ ପୁଞ୍ଜି ସବ୍‌ସିଡିର ସୁଯୋଗ ନେଇପାରିବେ । ଏଥିପାଇଁ ସର୍ବୋଚ୍ଚ ଋଣସୀମା 10 ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ଏସ୍‌ଏଚଜି ସଦସ୍ୟଙ୍କ ପାଇଁ 40 ହଜାର ଟଙ୍କା ହାରରେ ସିଡ୍‌ କ୍ୟାପିଟାଲ ବା ମୂଳ ପୁଞ୍ଜି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏହି ଅର୍ଥକୁ ସେମାନେ କାର୍ଯ୍ୟକାରୀ ପୁଞ୍ଜି ବାବଦରେ କିମ୍ବା ଯନ୍ତ୍ରପାତି କ୍ରୟ ପାଇଁ ଖର୍ଚ୍ଚ କରିପାରିବେ । ଏହାଛଡା ଏଫ୍‌ପିଓ/ଏସ୍‌ଏଚ୍‌ ।ଜିଙ୍କୁ ପ୍ରଡ୍ୟୁସର କୋଅପରେଟିଭ ସଂସ୍ଥା ପୁଞ୍ଜି ନିବେଶ ପାଇଁ 35 ଶତାଂଶ ହାରରେ ଋଣଭିତ୍ତିକ ଅନୁଦାନ ଯୋଗାଇଦେବେ । ସେମାନେ ଚାହିଁଲେ ଏହି ଅର୍ଥକୁ ଭ୍ୟାଲୁଚେନ ପ୍ରତିଷ୍ଠା ଦିଗରେ ମଧ୍ୟ ବ୍ୟୟ କରିପାରିବେ । ମିଳିତ ପ୍ରକ୍ରିୟାକରଣ ସୁବିଧା, ଲାବରେଟାରୀ, ପଣ୍ୟାଗାର, ଶୀତଳ ଭଣ୍ଡାର, ପ୍ୟାକେଜିଂ ଓ ଇନ୍‌କ୍ୟୁବେଶନ ସୁବିଧା ଆଦି ପ୍ରତିଷ୍ଠା କରିବା ପାଇଁ 35 ଶତାଂଶ ହାରରେ ଋଣ ଅନୁଦାନ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିଭଳି ମାର୍କେଟିଂ ଏବଂ ବ୍ରାଣ୍ଡିଂ ସୁବିଧା ପାଇଁ ରାଜ୍ୟ ସରକାରମାନେ ଆଞ୍ଚଳିକସ୍ତରରେ ଶିଳ୍ପପୁଞ୍ଜରେ ଥିବା କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗଗୁଡିକୁ 50 ପ୍ରତିଶତ ହାରରେ ଅର୍ଥ ସହାୟତା ଦେବାର ବ୍ୟବସ୍ଥା ରହିଛି ।

ଏହି ନୂଆ ଯୋଜନାରେ ଦକ୍ଷତା ନିର୍ମାଣ ଓ ଗବେଷଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଏ ଦିଗରେ ଦୁଇଟି ଶୈକ୍ଷିକ ଗବେଷଣା ପ୍ରତିଷ୍ଠାନ ନିଫ୍‌ 10 ଏବଂ ଇଫ୍‌ଟି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଅଧୀନରେ ଉତ୍ପାଦିତ ସାମଗ୍ରୀର ମାନ ବୃଦ୍ଧି, ଉପଯୁକ୍ତ ପ୍ୟାକେଜିଂ, ଯନ୍ତ୍ରପାତି ବ୍ୟବହାର ଆଦି ସଂପର୍କରେ ଆବଶ୍ୟକ ତାଲିମ ଓ ପ୍ରଶିକ୍ଷଣ ପ୍ରଦାନ କରିବ । ପ୍ରାଦେଶିକ ସ୍ତରରେ ଏଥିପାଇଁ ରାଜ୍ୟ ସରକାର ପ୍ରତିଷ୍ଠାନ ବାଛିବାର ଦାୟିତ୍ୱ ପାଇଛନ୍ତି ।

ଏହି ଯୋଜନାର ସୁବିଧା ନେବାପାଇଁ ବ୍ୟକ୍ତିବିଶେଷ ନିଜ ନିଜ ଉଦ୍ୟୋଗର ବିବରଣୀ, ପ୍ରସ୍ତାବିତ ପ୍ରକଳ୍ପର ବ୍ୟୟ ଅଟକଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟାବଳୀ ସହ ଆବେଦନ କରିପାରିବେ । ଏଥିପାଇଁ ବିଭିନ୍ନ ରାଜ୍ୟରେ ଥିବା ନୋଡାଲ ଏଜେନ୍‌ସି ଏବଂ ଜିଲାସ୍ତରୀୟ କେନ୍ଦ୍ର ସହ  ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଅପରେସନ ଗ୍ରୀନ ଯୋଜନାର ସଂପ୍ରସାରଣ

ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳଣ ଦ୍ୱାରା ଯେଉଁ ଅପରେସନ ଗ୍ରୀନ ଯୋଜନା କାର୍ଯ୍ୟକାରୀ ହୋଇଛି, ସେଥିରେ କେବଳ ଟମାଟୋ, ପିଆଜ ଓ ଆଳୁ ସ୍ଥାନ ପାଇଛି । ନୂଆ ବ୍ୟବସ୍ଥାରେ ଏହାର ପରିସରକୁ ବୃଦ୍ଧି କରାଯାଇ ଏଥିରେ ପଚନଶୀଳ ଫଳ ଓ ପନିପରିବାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଫଳରେ ଅପରେସନ ଗ୍ରୀନ ଯୋଜନାଭୁକ୍ତ ସବୁ କୃଷିଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ପରିବହନ କ୍ଷେତ୍ରରେ ସବ୍‌ସିଡି ପ୍ରଦାନ କରାଯିବ । ବହୁଳ ଉତ୍ପାଦିତ ଅଞ୍ଚଳରୁ ଅଧିକ ବଜାର ଚାହିଦା ଥିବା ସ୍ଥାନକୁ ଏସବୁ ଜିନିଷ ପରିବହନ କ୍ଷେତ୍ରରେ ଏହି ରିହାତି ମିଳିବ । ଏହା ଫଳରେ ଚାଷୀ ଅଭାବୀ ବିକ୍ରିରୁ ସୁରକ୍ଷିତ ରହିପାରିବେ । ଲକ୍‌ଡାଉନ କାଳୀନ ଅସୁବିଧା କିମ୍ବା ଉତ୍ପାଦନ ପରବର୍ତ୍ତୀ କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିବେ ।

ଯୋଗ୍ୟ ବିବେଚିତ ଫସଲ

ଫଳ- ଆମ୍ବ, ପାଚିଲା କଦଳୀ, ପିଜୁଳି, କିୟୁ, ଲିଚୁ, ଅମୃତଭଣ୍ଡା, ଖଟା ଓ ମିଠା କମଳା, ସପୁରୀ, ଡାଳିମ୍ବ ଏବଂ ପଣସ । ପନିପରିବା:  ଫ୍ରେଞ୍ଚ ବିନ୍‌, କଲରା, ବାଇଗଣ, କ୍ୟାପ୍‌ସିକମ୍‌, ଗାଜର, ଫୁଲକୋବି, କଞ୍ଚାଲଙ୍କା, ଭେଣ୍ଡି, ପିଆଜ, ଆଳୁ ଓ ଟମାଟୋ । ତାଲିକଭୁକ୍ତ ଏହି ଫଳ ଓ ପନିପରିବା ଭବିଷ୍ୟତରେ କୃଷି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀକୁ ଏହାର ଅନ୍ତର୍ଭୁକ୍ତ କରାଯାଇପାରିବ ।

ଯୋଜନାର ଅବଧି

ବିଜ୍ଞାପନ ତାରିଖଠାରୁ 6 ମାସ ଅର୍ଥାତ୍‌ 11 ଜୁନ୍‌ 2020ରୁ ଡିସେମ୍ବର 11 ପର୍ଯ୍ୟନ୍ତ ।

କେଉଁମାନେ ଯୋଗ୍ୟ

ଫୁଡ୍‌ ପ୍ରସେସର, ଏଫ୍‌ପିଓ, ଏଫ୍‌ପିସି, କୋଅପରେଟିଭ ସୋସାଇଟି, ବ୍ୟକ୍ତିଗତ ଚାଷୀ, ଲାଇସେନ୍ସପ୍ରାପ୍ତ କମିଶନ ଏଜେଣ୍ଟ, ରପ୍ତାନୀକାରୀ ରାଜ୍ୟ ମାର୍କେଟିଂ/କୋ ଅପରେଟିଭ ଫେଡେରେସନ ଏବଂ ଫଳ ଓ ପନିପରିବାର ବିକ୍ରିବଟା ତଥା ପ୍ରକ୍ରିୟାକରଣରେ ସଂପୃକ୍ତ ଖୁଚୁରା ବେପାରୀ ।

ସହାୟତାର ପ୍ରକାର

ମନ୍ତ୍ରଣାଳୟ ନିମ୍ନଲିଖିତ କ୍ଷେତ୍ରରେ ଖର୍ଚ୍ଚର 50 ଶତାଂଶ ସବ୍‌ସିଡି ଆକାରରେ ଯୋଗାଇବ । ତେବେ ଏଥିରେ କେତେକ ସର୍ତ୍ତ ରହିବ । ବଳକା ଉତ୍ପାଦନ ହେଉଥିବା ଅଞ୍ଚଳରୁ ତାଲିକାଭୁକ୍ତ ଫସଲକୁ ଖାଉଟି ବଜାରକୁ ପରିବହନ କ୍ଷେତ୍ରରେ କିମ୍ବା ଏସବୁ ସାମଗ୍ରୀର 3 ମାସ ପାଇଁ ଭଣ୍ଡାରଣ କ୍ଷେତ୍ରରେ ଖର୍ଚ୍ଚ ଉପରେ ଏହି 50 ଶତାଂଶ ସବ୍‌ସିଡି ମିଳିବ ।

ସବ୍‌ସିଡି ପାଇବା ପାଇଁ ଆବେଦନ ବ୍ୟବସ୍ଥା

ଯେଉଁ ସଂପୃକ୍ତ ପକ୍ଷ ସର୍ତ୍ତ ଅନୁସାରେ କାର୍ଯ୍ୟ କରିଥିବେ ଏବଂ ଏଥିପାଇଁ ପ୍ରାକ୍‌ ଅନୁମତି ପାଇଥିବେ ସେମାନେ ଅନ୍‌ଲାଇନ ପୋର୍ଟାଲରେ ଆବେଦନ କରିପାରିବେ । ଏହି ପୋର୍ଟାଲ ହେଲା https://www.sampada-mofpi.gov.in/Login.aspx । ସାମଗ୍ରୀ ପରିବହନ ଓ ଭଣ୍ଡାରଣ ପୂର୍ବରୁ ଆବେଦନପତ୍ର ପଞ୍ଜୀକୃତ କରିବାକୁ ହେବ ।

ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ନିଃଶୁଳ୍ପ ଅନ୍‌ଲାଇନ ତାଲିମ ବ୍ୟବସ୍ଥା

ମନ୍ତ୍ରୀ ଶ୍ରୀମତୀ ବାଦଲ ସୂଚନା ଦେଇଛନ୍ତି ଯେ ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଉଦ୍ୟୋଗୀ ଓ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କୁ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ନିଃଶୁଳ୍ପ ଦକ୍ଷତାବିକାଶ ତାଲିମ ଅନ୍‌ଲାଇନରେ ଯୋଗାଇ ଦିଆଯିବ । ଏଥିପାଇଁ ନିଫ୍‌ଟେନ୍‌ ଓ ଫିକ୍‌ସି ସଂସ୍ଥା ସହ ବୁଝାମଣା ହୋଇଛି । ମୋଟ 41ଟି ପ୍ରକାର ବିଷୟବସ୍ତୁ ଏଥିପାଇଁ ଚିହ୍ନଟ କରାଯାଇଛି । ପାଉଁରୁଟି, ଜାମ୍‌ ଓ ଆଚାର ପ୍ରସ୍ତୁତି ସଂପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାଛଡା ସେମାନଙ୍କୁ ବିଷୟବସ୍ତୁ ଡିଜିଟାଲ ବ୍ୟବସ୍ଥାରେ ଯୋଗାଇ ଦେବାର ବନ୍ଦୋବସ୍ତ କରାଯାଇଛି । ଏହି ବର୍ଗର ପ୍ରାର୍ଥୀମାନେ ଭଲଭାବେ ତାଲିମ ପାଇଲେ ସେମାନଙ୍କୁ ଉତ୍ତମ ନିଯୁକ୍ତି ସୁବିଧା ମିଳିବ କିମ୍ବା ସେମାନେ ନିଜ ନିଜର ଉଦ୍ୟୋଗ ଆରମ୍ଭ କରିପାରିବେ । ନିଫ୍‌ଟେନ୍‌ ପକ୍ଷରୁ ପ୍ରଶିକ୍ଷଣ ନେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ହ୍ୟାଣ୍ଡବୁକ୍‌ ଓ ଫାସିଲିଟେଟର ଗାଇଡ ଆଦି ପ୍ରସ୍ତୁତ କରାଯାଇଛି । ଇ ଲର୍ଣ୍ଣିଂ ପାଇଁ ଏହା ବିଶେଷ ସହାୟକ ହୋଇପାରିବ । ଇଂରାଜୀ, ହିନ୍ଦୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ୱେବ ଏବଂ ଆଣ୍ଡ୍ରୋଏଡ ମୋବଇଲରେ ଏହା ଉପଲବ୍ଧ ହେବ ।

 

**********



(Release ID: 1635196) Visitor Counter : 252